Unknown

 

 

 

 

 

 

 

 

 

 

 

ଭରସା

ଗୋପାଳ ଛୋଟରାୟ

 

ଶ୍ରୀମତୀ ବନଲତା ଦେବୀ

 

କରକମଳେଷୁ–

 

କାଗଜ ଓ କଲମ ଉପରେ ତମର କେବେହେଲେ ଭରସା ନ ଥାଏ । ସେଥିପାଇଁ ତମରି ହାତରେ ‘ଭରସା’ ଦେଇ ମୁଁ ତୃପ୍ତ ।

 

ଗୋପାଳ

☆☆☆

 

ନିଜ କଥା

 

ରଙ୍ଗମଞ୍ଚ ପାଇଁ ଉଦ୍ଦିଷ୍ଟ ନାଟକରେ ସାହିତ୍ୟର ଏକ ବିଶିଷ୍ଟ ସ୍ଥାନ ଅଛି–ଏଭଳି ନାଟକ ଦର୍ଶକମାନଙ୍କୁ ନିର୍ମଳ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଆର୍ଥିକ ଦିଗରୁ ମଧ୍ୟ ରଙ୍ଗମଞ୍ଚକୁ ବଞ୍ଚାଇ ରଖିପାରେ, ଏ ପ୍ରମାଣ ‘ଭରସା’ ନାଟକ ଦେଇ ପାରିଚି । ମୋ ନାଟକ ରଚନାର ସାର୍ଥକତା ଏଇଠି-

 

ଏଇ ନାଟକକୁ ଏକାନ୍ତ ସଫଳତା ସହ ମଞ୍ଚସ୍ଥ କରାଇବାରେ ଯେଉଁମାନେ ସାହାଯ୍ୟ କରିଛନ୍ତି, ବିଶେଷତଃ ଜନତା ରଙ୍ଗମଞ୍ଚର ଜେନେରାଲ ମେନେଜର ମୋର ବନ୍ଧୁ ଶ୍ରୀ ନରସିଂହ ମହାପାତ୍ର, ତାଙ୍କ ସହକର୍ମୀ ଶ୍ରୀ ଋଷିଶୃଙ୍ଗ ମିଶ୍ର ଓ ପରିଚାଳକ ଶ୍ରୀ ନିରଞ୍ଜନ ଶତପଥୀଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି । ରଙ୍ଗମଞ୍ଚରେ ଅଭିନୀତ ହେବା ସମୟର ସଙ୍ଗୀତ ସବୁର ରଚନା ଓ ସ୍ୱର ପାଇଁ କିଶୋର କବି ଶ୍ରୀ ଶ୍ୟାମସୁନ୍ଦର ଦାସଙ୍କଠାରେ ମୁଁ ଋଣୀ ।

 

ଯେଉଁ ସମ୍ବାଦପତ୍ର ଓ ସମାଲୋଚକ ବନ୍ଧୁମାନେ ଏ ନାଟକ ସମ୍ବନ୍ଧରେ ସେମାନଙ୍କର ଅଭିମତ ଦେଇଅଛନ୍ତି, ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

କାଳୀଗଳି

 

କଟକ-୨

ଗୋପାଳ ଛୋଟରାୟ

ତା ୧୦/୦୧/୧୯୫୪

 

☆☆☆

 

ବିଭିନ୍ନ ପତ୍ର-ପତ୍ରିକାର ଅଭିମତ

 

ଗତକାଲି ସ୍ଥାନୀୟ ଜନତା ରଙ୍ଗମଞ୍ଚରେ ‘ଭରସା’ ନାଟକର ପ୍ରଥମ ଅଭିନୟ ଆରମ୍ଭ ହେଲା । ସୁପରିଚିତ ନାଟକ ଲେଖକ ଶ୍ରୀ ଗୋପାଳ ଛୋଟରାୟ ଏହି ନାଟକର ସ୍ରଷ୍ଟା । ଜଣେ ଶିଳ୍ପୀର କଳାପ୍ରେମ ଓ ଆଦର୍ଶବାଦ ଉପରେ ନାଟକଟି ରଚିତ ହୋଇ ବହୁ ବିଭିନ୍ନ ଚରିତ୍ର ଓ ଘଟଣାରେ ପୂର୍ଣ୍ଣ ହୋଇଥିବା ହେତୁ ନାଟକ ଅଭିନୟ ବିଶେଷ ଚିତ୍ତାକର୍ଷକ ହୋଇଥିଲା । ସଂଳାପଗୁଡ଼ିକ ଅତି ଉଚ୍ଚ ଧରଣର ଓ ସମସ୍ୟାମୂଳକ ଏବଂ ତାହା ଅଭିନେତାମାନଙ୍କ ଯୋଗ ବିଶେଷ ବୋଧଗମ୍ୟ ଓ ହୃଦୟଗ୍ରାହୀ ହୋଇପାରିଥିଲା ।

 

ଏଭଳି ନାଟକ ରଚନା ଓ ଅଭିନୟ ପ୍ରଦର୍ଶନ ଯେ କୌଣସି ରଙ୍ଗମଞ୍ଚ ପକ୍ଷରେ ଗର୍ବର ବସ୍ତୁ ହେବ ।

 

“ସମାଜ”–ତା ୧୮/୧୨/୫୩

 

‘ଭରସା’ ପ୍ରକୃତରେ କଳାକାର, ଅଭିନେତା ତଥା ଦର୍ଶକ ସମସ୍ତଙ୍କୁ ଯେଉଁ ଭରସାର ସୂଚନା ଦେଲେ, ତହିଁରୁ ଏ ରଙ୍ଗମଞ୍ଚ ହାତରେ ଓଡ଼ିଶୀ ନାଟ୍ୟକଳାର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା ବିଡ଼ମ୍ବନା ହେବ ନାହିଁ ।

 

“ମାତୃଭୂମି”–ତା ୧୮/୧୨/୫୩

 

ତାଙ୍କର “ଫେରିଆ” ପରେ ଆଜି ଏଇ ଯେଉଁ ନୂତନ ଅର୍ଘ୍ୟଟି ସମର୍ପି ଦେଇଛନ୍ତି ଜନତା ହାତରେ, ଜନତା ତା’ର ଭୂୟସୀ ପ୍ରଶଂସା କରିବ ହିଁ କରିବ ।

 

ଶେଷରେ ଭରସାର ଜନ୍ମଦାତା ଗୋପାଳବାବୁଙ୍କୁ ତାଙ୍କର ସଫଳତା ପାଇଁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ନାଟ୍ୟକାରମାନଙ୍କୁ ଅନୁରୋଧ କରୁ ଯେ, ଏହିପରି ଉପାଦେୟ ନାଟକ ପରିବେଷଣ କରି ଦେଶର ତଥା ଜାତିର କଲ୍ୟାଣ ସାଧନ କରନ୍ତୁ ।

 

“ପ୍ରଜାତନ୍ତ୍ର”–ତା ୨୭/୧୨/୫୩

 

ନାଟ୍ୟକାର ନାଟକର ପ୍ରତି ପୃଷ୍ଠାରେ ଆଜିର ହୀନ ତଥା ଜଘନ୍ୟ ସାହିତ୍ୟ ମନୋବୃତ୍ତିକୁ ଛିନ୍ନଭିନ୍ନ କରି ଯେଉଁ ସାହିତ୍ୟ ଉଦ୍ଦେଶ୍ୟ (Literary purpose) ସାଧିତ କରିଛନ୍ତି ତାହା ଯେ କୌଣସି ଦର୍ଶକ ଥରେ ମାତ୍ର ଜନତା ରଙ୍ଗମଞ୍ଚରେ ଏହି ସାମାଜିକ ତଥା ସାହିତ୍ୟ ସମସ୍ୟାବହୁଳ ନାଟକ ‘ଭରସା’କୁ ଦେଖିଲେ ଆଜିର ଓଡ଼ିଆ କଳାକାରକୁ ଜୟମାଲ୍ୟ ପିନ୍ଧାଇବାକୁ ତାଙ୍କର ଆତ୍ମା କାନ୍ଦିଉଠିବ । ନାଟକରେ ଯେଉଁ ବଳିଷ୍ଠ ଭାଷା ଓ ନିପୁଣ ହାସ୍ୟରସ ପରିବେଷଣ କରାଯାଇଛି ତାହା ହିଁ ଓଡ଼ିଆ ନାଟ୍ୟ ସାହିତ୍ୟର ଏକ ଉଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିଛି ।

 

ପରିଶେଷରେ ନାଟକଟି ଯେତିକି ପ୍ରାଣସ୍ପର୍ଶୀ ସେତିକି ହୃଦୟଗ୍ରାହୀ; ଯେତିକି ସାହିତ୍ୟିକ ସେତିକି ସାମାଜିକ; ଯେତିକି ବାସ୍ତବ, ସେତିକି ଜୀବନ୍ତ ହୋଇପାରେ । ଜନତା ରଙ୍ଗମଞ୍ଚ ତଥା ଓଡ଼ିଆ ନାଟ୍ୟ ସାହିତ୍ୟର ‘ଭରସା’ ଚିରକାଳ ପାଇଁ ଦୁର୍ଦ୍ଦିନ ଦିନର ଭରସା ହେବ ତାହା ସୁନିଶ୍ଚିତ ।

 

“ତେନ୍ତୁଳିଛାଟ”–ତା ୨୮/୧୨/୫୩

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

ନାୟକ ମୋହନର ବାସଭବନ–ମୋହନ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ଯୁବକ–ବୟସ ପ୍ରାୟ ପଚିଶ ବର୍ଷ–ସମୟ ରାତ୍ରି ଏଗାରଟା–ଏହି ଗଭୀର ରାତ୍ରିର ଅନ୍ଧକାରକୁ ଆହୁରି ଭୀଷଣ କରି ଦେଉଥାଏ ବର୍ଷା ଆଉ ତୋଫାନ–ଘରଟିକୁ ଦେଖିଲେ ମନେହୁଏ ଯେପରି ବାହାର ଭଙ୍ଗାଘର ସହିତ ଏହାର ଦାରିଦ୍ର୍ୟର ସମ୍ପର୍କ ଯଥେଷ୍ଟ ରହିଛି । ମୋହନ ଶିଳ୍ପୀ–କୋଠରୀ ତା’ର “ଷ୍ଟଡ଼ିଓ” କିନ୍ତୁ “ଷ୍ଟଡ଼ିଓ” କହିଲା ବେଳକୁ ଯେଉଁ ଅନାହୂତ ସୌନ୍ଦର୍ଯ୍ୟର ଛାୟା ଆମ ଆଖି ଆଗରେ ଭାସିଉଠେ; ତା’ର ଚିହ୍ନବର୍ଣ୍ଣ ଏଠି ନାହିଁ–ଯେ କେତୋଟି ଛବି ଓ ମୂର୍ତ୍ତିର ଶିଳ୍ପଚାତୁରୀ ସୌନ୍ଦର୍ଯ୍ୟର ପରିଚୟ ଦେଉଛି, ତାକୁ ଅତି ନିଷ୍ଠୁର ଭାବରେ ହତ୍ୟା କରୁଛି ଭଙ୍ଗା ଚୌକି, ଭଙ୍ଗା ଟେବୁଲ–ଭଙ୍ଗା କାନ୍ଥ । ଏଇ ପରିସ୍ଥିତି ଭିତରେ ମୋହନ ଗୋଟିଏ ଛବିର କାମ କରି ଚାଲିଚି–ଆଉ ଗାଉଚି ଗୋଟିଏ ଗୀତ–ଘର ଭିତରେ ଥାଇ ବାହାରର ବର୍ଷା ତୋଫାନର ମହିମା ଠିକ୍ ଉପଲବଧି କରିହୁଏ–ଆଉ ସେଥିପାଇଁ ବୋଧହୁଏ ମୋହନର ଗୀତର ତାଳ–ବାହାରର ବର୍ଷା ତୋଫାନ ସହିତ ଠିକ୍ ଖାପ ଖାଇ ଚାଲିଛି–

 

–ଗୀତ–

 

ମାନେ ମାନିନୀ ଆସେ ମାନେ ମାନିନୀ ଆସେ

ଆସେ ରେ ଆସେ ଧୀରେ ଧୀରେ ଧୀରେ ଧୀରେ

ମାନେ ମାନିନୀ ଆସେ ।। ୦ ।।

 

ଝର ଝର ଝରିପଡ଼େ ନୟନର ବାରି

ବିରହୀ ବୁକୁ ଚିରି

କରୁଣ ଚାହାଣୀ ଅକୁହା କାହାଣୀ

ଅକୁହା କାହାଣୀ

କହିଯାଏ ବାରେ ବାରେ କହିଯାଏ ବାରେ ବାରେ ।। ୧ ।।

 

ଅନ୍ଧାର ମନ୍ଦିରେ ଝଲକ ଝଲକ କରି

ପୁଲକେ ଆଲୋକ ଖେଳେ ଲୁଚି ଲୁଚି ଲୁଚକାଳି

ଝିଲିମିଲି ଝଲିମିଲି

ଫିକା ହସ ହସି ହସି ଛଇଳୀ ଝାଉଁଳେ

ଅମାନିଆ ମନ ଧାଏଁ ଅଭୁଲା ଗୀତ ସୁରେ

ଦୂରେ ଦୂରେ ଦୂରେ ଦୂରେ ଦୂରେ ।। ୨ ।।

ମାନେ ମାନିନୀ ଆସେ... ।

 

(ଗୀତ ଶେଷ ହୋଇ ଆସିଲା । ବାହାରର ବର୍ଷା, ତୋଫାନ ସେହିପରି ଚାଲିଥାଏ–ମୋହନ ଖୁବ୍ ମନଦେଇ ଯେପରି ଛବିଟା ଆଙ୍କିବାରେ ଲାଗିଲା–ଠିକ୍ ଏତିକିବେଳେ ଝଡ଼ ବେଗରେ ପଶି ଆସିଲା “ନୀଳା” । ବିବାହବେଦୀକୁ ଯାଉଥିବା କନ୍ୟାର ସମସ୍ତ ଚିହ୍ନ ତା’ଠାରେ ବିଦ୍ୟମାନ । ଆସିବା ସଙ୍ଗେ ସଙ୍ଗେ ସେ ଘରର ଦରଜାଟା ଖୁବ୍ ଜୋରରେ ବନ୍ଦ କରିଦେଲା–ଆଉ ସେ ବନ୍ଦ ଦରଜାକୁ ପିଠିକରି ଆଉଜି ଠିଆ ହୋଇ ଯେପରି ଗୋଟିଏ ସ୍ୱସ୍ତିର ନିଃଶ୍ୱାସ ଛାଡ଼ିଲା–ଆଖି ଦୁଇଟା ତା’ର ଆପେଆପେ ବନ୍ଦ ହୋଇ ଆସିଲା । ଏତେ ଜୋରରେ ଦରଜା ବନ୍ଦ ହୋଇଯିବା ଶବ୍ଦରେ ମୋହନ ଚମକିଉଠିଲା ।)

 

ମୋହନ—କିଏ ? ନୀଳା !! (ନୀଳା କିଛି କହିପାରିଲା ନାହିଁ, ମୁହଁ ତଳକୁ କରି ଠିଆ ହୋଇ ରହିଲା ।)

 

ନୀଳା ! ତୁ ଏ ବେଶରେ ଏଠି ?

 

ନୀଳା—(ଧୀରେ ମୁହଁ ଟେକି ଚାହିଁଲା–ତା’ ଆଖିରେ ଲୁହ)

 

ମୋହନ—କ’ଣ ହେଲା ନୀଳା ?

 

ନୀଳା—(ମୋହନ ନିକଟକୁ ଆଗେଇ ଆସୁ ଆସୁ) ଅନେକ ଭାବିଚିନ୍ତି ମନର ସମସ୍ତ ବଳକୁ ଏକାଠି କରି ମୁଁ ଆଜି ଏତେବେଳେ ଏ ଅବସ୍ଥାରେ ତୁମ ନିକଟକୁ ପଳାଇ ଆସିଚି ! ମୋହନ–କେବଳ ତୁମରି ଭରସାରେ ମୁଁ ଏ ଦୁଃସାହସ କରିଚି ।

 

ମୋହନ—ତୋର ବିବାହ କାହ୍ନୁ ମହାରଣା ପୁଅ ଶଙ୍କର ସାଥିରେ ହେବାର ଥିଲା ନାଁ ?

 

ନୀଳା—ହଁ....

 

ମୋହନ—ବିବାହକାର୍ଯ୍ୟ ଶେଷ ହୋଇଯାଇଚି ?

 

ନୀଳା—ନା, ଆରମ୍ଭ ହେବା ପୂର୍ବରୁ ମୁଁ ଚାଲି ଆସିଚି–

 

ମୋହନ—ବିବାହବେଦୀ କନ୍ୟା ତୁ–ଅଥଚ...

 

ନୀଳା—ମୁଁ ତ କହିଚି ମୋହନ, କେବଳ ତମରି ଭରସାରେ ମୁଁ ଏ ଦୁଃସାହସ କରିଚି ।

 

ମୋହନ—ମତେ ଛାଡ଼ି ସ୍ୱୟଂ ଭଗବାନଙ୍କ ଉପରେ ଭରସା ରଖି ତୁ ଯଦି ଏ କାମ କରିଥାଉ, ତାହାହେଲେ ବି ନୀଳା ତୁ ଭୁଲ୍ କରିଚୁ–

 

ନୀଳା—(ବାଧା ଦେଇ) ମୋ ଭୁଲ୍‍ର କୈଫିୟତ ତମେ ପରେ ନେବ ମୋହନ, ମୋତେ ଆଗେ କୁହ ମୁଁ ଏଠି ଟିକେ ଆଶ୍ରୟ ପାଇବି କି ନା ? ପୋଲିସ ମୋ ଆସିବାର ଖବର ପାଇଚି–(ଭୟରେ ସେ ଏକାବେଳେକେ କାତର ହୋଇପଡ଼ିଲା)

 

ମୋହନ—ବୁଝିଲି, ଏ ତୋର ଦୁଃସାହସ ନୁହେଁ–ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରୟ କଲାଭଳି ତୋ ଅବସ୍ଥା ଆଜି ହୋଇଚି; କିନ୍ତୁ କାହିଁକି ନୀଳା ! ଶଙ୍କରକୁ ବିବାହ କରି–

 

ନୀଳା—(ଆହତ ଦୃଷ୍ଟିରେ ମୋହନକୁ ଚାହିଁ) ମୋହନ… ।

 

ମୋହନ—ମତେ କ୍ଷମାକର ନୀଳା । ଶଙ୍କରକୁ ଭଲ ଭାବରେ ଚିହ୍ନିବାର ସୁଯୋଗ ମୁଁ ପାଇ ନାହିଁ ।

 

ନୀଳା—ସେଥିପାଇଁ ତ ମୋର ଏ ଆସିବାଟାକୁ ତୁମେ ଭୁଲ୍ ବୋଲି କହୁଚ–

 

ମୋହନ—କିନ୍ତୁ ଜାତି, ଧର୍ମ, ସମାଜର ଶିକୁଳିରେ ବନ୍ଧା ଚିତ୍ରକର ମଧୁ ମହାରଣାର ଅଠର ବର୍ଷର ଝିଅ ରାତି ବାରଟା ବେଳେ ବିବାହବେଦୀରୁ ବର ପାଖରୁ ଉଠିଆସି ପର ପାଖରେ ଠିଆ ହେବ–ୟା’କୁ ମୁଁ ଠିକ୍ ବୋଲି କେଉଁ ସାହସରେ କହିବି ନୀଳା ?

 

ନୀଳା—(କାତର କଣ୍ଠରେ) ମୋହନ ! ମୁଁ ପୁଣି ଥରେ କହୁଚି ମୋହନ, ମୁଁ ଯାହା କିଛି କରିଚି କେବଳ ତୁମରି ଭରସାରେ । ମୋତେ କହିବାର ସୁଯୋଗ ମୁଁ ଆଜି ଅନେକ ଲୋକଙ୍କୁ ଦେଇ ଆସିଚି । କିନ୍ତୁ ମୋ ନିଜ କଥା କହିବାର ସୁଯୋଗ ମୁଁ ପାଇଚି ଏକା ତମରି ପାଖରେ । ତମେ ଶୁଣିବ ନାହିଁ ମୋ କଥା ?

 

ମୋହନ—ମୋର ସେ ଭଙ୍ଗା ଟ୍ରଙ୍କଟା ଖୋଲି ଦେଖିବୁ ନୀଳା–ମୁଁ ଜଣେ ଶିଳ୍ପୀ ଆଉ ଚିତ୍ରକର ବୋଲି ସେଥିର ଗୋଛା ଗୋଛା ସାର୍ଟିଫିକେଟ ରହିଛି । କିନ୍ତୁ ଆଜିକୁ ଦୁଇଦିନ ହୋଇଗଲା–ପଇସା ଅଭାବରୁ ମୋତେ ଏ ଦୁଇଦିନ ପ୍ରାୟ ଉପବାସରେ କଟେଇବାକୁ ପଡ଼ିଚି । ମୋର ମନେ ହେଉଚି ତୋ’ ବାହାଘରର ଭୋଜି ଖାଇବାପାଇଁ ଆଜି ସଞ୍ଜବେଳେ ମତେ ଯେପରି ଜଣେ କିଏ ନିମନ୍ତ୍ରଣ କରି ଯାଇଥିଲା । କିନ୍ତୁ ତା’ ତ ହେଇପାରିଲା ନାହିଁ ! ବର୍ତ୍ତମାନ ତୋ ଜୀବନର ଲୁହଭରା କାହାଣୀ ତୁ କହି ଯା ନୀଳା–ସେଇଥିରେ ମୋର କ୍ଷୁଧା ମେଣ୍ଟିବ–

 

ନୀଳା—ମୋହନ ! (ନୀଳା କାନ୍ଦି ପକାଇଲା)

 

ମୋହନ—ହଁ—ନୀଳା ! ତୁ କହି ଯା–ତୋ କଥା.....

 

(କ୍ରୋଡ଼ ଦୃଶ୍ୟ)

 

(ଠିକ୍ ଏହି ସମୟରେ ମଞ୍ଚ ଅନ୍ଧାର ହୋଇଗଲା–କ୍ଷଣକ ପରେ ପୁଣି ଆଲୁଅ ଜଳିଉଠିଲା, ଆଉ ମଞ୍ଚରେ ଦେଖାଗଲା ନୀଳା ଘରର ଗୋଟିଏ ଅଳିନ୍ଦର ଦୃଶ୍ୟ)

 

କାହ୍ନୁ—(ବ୍ୟସ୍ତ ହୋଇ ପ୍ରବେଶ) ହୋଇଗଲା–ହୋଇଗଲା–ଖୁବ୍ ହୋଇଗଲା; ଢେର–ଢେର–ପୁଅ ବାହାକଲି ମୁଁ;

 

ଶଙ୍କୁ—ହେ ଶଙ୍କରା ? ବେହିଆ; ଅଲାଜୁକ–ଉଠି ଆସିବାକୁ ସେଠି ବର ବେଶ ହୋଇ ବସିଚି ।

 

ମଧୁ—(ପ୍ରବେଶି) ସମୁଦି–ସମୁଦି–ଶୁଣ ଭଲା ?

 

କାହ୍ନୁ—ରଖ ହୋ ତୁମର “ସମୁଦି” । କଷିକରି ଗାଲରେ ଛ’ପଟା ଚୂନକଳା ଦେଇ ଆସିଲେ ପୁଣି ଡାକିବାକୁ ‘‘ସମୁଦି’’ ! ତେଣେ ଇଷ୍ଟେସନ ଯାଇ ଦେଖ–ତୁମ ପାଠୋଇ ଝିଅ କଲିକତା କି କାଳିମାଟି ଟିକଟ କାଟିବେଣି–

 

ମଧୁ—ତୁମ ହାତ ଧରୁଚି ମହାରଣାଏ–ତମେ ଟିକେ ଥୟ ଧରି ବସ । ପିଲାଟା ମନ ଫେରେଇବାକୁ ଏଇ ସାଇରେ କାହା ଘରଆଡ଼େ ଯାଇଥିବ–ମୁଁ ଏଇସାତ୍ ତାକୁ ଧରି ଆଣୁଚି–

 

କାହ୍ନୁ—ମଧୁ ମହାରଣା ! ଏଇ ନିଶ ଦି’ପଟା ଦେଖୁଚ ? ଅଠର ବର୍ଷଦିନୁ ରଖିଚି । ସଭାରେ ହାରିଲେ କାହ୍ନୁ ମହାରଣା ନିଶ ପକେଇବ–ଏଇ ପଣ କରି ଏ ନିଶ ରଖିଥିଲି । କହିବ ତ ତମରି ଆଗରେ ଏ ନିଶ କାଟି ଦିଆସିଲି ମାରି ଜଳେଇ ଦେବି–ତା’ ସହି–ହେଲେ ନୀଳା ସହିତ ଶଙ୍କୁର ବାହାଘର ! ହେଇପାରିବ ନାହିଁ–ମହାରଣାଏ ହେଇପାରିବ ନାହିଁ । ମୁଁ କ’ଣ ଜାଣେ ନାହିଁ ତୁମ ଝିଅଙ୍କ ଗୁଣ ? ପାଠୋଇ ଝିଅ ତୁମର ଘରଯୋଗ୍ୟା ହେଇ ଛ’ବର୍ଷ କାଳ ଘରେ ରହିଲେ, ଦୁନିଆ ସାରା ବୁଲି ଆସିଲ, କୋଉଠି ଗୋଟାଏ ବରପାତ୍ର ଜୁଟିଲା ନାହିଁ–

 

ମଧୁ—ଝୁଅଠେଇଁ ତ ମୋର କିଛି ମାଛିଆପୋତକ ହେଇନଥିଲା କାହ୍ନୁ–ଦି’ଅକ୍ଷର ପାଠ ପଢ଼ିଥିଲା ବୋଲି ସମସ୍ତେ ମିଳିମିଶି ତାକୁ ବାସନ୍ଦ କରିଦେଲେ ।

 

କାହ୍ନୁ—ସେଇ କଥା ତ.........କୁଳର ଝୁଅଟା ଭାସି ଯାଉଥିଲା ବୋଲି ତାକୁ ବୋହୂ କରିବାକୁ ରାଜି ହେଲି । ବର୍ତ୍ତମାନକୁ ଏବେ ହେଲା କ’ଣ ? ହାତଗଣ୍ଠି ପଡ଼ିବ ବୋଲି ପୁଅ ମୋର ବେଦୀ ଉପରେ ବସିଚି–ଏଣେ ଝିଅ ଗୁଣମଣି ତୁମର ପଗାରପାର୍ ! ମୁଁ ଜାଣେ–ଜାଣେ ସେଇ ଚଟିମଡ଼ା ଇଙ୍ଗିରେଜୀ ପଢ଼ାର ଗୁଣ ଇଏ... ।

 

ମଧୁ—ସେଇପାଇଁ ତ ଶଙ୍କର ସାଥିରେ ନୀଳାକୁ ବାହା ଦେବାକୁ ମୁଁ ରାଜି ହେଇଥିଲି । ନଇଲେ ଗୋଟାଏ...

 

କାହ୍ନୁ—କ’ଣ–କ’ଣ କହିଲ ମହାରଣା ? ମୋ ପୁଅ ପୁଣି କଣଟାଏ–

 

ମଧୁ—ଏ ବାହାଘର କଥା ଉଠିବା ଦିନରୁ ନୀଳା ଆଖିରୁ ଦିନରାତି ଲୁହ ବହୁଚି ।

 

କାହ୍ନୁ—ତମେ ଗୋଟେ ଢଙ୍ଗ ବାହାର କରୁଚ କି ମହାରଣାଏ ? ଝୁଅ ତମର ଘର ଛାଡ଼ି ପଳେଇଲା, ସେଟା ଆଖିକୁ ଦିଶିଲା ନାହିଁ । ଆଉ ମୋ ପୁଅ ପୁଣି ଗୋଟାଏ.....

 

ଶଙ୍କର—(ମଦ ଖାଇ ପ୍ରବେଶ) ବାପା–ଓ ଫାଦର.....

 

କାହ୍ନୁ—ଶଙ୍କୁ !

 

ଶଙ୍କର—(ପିଲାଙ୍କ ପରି କରୁଣ ସ୍ୱରରେ) ଏ ବାହାଘର କୁଆଡ଼େ ହବ ନାହିଁ ବାପା ? କାହିଁକି ହବ ନାହିଁ ? ମୁଁ ବି ତ ମାଇନର ପାସ୍ କରିଚି (ମଧୁର ପାଦ ଧରି) ତମ ପାଦ ଧରୁଚି–ତମେ ତାଙ୍କୁ ଡାକିଆଣ–

 

ମଧୁ—(ଘୃଣାରେ ପଛକୁ ଘୁଞ୍ଚିଯାଇ) କାହ୍ନୁ ! ପୁଅକୁ ମଦ ଖୁଆଇ ତମେ ବାହା କରେଇବାକୁ ଆଣିଥିଲ ! ଛି–ଛି–ଛି, ନୀଳାକୁ ମୁଁ ବିଷ ଦେଇ ମାରିଦେବି ପଛେ–ଏ ନର୍କକୁଣ୍ତକୁ ଠେଲିଦେଇ ପାରିବି ନାହିଁ । (ଯାଉ ଯାଉ ପୁଣି ଫେରି) ନୀଳା ମୋର ଯୁଆଡ଼େ ଯାଉଚି ଯାଉ–ମୁଁ ଫେରିଲା ବେଳକୁ ତୁମେ ସମସ୍ତେ ଯେମିତି ଏଠୁ ବିଦା ହୋଇଥିବ (ପ୍ରସ୍ଥାନ) ।

 

କାହ୍ନୁ—ମଧୁଭାଇ ! ଟିକିଏ ଶୁଣ ମଧୁଭାଇ ! (ମଧୁ ପଛେ ପଛେ ଚାଲିଗଲା)

 

ଶଙ୍କର—(ନିଶାରେ ଅଣଆୟତ୍ତ ହୋଇ) ହେ ମୋର ହେବ କି ନ ହେବ ଶ୍ୱଶୁରେ ! ତମେ ଏମିତି ବିଗିଡ଼ି ଯାଅ ନାହିଁ–ମୋ କୈଫତଟା ଆଗେ ଶୁଣ । କାଲି ବାଇସ୍କୋପ ଦେଖି ଯାଇଥିଲି । ଏମିତି ବେଦୀରୁ କନ୍ୟା ଉଠି ଚାଲିଗଲା ଆଉ ଜଣକ ସାଥିରେ–ବିଚରା ବରର କି ଅବଶୋଷ ! ପକେଟରୁ ଚେପ୍‍ଟା ବୋତଲ ବାହାର କରି ମଦ ଖାଇଲା ଆଉ କହିଲା, ଲଡ଼କୀ ଭାଗ୍‍ଗୟୀ–ଦିଲ୍ ମେଁ ଆଗ ଚଲାକେ ଲଡ଼କୀ ଭାଗ୍‍ଗୟୀ–ମେଁ ସରାବ ଖାତାହୁଁ, ଔର ଇସିଲିଏ ଖାତାହୁଁ କି ମେରା ଦିଲସେ ଆଗ୍ ବୁଜ ଯାଏ !! ମଦ ଖାଇ ମୁଁ ବାହା ହବାକୁ ଆସି ନ ଥିଲି–ନୀଳା ପଳେଇଲା ବୋଲି ମୁଁ ମଦ ଖାଉଚି–କହିବ ତ ମୁଁ ବି ଭୋ–ଭୋ ହୋଇ କାନ୍ଦିବି–(କାନ୍ଦୁଥାଏ)

 

କାହ୍ନୁ—(ପ୍ରବେଶ) ଶଙ୍କୁ–ଏ ଶଙ୍କରା ? ଇଏ କ’ଣ ହେଉଚି ? ହଇରେ !

 

ଶଙ୍କରା—ନୀଳା ମାଟ୍ରିକ ପାସ୍ କରିଚି ନା ବାପା ?

 

କାହ୍ନୁ—ତୁ ବି ତ କିଛି କମ୍ ପାସ୍ କରିନୁ–ଛତରା କୁଳାଙ୍ଗାର–ଏତେ ବଡ଼ ଗୋଟିଏ ମଉକାକୁ ହାତଛଡ଼ା କରିଦେଲୁ ? ତୋ ପାଇଁ କନିଆ ମିଳୁନଥିଲା କି ନୀଳା ପାଇଁ ବର ମିଳୁନଥିଲା; ଧୃତରାଷ୍ଟ୍ର ଗାନ୍ଧାରୀ ପରି ତମ ଦୁହିଙ୍କୁ ଜୁଟା-ଜୁଟି କରିଦେଇଥିଲି । ବାହାଘର ହୋଇଯାଇଥିଲେ ଅଭଙ୍ଗା କଣ୍ଢେଇ କାରଖାନାରେ ତା’ ଚାକିରିଟା ମଧୁ ମହାରଣା ମତେ କରେଇଦବ ବୋଲି କହିଥିଲା । ତୁ ପୋଡ଼ାମୁହାଁଟା–ଏଁ ! ଢଙ୍ଗ ଦେଖ–(ଶଙ୍କର ପୁଣି ଟଳିବାକୁ ଲାଗିଲା, କାହ୍ନୁ ତାକୁ ଜୋରରେ ହଲାଇଦେଇ) ତତେ ନେହୁରା ହେଉଚି ଭଲା–ତୁ ଯା ମୁହଁ ହାତ ଧୋଇ ପାଟିରେ ଖିଲେ ପାନ ଜାକି ସେଠି ବସ; ମୁଁ ଏଣେ ଯାଉଚି ମଧୁ ମହାରଣାକୁ ପଟାପଟି କରି ନୀଳାକୁ ଆଣେ–(ଶଙ୍କର ବାଧ୍ୟହୋଇ ଛୋଟ ଶିଶୁଟି ପରି ଠିଆହେଲା; କିନ୍ତୁ କାହ୍ନୁ ଚାଲିଯିବାର ଦେଖି ହଠାତ୍ ବୁଲିପଡ଼ି)

 

ଶଙ୍କର—ପାରିବ ନାହିଁ ବାପା ! ତୁମେ ଏକା ପାରିବ ନାହିଁ !! ନୀଳାର ଗୋଟାଏ ପାସ୍‍କୁ ମୋର ଗୋଛାଏ ପାସ୍–ମତେ ସାଙ୍ଗରେ ନିଅ ବାପା... ମୁଁ ତାକୁ ଠିକ୍ ପଟେଇ ଆଣିବି । (କହି କହି ଚାଲିଗଲା)

 

[ମଞ୍ଚରୁ ଆଲୁଅ ଲିଭିଲା–କ୍ରୋଡ଼ ଦୃଶ୍ୟର ଅବସାନ ଘଟିଲା । ପୁଣି ଆଲୁଅ ଜଳିବା ସଙ୍ଗେ ସଙ୍ଗେ ଦେଖାଗଲା ମୋହନ ଓ ନୀଳା ସେ ଘରେ–ପୂର୍ବପରି କହି ଚାଲିଚି ନୀଳା ତା’ର ଗଲା ଦିନର କାହାଣୀ]

 

ନୀଳା—ମୁଁ ଆଉ ପାରିଲି ନାହିଁ ମୋହନ–ସବୁ ନିନ୍ଦା ଅପବାଦକୁ ପଛରେ ପକେଇ ଚାଲିଆସିଛି ତୁମ ପାଖକୁ–

 

ମୋହନ—ମୁଁ ବୁଝୁଚି ନୀଳା–ତୋର ଏ ଅବସ୍ଥା ପାଇଁ ବେଶୀ ଦାୟୀ ମୁଁ । ମୁଁ ତୋତେ ଭରସା ଦଉଚି–ତୋର ଜଣେ ଉପଯୁକ୍ତ ସ୍ୱାମୀ ମୁଁ ଖୋଜି ବାହାର କରିବି । ଆଉ କୁଳର ନ ହେଲା–ତୋ ପରି ଝିଅକୁ ଗ୍ରହଣ କରିବା ପାଇଁ ବ୍ରାହ୍ମଣ କରଣ କୁଳର ଶିକ୍ଷିତ ସଚ୍ଚରିତ୍ର ଯୁବକର ଅଭାବ ହେବ ନାହିଁ ।

 

ନୀଳା—ଏ ଦେଶର ସବୁ ଝିଅ କ’ଣ ଜନ୍ମ ହୋଇଛନ୍ତି କେବଳ ବିବାହ କରିବା ପାଇଁ ?

 

ମୋହନ—ଏ ଦେଶରେ ନ ହୋଇପାରେ ନୀଳା; କିନ୍ତୁ ଆମ କୁଳର ସବୁ ଝିଅ ଯେ ବିବାହ କରିବା ପାଇଁ ଜନ୍ମ ହୋଇଛନ୍ତି । ଏଇ ତ ତୁ ବର୍ତ୍ତମାନ କହିଲୁ ମାଷ୍ଟ୍ରାଣୀ କିମ୍ୱା ନର୍ସ ହେବାପାଇଁ ତୋ ବାପା ତୋତେ ଅନୁମତି ଦେଲେ ନାହିଁ–

 

ନୀଳା—ଆଜିକୁ ଛ’ ବର୍ଷ ତଳର କଥା ମୋହନ–ମୁଁ ସେତେବେଳେ ତୁମକୁ ମନୁ ଭାଇ ବୋଲି ଡାକୁଥାଏ । ଦିନେ ତୁମେ ମୋତେ କହିଲ ନୀଳା, ଏଣିକି ତୁ ମତେ ଖାଲି ମୋହନ ବୋଲି ଡାକ । ମନେଅଛି ତୁମର ସେ କଥା ?

 

ମୋହନ—କିନ୍ତୁ ସେ ଯେ ବହୁ ଅତୀତ ଦିନର କଥା ନୀଳା !

 

ନୀଳା—ଅତୀତକୁ ତୁମେ ହଜାଇ ନାହଁ ବୋଲି କହିଲେ ବି ସେ–ଅଛି–ବର୍ତ୍ତମାନର ପ୍ରତି ମୁହୂର୍ତ୍ତରେ ସେ ଜିଇଁ ରହିଚି । ତାକୁ ତୁମେ ଫାଙ୍କି ଦେଇପାରିବ ନାହିଁ ।

 

ମୋହନ—ଫାଙ୍କି ଦେଇ ନ ପାରେ ନୀଳା; କିନ୍ତୁ ଡାକିଆଣି ଲାଭ କ’ଣ ହେବ ?

 

ନୀଳା—ଯାହାର ଆସିବାର କଥା ସେ ଆସିବ ମୋହନ–କାହା ଡାକକୁ ସେ ଅପେକ୍ଷା କରିବ ନାହିଁ । ତମେ ତ–ତମେ ତ ମତେ ଏଠିକି ଡାକି ଆଣି ନ ଥିଲ–

 

ମୋହନ—(ଚମକି) ନୀଳା !

 

ନୀଳା—(ଶିହରିଉଠିଲା)

 

ମୋହନ—ତୁ ଏପରି ଥରିଉଠୁଛୁ ଯେ ନୀଳା; ତୋତେ ଖୁବ୍ ଶୀତ କରୁଚି, ନା ? କିନ୍ତୁ ମୋ ଘରେ କ’ଣ ଅଛି ଯେ ମୁଁ ତୋତେ ଘୋଡ଼ିହେବାକୁ ଦେବି–ସବୁ ତ ଚିରା ଫଟା । ଆଛା... (ପିନ୍ଧିଥିବା ଲଙ୍ଗ୍ କୋଟଟି ନେଇ ନୀଳାକୁ ଘୋଡ଼ାଇଦେଲା) ବର୍ତ୍ତମାନ ତୁ ଚାଲ ମୋ ସଙ୍ଗରେ ତମ ଘରକୁ । ଭୟ ନାହିଁ, ଶଙ୍କର ସାଥିରେ ତୋ ବାହାଘର ହେବ ନାହିଁ–ଏ ଭରସା ମୁଁ ତୋତେ ଦେଉଚି-

 

(ଏତିକିବେଳେ ମଧୁ ମହାରଣା ପାଟି ଶୁଭିଲା)

 

ମଧୁ—ମୋହନ, ମୋହନ !! (କବାଟ ଖୋଲି ଆସିଲା ହୁଁ, ପୋଲିସ ତାହାହେଲେ ଠିକ୍ କହିଚି ! ନୀଳା, ଏତେ କଥା ଯଦି ତୋ ମନରେ ଥିଲା–ତେବେ ତୁ ଏଠିକି ଆସିବା ପୁର୍ବରୁ ମୋ ପାଟିରେ ବିଷ ଦେଇ ଆସିଲୁ ନାହିଁ କାହିଁକି ? ମତେ ବିଷ ଦେଇ ତେଣିକି ତୋର ଯାହା ଇଚ୍ଛା ତା’ କରିଥାନ୍ତୁ । ତୋର ଏଇ କୀର୍ତ୍ତି ଦେଖିବାକୁ ମୁଁ ଆଉ ବଞ୍ଚି ନ ଥାନ୍ତି ! ପୋଡ଼ାମୁହିଁ, କି ପାଠ ପଢ଼ିଲୁ ଯେ ଆସି ବୁଢ଼ୀଟିଏ ହେଲୁଣି–କପାଳକୁ ବରଟାଏ ବି ଜୁଟିଲା ନାହିଁ । ଏ ରାତିଅଧରେ ଘରୁ ଗୋଡ଼ କାଢ଼ି ପାଦକୁ ଚାଲିଆସିଚୁ କୋଉ ମୁହଁରେ ।

 

କାହ୍ନୁ—(ପ୍ରବେଶି) ଛୁଆଟା ଉପରେ ତୁମେ ମିଛଟାରେ ରାଗୁଚ ମହାରଣେ ! କଥାର ମଞ୍ଜି ଯାଇ କୋଉଠି ତା’ ତମେ ଜମା ବୁଝୁନ । ଆଛା ମହନି–ତୋର ଏଇଟା କି ବୁଦ୍ଧି ? ପାଠଶାଠ ପଢ଼ି ତୋର ଏ କି ଅକଲ ଶୁଣେ ! ଝିଅଟାକୁ ଶିଖେଇ ମଣେଇ ଯେ ବାହାବେଦୀରୁ ଉଠେଇ ଆଣିଲୁ, ଏଇଟା କ’ଣ ଭାରି ଭଲ ହେଲା ?

 

ମଧୁ—କାହ୍ନୁ, ନୀଳାକୁ ଶିଖେଇ ଆଣିଚି ମୋହନ ?

 

କାହ୍ନୁ—ତୁମେ ବୁଝୁଚ କ’ଣ ? ଗଙ୍ଗା ମନ୍ଦିର ପୋଖରୀରୁ କ’ଣ ପାଣି ଶୁଖିଯାଇଥିଲା ଯେ, ନୀଳା ରାତିଅଧରେ ଆସିଥାନ୍ତା ମୋହନ ପାଖକୁ ?

 

ଶଙ୍କର—(ଟଳି ଟଳି ଆସିଲା)

 

ମୋହନ—ମଧୁ ଦାଦା ! ନୀଳାକୁ ସାଥିରେ ନେଇ ତୁମେ ଘରକୁ ଯାଅ; କିନ୍ତୁ ଗୋଟାଏ କଥା ମୁଁ କହି ରଖୁଚି, ଶଙ୍କର ସାଥିରେ ନୀଳାର ବାହାଘର ହୋଇପାରିବନି–

 

ଶଙ୍କର—(ଖୁବ୍ ଗମ୍ଭୀର ହେବାର ଚେଷ୍ଟା କରି) ଶଙ୍କର ସାଥିରେ ନ ହେଲେ ଧୃତରାଷ୍ଟ୍ର, ଗାନ୍ଧାରୀ ଯୋଡ଼ି ଭାଙ୍ଗିଯିବ ଯେ !

 

ମୋହନ—ଶଙ୍କର !

 

ଶଙ୍କର—ଟିକେ ଆସ୍ତେ ମହନି ଭାଇ–

 

କାହ୍ନୁ—ଶଙ୍କୁ–(ଶଙ୍କର ଭାଇ ପିଲାଟି ପରି ଠିଆହୋଇ ରହିଲା) ତୁମେ ଚୁପ୍ ହେଇ ରହିଲ ଯେ ମହାରଣାଏ, ନୀଳାକୁ ସାଥିରେ ନେଇ ଏଠାରୁ ଯିବ କି ନାହିଁ ? ତେଣେ ଲଗ୍ନ ଯେ ଗଡ଼ି ଯାଉଚି–

 

ମୋହନ—ଏ କଥାର ଜବାବ ମୁଁ ଦଉଚି ମହାରଣାଏ । ନୀଳା ସାଥିରେ ଶଙ୍କରର ବାହାଘର ହୋଇପାରିବନି ।

 

କାହ୍ନୁ—ଏ ଜବାବ ଦେବାକୁ ତୁ କିଏ ? ମୁଁ ପଚାରୁଚି ତୁ କିଏ ?

 

ଶଙ୍କର—କିନ୍ତୁ ବାପା, ତାଙ୍କୁ ଏ କଥା ପଚାରିବାକୁ ତୁମେ କିଏ ?

 

ମଧୁ—ମୁଁ ତୁମକୁ କହିଦଉଚି କାହ୍ନୁ–ଏ ବାହାଘର ହେଇପାରିବନି, ତୁମେ ଏଠୁ ଯାଅ ।

 

କାହ୍ନୁ—ତାହାହେଲେ ଏମିତି କଥା ? ନା ! ସମସ୍ତେ ମିଳିମିଶି ମତେ ଅପମାନ ଦେଉଚ-! ହେଲେ ମୁଁ କହି ରଖୁଚି ମହାରଣାଏ, ଏ କଥା ଭଲ ହଉନି ।

 

ମୋହନ—ଭଲମନ୍ଦ ବିଚାର କରିବାର ଜାଗା ଏଇଟା ନୁହେଁ କାହ୍ନୁ ମହାରଣା, ତୁମେ ଏଠୁ ଯାଅ–

 

କାହ୍ନୁ—ହଁଅ । ଏଇଟା କାହିଁକି ଭଲମନ୍ଦ ବିଚାର କରିବାର ଜାଗା ହବ, ଏଇଟା ତ ରାତିଅଧରେ ଗୋଟିଏ ଅଭିଆଡ଼ୀ ଝିଅକୁ ନେଇ ତାମସା କରିବା ଜାଗା–

 

ମୋହନ—ତୁମେ ଏଠୁ ଯାଉଚ ନା କାହ୍ନୁ ମହାରଣା–ପୁଣି ଦେଖିବ ?

 

କାହ୍ନୁ—ହଁ ହଁ ! ମୁଁ ଏମିତି କେତେ ଦେଖିଚି । ତୁ ମତେ କ’ଣ ଦେଖେଇବୁ ? ମୁଁ ବି ଏଇ କଟକ ସହର ପିଲା । ହଉ, କଥା ରହିଲା, ଦିନେ ଦେଖାଦେଖି ହେବା । ଶଙ୍କୁ–ଆ ଚାଲିଆ ।

 

ଶଙ୍କରା—ହଁ–ଚାଲ ବାପା, ମୁଁ ଟିକେ ନୀଳାଠୁ ବିଦାୟ ନେଇ ଯାଏଁ । ନୀଳା– ଗୁଡ଼ବାଏ-। ମୋହନ ଭାଇ ନମସ୍କାର କବି କହିଛନ୍ତି–ବର ଛାଡ଼ି ଆଜି ପରପାଶେ ଠିଆ ତରୁଣୀ, ପ୍ରେମ ଲାଗି ସେ ତ ଆଷାଢ଼ ଆକାଶ ମାନୁନି.... (ଚାଲିଗଲା)

 

ମଧୁ—ମୋହନ ! ବେଦୀରୁ ବର ଛାଡ଼ି ନୀଳା ରାତିଅଧରେ ଚାଲିଆସିଚି ତୋ ପାଖକୁ, ୟା’ର କି କୈଫିୟତ ତୁ ମତେ ଦେବୁ ?

 

ନୀଳା—ଏ କୈଫିୟତ ତୁମେ ତାଙ୍କୁ ମାଗି ପାରିବନି ବାପା ! ସେ ମୋତେ ଏଠିକି ଡାକିଆଣି ନଥିଲେ–ମୁଁ ନିଜେ ଆସିଚି ମୋ ମନକୁ ।

 

ମୋହନ—କିନ୍ତୁ ଶଙ୍କର ସାଥିରେ ନୀଳାର ବାହାଘର–ଏ କଥା ତୁମେ କିପରି ଭାବୁଚ ମଧୁ ଦାଦା ?

 

ମଧୁ—ତୁ ବୁଝିପାରିବୁନି ମୋହନ ! କି ଦାୟରେ ପଡ଼ି ମୁଁ ନୀଳାର ବାହାଘର ଶଙ୍କର ସାଥିରେ କରାଉଥିଲି ! ଚିତ୍ରକର କୁଳରେ ଜନ୍ମହେଇ ସେ ଆଉ କେତେଦିନ ଅଭିଆଡ଼ୀ ହୋଇ ରହନ୍ତା ! ହେଲେ ଏମିତି ଭାଗ୍ୟ ନେଇ ସେ ଜନ୍ମ ହେଇଚି ଯେ, ବେଦୀରେ ବସି ବି ସେ ବାହା ହୋଇପାରିଲା ନାହିଁ ।

 

ମୋହନ—ବାହାଘରଟା ଯେବେ ତା’ର ବଡ଼ କଥା, ତେବେ ତା’ ପାଇଁ ବରର ଅଭାବ ହେବ ନାହିଁ.....ତମର ଯଦି ଆପତ୍ତି ନ ଥାଏ, ତେବେ ମୋ ସାଥିରେ–ହଁ ମଧୁ ଦାଦା–ମୋ ସାଥିରେ ନୀଳାର ବିବାହ.....

 

ମଧୁ—ମୋହନ ! ଆଜିକୁ ଛ’ବର୍ଷ ତଳର କଥା, ନୀଳା ସେତେବେଳେ ଘରେ ରହିବା ଝିଅ–କିନ୍ତୁ ତୋ ଶିକ୍ଷାରେ ପଡ଼ି ମୋ ଇଚ୍ଛା ବିରୁଦ୍ଧରେ ରାଗି ରୁଷି ମାଟ୍ରିକ କ୍ଲାସରେ ନାମ ଲେଖାଇଲା, ଆଉ ତୁ ଗଲୁ ବମ୍ବେ–ଛ’ବର୍ଷ ପରେ ଏଇ ମାସେହେଲା କଟକ ଫେରିଆସିଛୁ । ଆଉ ଆଜି ଏଇ କଥାଟା କହିବା ଆଗରୁ ତୁ ତୋ ନିଜ ଆଡ଼କୁ ଥରେ ଚାହିଁ ଦେଖିଚୁ ତ ?

 

ମୋହନ—ତମର ଇଙ୍ଗିତ ମୁଁ ବୁଝୁଚି । ମୁଁ ନିଃସ୍ୱ–ମୁଁ ସଂସ୍ଥାହୀନ–ଏଇ ମୋର ଅବସ୍ଥା–ଏଇ ମୋର ଘରଦ୍ୱାରର ଅବସ୍ଥା । ବିବାହ କରିବାପାଇଁ ନିଜକୁ ପ୍ରସ୍ତୁତ କରି ନାହିଁ । ଏଇ କଥା ତୁମେ ମତେ ଚେତେଇ ଦେଉଚ ! କିନ୍ତୁ ମୁଁ ନିଃସ୍ୱ–କାଙ୍ଗାଳ ଗରିବ ହେବାଟା ଯେତେ ବଡ଼ ପାପ ନୁହେଁ, ସେତେ ବଡ଼ ପାପ ହଉଚି ନୀଳା ପରି ଝିଅ ଆମ କୁଳରେ ଜନ୍ମ ହେବା ।

 

ମଧୁ—ଗୋଟାଏ ଅଠର ବର୍ଷର ଯୁବତୀ ଝିଅକୁ ସାମନାରେ ଠିଆ କରେଇ ଖୁବ୍ ବଡ଼ବଡ଼ କଥା କହିବା ଆଉ ତାକୁ ବାହାହେଇ ଘରସଂସାର କରିବା, ଏ ଦୁଇଟା ଗୋଟାଏ କଥା ନୁହେଁ ମୋହନ । ତୁ ମତେ ଭୁଲ୍ ବୁଝିବୁ ନାହିଁ ବାପ ! ପାଠଶାଠ ପଢ଼ି ମଣିଷ ହେଇଚୁ–ସେଥିପାଇଁ ମୁଁ ତୋତେ ଏ କଥା କହିଲି । ଶଙ୍କରକୁ ନୀଳା ବାହା ଦେଇଥିଲେ ନୀଳା ମଲା କି ଗଲା ତା’ର ଖୋଜ ଖବର ମୁଁ ନେଇ ନଥାନ୍ତି–ଆଉ ନୀଳା ଆଜି ତୋର ସ୍ତ୍ରୀ ହେବ–ଦାଣ୍ଡରେ ପାଞ୍ଚଜଣଙ୍କ ଆଗରେ ମୁଁ କ’ଣ କହିବି ଜାଣୁ ? ମୁଁ କହିବି ନୀଳା ମୋର ରାଣୀ ହେଇଚି !! ଚାଲ ବାପା-ତେଣେ ଜାତିଭାଇମାନେ କେତେ କ’ଣ କହୁଥିବେ....

 

ମୋହନ—ନା ମଧୁଦାଦା ! ଏ ବାହାଘର ଆଜି ହେଇପାରିବ ନାହିଁ ।

 

ମଧୁ—ଏ କିମିତି କଥା ମୋହନ ?

 

ମୋହନ—ସାଇଭାଇଙ୍କ କଥା ରଖିବାକୁ ଯାଇ ମୁଁ ନୀଳାକୁ ବାହା ହଉ ନାହିଁ ମଧୁଦାଦା-। ନୀଳାକୁ ବିବାହ କରିବା ମୋର ଗୋଟାଏ କର୍ତ୍ତବ୍ୟ ବୋଲି ଧରିନେଇଚି । କିନ୍ତୁ ତା’ ଆଗରୁ ମୋତେ ମୋର ଚାଲିବାର ବାଟ ଖୋଜିବାକୁ ଦିଅ । ଯେଉଁ ନିରାଟ ସତକଥା ତୁମେ ମୋ ଆଖି ଆଗରେ ଥୋଇଦେଇଚ, ତାକୁ ତ ମୁଁ ଏଡ଼ିଦେଇ ପାରିବି ନାହିଁ । ବିବାଦ କରି ସ୍ତ୍ରୀକୁ ନେଇ ଘର ସଂସାର କରିବା ଆଗରୁ ମତେ ନିଜକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, ଆଉ ସେଇଥିପାଇଁ ମୁଁ ତୁମଠାରୁ କିଛିଦିନ ସମୟ ଚାହୁଁଛି । ଯେଉଁ ଭରସା ରଖି ନୀଳା ଆସି ରାତି ବାରଟାରେ ମୋ ପାଖରେ ଠିଆ ହେଇଚି ଆଉ ଯେଉଁ ଭରସା ରଖି ତୁମେ ମୋ ହାତରେ ନୀଳାକୁ ଦବାକୁ ଯାଉଚ, ତୁମର ସେ ଭରସାର ମର୍ଯ୍ୟାଦା ଯେମିତି ମୁଁ ରଖେ ଏଇ ଆଶୀର୍ବାଦ ମତେ ଆଜି କର ।

 

ମଧୁ—ମୋହନ ! ମୋହନ !! ଭଗବାନ ତୋର ମଙ୍ଗଳ କରନ୍ତୁ ।

 

ଦ୍ୱିତୀୟ ଦୃଶ୍ୟ

 

[କାଠଗଡ଼ା ସାହିର ଗଳିରାସ୍ତା-ରାସ୍ତା ମଝିରେ ଗୋଟିଏ ଚାରିକୋଣିଆ ଘର କାଟି ଭିତରେ ଗୋଲି ରଖି ଖେଳୁଛନ୍ତି ଶଙ୍କରା ଓ ରଘୁ । ରଘୁ ଗୋଟାଏ ଗୋଲି ମାରିବାରୁ ସେ ଗୋଲି ବାଜିଲା ଯାଇ ସେ ଆଡ଼କୁ ଆସୁଥିବା ଆନନ୍ଦ ରାଏଙ୍କ ଗୋଡ଼ରେ]

 

ଆନନ୍ଦ—ଓଃ... ମରିଗଲି ରେ ବାବା, ମରିଗଲି ! ଓହୋ ଗୋଲି ତ ନୁହେଁ–ବୁଲେଟ, ସେ ପୁଣି ଯାଇ ବାଜିଚି ଏକଦମ ବଳାଗଣ୍ଠି ହାଡ଼ରେ-

 

ଶଙ୍କର—କ’ଣ ହେଲା ବାବୁ ?

 

ଆନନ୍ଦ—କ’ଣ ହେଲା, ସେ କଥା ବାବୁଙ୍କୁ ନ ପଚାରି ଯିଏ ଗୋଲି ମାରିଚି ତାକୁ ପଚାରିଲେ ସେ କହିବ ! ତା ହାତର ପାଓ୍ୱାରଟା କେତେ ପଚାରିବଟି–ଗୋଡ଼ରୁ ଚମ ଛଡ଼େଇ ଦେଇଚି ରେ ବାବା !! ଭାବୁଥିଲିଟି ସୁଟ୍‍ଟା ପିନ୍ଧି ଆସିବି ବୋଲି–

 

ଶଙ୍କର—ଗୋଲି ଆପଣଙ୍କ ଗୋଡ଼ରେ ଯାଇ ବାଜିଲା ପରା ବାବୁ !

 

ଆନନ୍ଦ—ଆଉ କ’ଣ ମୋ ଗୋଡ଼ଟା ଆସି ଗୋଲିରେ ବାଜିଗଲା ! ଆଚ୍ଛା କିଏ ଗୋଲି ମାରିଥିଲା ? କିଏ....ମାରୁଥିଲା ? ଏଁ ! ଆରେ କିଏ ମାରିଥିଲା ?

 

ଶଙ୍କର—ବାବୁ । ରଘୁଆ ମାରିଥିଲା ?

 

ଆନନ୍ଦ—ରଘୁଆ ? କିଏ ସେ : ରଘୁଆ । କିଏ ସେଇ ଗୋଲିଧାରୀ ରଘୁବୀର ରାମଚନ୍ଦ୍ର–ଡାକ ତାକୁ, ଡାକ ମୋ ସାମନାକୁ... (ରଘୁକୁ ଶଙ୍କରା ଠେଲିଦେଲା ଆଗକୁ)

 

ଆନନ୍ଦ—ହଇରେ, ତୁ ଗୋଲି ମାରିଥିଲୁ ?

 

ରଘୁ—ହଁ ବାବୁ, ମାରିଥିଲି ତ କ’ଣ ହେଲା ?

 

ଆନନ୍ଦ—ବେଶ୍ କରିଥିଲୁ । ହଇରେ, ତୋର ସେଟା ହାତ ନା ବନ୍ଧୁକ ! ଏହି ହାତରେ ଛର୍‍ରା ଫିଙ୍ଗି ମଣିଷକୁ ମାରି ଦେବୁ ତ ? ଲାଇସେନ୍ସ କର, ତୁ ଚଞ୍ଚଳ ଲାଇସେନ୍ସ କର–ବନ୍ଧୁକ ଲାଇସେନ୍ସ ପରି ତୋ ହାତ ଦି’ ଟାକୁ ଲାଇସେନ୍ସ କର ।

 

ରଘୁ—ମୁଁ କ’ଣ ଜାଣିଥିଲି ବାବୁ, ଗୋଲିଟା ତୁମ ଗୋଡ଼ରେ ବାଜିବ ବୋଲି-ମୁଁ ତ ଖେଳୁଥିଲି–

 

ଆନନ୍ଦ—ଖେଳୁଥିଲୁ ? ଆଚ୍ଛା ଏଟା ମ୍ୟୁନିସିପାଲିଟି ରାସ୍ତା ନା ମହାନଦୀ ପଠା ?

 

ରଘୁ—ତମର ବାବୁ ଏ ଗଳି ଭିତରେ ପଶିବା ଭୁଲ ହେଇଚି ।

 

ଆନନ୍ଦ—ବାସ୍ । ପିଲା ଏକାବେଳକେ ସମାପିକା କ୍ରିୟା ବ୍ୟବହାର କରି କଥା କହିଚି-

 

ଶଙ୍କର—ନାଇଁ ବାବୁ, ରଘୁଆ ଏଇଆ କହୁଥିଲି ଯେ ଆପଣଙ୍କ ପରି ଲୋକ–ଚୌଧୁରୀ ବଜାର ନୟାସଡ଼କରେ ଚାଲିବା କଥା, ଏ ଗଳିକି ଆସିବା ତ ଆପଣଙ୍କର କଥା ନୁହେଁ–ଏଇ ଦେଖୁ ନାହାନ୍ତି–ଗଳିତମାମ୍ ମଇଳା ଜମା ହେଇଚି, ନର୍ଦ୍ଦମା ସାରା ପାଣି, ପୋକ, ମାଛି...

 

ଆନନ୍ଦ—ମଇଳା ଜମିଚି ତ ବାବା ମ୍ୟୁନିସିପାଲିଟି ଚେୟାରମେନ କିମ୍ବା ମ୍ୟୁନିସିପାଲିଟି ମେହେନ୍ତରକୁ ଯାଇ ଗୋଲି ମାର... ଏ ନିରୀହ ନାଗରିକ ଉପରେ ଏ ଅତ୍ୟାଚାର କାହିଁକି ? ଓଃ ଏତେବେଳ ଯାଏ ହାଡ଼ ଭିତରଟା କନ୍‍କନେଇ ଉଠୁଚି ?

 

ରଘୁ—ବାବୁ, ମାରି ତ ଦେଇଚି ଗୋଲିଟା–କଅଣ ଆଉ କରିବି ? ତୁମ ରୁମାଲଟା ଦିଅ, ଭିଜେଇ ଆଣି ଗୋଡ଼ରେ ପଟି ବାନ୍ଧିଦେବି ।

 

ଆନନ୍ଦ—ଖାଲି ଅସ୍ତ୍ରଚାଳନା ନୁହେଁ, ଫାଷ୍ଟଏଡ଼୍ ଜ୍ଞାନ ବି ପିଲାର ଅଛି-ଆଛା ବାବା ରଘୁ, ତମ ଗୋଲିଟା ନିଅ–(ଦେଲେ) ରୁମାଲ ଖଣ୍ଡକ ଉପରେ ଆଉ ଆଖି କାହିଁକି ? କଟକ ସହର ପିଲା ତ-କଥା କହୁଁ କହୁଁ ଏକ ସେକେଣ୍ଡରେ କାଠଗଡ଼ା ସାହିରୁ ଯାଇ କାଠୁରିଆ ସାହିରେ ହାଜର ହେଇଥିବୁ–(ଶଙ୍କର ପ୍ରତି) ଆଚ୍ଛା, ତୁମ ନାଁଟି କ’ଣ ?

 

ଶଙ୍କର—ଶଙ୍କର ।

 

ଆନନ୍ଦ—ବେଶ୍ ନାଁଟି ! ଆଚ୍ଛା ଶଙ୍କର, ଏଠି ମୋହନ ବାବୁ କେଉଁଠି ରହନ୍ତି କହିପାରିବ ?

 

ଶଙ୍କର—ମୋହନ ବାବୁ ମୋହରିର ? ସେ ତ କେଉଟସାହି ଗଳିରେ ରହନ୍ତି ?

 

ଆନନ୍ଦ—ଆରେ ନାଇଁରେ ବାବୁ–ମୁଁ ମୋହନବାବୁ ଶିଳ୍ପୀଙ୍କୁ ଖୋଜୁଚି-ଶିଳ୍ପୀ ମୋହନ, ଯେ ଛବି ଆଙ୍କନ୍ତି–

 

ରଘୁ—ମହନି ଭାଇ...

 

ଶଙ୍କର—ଆମ ମୋହନ ଭାଇ କଥା ଆପଣ କହୁଚନ୍ତି ?

 

ରଘୁ—ମହନି ଭାଇ–ନୀଳା ନାନୀକୁ ବାହା ହଉଚି ବାବୁ

 

ଆନନ୍ଦ—ତାଙ୍କ ବାହାଘରରୁ ମୋତେ କଅଣ ମିଳିବ ବାବୁ, ସେ କେଉଁଠି ରହନ୍ତି ମୋତେ କହିଦିଅ ?

 

ଶଙ୍କର—ମହନି ଭାଇକି ଆପଣ କାହିଁକି ଖୋଜୁଛନ୍ତି ବାବୁ ? ସେ ଲୋକ ଭଲ ନୁହେଁ–

 

ଆନନ୍ଦ—ଏ ବଡ଼ ମୁସ୍କିଲ କଥା ! ମୁଁ କ’ଣ ମୋର ଝିଅ ସକାଶେ ଟ୍ୟୁସନ ମାଷ୍ଟର ଖୋଜୁଚି ? ତାଙ୍କ ଭଲ ମନ୍ଦରୁ ମୋତେ ମିଳିବ କ’ଣ ?

 

ରଘୁ—ନାଇଁ ବାବୁ–ଶଙ୍କରାଇ କଥା ଶୁଣ ନାହିଁ । କହିବି ଶଙ୍କରାଇ ?

 

ଶଙ୍କର—କ’ଣ କହିବୁ ?

 

ରଘୁ—ଜାଣିଲେ ବାବୁ ! ନୀଳା ନାନୀ ବେଦିରୁ ଶଙ୍କରାଇକୁ ଛାଡ଼ି ପଳେଇଲା ମହନି ଭାଇ ପାଖକୁ ।

 

ଶଙ୍କର—ଚୁପ୍ ବେ....

 

ରଘୁ—ଯା ବେ ଶିଶୁପାଳ ! (ନିଜ ନିଜ ଭିତରେ ମାରପିଟ ଆରମ୍ଭ କରିଦେଲେ-)

 

ଆନନ୍ଦ—ଓ-ହୋ ରେ ବାବା । ଏଠି ଯେ ରୀତିମତ ଗୋଟାଏ କଳକାରଖାନା ଖୋଲି ଦେଲେ ! ଏ ରଘୁ—ବାବା-ତୁ ଭଲା ମୋତେ ଟିକେ ଘରଟା କହି ଦେ ?

 

ରଘୁ—ଆହୁରି ଆଗକୁ ଯାଅ ବାବୁ ! ଗୋଟାଏ ଭଙ୍ଗା ବତୀଖୁଣ୍ଟି ସାମନାରେ ଯଉ ଭଙ୍ଗା ଘରଟା....ସେଇଠି ମହନିଭାଇ ରହେ,

 

ଆନନ୍ଦ—ଭଙ୍ଗା ବତୀଖୁଣ୍ଟି-ଭଙ୍ଗା ଘର-ସବୁ ଭଙ୍ଗା ! ଆଚ୍ଛା, ମୋର ଏ ଭଙ୍ଗା ଗୋଡ଼ଟାକୁ ନେଇ ଯାଇ ଦେଖେ–

 

(ପ୍ରସ୍ଥାନ)

 

ଶଙ୍କର—(ରଘୁଆ ଯିବାବେଳେ) ଏ ରଘୁଆ ?

 

ରଘୁ—(ଫରି) କ’ଣ କିରେ ଶଙ୍କରାଇ !

 

ଶଙ୍କର—ଏ ଲୋକଟାର ମତଲବ କ’ଣ କହି ପାରିବୁ ?

 

ରଘୁ—ତା’ ମତଲବରେ ତୋର କ’ଣ ଅଛି ?

 

ଶଙ୍କର—ଆରେ ସେ ଆମ ସାଇ ଭିତରକୁ କାହିଁକି ଆସିବ ନା ?

 

ରଘୁ—ସେ ମହନି ଭାଇର ସାଙ୍ଗ ହୋଇଥିବ ।

 

ଶଙ୍କର—ଉଁ... ହୁ... ସେ କଥା ନୁହେଁ, ସେ କଥା ନୁହେଁ–ପତ୍ତା ଲଗେଇ ବୁଝିବାକୁ ପଡ଼ିବ ତା ମତଲବଟା କ’ଣ ?

(ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

 

(ମୋହନର ସେଇ ଘର । ଗୋଟିଏ ଖଟିଆ ଉପରେ ମୋହନ ବସିଛି ଚିନ୍ତାମଗ୍ନ ହୋଇ-। ଟିକିଏ ପରେ ବାହାରୁ ଆସିଲା ନୀଳା—ଦୁଆର ମୁହଁ ପାଖରୁ ସେ ଅତି ସନ୍ତର୍ପଣରେ ମୋହନର ଅବସ୍ଥାକୁ ଲକ୍ଷ୍ୟ କଲା–ତା ପରେ ସେ ଆଗେଇ ଆସିଲା ମୋହନ ଆଡ଼କୁ)

 

ନୀଳା—ଘର ଗୋଟାକରେ ମଣିଷ ବୋଲି ତ ଜଣେ-ଆଉ ଭାବନା ଯେମିତି ରାଜ୍ୟଯାକର ଲୋକଙ୍କ ପାଇଁ....

 

ମୋହନ—ତୁ ଗୋଟେ କାମ କରିପାରିବୁ ନୀଳା ? ଏ ଘର ଛାତରେ ଯେତେ ବୁଢ଼ିଆଣୀ ଜାଲ ଅଛି, ସେ ସବୁକୁ ଝାଡ଼ି ଦେଇ ପରିଷ୍କାର କରି ଦେଇ ପାରିବୁ ?

 

ନୀଳା—କାହିଁକି ?

 

ମୋହନ—ତାହାହେଲେ ମୋର ଏ ଭାବନାଟା ହୁଏତ ଅନେକଟା କମିଯିବ । ଏ ବୁଢ଼ିଆଣୀ ଜାଲକୁ ଚାହିଁ ଚାହିଁ ଭାବିବାଟା ମୋର ଯେମିତି ଗୋଟାଏ ଅଭ୍ୟାସ ହୋଇ ଉଠିଲାଣି–

 

ନୀଳା—ହୁଁ, ତାପରେ ଦିନେ ଯେତେବେଳେ ତୁମର ଏ ଭାବନାର ସୁଅ ଘର ଛାଡ଼ି ଏ ଭଙ୍ଗା ଝରକା ବାଟେ ଯାଇ ହାଜର ହେବ ସେଇ ରାସ୍ତାରେ...

 

ମୋହନ—ନା ନା ନୀଳା—ରାସ୍ତା ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ । ସେତେବେଳକୁ ହୁଏତ କେହି ଜଣେ, ମାନେ କାହାରି ଲୀଳା–ଚଞ୍ଚଳ ପାଦ ଦୁଇଟି ଆସି ଏ ଘରେ ସ୍ଥାନ ପାଇଥିବ ଆଉ ଆଇନ ଅନୁସାରେ ସେ ନେଇଥିବ ମୋ ଭାବନାରୁ ଅଧେ ଭାଗ ।

 

ନୀଳା—(ନୀଳା ମୁହଁରେ ଫୁଲିଉଠିଲା ଲାଜମିଶା ତୃପ୍ତିର ରେଖା) ବାପା ଆଜି ତୁମେ କଥା କହୁଥିଲେ ମୋହନ....

 

ମୋହନ—କ’ଣ କହୁଥିଲେ ?

 

ନୀଳା—କହୁଥିଲେ–ମୋହନ ଚାକିରି କଲା ନାହିଁ କାହିଁକି ? ମୋହନ ବୁଝିଛି; ଦିନକୁ ଦିନ ମୋ ଉପରୁ ତାଙ୍କର ବିଶ୍ୱାସ କମି ଯାଉଚି...

 

ନୀଳା—ନାଁ ମୋହନ—ତା ନୁହେଁ । ଆମ ସାଇ ଲୋକଙ୍କ କଥା ତ ଜାଣ ? ବାରଆଡ଼ୁ ବାର କଥା ଶୁଣି, ବାପା ଯେମିତି ଆଉ ଧୈର୍ଯ୍ୟଧରି ରହିପାରୁ ନାହାନ୍ତି...

 

ମୋହନ—କାନ୍ତୁ ନୀଳା, ତୁ ତ ଜାଣୁ-ଚେଷ୍ଟାର ମୋର ଅନ୍ତ ନାହିଁ । ଆଉ କିଛି ନ ହେଉ–ବାହାଘର ଖର୍ଚ୍ଚଟା ତ ମୋତେ ଯୋଗାଡ଼ କରିବାକୁ ହେବ । କିନ୍ତୁ ତା ମୁଁ ପାରୁ ନାହିଁ । ଏ ତିନି ମାସ ଭିତରେ ମୁଁ ବିକିଚି ମୋଟେ ଖଣ୍ଡେ ଛବି ! ଲାଭ ଯାହା ପାଇଥିଲି ସେଥିରେ ମୋର ଖାଇବା ଖର୍ଚ୍ଚଟା ଯାହାହେଉ ଏ ପର୍ଯ୍ୟନ୍ତ ଚଳି ଆସିଚି.... ।

 

ନୀଳା—ପ୍ରତିଦିନ ଯେ ଏତେ ବୁଲୁଚ–କିଛି ହେଲେ କ’ଣ ସୁବିଧା କରି ପାରୁ ନାହିଁ । ତୁମର ଜଣାଶୁଣା ଲୋକ ତ ଏଠି ଅନେକ ଥିବେ ?

 

ମୋହନ—ହଁ ନୀଳା, ଏ ଭିତରେ ମୁଁ ମୋର ଅନେକ ଜଣା ଅଜଣା ଲୋକଙ୍କର ଦ୍ୱାରସ୍ଥ ହୋଇଚି । ପ୍ରଥମେ ସେମାନେ ମୋତେ ଖୁବ୍ ପ୍ରଶଂସା କରନ୍ତି । କାରଣ ମୁଁ ଜଣେ ଶିଳ୍ପୀ ଜାତିର ଗୌରବ...ତାପରେ ମୁଁ ଯେତେବେଳେ ସେମାନଙ୍କୁ ମୋର ଦୁଃଖ ଜଣାଏ–ସେମାନେ ମଧ୍ୟ ଖୁବ୍ ଦୁଃଖ କରନ୍ତି । କହନ୍ତି, “ଦେଖ ମୋହନ—ଏଠି ଛବି ଆଙ୍କି ପେଟ ପୋଷିବା ଗୋଟାଏ କଥାର କଥା ମାତ୍ର । ବିପିନ ଚୌଧୁରୀ ବିଲାତରୁ ଶିଳ୍ପୀ ହୋଇ ଆସି ଏଠି ମୂକ ବଧିର ବିଦ୍ୟାଳୟ ଖୋଲିଲେ–ବର୍ମା ଖୁବ୍ ନାମ କରି ଶେଷରେ ଦେଶବାସୀମାନଙ୍କ ଦୟା ଉପରେ ନିର୍ଭର କରି ବଞ୍ଚିଲେ । ଉପେନ୍ଦ୍ର ମହାରଥି ବିହାରକୁ ପଳାଇଯାଇ ବଞ୍ଚିଗଲେ ଆଉ ଗୋପାଳ କାନୁନଗୋ କଲେ ମାଷ୍ଟରୀ” ଏହିପରି ସବୁ ଉଦାହରଣ ଦେଖାଇ ସେମାନେ ଚାକିରି କରିବାକୁ ଉପଦେଶ ଦିଅନ୍ତି–କିନ୍ତୁ ଯେତେବେଳେ ମୁଁ ତାଙ୍କୁ କହେ, ଚାକିରି କରିବା ମୋର ନୀତିବିରୁଦ୍ଧ, ସେତେବେଳେ ସେମାନେ ଠିକ୍ ମୋତେ ତାଙ୍କରି ପରି ଆଉଜଣେ ଶିଳ୍ପପ୍ରେମୀ ଭଦ୍ରବ୍ୟକ୍ତିଙ୍କ ଠିକଣା ଦେଇ ମୋର ଭବିଷ୍ୟତର ମଙ୍ଗଳ କାମନା କରି ବିଦାୟ ଦିଅନ୍ତି...

 

ନୀଳା—ଚାକିରି କରିବାକୁ ମୁଁ ତୁମକୁ କେବେହେଲେ କହିବି ନାହିଁ ମୋହନ; କିନ୍ତୁ ଏଇ ଛବି ଆଙ୍କି ପେଟ ପୋଷିବାର ଭରସା ରଖି କେତେଦିନ ତୁମେ ଏମିତି ଆଶା, ନିରାଶାରେ ପଛରେ ଧାଇଁ ବୁଲୁଥିବ ?

 

ଆନନ୍ଦ—(ବାହାରୁ) ଏଇଟା କ’ଣ ମୋହନ ବାବୁଙ୍କ ଘର ?

 

ମୋହନ—(ଇଙ୍ଗିତରେ ନୀଳା ଚାଲିଗଲା) ଭିତରକୁ ଆସନ୍ତୁ !

 

ଆନନ୍ଦ—(ଆସ) ଏଇଟା ତା’ ହେଲେ ମୋହନ ବୀବୁ ଶିଳ୍ପୀଙ୍କ ଘର !

 

ମୋହନ—ହଁ... ।

 

ଆନନ୍ଦ—ଆପଣ ତେବେ.... ?

 

ମୋହନ—ହଁ, ମୁଁ ମୋହନ ।

 

ଆନନ୍ଦ—ନମସ୍କାର ବାବୁ, ନମସ୍କାର ! ମଣିଷ ବଞ୍ଚିଗଲା ରେ ବାବା–ଏ ଯେ ଏକାବେଳେକେ ଆଲିବାବା ଓ ଚାଳିଶ ଚୋରଙ୍କ କାହାଣୀ ।

 

ମୋହନ—କ’ଣ ହେଲା ଯେ ?

 

ଆନନ୍ଦ—କାହିଁକି କହୁଚନ୍ତି ସେ କଥା ? ଗଳି ମୁଣ୍ଡରେ ଗୋଟିଏ ପିଲାକୁ ଆପଣଙ୍କ ଘର ଠିକଣା ପଚାରିଲି-ସେ ମତେ କହିଲା, ଗୋଟାଏ ଭଙ୍ଗା ବତୀଖୁଣ୍ଟ ସାମନାରେ ଗୋଟାଏ ଭଙ୍ଗା ଘରେ ଆପଣ ରହନ୍ତି । କିନ୍ତୁ ମୁସ୍କିଲ କଥା, ଦେଖନ୍ତୁ ତ ! ଏ ଗଳିରେ ଯେତେ ବତୀଖୁଣ୍ଟ ସବୁ ଭଙ୍ଗା ଆଉ ତା ସାମନାରେ ଯେତେ ଘର, ସବୁ ଭଙ୍ଗା । ଏତେ ଭଙ୍ଗା ଭିତରେ ଆପଣଙ୍କ ଭଙ୍ଗା ଘର ଖୋଜି ବାହାର କରିବାକୁ ଏ ଗଳି ଭିତରେ ଏ ପାଖ ସେ ପାଖ ହେଇ ଖୁବ କମରେ ମାଇଲିଏ ବାଟ ମୁଁ ଚାଲିଥିବି–(ଗୋଟିଏ ଚୌକିରେ ବସିବାକୁ ଯାଉଥିଲେ)

 

ମୋହନ—ଆହା, ସେ ଚୌକିରେ ବସନ୍ତୁ ନାହିଁ, ତା’ର ଗୋଟାଏ ଗୋଡ଼ ଭାଙ୍ଗି ଯାଇଚି...

 

ଆନନ୍ଦ—ଏ ବି ଭଙ୍ଗା ? ଆଚ୍ଛା ମୋହନବାବୁ, ଆପଣ ଦୟାକରି ଗୋଟିଏ କାମ କରନ୍ତୁ ! ଏ ଅଞ୍ଚଳରେ ଯାହା ଯାହା ଭଙ୍ଗା ତା’ ର ଗୋଟିଏ ତାଲିକା ମତେ ଦିଅନ୍ତୁ–ତା ହେଲେ ଟିକେ ସୁବିଧାରେ ବସି ଆପଣଙ୍କ ସହିତ କଥାବାର୍ତ୍ତା ହେବି.... ।

 

ମୋହନ—ମୋ ସହିତ କଥାବାର୍ତ୍ତା ? ମୋ ପାଖରେ କ’ଣ କିଛି କାମ ଅଛି ଆପଣଙ୍କର ?

 

ଆନନ୍ଦ—ତା’ ନ ଥିଲେ ଏ ବିରାଟ ଭଙ୍ଗାଭଙ୍ଗି ଘଟଣାରେ ମୁଁ ପଶିଥାନ୍ତି କାହିଁକି ?

 

ମୋହନ—ଆପଣ ତା’ ହେଲେ ହଁ ଏଇଠି ବସନ୍ତୁ–(ତକ୍ତପୋଷର ଗୋଟାଏ କୋଣରୁ ବିଛଣା ଉଠାଇ ଦେଲେ । ଆନନ୍ଦ ବସିଲେ) ଦୟାକରି ଆପଣଙ୍କ ପରିଚୟଟା-

 

ଆନନ୍ଦ—ଦେଖନ୍ତୁ, ମୋ ପରିଚୟରେ ଆପଣଙ୍କର ବିଶେଷ କିଛି ଲାଭ ହେବ ନାହିଁ । ଆଚ୍ଛା, ଏ ଭିତରେ ଆପଣଙ୍କ ଖଣ୍ଡିଏ ଛବି ତ୍ରିପାଠୀ ସାହେବଙ୍କୁ ବିକିଛନ୍ତି ନା ?

 

ମୋହନ—ହଁ, ବିକିଚି ।

 

ଆନନ୍ଦ—ସେଇ ଛବି ଖଣ୍ଡିକ ଦେଖି କୁମାର ସାହେବ ପାଗଳ-

 

ମୋହନ—କୁମାର ସାହେବ !!

 

ଆନନ୍ଦ—ହଁ, କଲିକତାର ଜଣେ ବଡ଼ ଓଡ଼ିଆ ବ୍ୟବସାୟୀ-ବ୍ୟବସାୟ ସମ୍ବନ୍ଧରେ କଟକ ଆସିଛନ୍ତି–ଆପଣଙ୍କ ହାତ ତିଆରି ଖଣ୍ଡିଏ ଛବି ସେ କିଣିବାକୁ ଚାହାନ୍ତି, ଆଉ ସେଇ ଅର୍ଡ଼ର ଦେବାକୁ ମୁଁ ଆସିଛି ।

 

ମୋହନ—ଆପଣ ଛବିର ଅର୍ଡ଼ର ଦେବାକୁ ଆସିଛନ୍ତି-ବହୁ ଧନ୍ୟବାଦ ଆପଣଙ୍କୁ ! କୁହନ୍ତୁ କି ଧରଣର ଛବି ସେ ଚାହାନ୍ତି ?

 

ଆନନ୍ଦ—ତାଙ୍କର ବରାଦ ହେଉଚି ଗୋଟିଏ ଖୁବ୍ ସୁନ୍ଦରୀ ଯୁବତୀର ଛବି ।

 

ମୋହନ—ସୁନ୍ଦରୀ ଯୁବତୀର ଛବି ?

 

ଆନନ୍ଦ—ହଁ, ଯେମିତି ଛବି ତ୍ରିପାଠୀ ସାହେବଙ୍କୁ ଦେଇଛନ୍ତି – ସେଇ ଧରଣର ।

 

ମୋହନ—ସେ ଛବି ପାଇଁ ତ ମତେ ମଡେଲର ସାହାଯ୍ୟ ନେବାକୁ ପଡ଼ିଥିଲା ।

 

ଆନନ୍ଦ—ବେଶ୍, ଏ ଛବି ପାଇଁ ସିମିତି ମଡେଲର ସାହାଯ୍ୟ ନେବେ ।

 

ମୋହନ—କିନ୍ତୁ ମଡେଲ କ’ଣ ସେ ଯୋଗେଇବେ ?

 

ଆନନ୍ଦ—ନା-ନା, ସେ ସବୁ ଆପଣ ବନ୍ଦୋବସ୍ତ କରିବେ ।

 

ମୋହନ—କିନ୍ତୁ ଏମିତି ମଡେଲ ମୁଁ ପାଇବି କେଉଁଠୁ ?

 

ଆନନ୍ଦ—ସେ ମଡେଲଟି ପୁଣି ପାଇଥିଲେ କେମିତି ? ଜଣେ ନର୍ସର ମଡେଲରେ ସେ ଛବି ଖଣ୍ଡିକ ଆଙ୍କିଥିଲେ ନା ?

 

ମୋହନ—ଆପଣ ଜାଣିଲେ କେମିତି ?

 

ଆନନ୍ଦ—ମୁଁ କାହିଁକି ଜାଣିବି ବାବୁ–ସେଇ କୁମାର ସାହେବ କହୁଥିଲେ–

 

ମୋହନ—ସେ ମଡେଲକୁ ଆପଣ ସୁନ୍ଦର କହିବେ ?

 

ଆନନ୍ଦ—ମୋ ଆଖିରେ ବାବୁ ଏ ଦୁନିଆରେ ସବୁ ସୁନ୍ଦର-ସବୁ ଅସୁନ୍ଦର-ମୁଁ ସେ ସବୁର ଧାର ଧାରେ ନାହିଁ ।

 

ମୋହନ—ମୁଁ ଅନେକ ଚେଷ୍ଟା କରି ସେ ମଡେଲ ବନ୍ଦୋବସ୍ତ କରିଥିଲି-ଟଙ୍କା ବି କମ୍ ଦେଇ ନ ଥିଲି ତାକୁ ।

 

ଆନନ୍ଦ—ବେଶ୍, ଏଥିପାଇଁ ସେମିତି ଟିକେ ଚେଷ୍ଟା କରିବେ–ଟଙ୍କା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ହଁ, କୁମାର ସାହେବ ପ୍ରାୟ ଏଠି ଆଉ ପନ୍ଦର ଦିନ ରହିବେ । ଏଇ ପନ୍ଦର ଦିନ ଭିତରେ ତାଙ୍କର ଛବିଟା ଦରକାର । ଆପଣ ବର୍ତ୍ତମାନ କିଛି ଏଡ଼ଭାନ୍ସ ରଖନ୍ତୁ ।

 

ମୋହନ—ନା, ଏଡ଼ଭାନ୍ସ କ’ଣ ହେବ ? ମୁଁ ପ୍ରଥମେ ମଡେଲ ବନ୍ଦୋବସ୍ତ କରେ... ।

 

ଆନନ୍ଦ—ଆଛା, ମୁଁ ବର୍ତ୍ତମାନ ଆସେ । ଅବସ୍ଥା ଯାହା ଦେଖୁଚି,ସେଥିରେ ଆପଣଙ୍କ ଘରକୁ ମୋର ଆଉ ଦୁଇ ଚାରିଥର ଆସିବା ସୌଭାଗ୍ୟ ଅଛି ବୋଲି ମନେହୁଏ... ହଁ, ମୁଁ ଶୁଣିଲି, ଆପଣ କୁଆଡ଼େ ବିବାହ କରୁଛନ୍ତି ଆଉ ସେଇ ବିବାହ ପଛରେ ରହିଛି ଗୋଟିଏ ବିରାଟ ଇତିହାସ-। (ମୋହନ ହସିଲା) ହୁଏ, ହୁଏ ବାବୁ...ଏମିତି ହୋଇଥାଏ-ଶିଳ୍ପୀ, ସାହିତ୍ୟକ, ସଙ୍ଗୀତଜ୍ଞ, ଏମାନଙ୍କ ଆଡ଼କୁ ସ୍ତ୍ରୀ ଲୋକମାନେ ବେଶୀ ମାତ୍ରାରେ ଆଉଜି ପଡ଼ିଥାନ୍ତି । କିନ୍ତୁ ମୋହନ ବାବୁ ! ଏ ଆପଣ କରୁଛନ୍ତି କ’ଣ ? ବିବାହ କରି ସ୍ତ୍ରୀକୁ ନେଇ ଘର କରିବେ-କିନ୍ତୁ ଘର ଆପଣଙ୍କର କାହିଁ-? ଆପଣଙ୍କ ପରି ଜଣେ ବିଶିଷ୍ଟ ଗୁଣୀଲୋକ ତ ଏ ଘରେ ରହିବା କଥା ନୁହେଁ.... ।

 

ମୋହନ—କ’ଣ ଆଉ କରିବି କୁହନ୍ତୁ ? ଦରିଦ୍ର ହେଲେ ଲୋକର ଯାହା ଅବସ୍ଥା ହୋଇଥାଏ–

 

ଆନନ୍ଦ—ଦେଖନ୍ତୁ, ଆପଣଙ୍କର ଏ କୈଫିୟତ ଏକା ଆପଣଙ୍କ ଛଡ଼ା ଆଉ କାହାରି ମନକୁ ସ୍ପର୍ଶ କରିବ ନାହିଁ । ଆଚ୍ଛା, ମୁଁ ବର୍ତ୍ତମାନ ଆସୁଚି ନମସ୍କାର ! ହଁ, ଏ ଛବିଟା ପନ୍ଦର ଦିନ ଭିତରେ ଯେମିତି ହୁଏ—ସେଥିପ୍ରତି ଦୟାକରି ଟିକେ ଦୃଷ୍ଟି ଦେବେ । (ପ୍ରସ୍ଥାନ)

 

ନୀଳା—(ପ୍ରବେଶି) ମଡେଲ ! ମଡେଲର ବନ୍ଦୋବସ୍ତ ପୁଣି କ’ଣ କରୁଛ ଶିଳ୍ପୀ ?

 

ମୋହନ—ନା, ହେଇ ପାରେନା । ନା ନୀଳା, ଏ କଥା ହେଇ ପାରେନା.....

 

ନୀଳା—କ’ଣ ହେଇପାରେ ନା ?

 

ମୋହନ—ନା, ନୀଳା—ଏଇଟା କଟକ ସହର । ଏଠି ଏମିତି ମଡେଲ-

 

ନୀଳା—ଠିକ୍ କେମିତିକା ମଡେଲ ସେମାନେ ଚାହାଁନ୍ତି ଟି.... ?

 

ମୋହନ—ଏତେବେଳେ ଯାଏ ତୁ ଆଉ ବୁଝୁଥିଲୁ କ’ଣ ? ସୁନ୍ଦରୀ ଆଉ ଯୁବତୀ–

 

ନୀଳା—ମାନେ ?

 

ମୋହନ—ମାନେ ବି ବୁଝାଇବାକୁ ପଢ଼ିବ ? ସୁନ୍ଦରୀ ଆଉ ଯୁବତୀମାନେ, ଅସୁନ୍ଦରୀ ନୁହେଁ କି ବୁଢ଼ୀ ନୁହେଁ ।

 

ନୀଳା—ଅର୍ଥାତ୍ ?

 

ମୋହନ—ଅର୍ଥାତ ଯାହା—ତା ଆଉ ଅଭିଧାନରେ ନାହିଁ.... ସୁନ୍ଦରୀ ଯୁବତୀ ଅର୍ଥାତ୍ ଠିକ୍ ତୋ ପରି ଗୋଟିଏ ସୁନ୍ଦରୀ ଝିଅ, ବୁଝିଲୁ ?

 

ନୀଳା—ହଁ, ମୋ ପରି ଝିଅ । ମୋ ପରି ଝିଅ କ’ଣ ଏ କଟକ ସହରରେ କେହି ନାହାନ୍ତି ?

 

ମୋହନ—ଏ କଟକ ସହରରେ ଅଧେ ଝିଅ ତୋଠାରୁ ବଳି ଅଧିକ ସୁନ୍ଦରୀ-କିନ୍ତୁ ସେମାନେ ମଡେଲ ହବାକୁ ଆସିବେ କୋଉ ଦୁଃଖରେ ?

 

ନୀଳା—ଠିକ୍ ତ, ସେମାନଙ୍କର ବା ଦୁଃଖ କ’ଣ ? ଆଚ୍ଛା ମୋହନ, ଏଇଟା ତୁମର ଛବି ଆଙ୍କିବା ଷ୍ଟାଣ୍ଡ ଆଉ ଏଇଟା ବୋର୍ଡ଼ । (ଗୋଟାଏ ସାଦା ବୋର୍ଡ଼ ଆଣି ଷ୍ଟାଣ୍ଡ ଉପରେ ଥୋଇଲା) ଏଇଟା—ତୂଳି (ତୂଳିଟିଏ ମୋହନ ହାତରେ ଧରେଇ ଦେଲା । ମୋହନ ସେତେବେଳେ ତକ୍ତପୋଷ ଉପରେ ନୀଳାକୁ ପଛକରି ବସିଥାଏ, ନୀଳା ମୋହନର ଅଲକ୍ଷ୍ୟରେ ତକ୍ତପୋଷ ଉପରେ ଠିଆହେଲା) ଥରେ ଚେଷ୍ଟାକରି ଦେଖ ତ ମୋହନ—ଠିକ୍ ହେଉଚି କି ନାହିଁ !

 

ମୋହନ—(ନୀଳାକୁ ଚାହିଁ ଖୁବ୍ ଜୋରରେ ହସିଲା) ଏ କ’ଣ ନୀଳା ?

 

ନୀଳା—ମଡେଲ... ।

 

ମୋହନ—ଚମତ୍କାର ନୀଳା, ଚମତ୍କାର । ତୋପରି ଗୋଟାଏ ମଡେଲ ପାଇଲେ କୁମାର ସାହେବଙ୍କୁ ଛବିଟା ଦୁଇହଜାର ଠଙ୍କାରୁ କମ୍‍ରେ ବିକନ୍ତି ନାହିଁ ; କିନ୍ତୁ କୁମାର ସାହେବଙ୍କ ଦୁର୍ଭାଗ୍ୟ-ତାଙ୍କର ଛବିର ଅର୍ଡ଼ର ବୋଧହୁଏ ମୁଁ ରଖିପାରୁ ନାହିଁ । ଆଚ୍ଛା ନୀଳା, ସେ ଖଟ ଉପରୁ ଓହ୍ଲାଇବା ଆଉ ଦରକାର ନାହିଁ । ସେଇଠି ଠିଆହେଇ ତୁ ସେ ବୁଢ଼ିଆଣୀ ଜାଲଗୁଡ଼ାକ ସଫା କରିବାରେ ଲାଗିପଡ଼-ମୁଁ ମୋର ପୁରୁଣା ରୁଟିନ୍ ଅନୁସାରେ ଟିକେ ବାହାରୁ ବୁଲି ଆସେ–(ନୀଳାକୁ ଗମ୍ଭୀର ଦେଖି) ଏ କ’ଣ ନୀଳା ? ତୋ ମୁହଁ ଦେଖିଲେ ଜଣାପଡ଼ୁଚି-ତୁ ଯେମିତି ଖୁବ୍ ଦୃଢ଼ଭାବରେ ଗୋଠାଏ କ’ଣ କଥା ଭାବୁଚୁ ?

 

ନୀଳା—ମୁଁ ମିଛ କହି ନାହିଁ ମୋହନ ମତେଇ ମଡେଲ ରଖି ତୁମକୁ ଛବି ଆଙ୍କିବାକୁ ପଡ଼ିବ ।

 

ମୋହନ—ଆଙ୍କିବି ନୀଳା—ଆଙ୍କିବି । ଶିଳ୍ପୀ ହୋଇ ତୋ ଛବି ନ ଆଙ୍କିଲେ ମୋର ତୂଳିର ମୂଲ୍ୟ ରହିଲା କେଉଁଠି ? କିନ୍ତୁ ଆଜି ନୁହେଁ , ଯେଉଁଦିନ....

 

ନୀଳା—ନା, ମୋହନ—ଆଜି ଏଇ ମୁହୂର୍ତ୍ତରେ ତୁମେ ଆଙ୍କିବ ମୋର ଛବି—

 

ମୋହନ—କାହିଁକି ?

 

ନୀଳା—କୁମାର ସାହେବଙ୍କ ପାଇଁ....

 

ମୋହନ—ମନସ୍ତତ୍ତ୍ୱ ବିଷୟରେ ଯାହାର ଜ୍ଞାନ ଥିବ-ସେ କହିବ ନୀଳା, ତୋର ନିଶ୍ଚୟ ମାନସିକ ବିକାର ଘଟିଚି-

 

ନୀଳା—(ଖଟରୁ ଓହ୍ଲାଇ) ଥଟ୍ଟା ନୁହେଁ ମୋହନ—ଛବି ଆଙ୍କି ତୁମର ଯଦି ପଇସା ରୋଜଗାର କରିବା କଥା....

 

ମୋହନ—ୟା ବୋଲି ତୋରି ଛବି ବିକି ମୁଁ ରୋଜଗାର କରିବି ପଇସା-ଦୁନିଆ ଲୋକେ କ’ଣ କହିବେ ?

 

ନୀଳା—ଦୁନିଆ ଲୋକେ କ’ଣ କହିବେ ସେ କଥା ଭାବିବସିଲେ ଖାଲି ଭାବନା ହିଁ ସାର ହେବ-ଫଳ କିଛି ହବ ନାହିଁ ।

 

ମୋହନ—ତୋର ବାପା କ’ଣ କହିବେ–ଦିନେ ହୁଏତ ତୁ ନିଜେ କ’ଣ କହିବୁ ?

 

ନୀଳା—ମୁଁ ? ଯଦି ମୋର କହିବାର ଦିନ ଆସେ-ସେଦିନ ମୁଁ କହିବି–ମୋତେ ନେଇ ତୁମେ କରିଥିଲ ତୁମର ଭାଗ୍ୟ ପରୀକ୍ଷା-ଆଉ ସେଥିରେ ତୁମେ ଜୟଲାଭ କରିଚ-

 

ମୋହନ—ନା-ନା, ଏ ଖାଲି ଗୋଟାଏ କଥାର କଥା, ଗୋଟାଏ ମନରଖା ଯୁକ୍ତି-

 

ନୀଳା—ତୁମେ ବୁଝିପାରୁ ନା ମୋହନ—ମୁଁ କାହିଁକି ଏ କଥା କହୁଛି । ସାଇଲୋକଙ୍କ କଥା ତ ଜାଣ-ବାପା ଦିନକୁଦିନ ଭାଙ୍ଗି ପଡ଼ୁଛନ୍ତି । ଏସବୁ ଭିତରେ ମୋର ଆଉ ହଁ ମୋହନ, ମୋର ଆଉ ଠିଆହେଇ ରହିବାର ଶକ୍ତି ନାହିଁ–

 

ମୋହନ—ସେଦିନ ତୋ ବାପାଙ୍କୁ ମୁଁ କହିଥିଲି, ଗୋଟାଏ କର୍ତ୍ତବ୍ୟ ରକ୍ଷାକରିବାକୁ ଯାଇ ମୁଁ ତୋତେ ବିବାହ କରୁଚି । କିନ୍ତୁ ନୀଳା, ସେଇ କର୍ତ୍ତବ୍ୟ ଭିତରେ ତୋ ପ୍ରତି ଆଜି ଜାଗି ଉଠିଛି ଅସୀମ ସ୍ନେହ, ମମତା, ପ୍ରେମ । ଏ ଦୀର୍ଘ ଛ’ ବର୍ଷ ଭିତରେ ସେ ସବୁର ଗୋଟାଏ କ୍ଷୀଣଧାରା ଲୁଚି ରହିଥିଲା, ଅନ୍ତଃସଲିଳା ଫଲ୍‍ଗୁ ପରି । କିନ୍ତୁ ଆଜି ତାହା ମୋର ଅନ୍ତର ବାହାର ସବୁଠି ଦେଖା ଦେଇଚି ପରିପୂର୍ଣ୍ଣ ଭାବରେ । ସେ ସବୁକୁ ମୁଁ ଅସ୍ୱୀକାର କରି ପାରିବି ନାହିଁ । ଦରିଦ୍ର ଜାଣି ସୁଦ୍ଧା, ମୁଁ ତୋତେ ଭଲପାଇ ଯଦି ଭୁଲ କରିଥାଏ ତାହାହେଲେ ସେ ଭୁଲରେ ଏ ନିର୍ମମ ସଂଶୋଧନ ମୁଁ କରିପାରିବି ନାହିଁ । ମୋର ଭଲ ପାଇବାର ମହତ୍ତ୍ୱକୁ ପଦଦଳିତ କରି....

 

ନୀଳା—ତୁମେ ଖୁବ୍ ଉତ୍ତେଜିତ ହେଇ ପଡ଼ିଚ ମୋହନ । ଗୋଟେ କଥା ମୁଁ ତୁମକୁ କହୁଚି ଯାହାକୁ ନେଇ ତୁମର ଏ ଉତ୍ତେଜନା, ସେ ହେଉଚି ମୋର ଖଣ୍ଡେ ନିର୍ଜୀବ ପ୍ରାଣହୀନ ଛବି–ଆମ ବାସ୍ତବ ଜୀବନ ସହିତ ତା’ର କୌଣସି ସମ୍ପର୍କ ନାହିଁ...ମୋର ସେହି ପ୍ରାଣହୀନ ଛବିଖଣ୍ଡିକ ତୁମେ ବିକିବ, ଆଉ ତା ବଦଳରେ ତୁମେ ପାଇବ ମୋତେ-ମୋର ଏଇ ଜୀଅନ୍ତା ଛବିଟାକୁ ।

 

ମୋହନ—ତେବେ ନୀଳା ତୁ କହିବାକୁ ଚାହୁଁ ମୋର ସବୁ ପ୍ରେମ, ସବୁ ମମତା ଆବଦ୍ଧ ରହିଚି ତୋର ଏଇ ରକ୍ତମାଂସର ଗଢ଼ା ଦେହଟା ଭିତରେ !!

 

ନୀଳା—ତୁମେ ପୁଣି ସେଇ ବହି ପଢ଼ା କଥା କହିଲ ମୋହନ ! ନୀଳାକୁ ପାଇବ ନାହିଁ–କାନ୍ତୁ ପାଇବ ତାରି ପ୍ରେମ ! କଥାଟାର ମନଭୁଲାଣିଆ ନିଶା ଅଛି-କିନ୍ତୁ ଦୁଇଟା ଜୀବନ ବଞ୍ଚି ରହିବା ପାଇଁ କୌଣସି ପେଶା, କୌଣସି ଅବଲମ୍ବନ ନାହିଁ-

 

ମୋହନ—ତୋ କଥାଗୁଡ଼ାକ ଏକାବେଳକେ ଅସଙ୍ଗତ ହେଇ ପଡ଼ୁଚି ନୀଳା !

 

ନୀଳା—କିନ୍ତୁ ମିଛ ତ ନୁହେଁ । ମୁଁ ଯାହା କହୁଚି, ତା ଏକାବେଳେ ସତ । ତୁମେ ଆଉ ଅବୁଝା ହୁଅ ନାହିଁ । ଆସ, ଆଜିଠୁ ମୋ ଛବିର କାମ ଆରମ୍ଭ କର-କହିଚି ତ ମୋତେ ନେଇ ହେଉ ତୁମ ଶିଳ୍ପୀ ଜୀବନର ଭାଗ୍ୟ ପରୀକ୍ଷା....[କଥାଗୁଡ଼ାକ ମୋହନ ଯେପରି ଖୁବ୍ ମନ ଦେଇ ଶୁଣୁଥିଲା ଆଉ ଶୁଣିବା ସଙ୍ଗେ ସଙ୍ଗେ ତା’ର ମୁହଁର ରେଖାସବୁ ପରିବର୍ତ୍ତନ ହେଉଥିଲା; ବୁଝାଯାଉଥିଲା ଯେମିତି ସେ ଗୋଟାଏ ଦ୍ୱନ୍ଦ୍ୱରେ ପଡ଼ିଚି-କ’ଣ କରିବ ନ କରିବ କିଛି ଠିକ୍ କରି ପାରୁନି । ଠିକ୍ ଏତିକିବେଳେ ମଞ୍ଚ ଅନ୍ଧାର ହେଇଗଲା । ଆଉ ସଙ୍ଗେ ସଙ୍ଗେ ଭିତରୁ ଭାସିଆସିଲା ଗୋଟିଏ ଉଦବୋଧମୂଳକ ସଙ୍ଗୀତ-ସେହିପରି ସଙ୍ଗୀତ ଚାଲିଥାଏ-ପୁଣି ମଞ୍ଚରେ ଆଲୋକ ଜଳିଉଠିଲା-ଧୀରେ ଧୀରେ ଯନ୍ତ୍ରସଙ୍ଗୀତର ଶେଷ ସ୍ୱର ଟିକକ କେଉଁଆଡ଼େ ଉଭେଇଗଲା । ମଞ୍ଚରେ ମୋହନର ସେଇ କୋଠରୀର ଦୃଶ୍ୟ । ଷ୍ଟାଣ୍ଡ୍ ଉପରେ ନୀଳାର ପ୍ରତିକୃତିଟି ରଖାହୋଇଚି–ଟିକେ ଦୂରରେ ରହିଛନ୍ତି ମୋହନ ଆଉ ନୀଳା—ଏକ ଦୃଷ୍ଟିରେ ଚାହିଁଚନ୍ତି ସେଇ ପ୍ରତିକୃତିଟିକୁ]

 

ମୋହନ—ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ନୀଳା ଏ ଛବି ମୁଁ ଆଣିଚି ! ଓଠରେ ମୋନାଲିସାର ହସ-ଆଖିରେ ମିସେସ୍ ସ୍କଟଙ୍କ ଚାହାଣି-

 

ନୀଳା—ପ୍ରଶଂସା ଥାଉ-ଦାମ କେତେ ହବ ଆଗ କୁହ ତ ।

 

ମୋହନ—ଓଃ-ତୁ ଦାମର କଥା ପଚାରୁଚୁ-କିନ୍ତୁ ନୀଳା, ମୋ ଛଡ଼ା ଏ ଦୁନିଆରେ କେହି ଏ ଛବିର ଠିକ୍ ଦାମ ଦେଇପାରିବେ ନାହିଁ ।

 

ନୀଳା—ତେବେ ଲୋ ମା ହେଇଚି-ଯଥା ପୂର୍ବ ତଥା ପର—ପୁଣି ସେମିତି ଭୋକ ଉପାସରେ ଦିନ କାଟିବାକୁ ପଡ଼ିବ !

 

(ଏତିକିବେଳେ ବାହାରୁ ପାଟି ଶୁଭିଲା)

 

ଆନନ୍ଦ—(ବାହାରୁ) ମୋହନବାବୁ ଭିତରେ ଅଛନ୍ତି ? ମୋହନ ନୀଳାକୁ ଇଙ୍ଗିତ ଦେଲା-ନୀଳା ଭିତରକୁ ଚାଲିଗଲା ।

 

ମୋହନ—ଆସନ୍ତୁ, ଦରଜା ଖୋଲା ଅଛି–

 

ଆନନ୍ଦ—(ଆସି) ନମସ୍କାର । ଏ ଭିତରେ ଯେତେଥର ଆସିଚି, ସବୁଥର ଦରଜା ବନ୍ଦ ଥାଏ-ଆଜି ଖୋଲା । କଥା କ’ଣ କୁହନ୍ତୁ ତ ! ଛବିର କାମ ବୋଧହୁଏ ଶେଷ ହୋଇଯାଇଚି ।

 

ମୋହନ—ହଁ.....

 

ଆନନ୍ଦ—ତା’ହେଲେ ଧନ୍ୟବାଦର ବିରାଟ ଗୋଲା ମୁଁ ଏଇଠି ଖୋଲିଦେଲି । ହଁ, ସ୍ୱୟଂ କୁମାର ସାହେବ ବି ଆସିଛନ୍ତି

 

ମୋହନ—କୁମାର ସାହେବ ? କାହାନ୍ତି ?

 

ଆନନ୍ଦ—ବାହାରେ ମଟରରେ-ଆପଣ ଦୟାକରି ଛବିଟା ନେଇ ଚାଲନ୍ତୁ ତାଙ୍କ ପାଖକୁ (ମୋହନ ଛବିଟାକୁ ଷ୍ଟାଣ୍ଡରୁ ନେଇଯିବାକୁ ବାହାରିଚି, ଏଇ ସମୟରେ ନିଜେ କୁମାର ସାହେବ ଆସିଲେ । ତାଙ୍କର ପରିଧାନ ଧୋତି ଆଉ ପଞ୍ଜାବି)

 

ଆନନ୍ଦ—ଏଇ ତ କୁମାର ସାହେବ ନିଜେ ଆସିଲେ.. (ମୋହନକୁ ଚାହିଁ) ଏ ହେଉଚନ୍ତି ଶିଳ୍ପୀ ମୋହନ ମହାପାତ୍ର । [ମୋହନ କୁମାର ସାହେବଙ୍କୁ ଦେଖି ଯେମିତି ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲେ-ସେଇ ଅବସ୍ଥାରେ ସେ କୁମାର ସାହେବଙ୍କୁ ନମସ୍କାର କଲା-କୁମାର ସାହେବ ମଧ୍ୟ ପ୍ରତିନମସ୍କାର କଲେ]

 

କୁମାର—ବମ୍ୱେ ଆର୍ଟସ୍କୁଲରେ ଆପଣ ଛାତ୍ର ଥିଲାବେଳେ ଆପଣଙ୍କର ଖ୍ୟାତି ମୁଁ ଶୁଣିଚି । ଏ ସାକ୍ଷାତରେ ମୁଁ ଖୁବ୍ ଖୁସି । ହଁ, ଛବିଟା କିପରି ହେଇଚି ?

 

ମୋହନ—କିନ୍ତୁ ଆପଣ ଏମିତି ଠିଆ ହେଇ ରହିଲେ ?

 

ଆନନ୍ଦ—ଏ ବିରାଟ ଭଙ୍ଗା ମହାଦେଶରେ ବସିବାର ସୁବିଧା ନାହିଁ । ଏଥିପାଇଁ କିନ୍ତୁ ଆପଣ ଦାୟୀ ନୁହନ୍ତି-ଦେଶର ବଡ଼ ବଡ଼ ଲୋକ ଏମାନେ-ଏମାନେ ତ ଆପଣଙ୍କୁ ଏଇ ଅବସ୍ଥାରେ ରଖିଛନ୍ତି... ଘର ଭଙ୍ଗା, ଚୌକି ଭଙ୍ଗା.... [ମୋହନ ଛବିଟା କୁମାର ସାହେବଙ୍କ ହାତକୁ ବଢ଼େଇ ଦେଲା । ଛବିଟା ଦେଖିବା ମାତ୍ରେ ବିସ୍ମୟରେ କୁମାରଙ୍କ ଭ୍ରୂଦିଟା ଯେତେ ପାରେ ଉପରକୁ ଉଠିଗଲା-ଖୁବ୍ ମୁଗ୍ଧ ଦୃଷ୍ଟିରେ ଛବିଟାକୁ ଦେଖିବାକୁ ଲାଗିଲେ ]

 

କୁମାର—ଚମତ୍କାର ! ଏ ମଡେଲ ଆପଣ ପାଇଲେ କେଉଁଠୁ ? (ମଡେଲ କଥାଟା ଶୁଣିଲା ମାତ୍ରେ ମୋହନ ଯେପରି ଶିହରି ଉଠିଲା । କୁମାର ପୁଣି ଛବିରେ ମନ ନିବେଶ କଲେ-ତାଙ୍କ ମୁହଁ ଦେଖିଲେ ଜଣା ପଡ଼ୁଥାଏ ଯେପରି ଛବି ବଦଳରେ ଛବିର ମଡେଲଟା ସେ ହାତରେ ଧରିଛନ୍ତି । ମୋହନ ତାଙ୍କର ଏଇ ଭାବକୁ ଲକ୍ଷ୍ୟ କରୁଥାଏ-ପଚାରିଥିବା ପ୍ରଶ୍ନର ଉତ୍ତର ଆଶାରେ ସେ ମୋହନକୁ ଲକ୍ଷ୍ୟ କରୁଥାନ୍ତି)

 

ମୋହନ—ମଡେଲ...(ଆଉ କିଛି କହି ପାରିଲା ନାହିଁ)

 

କୁମାର—ଆଚ୍ଛା, ବର୍ତ୍ତମାନ ଆପଣ କହନ୍ତୁ ଛବିଟାର ଦାମ କ’ଣ ନେହେ ?

 

ମୋହନ—ଦାମ ? କିନ୍ତୁ ଛବିଟା ଯେ ପୂରାପୂରି ଶେଷ ହୋଇନି ।

 

ଆନନ୍ଦ—ଶେଷ ହୋଇନି-ଆହୁରି ଅଛି ?

 

କୁମାର—କିନ୍ତୁ କିଛି ବାକି ଥିଲା ପରି ତ ମତେ ଜଣା ପଡ଼ୁ ନାହିଁ !

 

ମୋହନ—ତା’ ଆପଣ ବୁଝିପାରିବେ ନାହିଁ....

 

ଆନନ୍ଦ—ତେବେ ଉପାୟ ?

 

ମୋହନ—ଆପଣ ବର୍ତ୍ତମାନ ଯାଆନ୍ତୁ-ମୁଁ ଠିକ୍ ଦୁଇ ଘଣ୍ଟା ପରେ ଛବିଟା ନେଇ କୋଠିରେ ପହଞ୍ଚାଇ ଦେଇ ଆସିବି ।

 

କୁମାର—ବେଶ୍ ତାହାହିଁ ହେଉ । କିନ୍ତୁ ଠିକ୍ ଦୁଇ ଘଣ୍ଟା ପରେ ଛବିଟା ଯେମିତି ମୁଁ ପାଇବି–(କୁମାର ସାହେବ ଓ ଆନନ୍ଦ ଚାଲିଗଲେ-ସଙ୍ଗେ ସଙ୍ଗେ ଭିତରୁ ଆସିଲା ନୀଳା । ନୀଳା କିଛି କହିବା ପୁର୍ବରୁ କୁମାର ସାହେବ ପୁଣି ଫେରିଲେ–ତାଙ୍କ ପଛେ ପଛେ ଆନନ୍ଦ । କିଛି କହିବା ପୂର୍ବରୁ ତାଙ୍କ ଆଖି ପଡ଼ିଲା ନୀଳା ଉପରେ-ନୀଳାକୁ ଦେଖି ସେ ଯେପରି ଟିକେ ବିବ୍ରତ ହେଇ ପଡ଼ିଲେ–ତାଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ, ଏ ବାଳିକାଟି ହେଉଚି ଛବିର ମଡେଲ-। ମୁହୂର୍ତ୍ତକ ପାଇଁ ନୀଳା ଉପରେ ତାଙ୍କର ଲୁବ୍ଧ ଆଖି ଦୁଇଟି ଲାଖି ରହିଲା ! କିନ୍ତୁ ସଙ୍ଗେ ସଙ୍ଗେ ସେ ମୁହଁର ଭାବ ପରିବର୍ତ୍ତନ କରାଇ ନିଜକୁ ସହଜ ଅବସ୍ଥାକୁ ଘେନି ଆସିଲେ । ନୀଳା ସେତେବେଳକୁ ଆଶ୍ରୟ ନେଇଥିଲା ମୋହନର ପଛଆଡ଼େ) କୁମାର—ଦେଖନ୍ତୁ ମୋହନବାବୁ–ଏ ଛବିଟା ପାଇଁ ମୁଁ ପାଞ୍ଚ ହଜାର ଟଙ୍କା ଦେବାକୁ ପ୍ରସ୍ତୁତ-ବୁଝିଲେ, ମୁଁ କୋଠିରେ ଅପେକ୍ଷା କରୁଚି-ଠିକ୍ ଦୁଇ ଘଣ୍ଟା ଭିତରେ ଆପଣ ଛବିଟା ନେଇ ଆସନ୍ତୁ–(ପ୍ରସ୍ଥାନ) (କିଛି ସମୟ ପାଇଁ ନୀଳା ଓ ମୋହନ ଦୁଇ ଜଣଙ୍କ ମୁହଁରୁ କିଛି କଥା ବାହାରିଲା ନାହିଁ)

 

ମୋହନ—କୁମାର ସାହେବ ବୁଝି ପାରିଛନ୍ତି ଯେ ଛବିର ମଡେଲ ତୁ ।

 

ନୀଳା—କିନ୍ତୁ ତୁମେ ମିଛ କଥା କହିଲ କାହିଁକି ?

 

ମୋହନ—ସତ କଥାଟା କହିବାକୁ ମୋ ଗଳାକୁ ଯେମିତି କିଏ ଚାପି ଧରିଲା ନୀଳା । କାମ ଶେଷ ହେଇ ଯାଇଚି କହିଥିଲେ ହୁଏତ ସେ ଦାମ ଦେଇ ଛବିଟା ସଙ୍ଗେ ସଙ୍ଗେ ନେଇ ଯାଇଥାନ୍ତି ।

 

ନୀଳା—ମୁଁ ବୁଝିପାରୁ ନାହିଁ ମୋହନ—ଦିନକୁ ଦିନ ତୁମର ଏ ବଦଖିଆଲ ବଢ଼ୁଛି କାହିଁକି... ?

 

ମୋହନ—ବାସ୍ତବିକ, ତୁ ବୁଝି ପାରିବୁ ନାହିଁ ନୀଳା—ମୋର ପୁରୁଷକାର ପ୍ରତି ଏ କେତେ ବଡ଼ ଗୋଟାଏ ଅପମାନ ! ଛବିଟା ଦେଖୁ ଦେଖୁ କୁମାର ସାହେବଙ୍କ ଲୋଭୀ ଆଖି ଦୁଇଟା ଯେମିତି ସେଥିରୁ କ’ଣ ଖୋଜି ବୁଲିଲା-ସଙ୍ଗେ ସଙ୍ଗେ ସେ ପଚାରି ବସିଲେ ଛବିର ମଡେଲ କିଏ-? ତା’ପରେ ସେ ଦେଖିଲେ ତୋତେ-ବର୍ତ୍ତମାନ ‘ତୋ’ ବିଷୟରେ କେତେ କ’ଣ କୁତ୍ସିତ କଳ୍ପନା ହୁଏତ ତାଙ୍କ ମନ ଭିତରେ ସ୍ଥାନ ପାଇଥିବ ।

 

ନୀଳା—ତାଙ୍କର କୁତ୍ସିତ କଳ୍ପନା ନେଇ ସେ ରହନ୍ତୁ ମୋହନ—ସେଥିରେ ଆମ ଦୁହିଁଙ୍କର ଜୀବନଯାତ୍ରା କେବେହେଲେ କୁତ୍ସିତ ହେବ ନାହିଁ । ଛବିଟାର ଦାମ୍ ସେ ପାଞ୍ଚ ହଜାର ଟଙ୍କା ଦେବାକୁ ରାଜି ହେଇଚନ୍ତି ?

 

ମୋହନ—ଏଇଟା ଛବିର ଦାମ୍ ନୁହେଁ ନୀଳା—ଏଇ ଛବି ଭିତରେ ଯେଉଁ ନୀଳା ଆତ୍ମଗୋପନ କରିଚି ଏ ତା’ ର ଦାମ, ଶିଳ୍ପ ଦୃଷ୍ଟିରୁ ଛବିଟାର ଦାମ୍ କ’ଣ ତା କୁମାର ସାହେବ ଆଦୌ ଜାଣନ୍ତି ନାହିଁ ।

 

ନୀଳା—ତାଙ୍କ ଜାଣିବା ନ ଜାଣିବାରେ ତମର କିଛି ଯାଏ ଆସେ ନା ମୋହନ । ଛବିଟା ତୁମେ ଆଙ୍କିଚ, ତାଙ୍କ ଆଖିକୁ ଭଲ ଲାଗିଚି, ତାଙ୍କର ଛବି ଦରକାର-ତମର ଟଙ୍କା ଦରକାର, ବାସ୍ ଏତିକିରେ ତମ ସହିତ ତାଙ୍କର ସବୁ ସମ୍ପର୍କ ଶେଷ । ତମେ ଯାଅ ମୋହନ ଆଉ ଏ ଦୁର୍ବଳତାକୁ ମନରେ ସ୍ଥାନ ଦିଅ ନାହିଁ–ବର୍ତ୍ତମାନ ଛବିଟାକୁ ନେଇ ତୁମେ କୁମାର ସାହେବଙ୍କ ପାଖକୁ ଯାଅ–(ଛବିଟାକୁ ଆଣି ମୋହନ ହାତରେ ଦେଲା) ଯଦି ସେ ମଡେଲ କଥା ପଚାରନ୍ତି, ତା’ ହେଲେ ତାଙ୍କୁ ଭଲରୂପେ ଶୁଣେଇ ଦେବ ଯେ ଓଡ଼ିଆ ଶିଳ୍ପୀ ବଞ୍ଚି ରହିବା ପାଇଁ ବିକୁଚି ଆଜି ତା’ର ସ୍ତ୍ରୀର ଛବି ! ହଁ ଠିକ୍ ଏଇ କଥା ତାଙ୍କୁ କହିବ । ଦେଖିବ ଏଇ କଥା ଶୁଣି ସେ ସନ୍ତୁଷ୍ଟ ହେଇ ରହିବେ । ତୁମେ ଯାଅ ମୋହନ । ଟଙ୍କାର ବନ୍ଦୋବସ୍ତ ହୋଇ ସାରିଚି ବୋଲି ବାପା ଜାଣିଚନ୍ତି । ଆଉ ସେଇଥି–ପାଇଁ ବିବାହରେ ଦିନ ପର୍ଯ୍ୟନ୍ତ ଠିକ୍ କରି ସାରିଚନ୍ତି–ଆଉ ବେଳ ନାହିଁ ମୋହନ, ତୁମେ ଯାଅ-ଯାଅ ! (ମୋହନ ଶିଶୁଟି ପରି ଚାଲିଗଲା) ପାଞ୍ଚ ହଜାର, ତିନି ହଜାର-ପାଞ୍ଚଶ, ତିନିଶ ଯାହା ହେବ, ଛବିଟା ତୁମେ ବିକି କରି ଆଣିବ-ତୁମେ ଫେରିବା ଯାଏ ମୁଁ ଏଠି ବସି ରହିଲି ।

 

[ମୋହନର ଯିବାପଥକୁ ନୀଳା ଚାହିଁ ଚାହିଁ ଦରଜା ବନ୍ଦ କରିଦେଲା । ସେ ବନ୍ଦ ଦରଜାକୁ ପିଠିକରି ଠିଆ ହୋଇ ସ୍ୱସ୍ତିରେ ନିଃଶ୍ୱାସ ମାରିଲା-ଆଖି ଦୁଇଟା ତାର ଆପେ ଆପେ ବନ୍ଦ ହୋଇଆସିଲା ।]

 

ବାପାଙ୍କୁ ତୁମେ କଥା ଦେଇଚ ମୋହନ, ସେକଥା ତୁମକୁ ରଖିବାକୁ ହେବ । ଆଉ ସେଇଥିପାଇଁ ମୋର ଏ ଆତ୍ମ-ବଳି-ଦାନ ।

 

ଚତୁର୍ଥ ଦୃଶ୍ୟ

 

(କାଠଗଡ଼ା ସାହିର ସେହି ଗଳି ରାସ୍ତା-ଶଙ୍କର ଖଣ୍ଡିଏ ଚିଠି ମନେ ମନେ ପଢ଼ି ପ୍ରବେଶ କଲା-ଏଣେ ତେଣେ ଚାହିଁ ଆଖି ପଡ଼ିଲା ରଘୁଆ ଉପରେ)

 

ଶଙ୍କର—ରଘୁଆ, ରଘୁଆ ! ଆବେ ହେ ରଘୁଆ-ଶୁଣ ବେ-

 

ରଘୁ—(ପ୍ରବେଶ) କ’ଣ କିରେ ଶଙ୍କରାଇ !

 

ଶଙ୍କର—(ଗେଲରେ) ରଘୁରେ, ମୋ ରଘୁ—ମାଇଁ ଡିଅର ରଘୁ ! ଆହାରେ ମୋ ରଘୁବୀର-କ’ଣ ମୁଁ କହିବି ରେ ରଘୁ—

 

ରଘୁ—ତୁ ଏମିତି କାହିଁକି ହେଉଚୁ ?

 

ଶଙ୍କର—ସେଇଆ ପଚାର, ମୁଁ ଏମିତି କାହିଁକି ହେଉଚି । ଏ-ଏଇ ଚିଠି ଖଣ୍ଡକରେ କ’ଣ ଅଛି ଜାଣୁ ?

 

ରଘୁ—ସେଇ ଟୋକୀ ଚିଠି ଦେଇଚି କିରେ-ସେଦିନ ଯିଏ ତୋ ଉପରକୁ ତତଲା ଚାରୁପାଣି ଫୋପାଡ଼ିଥିଲା... ?

 

ଶଙ୍କର—ତୁ ବେଳେବେଳେ ମୋ ମରମ କଥାଗୁଡ଼ା କାହିଁକି କହୁ କହିଲୁ ରଘୁ ? ସେଦିନ ସିମିତି ସେ ଲୋକଟା ଆଗରେ କହିଲୁ ଶିଶୁପାଳ-ଆଚ୍ଛା ରଘୁ, ତୁ ନେ-କେତେ ନବୁ...? ଆଠଅଣା-ବାରଅଣା ? ନା, ଗୋଟାଏ ପୂରା ଟଙ୍କାଟା...

 

ରଘୁ—ମୁଁ ବୁଝିଚି ଶଙ୍କରାଇ-କିଛି ନା କିଛି କାମ ତୁ ମୋ ଦ୍ୱାରା ହାସଲ କରିବୁ-

 

ଶଙ୍କର—କାମ କିଛି ନୁହେଁ ରେ ରଘୁ ! ଏ ଚିଠି ଖଣ୍ଡିକ ନେଇ ନୀଳାକୁ ଦେବୁ....

 

ରଘୁ—ତୁ କାହିଁକି ଏମିତି ବେଇଜ୍ଜତ କାମ କରୁଛୁ କହିଲୁ ଶଙ୍କରାଇ ? ନୀଳାନାନୀ ଘରେ ତିନିଯୋଡ଼ା ଚପଲ ଅଛି ଜାଣୁ ? ତୋଠୁ ପୁଣି ସେ ଚିଠି ନେବ...

 

ଶଙ୍କର—ଆବେ ହେ ମୁଁ କାହିଁକି ତା ପାଖକୁ ଚିଠି ଦେବି ! ଏ ଚିଠି ମୋହନ ଭାଇ ନୀଳା ପାଖକୁ ଦେଇଚି ଡାକରେ-ପିଅନ ଆଣୁଥିଲା-ତା’ ଠୁଁ ମୁଁ ରଖି ନେଇଚି...

 

ରଘୁ—ମୋହନ ଭାଇ ଡାକରେ ଚିଠି ଦେଇଚି କାହିଁକି ? ଆଉ ଆଠଦିନ ଗଲେ ତାଙ୍କର ବାହାଘର....

 

ଶଙ୍କର—ରଖ ବେ ରଖ୍ ତୋ ବାହାଘର । ଆଉ ବାହାଘର !! ବଇଁଶୀ ଅଛି ଯେ ବାଂଶରୀ ବାଜିବ.... । ମୋହନ ଭାଇ ଦେ ଚଲ-

 

କାହ୍ନୁ—(ପ୍ରବେଶି) ହେଇରେ ଶଙ୍କରା-କ’ଣ ହେଉଚି ଇଏ ? ଏଇଠି କଣ୍ଢେଇ ଗଢ଼ୁଚି...-?

 

ଶଙ୍କର—ଶୁଣ୍ ବାପା ! ସେ ଭଙ୍ଗା କଣ୍ଢେଇ କଥା ଛାଡ଼-ଅଭଙ୍ଗା କଣ୍ଢେଇ ପୁଣି ଆସିଗଲା–

 

କାହ୍ନୁ—ଏଁ, କ’ଣ କହୁଚୁ-ଫିଟେଇ କରି କହ ?

 

ଶଙ୍କର—ବାପା, ତୁମେ ଏମିତି ବିଗିଡ଼ି ଯାଉଚ କାହିଁକି ? କଥାଟା ଆଗେ ଶୁଣ-ମୋହନ ଭାଇ ଭାଗା....

 

କାହ୍ନୁ—ଭାଗା-କୁଆଡ଼େ ଭାଗା ?

 

ଶଙ୍କର—ସେଇଆ ତ କହୁଚି–କଟକ ଷ୍ଟେସନରୁ ନୀଳା ପାଖକୁ ଖଣ୍ଡେ ଚିଠି ଲେଖିଦେଇ କୁଆଡ଼େ ପଳେଇଚି-ଏଇ ଚିଠିଟା ମୁଁ ପଢ଼ୁଚି ଶୁଣ–(ପଢ଼ିଲା) ନୀଳା ! ମୁଁ ପାରିଲି ନାହିଁ-

 

କାହ୍ନୁ—କ’ଣ ପାରିଲା ନାହିଁ କିରେ ?

 

ଶଙ୍କର—ତୁମେ ଶୁଣନା ଆଗେ-(ପୁଣି ପଢ଼ିଲା) ତୁ ମତେ କହିଥିଲୁ-ତୋ ନିର୍ଜୀବ ଛବିଟାକୁ ବିକି ତା ବଦଳରେ ପାଇବି ତୋର ଜୀଅନ୍ତା ଛବିଟାକୁ-କିନ୍ତୁ ଅନେକ ଭାବିଚିନ୍ତି ଶେଷକୁ ତୋର ଏଇ ଯୁକ୍ତି ମାନିନେଇ ପାରିଲି ନାହିଁ । କନା ଆଉ ରଙ୍ଗରେ, ତୋର ମଲା ଛବିଟାରେ କରିଚି ପ୍ରାଣ ପ୍ରତିଷ୍ଠା–ସେଥିପାଇଁ... ଛବିଟାକୁ ବିକି ପାରିଲି ନାହିଁ ଶେଷ ସମ୍ବଳ ଏହି ଛବିଟାକୁ ସାଙ୍ଗରେ ନେଇ ମୁଁ ଆଜି ଯାଉଚି । କୁଆଡ଼େ ଯାଉଚି ଶୁଣି ତୋର ଲାଭ ନାହିଁ... ମଶିଷ ପରି ବଞ୍ଚିବାର ଅଧିକାର ନେଇ ଫେରିବି-ଏଇ ଆଶାରେ ଯାଉଚି–

 

କାହ୍ନୁ—ବୁଝିଲି, ମହନି ପଳେଇଲା । ତୁ କ’ଣ କହୁଚୁ ?

 

ଶଙ୍କର—ମହନି ଭାଇ ସାଙ୍ଗରେ ନୀଳାର ବାହାଘର ହୋଇ ପାରିବ ନି-

 

କାହ୍ନୁ—ମାନିଲି, ହେଲେ ତୁ କ’ଣ କହୁଚୁ ?

 

ଶଙ୍କର—କୋଉ କଥା ?

 

କାହ୍ନୁ—ଶୁଣିବଟି-କହି ନାହିଁ ଯେ ପୁଣି କହିବି–କାଲି ଛାଡ଼ି ପହରିଦିନ ସେମାନଙ୍କୁ ଜବାବ ଦେବାର କଥା ।

 

ଶଙ୍କର—ମୁଁ ସେ ମଫସଲରେ ବାହା ହୋଇ ପାରିବି ନାହିଁ ।

 

(ଚାଲି ଯାଉଥିଲା)

 

କାହ୍ନୁ—ଶଙ୍କୁ, ଟିକିଏ ଶୁଣ-

 

ଶଙ୍କର—କ’ଣ କହୁଚ ?

 

କାହ୍ନୁ—କୁଆଡ଼େ ପୁଣି ଚାଲିଲୁ ?

 

ଶଙ୍କର—କୁଆଡ଼େ ଚାଲିଲି ? ଏ କଟକ ସହରରେ କୁଆଡ଼େ ଯିମିତି ଯିବାକୁ ଜାଗା ନାହିଁ ?

 

କାହ୍ନୁ—ହଁ ରେ ବାପା ଜାଗା ନାହିଁ କାହିଁକି; ତେର ଜାଗା ଅଛି-ପାକିଟିରେ ତାସମୂଠାଟା ନେଇଚୁ ତ....

 

ଶଙ୍କର—ମୁଁ ତୁମକୁ କହିଚି ବାପା-ସେ ମଫସଲରେ ମୁଁ ବାହା ହୋଇପାରିବି ନି-

 

କାହ୍ନୁ—ଛତରା କୁଳାଙ୍ଗାର କହୁଚି କ’ଣ ନା ମଫସଲ ଜାଗା-ହଇରେ ହେ, ସହରି-ମଦୁଆ, ଜୁଆଡ଼ି ହେଲୁ ବୋଲି ତ ଏଠି କେହି ଝିଅ ଦେବାକୁ ରାଜି ହେଲେ ନି । ତୋରି ପାଇଁ ମଧୁ ମହାରଣା ପାଖରେ ମୁଁ ଥରକୁ ପାଞ୍ଚଥର ବେଇଜ୍ଜତ...ତେବେ ବି ସେ ଟୋକୀ ପଟିଲା ନାହିଁ ।

 

ଶଙ୍କର—ଆଚ୍ଛା ବାପା, ତୁମେ ପରା ଏ ସାଇରେ କୁଆଡ଼େ ଜଣେ ଭାରି ବଡ଼ ମାମଲତ୍‍କାର ?

 

କାହ୍ନୁ—କ’ଣ ଆଜି ନୂଆ ଦେଖିଲୁ କି ?

 

ଶଙ୍କର—ନାଇଁ-ନାଇଁ, ବାପା ତ ଏମିତି ମାମଲତ୍‍କାର ଆଉ ପୁଅ ଯେ ବେଦୀ ଉପରୁ ଶିଶୁପାଳ ବନି ଫେରିଲା ସେଥିକି ତମେ କ’ଣ କରିଚ ଶୁଣେ ?

 

କାହ୍ନୁ—ଆଚ୍ଛା ନୀଳା ଯଦି ତୋତେ ରାଜି ନ ହେଲା-ସେ ଦୋଷଟା କ’ଣ ମୋର ?

 

ଶଙ୍କର—ମୋ ଉପରେ ଦୋଷଟା ଲଦି ଦେବାକୁ ତମେ ଖୁବ୍ ଜାଣ-ନୀଳ ରାଜି ହୋଇଥିଲେ ତମ ମାମଲତ୍‍କାରୀକୁ କିଏ ପଚାରୁଥିଲା ? (ଯିବାକୁ ଲାଗିଲା)

 

କାହ୍ନୁ—ଆରେ ତୁ ଚାଲି ଯାଉଚୁ ଯେ, ମୋତେ କ’ଣ ଜବାବ ଦେଇ ଯା ।

 

ଶଙ୍କର—କି ଜବାବ ?

 

କାହ୍ନୁ—ଶୁଣିବଟି !

 

ଶଙ୍କର—ସତେ ବାପା ! ତମେ ଭାରି ମୁସିବତ୍ ରେ ମୋତେ ପକାଉଚ । ତୁମକୁ ମୁଁ ସଫା ସଫା ଫିଟେଇ କହି ଦଉଚି-ନୀଳା ଛଡ଼ା ଆଉ କାହାରିକୁ ବାହା ହେବିନି-କାରଣ ମୁଁ ନୀଳାକୁ ଭଲ ପାଏ ।

 

କାହ୍ନୁ—ଏଃ ଭଲ ପାଉ ! ଆରେ ତୁ ତାକୁ ଭଲ ପାଇବାକୁ କିଏ ? ଅଭଙ୍ଗା କଣ୍ଢେଇ କାରଖାନା ଚାକିରି କଥା ନଥିଲେ, ମୁଁ ମଧୁ ମହାରଣା ଦୁଆର ମୁହଁ ମାଡ଼ିଥାନ୍ତି ? ଏ ପୁଣି ଗେଲେଇ ହେଇ କହିଲା କ’ଣ ନା–ମୁଁ ତାକୁ ଭଲ ପାଏଁ ! ବେହିୟା–ଅଲାଜୁକ ! କ’ଣ ଆଉ କହିବି ? ଶଙ୍କରା–ଯଦି ଭଲ ଦଶା ଅଛି, ତେବେ ସୁନା ପୁଅଟା ପରି ମୋ କଥା ମାନି ସେ ଦିଆନିପାଟଣାରେ ବାହା ହେଇପଡ଼-

 

ଶଙ୍କର—ହମ୍ ହମ୍ ସାଦି ନେହିଁ କରେଙ୍ଗେ ।

 

କାହ୍ନୁ—ଶଙ୍କୁ !

 

ଶଙ୍କର—ମୁଁ କହୁଚି ବାପା-ହମ୍ ସାଦି ନେହିଁ କରେଙ୍ଗେ-ନେହି କରେଙ୍ଗେ ।

 

କାହ୍ନୁ—ନେହିଁ କରେଙ୍ଗେ-ତୋ କ୍ୟା ସାଧୁ ବନେଙ୍ଗେ !!

 

ଶଙ୍କରା—ହେ ଶଙ୍କରା ।

 

ପଞ୍ଚମ ଦୃଶ୍ୟ

 

[ମଧୁ ମହାରଣାର ଘର । ମୋହନ କଟକ ଛାଡ଼ିଯିବାର ତିନିମାସ ପରର କଥା । ମଧୁ ବସିଚି ଗୋଟାଏ ମୋଡ଼ା ଉପରେ, ତାକୁ ଦେଖିଲେ ମନେହୁଏ ଯେପରି ସେ ଏଇ ତିନି ମାସ ଭିତରେ ଆହୁରି ଦଶ ବର୍ଷ ବଢ଼ି ଯାଇଚି । ଭିତରୁ ଆସିଲା ନୀଳା—ତା’ ଚେହେରାରେ ମଧ୍ୟ ସେହିପରି ଗୋଟାଏ କାରୁଣ୍ୟର ଛାୟା । ନୀଳା ହାତରେ ଖଣ୍ଡିଏ ଚିଠି]

 

ନୀଳା—ବାପା—ବାପା ! (ମଧୁ ଥରୁଟିଏ ନୀଳା ଆଡ଼କୁ ଚାହିଁ ମୁହଁ ଫେରେଇ ଆଣିଲା–ନୀଳା ଧୀରେ ଧୀରେ ଆଗେଇ ଆସିଲା ମଧୁ ପାଖକୁ) ବାପା...

 

ମଧୁ—ବାପା ବୋଲି ନ ଡାକି ଯାହା କହିବାର କଥା କହିଲେ ମୁଁ ଶୁଣିବି ଯେ ! ଝୁଅ ଜନ୍ମ ତ ଦେଇଚି—ଯେତେ ଅବସ୍ଥା ହେଲେ ବି କଣ ତୋ କଥା ଶୁଣିବି ନାହିଁ ? ଶୁଣିବି । କି କଥା ଆଉ କହିବୁ ଯେ ? ମୋହନ କେତେଦିନ ହେଲା କଟକ ଛାଡ଼ିଗଲା, ତା’ରି ହିସାବ ଦେବାକୁ ଆସିଚୁ—ମୁଁ ବି ସେ ହିସାବ ରଖିଚି—ସେ ଯିବାର ଆଜିକୁ ହେଲା ତିନି ମାସ ଏଗାର ଦିନ, ବୁଝିଲୁ–ଏଥର ଯା–

 

ନୀଳା—ଏଇ ଚିଠି ଆସିଚି ବାପା—

 

ମଧୁ—ଚିଠି ? କିଏ ଦେଇଚି—ମୋହନ ? ମୋହନ ଚିଠି ଦେଇଚି ? ଏ କଥା ତୁ ଏତେବେଳେ ଯାଏ କହିନୁ କାହିଁକି ? ମୁଁ ଜାଣେ ପାଠଶାଠ ପଢ଼ି ସେ ଏମିତି ବେଇମାନି କାମ କରିପାରିବ ନାହିଁ । ହଁ—ପଢ଼ିବୁଟି—ପଢ଼, ସେ କଣ ଲେଖିଚି (ପୁଣି ମୋଡ଼ା ଉପରେ ବସିଲା)

 

ନୀଳା—ନାଇଁ ବାପା, ସେ ଏ ଚିଠି ଦେଇ ନାହାନ୍ତି.....

 

ମଧୁ—ସେ ଦେଇ ନାହିଁ, ଆଉ ପୁଣି କିଏ ଦେଇଚି...କିଏ ତୋ ପାଖକୁ ଚିଠି ଦେଇଚି ?

 

ନୀଳା—ଚାକିରି ପାଇଁ ଦରଖାସ୍ତ କରିଥିଲି—ଚାକିରି ହେଇଚି ବୋଲି ଚିଠି ଆସିଚି ।

 

ମଧୁ—ଚାକିରି ! କି ଚାକିରି ? ସେଇ ମାଷ୍ଟ୍ରାଣୀ ଚାକିରି କଥା ତୁ ମତେ କହୁଥିଲୁ ?

 

ନୀଳା—ହଁ....

 

ମଧୁ—ମୁଁ ପରା ମନା କରିଥିଲି ତୋତେ ଚାକିରି ପାଇଁ ଦରଖାସ୍ତ କରିବାକୁ ।

 

ନୀଳା—ପାଇବି ବୋଲି ତ ଆଶା ନ ଥିଲା—କଣ ମନ ହେଲା କେଜାଣି ଦରଖାସ୍ତ ଖଣ୍ଡେ ପକେଇ ଦେଇଥିଲି–

 

ମଧୁ—ଭଲ କରିଥିଲୁ ଭଲ କରିଥିଲୁ ଲୋ—ଚିତ୍ରକର କୁଳରେ ଜନ୍ମ ହୋଇ ମୋ ଇଜ୍ଜତମହତକୁ ମାଟିରେ ମିଶାଇଦେଇ ପରଘରେ ଚାକିରି କରି ପେଟ ପୋଷିବାକୁ ପୁଣି ତୋ ଭାଗ୍ୟରେ ଭାଗ୍ୟରେ ଥିଲା ! ମୁଁ ତୋତେ ପଚାରେ ନୀଳା, ମାଇକିନିଆ ଝିଅ ଜନ୍ମ ହେଇ ଯଦି ଘରଦ୍ୱାର ନ କରି ପାରିଲୁ—ତେବେ ତୋର ଏ ଦୁନିଆରେ ବଞ୍ଚିରହି ଲାଭ କଣ ? ସେଇ ଅନ୍ତୁଡ଼ିଶାଳରେ ତୋ ମା’ ସାଙ୍ଗରେ ନ ମରି ବଞ୍ଚିଲୁ କାହିଁକି ? (କଥାଗୁଡ଼ାକ କହି ପକେଇ ନିଜେ କାନ୍ଦି ପକେଇଲା)

 

ନୀଳା—ତମ କଥାର ଉତ୍ତର ଏ ଦୁନିଆରେ ଆଜି କେହି ଦେଇ ପାରିବେ ନାହିଁ ବାପା ! ମରିବାକୁ ହଜାର ଚେଷ୍ଟା କରିଚି; କିନ୍ତୁ ପାରିନି । ଯେତେଥର ମରିବି ବୋଲି ଭାବିଚି—ସେତେଥର ବଞ୍ଚିବାର ଇଚ୍ଛା ମୋର ଅଧିକରୁ ଅଧିକ ହୋଇଉଠିଚି । ମୁଁ ଆଜି ଚାକିରି କରୁଚି ଦୁନିଆରେ ବଞ୍ଚି ରହିବା ପାଇଁ—ମୋର ଏଇ ବଞ୍ଚି ରହିବାର ଲୋଭ ଯଦି ମତେ ମରଣ ମୁହଁକୁ ଠେଲିଦିଏ, ତା’ ମୁଁ ହସି ହସି ସହିଯିବି—କିନ୍ତୁ ବାପା ! ତମର ପାଦ ଛୁଇଁ ମୁଁ ଆଜି ନିୟମ କରିଯାଉଚି (ଅତି ଅସହାୟ ଭାବରେ ମଧୁର ପାଦ ପାଖରେ ବସି ପଡ଼ିଲା) ତମ ମାନ୍, ଇଜ୍ଜତ୍‍କୁ ମୁଁ କେତେବେଳେ ହେଲେ ତଳେ ପକାଇବି ନାହିଁ । ତମର ନୀଳାକୁ ତ ତମେ ଜାଣ ବାପା ! ସେ ଅଲକ୍ଷ୍ମୀ ହୋଇପାରେ; କିନ୍ତୁ ଅସତୀ ନୁହେଁ; ସେ ଭାଗ୍ୟହୀନା ହୋଇପାରେ, ଚରିତ୍ରହୀନା ନୁହେଁ....

 

ମଧୁ—ମୋହନ କଣ ଆଉ ସତରେ ଫେରିବ ନାହିଁ ନୀଳା ?

 

ନୀଳା—(ଦୃଢ଼ ଗଳାରେ) ତାଙ୍କର ଫେରିବା ନ ଫେରିବାର କାହାର କିଛି ଯାଏ ଆସେନା ବାପା—

 

ମଧୁ—ହଁ ମା, ତୁ ଠିକ୍ କହିଚୁ—ତିନି ମାସ ଏଗାର ଦିନ ହୋଇଗଲା—ଖଣ୍ଡେ ଚିଠି ଦେବାକୁ ଯାହାର ମନ ବଳିଲା ନାହିଁ—ତା ସାଙ୍ଗରେ ଆମର ଆଉ ସମ୍ପର୍କ କଣ ? ତା ନାଁ ମୁଁ ଆଉ ମୁହଁରେ ଧରିବି ନାହିଁ । ସେଇଟା ମଣିଷ ନୁହେଁ—ତାର ହେମତ ନାହିଁ—ଦିଟା ପେଟ ପୋଷି ପାରିବ ନାହିଁ ବୋଲି ଯିଏ ଘରଛାଡ଼ି ପଳେଇଗଲା—ତାକୁ ମୁଁ ମରଦପୁଅ ବୋଲି କହିବି ନାହିଁ । ନ ହେଲା, ଚାକିରି ନ କଲୁ—ଛବିକାମ ନ ପୋଷେଇଲା—ଚିତ୍ରକର ଘରର ପୁଅ—ମାଟି ଚକଟିଥିଲେ ତ ପେଟ ଅପୋଷା ରହି ନଥାନ୍ତା—ଘରୁ ଡରିକରି ପଳେଇଗଲୁ କାହିଁକି ? ବେଶ୍ ଯାଇଚୁ ତ ଯା—ଭାବିଚୁ ନୀଳା ତୋ ପାଇଁ ଜାଗର ଜାଳି ବସିବ ! ସେ କଥା ହେଇ ପାରିବ ନାହିଁ–ସେ ବି ତା ବାଟ ଠିକ୍‍ କରି ନେଲାଣି । ହଁ ତୁ—ଆଜିଠୁ ସେଇଠି ଯାଇ ରହିବୁ ତ ମା ?

 

ନୀଳା—ହଁ....

 

ମଧୁ—ବେଶ୍ ତୁ ଯା—ତୋ ଲୁଗାପଟା ଦି’ ଖଣ୍ଡ ସଜାଡ଼ି ନେ—ମୁଁ ଯାଉଚି ଖଣ୍ଡେ ରିକ୍ସା ଡାକି ଆଣିବି । ତାଙ୍କ କୋଠିଟା ତୁଳସୀପୁରରେ ତ ?

 

ନୀଳା—ହଁ...(ନୀଳା ଚାଲିଗଲା—ତା ପରେ ପରେ ଆସିଲା କାହ୍ନୁ)

 

କାହ୍ନୁ—ମୋ ସଂସାର ଉଚ୍ଛନ୍ନ ହେଇଗଲା ମଧୁଭାଇ, ତମ ହାତ ଧରୁଚି, ତମେ ମତେ ଏଇ ବିପଦରୁ ବଞ୍ଚାଅ—

 

ମଧୁ—କଣ ହେଲା କାହ୍ନୁ ?

 

କାହ୍ନୁ—ଶଙ୍କୁ କହୁଚି କଲିକତା ପଳେଇବ—ନୀଳାକୁ ବାହାହେଇ ପାରିଲା ନାହିଁ ବୋଲି ସେ ଏକରକମ ପାଗଳ ହେଇଗଲାଣି—

 

ମଧୁ—କାହ୍ନୁ ! ମୋହନ ଗଲାଦିନୁ ଏଠି କେତେକେତେ ଘଟଣା ହେଇ ନ ଯାଇଚି—ମୋ ଦୁଆରକୁ ଟେକା, ପଥର ଫୋପଡ଼ା ହେଇଚି—ନୀଳା ନାଁରେ କେତେ ରକମ ବେନାମୀ ଚିଠି ଆସିଚି—ତେବେ ବି ନୀଳା ମନ ଟଳି ନାହିଁ । ଶଙ୍କରକୁ ସେ ବାହା ହବ ନାହିଁ, ଏ କଥା ବି ସେ ନିଜେ ମୁହଁ ଫିଟେଇ ତମକୁ କହି ଦେଇଚି—ଆଜି ପୁଣି କାହିଁକି ଆସିଚ ? ବୁଝିଲ କାହ୍ନୁ, ନୀଳାକୁ ବୋହୂ କରିବା ଆଶା ଛାଡ଼ିଦିଅ—ତା ବାଟ ସେ ଧରି ନେଲାଣି—ସେ ଗୋଟିଏ ଚାକିରି ପାଇ ଯାଇଚି ।

 

କାହ୍ନୁ—ଚାକିରି !!

 

ମଧୁ—ହଁ, ଜଣେ ଖୁବ୍ ପଇସାବାଲା ବିଧବା ସ୍ତ୍ରୀ । ତିନି କୁଳରେ ଆଉ କେହି ନାହାନ୍ତି–ଗୋଟିଏ ବୋଲି ଝିଅ । ତାଙ୍କରି ଘରେ ରହି ସେ ଝିଅକୁ ନୀଳା ପଢ଼େଇବ—

 

କାହ୍ନୁ—ଏଇଟା କଣ ଠିକ୍ ହେଲା ମଧୁ ଭାଇ । ଚିତ୍ରକର ଘରର ଝିଅ ହେଇ ପରଘରେ ଯାଇ ନୀଳା ଚାକିରି କରିବ—ଏଇଟା ତୁମକୁ ସୁନ୍ଦର ଦିଶିଲା ?

 

ମଧୁ—ତୁମକୁ ଯେବେ ଅସୁନ୍ଦର ଦିଶୁଚି ତମ ଆଖି ଦି’ଟା ବନ୍ଦ କରିଦିଅ । ମୋ ଭଲ ମନ୍ଦରେ ଭଲଲୋକି କରିବାକୁ ତୁମକୁ କିଏ ଏଠିକି ଖୋସାମତ କରି ଡାକୁଚି ? ମୁଁ ତୁମକୁ କହୁଚି କାହ୍ନୁ, ଏଣିକି ତୁମେ ମୋ ଦୁଆର ମାଡ଼ିବ ନାହିଁ....ତୁମେ ଗଲ ଏଠୁ ଯାଅ—ଯାଅ କହୁଚି....(କାହ୍ନୁ ଚାଲିଗଲା) ନୀଳା ନୀଳା—(ନୀଳା ଆସିଲା) ତୁ ଚଞ୍ଚଳ ତୋ ଲୁଗାପଟା ଦି’ଖଣ୍ଡ ସଜାଡ଼ି ନେ—ଏ ସାଇ ଛାଡ଼ି ତୁ ଚଞ୍ଚଳ ପଳା—ଏମାନେ ତୋତେ ଆଉ ଏଠି ରଖେଇ ଦେବେ ନାହିଁ ତୁ ଚଞ୍ଚଳ ଏଠୁ ପଳା—ଖୁବ୍ ଚଞ୍ଚଳ—ମୁଁ ଖଣ୍ଡେ ରିକ୍ସା ଡାକିଆଣେ—(ଯାଉ ଯାଉ ମଧୁ ଝୁଣ୍ଟିପଡ଼ି ପଡ଼ିଗଲା)

 

ନୀଳା—ବାପା ! ବାପା !

 

ମଧୁ—(କଷ୍ଟରେ ଉଠି) ହଁ ମା, ତୁ ଏଠୁ ଚଞ୍ଚଳ ପଳା—ଏ ସାଇରେ ତୋତେ କେହି ରଖେଇ ଦେବେ ନାହିଁ—ତୁ ଏଠୁ ଚଞ୍ଚଳ ଯା—ଚଞ୍ଚଳ—ଚଞ୍ଚଳ....

☆☆☆

 

Unknown

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(କଲିକତା ସହର—ରସାରୋଡ଼ ସଂଯୁକ୍ତ ଗୋଟିଏ ଗଳି ରାସ୍ତା ଉପରେ ଅବସ୍ଥିତ ଗୋଟିଏ ଛୋଟ ଏକମହଲା କୋଠା ଘରର ବୈଠକଖାନା—ସାଜସଜ୍ଜାରେ ନିଷ୍ପ୍ରଭ ଆଭିଜାତ୍ୟର ପରିଚୟ ମିଳେ । ଡ୍ରେସିଂ ଟେବୁଲ—ଟିପୟ, ଆଲମାରି ଚୌକି—ସବୁ ମେହଗାନୀ କାଠରେ ତିଆରି—ଖୁବ୍‍ ମଜବୁତ୍; କିନ୍ତୁ ବାର୍ନିସର ତେଜ ଯେପରି ମଉଳି ଯାଇଛି—ତଥାପି ସମୁଦାୟ କକ୍ଷଟି ପ୍ରତି ତୀକ୍ଷ୍ଣ ଦୃଷ୍ଟିପାତ କଲେ ସ୍ପଷ୍ଟ ଜଣାଯାଏ ଯେ କାହାର କର୍ମନିପୁଣ କଳାକୁଶଳ ହାତ ଦୁଇଟି କକ୍ଷଟିର ଶ୍ରୀବର୍ଦ୍ଧନ ଲାଗି ନିତ୍ୟ ନିୟତ ଲାଗି ରହିଚି ।

 

ଏ ଘରେ ବାସ କରନ୍ତି ତିନୋଟି ପ୍ରାଣୀ—ପ୍ରଥମ ମୀର୍ଣ୍ଣା, କୋଡ଼ିଏ ଏକୋଇଶି ବର୍ଷର ତରୁଣୀ । ମୀର୍ଣ୍ଣାକୁ ଦେଖିଲେ ମନେହୁଏ—ଏ କକ୍ଷଟି ସହିତ ତାର ଯେପରି ପରିପୂର୍ଣ୍ଣ ସାମଞ୍ଜସ୍ୟ ରହିଚି । ଆଭିଜାତ୍ୟର ଚାକଚକ୍ୟ ତା’ ଠାରୁ ଉଡ଼ିଯାଇଚି କିନ୍ତୁ ରହିଯାଇଚି ଗୋଟିଏ ଲାବଣ୍ୟଭରା ତନୁର ଛାପ । ତାର ଚରିତ୍ରର ବିଶେଷତ୍ୱ ହେଉଚି ଏଇ ଯେ, ସେ ଅସୀମ ଦୁଃଖର ବୋଝ ବହନ କରି ମଧ୍ୟ ସୀମାହୀନ ଧୈର୍ଯ୍ୟର ସହିତ ତା’ର ସଂସାରଟି ଚଳେଇ ନେଇ ପାରୁଚି । ଦ୍ୱିତୀୟ ଶ୍ରୀଯୁକ୍ତ ଭବାନି ଶଙ୍କର ମହାପାତ୍ର—ସାଧାରଣତଃ ମିଃ ମହାପାତ୍ର ନାମରେ ପରିଚିତ—ମୀର୍ଣ୍ଣାର ବାପା—ସେ ବିକୃତ ମସ୍ତିଷ୍କ ବୃଦ୍ଧ—ବୃଦ୍ଧ ଏହି ଦୃଷ୍ଟିରୁ ଯେ ଉପସ୍ଥିତ ତାଙ୍କର ବୟସ ପଚାଶର ପାଖାପାଖି ହେଲେ ସୁଦ୍ଧା ତାଙ୍କର ଭାରାକ୍ଳାନ୍ତ ଜୀବନ ତାଙ୍କୁ ବୃଦ୍ଧାବସ୍ଥାକୁ ଟାଣି ନେଉଚି । ତୃତୀୟ—ଗୃହର ପୁରାତନ ଭୃତ୍ୟ ବିଶି—ଯେପରି ହବାର କଥା !

 

ଦୃଶ୍ୟ ଆରମ୍ଭରେ ଦେଖାଗଲା ମୀର୍ଣ୍ଣା ଗୃହସ୍ଥଳୀର କାର୍ଯ୍ୟ କରିଚାଲିଛି—ଏତିକିବେଳେ ଭୀତତ୍ରସ୍ତ ଅବସ୍ଥାରେ ମୋହନ କବାଟ ପେଲି ପ୍ରବେଶ କଲା—କିନ୍ତୁ ମୀଣ୍ଣାକୁ ଦେଖିଲାମାତ୍ରେ ସେ ସଙ୍କୁଚିତ ହେଇପଡ଼ିଲା ?

 

ମୀର୍ଣ୍ଣା—କିଏ, କିଏ ଆପଣ ?

 

ମୋହନ—ମୁଁ.. (ମୁଣ୍ଡର ପଛପଟେ ଗୋଟିଏ ସ୍ଥାନ ଚିପି ଧରିଥାଏ, ତା ମୁହଁରେ ଯନ୍ତ୍ରଣାର ସ୍ପଷ୍ଟ ଆଭାସ)

 

ମୀର୍ଣ୍ଣା—କୁହନ୍ତୁ, କିଏ ଆପଣ—ବିଶି—ବିଶି ?

 

(ଜଣେ ଅପରିଚିତ ପୁରୁଷକୁ ଏ ଅବସ୍ଥାରେ ଦେଖି ମୀର୍ଣ୍ଣା ମନରେ ସାମାନ୍ୟ ଭୟର ସଞ୍ଚାର ହେଇଚି)

 

ମୋହନ—କ୍ଷମା କରନ୍ତୁ—ଟିକିଏ ଆଶ୍ରୟ ଭରସାରେ ଏଠିକି ପଶି ଆସିଥିଲି—ବର୍ତ୍ତମାନ ଫେରିଯାଉଚି ।

 

(ଯିବାକୁ ଉଦ୍ୟତ ହେଲା)

 

ମୀର୍ଣ୍ଣା—ଶୁଣନ୍ତୁ ! ଆପଣଙ୍କ ମୁଣ୍ଡରୁ ବୋଧହୁଏ ରକ୍ତ ବାହାରୁଚି—କଣ ହେଲା—ଏକ୍ସିଡେଣ୍ଟ ?

 

ମୋହନ—ନା ।

 

ମୀର୍ଣ୍ଣା—ତେବେ ?

 

ମୋହନ—ବାହାରେ ସଦର ରାସ୍ତା ଉପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଚି—ନିଜକୁ ବଞ୍ଚାଇବା ପାଇଁ ଆପଣଙ୍କ ଫାଟକ ଭିତରକୁ ପଶି ଆସିଲି—ତଥାପି ମୋ ପାଖରୁ କିଛି ଦୂରରେ ଗୋଟାଏ ହାତବୋମା ଫୁଟିଲା—ତା’ରି ଫଳ ଭୋଗୁଚି ଆଉ ସେଇ ଭୟରେ ଏଠିକି ପଶି ଆସିଥିଲି ଫେରିଯାଉଚି....

 

ମୀର୍ଣ୍ଣା—କିନ୍ତୁ ଏ ଆଘାତ ନେଇ ଆପଣ ଯିବେ କିମିତି ?

 

ମୋହନ—ନା, ସେ କିଛି ନୁହେଁ—ବେଶି ଆଘାତ ଲାଗିନି ।

 

ମୀର୍ଣ୍ଣା—ତଥାପି ରକ୍ତ ବାହାରୁଚି ତ ! ଦେଖି ହାତଟା ଉଠାନ୍ତୁ ତ—ଆଃ ଉଠାନ୍ତୁ ନା ! (ମୋହନ ହାତ ଉଠାଇନେଲା ମୀର୍ଣ୍ଣା ନିଜ ହାତରେ କ୍ଷତସ୍ଥାନକୁ ଟିକେ ପରୀକ୍ଷା କଲା)

 

ମୀର୍ଣ୍ଣା—ଇସ୍, ଚମଡ଼ାଟା କଟିଯାଇଛି—ଆଚ୍ଛା ଆପଣ ବସନ୍ତୁ ଏଠି (ମୋହନ ଗୋଟାଏ ଇଜିଚେୟାର ପାଖକୁ ଆଗେଇ ଗଲା କିନ୍ତୁ ବସିବାକୁ ସଙ୍କୋଚ କରୁଥାଏ) ହଁ, ବସନ୍ତୁ (ମୋହନ ବସିଲା । ଇତିମଧ୍ୟରେ ବିଶି ଆସି ଯାଇଥାଏ) ବିଶି, ତୁ ଯା (ଟିକିଏ ଭାବି) ହଁ ଟିକେ ପୋଡ଼ାକନା ଆଣ ଯା—(ବିଶି ଚାଲିଗଲା) ଦେଖନ୍ତୁ, ଫାଷ୍ଟଏଡ଼ ବକ୍ସ ମୋ ପାଖରେ ନାହିଁ, ପୋଡ଼ାକନାରେ ହିଁ କାମ ଚଳାଇବାକୁ ହେବ—କଲିକତା ସହରକୁ ଏଇଟା ବୋଧହୁଏ ଖାପ ଖାଉ ନାହିଁ—କିନ୍ତୁ ଏ କଣ ଆପଣ ଏମିତି ଦଣ୍ଡପାଇଲା ଭଳି ବସିଛନ୍ତି କାହିଁକି ? ଟିକେ ଆରାମରେ ବସନ୍ତୁ ।

 

(କଥା କହୁଁ କହୁଁ ମୀର୍ଣ୍ଣା ମୋହନର କ୍ଷତସ୍ଥଳକୁ ପୋଛୁଥାଏ ଗୋଟାଏ ରୁମାଲ ସାହାଯ୍ୟରେ)

 

ଆପଣ ଶୁଣିଥିବେ—କଲିକତାରେ ଗଲା କେତେ ଦିନ ଧରି ଗୋଟାଏ ବିପ୍ଳବୀ ଦଳ ଆଉ ପୋଲିସ ମଧ୍ୟରେ ସଂଘର୍ଷ ଲାଗି ରହିଚି—କିନ୍ତୁ ଏପର୍ଯ୍ୟନ୍ତ ଆମ ଅଞ୍ଚଳରେ କିଛି ନ ଥିଲା । (ମୋହନର ମୁହଁକୁ କିଛି ସମୟ ଚାହିଁ) କିଛି ମନେ କରିବେ ନାହିଁ । ଆପଣ—ଆପଣ କଣ କୌଣସି ରାଜନୈତିକ ଦଳର ଲୋକ ?

 

ମୋହନ—ନା, ମୋଟେ ନୁହେଁ.... ।

 

ମୀର୍ଣ୍ଣା—ଆପଣଙ୍କୁ ଦେଖିଲେ ତା’ ଜଣାଯାଏ—(ବିଶି ପୋଡ଼ା କନା ଦେଇଗଲା—ମୀର୍ଣ୍ଣା କ୍ଷତସ୍ଥାନରେ ପୋଡ଼ା କନା ଦେବାରେ ଲାଗିଲା)

 

ମୋହନ—କିନ୍ତୁ ଆପଣ କଣ ରାଜନୈତିକ ଦଳର ଲୋକଙ୍କୁ ଭୟ କରନ୍ତି ?

 

ମୀର୍ଣ୍ଣା—ନା, ଭୟ ମୋର ନୁହେଁ—ଭୟ ଆପଣଙ୍କର ! ଆପଣ ଯଦି ଗୋଟାଏ ଦଳରେ ଯୋଗ ଦେଲେଣି—କାଲି ଆଉ ଗୋଟାଏ ଦଳ ଆପଣଙ୍କର ଶତ୍ରୁ ହେଇଉଠିବ—(ଠିକ୍ ଏତିକିବେଳେ ଭିତରୁ ଖଣ୍ଡେ ବହି ପଢ଼ି ପଢ଼ି ଆସିଲେ ମାହାପାତ୍ର)

 

ମହାପାତ୍ର—“ଶତ୍ରୁ କି ଆସିଚି ତା’ର ଜୟମାଲ୍ୟ ଦେବାକୁ ମୋ ଗଳେ, ଉପହାସ ଛଳେ-?” (ମୋହନକୁ ଦେଖି) କିନ୍ତୁ ଏ କଣ ମୀର୍ଣ୍ଣା—ଶତ୍ରୁ ଯେ ଆହତ, ଚିକିତ୍ସା—ଚିକିତ୍ସା—(ତାଙ୍କର ଏ ପାଗଳାମିରେ ମୋହନ ଯେପରି ବିସ୍ମିତ ହେଲା—ମୀର୍ଣ୍ଣା ଚୁପ୍ ରହିବାପାଇଁ ଇଙ୍ଗିତ କଲା)

 

ମୀର୍ଣ୍ଣା—ଚିକିତ୍ସା ତ ମୁଁ କରୁଚି ବାପା ।

 

ମହାପାତ୍ର—ତୁ କି ଚିକିତ୍ସା କରିବୁ ମୀର୍ଣ୍ଣା ? ମୋ ଛାତି ଭିତର ଘା’ ଟାକୁ ତ ଆଜିଯାକେ ଶୁଖେଇ ପାରିଲୁ ନାହିଁ । ତୁ ପାରିବୁ ନାହିଁ । ଡାକ୍ତର ଦରକାର, ଡାକ୍ତର—ଫୋନ୍, ଫୋନ୍ କାହିଁ (ଏଣେତେଣେ ଖୋଜିବାକୁ ଲାଗିଲେ) କି ଆଶ୍ଚର୍ଯ୍ୟ ମୀର୍ଣ୍ଣା ! ମୋ ଘରେ ଫୋନ୍ ନାହିଁ ? ମୀର୍ଣ୍ଣା, ଏଇଟା କଣ ମୋ ଖିଦିରପୁରର ତିନି ମହଲା କୋଠା.... ?

 

ମୀର୍ଣ୍ଣା—ନାଇଁ ବାବା, ଏଟା ପରା ଆମ ରାସାରୋଡ଼ର ଛୋଟ ଏକ ମହଲା କୋଠା....-

 

ମହାପାତ୍ର—ରସାରୋଡ.... !!!

 

ମୀର୍ଣ୍ଣା—ହଁ, ଆମ ଖିଦିରପୁର କୋଠାରେ ସମ୍ୱଲପୁରି ମଠା କାରଖାନା ଖୋଲା ହେଇଚି ।

 

ମହାପାତ୍ର—କିନ୍ତୁ ମା ! ଡାକ୍ତର ଡାକିବା ଯେ ନିହାତି ଦରକାର, କିଏ ଅଛି—ଏ ବିଶି ? ତୁ ଯା ଡାକ୍ତର ଡାକିଆଣ—ଡାକ୍ତର, ଗାଡ଼ି ନେଇଯା—କୋଉ ଗାଡ଼ିଟା ନବୁ ? “ପ୍ଳାଇ ମାଉଥ୍,” “ହିଲ୍‍ମାନ” ନା ନା—‘କ୍ରାଇସେଲାର’ ସେଇ ବଡ଼ ‘କ୍ରାଇସେଲାର’ ଗାଡ଼ିଟା ନେଇଯା । ଆଉ ତାଙ୍କ ଫିସ ମଧ୍ୟ ନେଇଯା—ଚଉଷଠି ଟଙ୍କା—ମୋ ଚେକ୍ ବହି—ମୋ ଚେକ୍ ବହି କାହିଁ ? ମୀର୍ଣ୍ଣା ମୋ ଚେକ୍ ବହି ?

 

ମୀର୍ଣ୍ଣା—ଚେକ୍ ବହିଟା ମୋ ହାତ ବାକ୍ସରେ ଅଛି ବାପା । ତମେ ଯାଅ, ମୁଁ ପଠେଇ ଦଉଚି....

 

ମହାପାତ୍ର—ହଁ ମା, ମୁଁ ଯାଉଚି—ତୁ ପଠେଇ ଦେ—ଚେକ୍ ବହି, କ୍ରାଇସେଲାର ଗାଡ଼ି–ହାଃ, ହାଃ, ହାଃ । (ପ୍ରସ୍ଥାନ)

 

ମୋହନ—ଗାଡ଼ି—ଫୋନ୍ ଲକ୍ଷ ଲକ୍ଷ ଟଙ୍କା ।

 

ମୀର୍ଣ୍ଣା—(ମ୍ଳାନ ହସି) କିଛି ନାହିଁ ।

 

ମୋହନ—କିନ୍ତୁ ଏଇ ଯେ କହିଲେ, ଚେକ ବହିଟା ହାତ ବାକ୍ସରେ ଅଛି—ଆଉ ଖିଦିରପୁର କୋଠାରେ ଖୋଲା ହେଉଚି ମଠା କାରଖାନା ।

 

ମୀର୍ଣ୍ଣା—ସବୁ ମିଛ । ସେ ଭାବନ୍ତି ତାଙ୍କର ସବୁ ଅଛି, ନାହିଁ କରି ଦେଲେ ତାଙ୍କୁ ସମ୍ଭାଳିବା କଷ୍ଟ । ଏମିତି ଅନେକ ମିଛକଥା କହି ତାଙ୍କୁ ବୋଧ ଦେବାକୁ ହୁଏ....

 

ମୋହନ—(ରହି ରହି) ପାଗଳ ହେଇଯାଇଛନ୍ତି ?

 

ମୀର୍ଣ୍ଣା—ପାଗଳ ! ହଁ, ପାଗଳ ନୁହେଁ ତ ଆଉ କ’ଣ, ତେବେ ସବୁ କଥା ମନେଥାଏ—ପୁଣି କିଛି ମନେ ନ ଥାଏ ।

 

ମୋହନ—କାହିଁକି ଏ ଦୂରବସ୍ଥା ହେଲା ?

 

ମୀର୍ଣ୍ଣା—ସେ ଅନେକ କଥା, ଆପଣ ଟିକେ ଆରାମରେ ଶୁଅନ୍ତୁ... ବିଶି, ବିଶି—ଟିକିଏ ଗରମ ଦୁଧ ଆଣିଲୁ ?

 

ମହାପାତ୍ର—(ପ୍ରବେଶି) ଏ ଘରେ ତୁ ଆଜି କାହାକୁ ସ୍ଥାନ ଦେଇଛୁ ମୀର୍ଣ୍ଣା ?

 

ମୀର୍ଣ୍ଣା—ତାଙ୍କୁ ତ ନ ଦେଖି ଚାଲିଗଲ—ଆସ ଦେଖନା ଜଣେ ଭଦ୍ରଲୋକ ।

 

ମହାପାତ୍ର—ଓ, ଭଦ୍ରଲୋକ ! ସେ ତେବେ ଚୋର ନୁହଁନ୍ତି—ଡକାୟତ ନୁହଁନ୍ତି । ଅସଭ୍ୟ, ବର୍ବର, ଆତତାୟୀ ନୁହନ୍ତି । ସେ ଜଣେ ସଭ୍ୟ ଶିକ୍ଷିତ, ସଂଭ୍ରମଶୀଳ ଭଦ୍ରଲୋକ । କିନ୍ତୁ ସେ ଯେ ଜଣେ ମଣିଷ ମୀର୍ଣ୍ଣା, ଆଉ ତୁ କଣ ଜାଣୁନା ଏଇ ମଣିଷ ମୋର କେତେ ବଡ଼ ଶତ୍ରୁ । ଜଙ୍ଗଲର ବାଘ ଅପେକ୍ଷା ମୁଁ ମଣିଷକୁ ଆହୁରି ବେଶୀ ଭୟ କରେ, ବାଘର ଅଛି ଗୋଟିଏ ପ୍ରକାର କ୍ଷୁଧା, ତା ପେଟ ପୂରିଗଲେ ସେ ଆଉ ଫେରି ଚାହେଁନା; କିନ୍ତୁ ଏଇ ମଣିଷ, ଅସୀମ କ୍ଷୁଧା ନେଇ ସେ ଜନ୍ମିଚି ! ପ୍ରେମ, ଧର୍ମ, ଆଦର୍ଶ ଶିକ୍ଷା, ସଭ୍ୟତା, ଧନ ଦୌଲତ ଏ ସବୁକୁ ବଞ୍ଚାଇ ରଖିବା ପାଇଁ ମାତ୍ର ଗୋଟିଏ ମଣିଷ ଏ ସମୁଦାୟ ପୃଥିବୀର ଯାହା କ୍ଷତି କରିପାରେ—ତା ଲକ୍ଷ ଲକ୍ଷ ମାଂସଲୋଲୁପୀ ବ୍ୟାଘ୍ର କରି ପାରେନା । ଏମିତି ଗୋଟିଏ ସର୍ବଗ୍ରାସୀ କ୍ଷୁଧା ନେଇ ସେ ଆସିଥିଲା–ସବୁ ଶେଷ କରି ଦେଇ ଚାଲିଯାଇଚି—ଆଉ କିଛି ନାହିଁ ମୀର୍ଣ୍ଣା, ଆଉ କିଛି ନାହିଁ । ତୁ ତାକୁ ଚଞ୍ଚଳ ବିଦାୟ କର—ଚଞ୍ଚଳ ବିଦାୟ କର ।

 

(ପ୍ରସ୍ଥାନ)

 

ମୋହନ—ମୁଁ ଆସୁଛି ମୀର୍ଣ୍ଣା ଦେବୀ ମୋର ଉପସ୍ଥିତି ହୁଏତ ତାଙ୍କ ଭଙ୍ଗା ମନରେ ଆହୁରି ବେଶୀ ଆଘାତ ଦେଇପାରେ—

 

(ଉଠି ଠିଆହେଲା)

 

ମୀର୍ଣ୍ଣା—ଆଉ ଏମିତି ହୁଏତ ହେଇପାରେ ଯେ, ପରମୁହୂର୍ତ୍ତରେ ସେ ଆପଣଙ୍କୁ ନିଜର କରିନେବେ ।

 

ମୋହନ—ବୁଝିଲି । ତେବେ ମୋର—ହଁ, ମୋର ଆଉ ଏଠି ରହିବା ଦରକାର କ’ଣ-? ଅଯାଚିତଭାବରେ ଆପଣ ମୋ ପ୍ରତି ଯେଉଁ ଦୟା ଦେଖାଇଛନ୍ତି....

 

ମୀର୍ଣ୍ଣା—ଆହା ! ଏତେଟା ଲୌକିକତାର ପ୍ରୟୋଜନ ନାହିଁ.... (ମୋହନର ନାଁ ଜାଣି ନ ଥିବାରୁ ଅଟକିଗଲା)

 

ମୋହନ—ମୋହନ । ମୋ ନାଁ ମୋହନ—ମୋହନ ମହାପାତ୍ର; ଘର ଅର୍ଥାତ୍ ଜନ୍ମସ୍ଥାନ କଟକ । ଜାତି....

 

ମୀର୍ଣ୍ଣା—ହେଇଚି, ହେଇଚି, ଆଉ ପରିଚୟ ଦରକାର ନାହିଁ... ଯୋଗାଯୋଗ ଦେଖିଲ ତ ?

 

ମୋହନ—ମାନେ ?

 

ମୀର୍ଣ୍ଣା—ଓଡ଼ିଆ ଆପଣ—ଆହତ ଶରୀର ଘେନି ହଠାତ ଆସି ପହଞ୍ଚିଲେ ଜଣେ ଓଡ଼ିଆର ଘରେ । (ବିଶି ଦୁଧ ଆଣିଦେଲା, ମୀର୍ଣ୍ଣା ନେଉ ନେଉ) ବିଶି ଟିକିଏ ଗରମ ଦୁଧ ଆଣୁ ଆଣୁ, ଆପଣ ଫାଙ୍କି ଫୁଙ୍କି ଦେଇ ଖସିଯାଇ ଗାଇ ବୁଲିବେ କଲିକତାରେ ଓଡ଼ିଆମାନେ ଆଉ ଓଡ଼ିଆ ହୋଇନାହାନ୍ତି । ରସାରୋଡ଼ ଓଡ଼ିଆଙ୍କ କଥା ଛାଡ଼ି । ସେମାନେ ତ ଏକାବେଳକେ ରାସୀୟାନ୍ ହେଇଗଲେଣି—

 

ମୋହନ—ଦେଖନ୍ତୁ ! ଆପଣଙ୍କ ଅଭିଯୋଗକୁ ହଜମ କରିବାର ଶକ୍ତି ମୋର ନାହିଁ । ବରଂ ଦୁଧ ଗ୍ଲାସଟା ଦିଅନ୍ତୁ, ଚଞ୍ଚଳ ପିଇ ନିଏ—

 

ଦ୍ୱିତୀୟ ଦୃଶ୍ୟ

 

(କଲିକତା ସହରର ଗୋଟିଏ ଅପ୍ରଶସ୍ତ ଗଳି । ସେଇ ଗଳିକୁ ଆସିଲେ ଚରଣ ଆଉ ମୁକ୍ତା—ଦୁହେଁଯାକ ଗୀତ ଗାଉଛନ୍ତି । ମୁକ୍ତା ସମୟ ସମୟରେ ନାଚୁଚି—ରାସ୍ତାରେ, ବସ୍ତିରେ ଗୀତ ଗାଇ ନାଚି ପଇସା ରୋଜଗାର କରିବା ହେଲା ଏମାନଙ୍କର ଜୀବିକା ଉପାର୍ଜ୍ଜନର ଉପାୟ । ମୁକ୍ତା ସୁନ୍ଦରୀ, ତରୁଣୀ । ଚରଣ ଯୁବକ—ଟିକିଏ ଶୀର୍ଣ୍ଣ କିନ୍ତୁ ସଦା—ପ୍ରଫୁଲ)

 

ଗୀତ

 

ଝମ୍ ଝମ୍ ଝମର ଝମର

ଛମ ଛମ ଛମ ଛମର ଛମର

ଗୁମ ଗୁମ ଗୁମ ଗୁମରହଁ

ତ୍ରେକେଟେ ତ୍ରେକେଟେ ଧା ଗି ବା ଧା—(୩ ଥର)

ହାଉଲେ—ଆଗେଇ ଯା ସଜନୀ ସରାଗେ ତୁହି

ଦୂରେଇ ଦେ ଦରଦର ଛାଇରେ

ତୋ ମନ ମାନିଲା ଗୀତ ଗାଇ ରେ । ୦ ।

 

ହଁ—ଖିଲି ଖିଲି ଖିଆଲ ଖିଆଲି ରେ

ଲୋ ଗୋରୀ-ହାଲିଆ ଘାଲିଆ ଯା ଭୁଲିରେ

ହଁ ଗୋରୀ—ଜାଳିଦେ ଅନ୍ଧାରେ ଦିଆଲି ରେ

ହାଁ—ହାଁ—ହାଁ—ହାଁ—ତୁଟାଇ ଛାନିଆ ତୋ

ଏକେଲା ଦୁନିଆ ଯା ବାହି ରେ । ୧ ।

 

ଗୋଳିଆ ମନର ଯେତେ ଅଳିଆ ଅରମା

ଜାଳି ଦେ, ଯାଉ ଧୂଆଁ ହୋଇ ରେ

ଅମନା ମନରେ ମଉନେ ମନାଇ ରେ

ମରମ ମାରି ଦେ ତୋ କରମ ସୁମରି

ଆଦରେ ଆଦରି ନେ ଚାହିଁ ରେ । ୨ ।

 

କିଏ କହିବ ଆହା—କିଏ ଭରିବ ତାତି

ସେ ସରବେ ତୋର ଦିନକ ସାଥୀ

ଏ ଚାଲିବେ ଚତୁରେ ଚମକ ଦେଇ ଚେତି

ନୟନ ମରମ ଭୁଲାଇ ରେ,

ଭରମେ ଭୁଲିବୁ ତୁ ନାହିଁ ରେ । ୩ ।

 

(ଶଙ୍କର ସେଠାକୁ ଆସିଲା)

 

ମୁକ୍ତା—ଶଙ୍କର ଭାଇ, ତୁମେ ଏଠି ?

 

ଶଙ୍କର—ଏଠି ଆଉ କଣ ? ଏଇଟା ତ କଲିକତା ବାହାର ଜାଗା ନୁହେଁ ?

 

ଚରଣ—ନାଇଁ । କୋରାନୀ ବାଗାନ୍‍ର ଲୋକ ସାର୍ପେଟାଇନଲେନରେ କାହିଁକି ?

 

ମୁକ୍ତା—ସକାଳୁ ଉଠି ରାତି ବାରଟା ଯାଏ ନ ବୁଲିଲେ ଶଙ୍କର ଭାଇର ଭାତ ହଜମ ହୁଏ ନାହିଁ ନା ଶଙ୍କରଭାଇ !

 

ଶଙ୍କର—ଆରେ ନ ବୁଲିଲେ ଭାତ ମିଳିବ କଉଠୁ ଯେ ହଜମ ହବ—ବୁଲିବାଟା ତ ହେଲା ମୋର ପେଶା । ସତ କହୁଚି ମୁକ୍ତା ସାତବରଷ ଏଇ କଲିକତା ସହରରେ କଟେଇଚି—ହେଲେ ଏଥର ମୋତେ କଲିକତା ସହର ଯେମିତି ଏକଦମ୍ ନୂଆ ଲାଗୁଚି—

 

ମୁକ୍ତା—ତମେ ନିଜେ ନୂଆ ହୋଇଯାଇ ନା ତ ?

 

ଶଙ୍କର—ଠିକ୍ କହିଚୁ ମୁକ୍ତା—ଏଇ ଦି’ ମାସ ହେଲା ଏଠିକି ଆସି ମୁଁ ନିଜେ ଯେମିତି ବଦଳିଯାଇଚି—କଟକୀ ଶଙ୍କରା ଆଉ କଲିକତା ଶଙ୍କରା ଏ ଦୁହେଁ ଫରକ୍—ଆଉ କଟକ ଫେରିବି ନାହିଁ—

 

ମୁକ୍ତା—ହଉ, କଟକ ତ ଫେରିବ ନାହିଁ—ଏହିକ୍ଷଣି ବସାକୁ ଫେରିବ ତ ?

 

ଶଙ୍କର—ହଁ, ଫେରୁଚି—କାହିଁକି ?

 

ମୁକ୍ତା—ମୋ ଘର ସୁରେଇରେ ମୁଁ ପାଣି ରଖି ନାହିଁ....ଭୁଲି ଯାଇଚି, ତୁମେ ଚାବିଟା ନେଇଯାଅ—

 

ଶଙ୍କର—ହଉ ଦେ ! ଆରବେଳାକୁ ମୋତେ ପୁଣି ଯିବାକୁ ହବ ମାଟିଆ ବୁରୁଜ ଅଞ୍ଚଳ–

 

ମୁକ୍ତା—କାହିଁକି ?

 

ଶଙ୍କର—କାହିଁକି ଆଉ କ’ଣ ତୁ କଣ ଜାଣୁ ନା—ଏଥର କଲିକତା ଆସିବା ଦିନଠୁଁ ମୁଁ ଏଠାକାର ଓଡ଼ିଆମାନଙ୍କ ପାଇଁ ମନ, ପ୍ରାଣ, ଜୀବନ ଢାଳି ଦେଇଚି; କିନ୍ତୁ ଖାଲି ମନ, ପ୍ରାଣ, ଜୀବନରେ ତ ଏ କାମ ଚଳିବ ନାହିଁ—ଏଥିପାଇଁ ଚାନ୍ଦା ଦରକାର—ଚାନ୍ଦା ।

 

ମୁକ୍ତା—ସେଇ ଚାନ୍ଦା ଅସୁଲ କରିବା ପାଇଁ କଣ ଏ ଆଡ଼େ ଆସିଥିଲ ?

 

ଶଙ୍କର—ଆରେ ନା’ ମ; ଚାନ୍ଦା ସଙ୍ଗେ ସଙ୍ଗେ ସି. ଆଇ. ଡ଼ି ବ୍ୟବସାୟ ବି ଚଳେଇଚି । ଡରିଯାଅ ନା । ସରକାରୀ ସି. ଆଇ. ଡ଼ି. ନୁହେଁ, ମୋ ନିଜ କାମର ସି. ଆଇ. ଡ଼ି. । ଏ କଲିକତା ସହର ଗଳି କନ୍ଦି ମୋ ନଖ ଦର୍ପଣରେ ହେଲେ ଗୋଟିଏ ଲୋକର ଖୋଜ୍ ମୁଁ ପାଇଲି ନାହିଁ ।(ଏତିକିବେଳେ ଦୁଇଜଣ ସ୍ତ୍ରୀଲୋକ ଶଙ୍କରର ଅଲକ୍ଷ୍ୟରେ ସେଇ ରାସ୍ତାରେ ଚାଲି ଯାଉଥିଲେ—ଶଙ୍କର ତାଙ୍କୁ ଦେଖିପାରି ହଠାତ୍ ଚମକି ଉଠିଲା ।)

 

ଶଙ୍କର—ନୀଳା !!! (ଶଙ୍କର କିନ୍ତୁ ନିରୁତ୍ତର—ଟିକିଏ ପରେ ସ୍ତ୍ରୀଲୋକ ଦୁଇଟି ହସାହସି ହୋଇ ଚାଲିଗଲେ । ମନକୁ ମନ ଶଙ୍କର ପାଟିରୁ ବାହାରି ପଡ଼ିଲା) ନା....

 

ଚରଣ—କାହାର ଖୋଜ୍ ନଉଚ ଶଙ୍କରଭାଇ ?

 

ଶଙ୍କର—ତୁ ପିଲା ଲୋକ ଚରଣ । ସେଥିରୁ କଣ ପାଇବୁ । ଆଚ୍ଛା ମୁଁ ଯାଉଚି ତମର ତ ଫେରିବାକୁ ଡେରି ହେବ—

 

(ଚାଲିଗଲା)

 

ଚରଣ—ଶଙ୍କରଭାଇ ଲୋକଟା ଗୋଟାଏ କିସମର—ଆମ ପାଇଁ ସେ ଖୁବ୍ କରିଚି...

 

ମୁକ୍ତା—ଏକ ନମ୍ବର ସୈତାନ—ତମେ ତାକୁ ଚିହ୍ନିନା; କିନ୍ତୁ ମତେ ସେ ଭାରି ଖାତିର କରେ ।

 

ଚରଣ—(ହସି) ପଡ଼ାଟାଯାକ ଲୋକ ତୋତେ କିଏ ଖାତିର ନ କରେ ଯେ....

 

ମୁକ୍ତା—ଫେର୍... (ଚରଣ ହସି ହସି ପୂର୍ବର ସେଇ ଗୀତ ଗାଇଲା, ମୁକ୍ତା ତା ସହିତ ଯୋଗ ଦେଲା । ଠିକ୍ ଏତିକିବେଳେ ସେଇବାଟ ଦେଇ ଆସିଲା ମୋହନ । ଏମାନଙ୍କ ଗୀତ ଶୁଣି ଅଟକିଗଲା)

 

ମୋହନ—ଏଇଟା କଣ ତମର ବ୍ୟବସାୟ ?

 

ଚରଣ—ଆପଣ ବିଶ୍ୱାସ କରୁ ନାହାନ୍ତି କାହିଁକି ?

 

ମୋହନ—ତମେ ମୋତେ ଭୁଲ ବୁଝିଲ ବୋଧହୁଏ ? ମୁଁ ଜାଣିବାକୁ ଚାହିଁଥିଲି ଯେ, ଏଇଥିରୁ କଣ ତମର ସବୁ ଚଳି ଯାଉଚି ?

 

ଚରଣ—ଦି’ଟା ପେଟ ପୋଷିବା ପାଇଁ ଯାହା ଦରକାର, ତାଠୁ ବେଶି ମିଳୁଚି ପଛେ କମ୍ ନୁହେଁ....

 

ମୋହନ—ତୁମେମାନେ ରୁହ କେଉଁଠି ?

 

ଚରଣ—କେରାନୀ ବାଗ୍‍ନା....

 

ମୋହନ—ତମର ଆଉ ଅଛି କିଏ ?

 

ମୁକ୍ତା—ଦିନେ ସମସ୍ତେ ଥିଲେ—ଧନ, ସମ୍ପତ୍ତି ଯାହା ଥିଲା ବସି ଖାଉଥିଲେ ବି ସରି ନ ଥାନ୍ତା....

 

ମୋହନ—କଣ ହେଲା ଯେ— ?

 

ଚରଣ—କଲିକତାରେ ଏଇ ଯେଉଁ ଗଣ୍ଡଗୋଳ ହେଇଥିଲା, ସେଇଥିରେ ସବୁ ଶେଷ ହୋଇଗଲା.....

 

ମୋହନ—ତାପରେ ?

 

ଚରଣ—ତାପରେ ମୁକ୍ତା ଆସି ଠିଆ ହେଲା ମୋ ପରି ଜଣେ ଗୋଷ୍ଠୀଛଡ଼ା ବାରବୁଲା ଲୋକ ପାଖରେ । ଆଗପଛ କିଛି ନ ବିଚାରି ମୁଁ ମୁକ୍ତାକୁ ଭରସା ଦେଇ କହିଲି—କିଛି ଚିନ୍ତା ନାହିଁ ମୁକ୍ତା ! ଆଜିଠୁଁ ତୋ ଧନ୍ଦା ମୋତେ ଲାଗିଲା । ମୁକ୍ତା ନାଚି ଗାଇ ଜାଣେ—ଭଗବାନ ମତେ ବି ଟିକିଏ ସେ ବିଦ୍ୟା ଦେଇଛନ୍ତି । ବେଶ୍, ସେଇଦିନୁ ଏମିତି ଚଳି ଯାଉଚୁ । ବେଳେବେଳେ ମନଟା କିନ୍ତୁ ଭାଙ୍ଗି ପଡ଼େ—ହେଲେ ବାବୁ ମୁକ୍ତା ମୋତେ କଣ କହେ ଜାଣନ୍ତି ?

 

ମୁକ୍ତା—ଏକା ମୁକ୍ତା କହେ—ଆଉ କେହି କହନ୍ତା ନାହିଁ ପରା ? ଆଚ୍ଛା ବାବୁ, ଆପଣ କହନ୍ତୁ—ପୁରୁଷ ପୁଅ ହୋଇ ଯଦି ଦି’ଟା ପେଟ ନ ପୋଷି ପାରିଲା—ତେବେ ତା’ର ଏ ଦୁନିଆରେ ଜନ୍ମ ହେଇ ଲାଭ କ’ଣ ? ମତେ ଚାହିଁ କିଏ ହସିଲା—କିଏ ଆଖି ମାରିଲା, ୟା ବୋଲି କ’ଣ ଆମେ ଦୁନିଆ ବାହାର ଜାଗାରେ ଯାଇ ରହିବୁ ? ସେ ତାର ହସୁ, ଆମେ ଆମ ବାଟରେ ଠିକ୍ ଚାଲିଥିବୁ—କଣ କହୁଚନ୍ତି ବାବୁ ?

 

(ମୁକ୍ତାର କଥା ଶୁଣି ମୋହନ ବିଚଳିତ ହେଇପଡ଼ିଲା)

 

ମୋହନ—ତମେ ଠିକ୍ କହିଚ ମୁକ୍ତା ! ତମେ ଠିକ୍ କହିଚ... ଆଚ୍ଛା ମୁଁ ଯାଉଚି—(ଯାଉ ଯାଉ) ଦେଖ, ମୋ ପାଖରେ ମାନେ ତୁମକୁ କିଛି ଦେବାଭଳି ଅବସ୍ଥା ବର୍ତ୍ତମାନ ମୋର ନାହିଁ । ମୁଁ ଯାଉଚି । (ପ୍ରସ୍ଥାନ)

 

ଚରଣ—ଖାସା ଲୋକ ତ ? ଦେଖିଲୁ ନା—କେମିତି ପାର ।

 

ମୁକ୍ତା—ନା—ନା । ପାଖରେ ଥାଇ ନ ଦବା ଲୋକ ଭଳିଆ ଜଣା ପଡ଼ୁନାହାନ୍ତି—ହେଲେ ମୋ କଥାଗୁଡ଼ାକ ତାଙ୍କ ମନକୁ ଖୁବ୍ ପାଇଚି...

 

ଚରଣ—ତୋ କଥା ଯେତେବେଳେ ସେ ପୁଣି କାହା ମନକୁ ନ ପାଇବ—

 

ମୁକ୍ତା—ଫେର୍....(ପୂର୍ବ ଗୀତ ଗାଇଲା)

 

ତୃତୀୟ ଦୃଶ୍ୟ

 

(କୁମାର ସାହେବଙ୍କ କଲିକତାସ୍ଥ ବାସଭବନର ତଳମହଲାରେ ଥିବା ଗୋଟିଏ ବଡ଼ କକ୍ଷ–ତାଙ୍କର ଅବସ୍ଥା ଦୃଷ୍ଟିରୁ ଯେପରି ସଜ୍ଜିତ ହେବାର କଥା ହେଉଚି । ଏଇ କକ୍ଷକୁ ବାହାରୁ ଆସିଲେ ଭୀମ ସିଂ ଓ ଆନନ୍ଦ—ଭୀମ ସିଂ ହେଉଚି ଜଣେ ଉଦ୍ଦିପିନ୍ଧା ଦରୱାନ୍ ଶ୍ରେଣୀର ଲୋକ)

 

ଭୀମ ସିଂ—ଇହିଁ ତସ୍‍ରିପ୍ ଲିଜିଏ ବାବୁଜୀ–(ଗୋଟିଏ କାଉଚ ଦେଖାଇଲା)

 

ଆନନ୍ଦ—କୁମାର ସାହେବ..... ?

 

ଭୀମ ସିଂ—ଓ ସାୟଦ୍‍ ଉପର ମେଁ ହୋଙ୍ଗେ....

 

ଆନନ୍ଦ—ତେବେ ମେଁ ଉପରକୁ ଯାଉଙ୍ଗା ?

 

ଭୀମ ସିଂ—ଆପ୍ ଯାଏଙ୍ଗେ, ଲେକିନ୍.... (ଇତସ୍ତତଃ ହେଲା)

 

ଆନନ୍ଦ—ମେଁ କୁମାର ସାହେବକା ନିଜକା ଲୋକ ହୁଁ ମାନେ ଫ୍ରେଣ୍ଡ-ମାନେ ?

 

ଭୀମ ସିଂ—ମୁଝେ ମାଲୁମ ହୈ–ଦୋସ୍ତ !

 

ଆନନ୍ଦ—ଇଏସ୍‍–ଇଏସ୍ । ଦୋସ୍ତ–ଖୁବ୍ ବଡ଼ ଜବରଦସ୍ତ ଇଣ୍ଟିମେଟ୍ ଦୋସ୍ତ ?

 

ଭୀମ ସିଂ—ମୈ ମଜବୁର ହୁଁ ସରକାର–କୋଇ ଭି ଆଦମିକୋ ଉପର ଯାନେକୋ ହୁକୁମ ନେହିଁ । ଆପ ଦୁସରାଓ୍ୟାଲା କମରା ମେଁ ଆରାମ କିଜିଏ ମୈ ଚାୟ ଭେଜଓ୍ୱା ଦେତା ହୁଁ (ସଲାମ କରି ପ୍ରସ୍ଥାନ)

 

ଆନନ୍ଦ—କିଛି ବୁଝିପାରିଲି ନାହିଁ ତୁମେ କଣ କହିଗଲ.......(ଟିକିଏ ସମୟ କକ୍ଷର ଏଣେତେଣେ ପଦକ୍ଷେପ କଲେ, ଉପରକୁ ଯିବେ କି ନ ଯିବେ ଭାବୁଛନ୍ତି–ଏହି ସମୟରେ ଜଣେ ମଧ୍ୟବୟସ୍କା ନାରୀ ସିଡ଼ି ଉପରୁ ଓହ୍ଲାଇ ଆସିଲେ । ଆକାର ପ୍ରକାରରୁ ଶିକ୍ଷିତା ଓ ଆଧୁନିକା ବୋଲି ଜଣାଯାଏ । ତାଙ୍କ ନାମ ଶ୍ରୀମତୀ ଚନ୍ଦ୍ରାବତୀ ଦାସ । ଆନନ୍ଦ ଓ ଚନ୍ଦ୍ରାବତୀ ଦାସଙ୍କ ଦୃଷ୍ଟିରେ ଆନନ୍ଦଙ୍କୁ ଚାହିଁଲେ ଯେ, ତାଙ୍କର ସ୍ଥାନ ଯେପରି ଏଠି ନାହିଁ–ଆଉ ଆନନ୍ଦ ଏପରି ଭାବରେ ଚାହିଁଲେ ଯେମିତି ଶ୍ରୀମତୀ ଦାସ ଏକ ଅଜ୍ଞ ଅପରିପକ୍ୱ ବାଳିକା । କିଛି ସମୟ ଦୁହେଁ ଦୁହିଁଙ୍କୁ ଏହିପରି ଭାବରେ ଚାହିଁ ରହିଲେ)

 

ଚନ୍ଦ୍ରା—May I (ମେ ଆଇ)

 

ଆନନ୍ଦ—ଦୟାକରି ଓଡ଼ିଆରେ କୁହନ୍ତୁ–(ଚନ୍ଦ୍ରାବତୀ ବିରକ୍ତ ହେଇ ଉଠିଲେ)

 

ଚନ୍ଦ୍ରା—ଆପଣ ବି ନିଶ୍ଚୟ ଏଠାକାର ନୁହନ୍ତି ?

 

ଆନନ୍ଦ—ଆପଣ ବି ନିଶ୍ଚୟ ଏଠାକାର ନୁହନ୍ତି ?

 

ଚନ୍ଦ୍ରା—(ଆହୁରି ବିରକ୍ତ ହେଇ) ମାନେ ?

 

ଆନନ୍ଦ—ମାନେଟା ଆଗେ ଆପଣ କୁହନ୍ତୁ–ଏଠାକାର ବୋଇଲେ ଆପଣ କ’ଣ ମନେ କରନ୍ତି ?

 

ଚନ୍ଦ୍ରା—କଲିକତା । ଆପଣ ନିଶ୍ଚୟ କଲିକତାର ଲୋକ ନୁହନ୍ତି–

 

ଆନନ୍ଦ—ମୁଁ କହୁଛି–ଆପଣ ନିଶ୍ଚୟ ଏଠାରେ ମାନେ କୁମାର ସାହେବଙ୍କ ଘରର କେହି ନୁହନ୍ତି...

 

ଚନ୍ଦ୍ରା—ଆପଣ କେମିତି ଜାଣିଲେ ?

 

ଆନନ୍ଦ—ଆପଣଙ୍କ ବୋକାମିରୁ...(ସିଡ଼ି ଉପରକୁ ଯିବାବେଳେ)

 

ଚନ୍ଦ୍ରା—ଶୁଣନ୍ତୁ ଶୁଣନ୍ତୁ...

 

ଆନନ୍ଦ—(ଉଠୁ ଉଠୁ) ହୁଁ–କୁହନ୍ତୁ–କୁହନ୍ତୁ । ମୁଁ ନିଶ୍ଚୟ ଶୁଣି ପାରିବି ।

 

ଚନ୍ଦ୍ରା—ଆପଣ–କୁଆଡ଼େ ଯାଉଚନ୍ତି ?

 

ଆନନ୍ଦ—ସ୍ୱର୍ଗକୁ ନିଶ୍ଚୟ ନୁହେଁ....

 

ଚନ୍ଦ୍ରା—ଫେରି ଆସନ୍ତୁ କହୁଚି–ଉପରେ ସିଡ଼ି ଦରଜା ବନ୍ଦ ଅଛି ।

 

ଆନନ୍ଦ—ଓ–(ଓହ୍ଲାଇ ଆସି) ସଦର ଦରଜା ଖୋଲା ଅଛି ତ ?

 

ଚନ୍ଦ୍ରା—ଏଡ଼େ ଚଞ୍ଚଳ ଫେରିଯିବେ....

 

ଆନନ୍ଦ—ମୁଁ ନୁହେଁ–ଆପଣ...

 

ଚନ୍ଦ୍ରା—ଆପଣ ଟିକେ ମାର୍ଜିତ ରୁଚି ନେଇ କଥାବାର୍ତ୍ତା କରନ୍ତୁ...

 

ଆନନ୍ଦ—ଆପଣଙ୍କ ସାଥିରେ ?(କାଉଚରେ ବସିଲେ....ଚନ୍ଦ୍ରା) କିଛି ସମୟ ଇତସ୍ତତଃ ହେଇ ଶେଷରେ ଆଉ ଗୋଟାଏ କାଉଚରେ ବସିଲେ । ତାଙ୍କର ରାଗ ବଢ଼ି ଯାଇଚି–ପରାଜୟ ଭାବି ସୁସ୍ପଷ୍ଟ)

 

ଚନ୍ଦ୍ରା—ଆପଣ...

 

ଆନନ୍ଦ—ହଁ କୁହନ୍ତୁ, କୁହନ୍ତୁ....

 

ଚନ୍ଦ୍ରା—ଆପଣ କୁମାର ସାହେବଙ୍କ...

 

ଆନନ୍ଦ—ହଁ, କୁହନ୍ତୁ କୁହନ୍ତୁ...

 

ଚନ୍ଦ୍ରା—ବନ୍ଧୁ !

 

ଆନନ୍ଦ—ଆଜ୍ଞା–

 

ଚନ୍ଦ୍ରା—ମୁଁ ତ ୟା ପୂର୍ବରୁ ଆପଣଙ୍କୁ ଦେଖିଲାପରି ମନେହଉନି...

 

ଆନନ୍ଦ—ଆପଣ ତାଙ୍କୁ ମଧ୍ୟ ଦେଖି ନାହାନ୍ତି ।

 

ଚନ୍ଦ୍ର—କାହାକୁ ?

 

ଆନନ୍ଦ—ଉନା-ରାଭେନା ମାନା ଉନା ସୁନା, ପାନା–ଲେଚ, ମନାନ୍ ଛେଟିୟାରଙ୍କୁ....

 

ଚନ୍ଦ୍ରା—ସେ କିଏ ?

 

ଆନନ୍ଦ—ସେ ମାଳୟର ଜଣେ ଜମିଦାର, ଆଉ କୁମାର ସାହେବଙ୍କ ବନ୍ଧୁ–

 

ଚନ୍ଦ୍ରା—ଆପଣ କଣ କହୁଛନ୍ତି ?

 

ଆନନ୍ଦ—(ବିରକ୍ତ ହେଇ) ଆପଣ ଏ ପୃଥିବୀର ଅନେକ ଲୋକଙ୍କୁ ଦେଖି ନାହାନ୍ତି କି ଜାଣି ନାହାନ୍ତି–ଅଥଚ ମୋ ସକାଶେ ଆପଣଙ୍କ ମୁଣ୍ଡ ଏମିତି ବଥଉଚି କାହିଁକି ?

 

ଚନ୍ଦ୍ରା—ମୁଁ କୁମାର ସାହେବଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ।

 

ଆନନ୍ଦ—ଆପଣଙ୍କ ପରି ମୁଁ କିନ୍ତୁ ତାଙ୍କ ପ୍ରାଇଭେଟ୍ ତାଲିକାରେ ନାହିଁ ?

 

(କିଛି ସମୟ ଦୁଇଜଣ ନୀରବ ରହିଲେ)

 

ଚନ୍ଦ୍ରା—ଆପଣ କେଉଁଠୁ ଆସିଲେ ?

 

ଆନନ୍ଦ—ବଡ଼ ଆଶ୍ଚର୍ଯ୍ୟ କଥା......

 

ଚନ୍ଦ୍ରା—ଆଶ୍ଚର୍ଯ୍ୟ ଆଉ କଣ–ଗୋଟାଏ ସାଧାରଣ ପ୍ରଶ୍ନର ଉତ୍ତର ଆପଣ ଦେବେ ନି-?

 

ଆନନ୍ଦ—କାହିଁକି ?

 

ଚନ୍ଦ୍ରା—ଏଠାକାର ବ୍ୟବସ୍ଥା ଦୃଷ୍ଟିରୁ...

 

ଆନନ୍ଦ—ଅର୍ଥାତ୍, ଏଠାକାର ସବୁ ବ୍ୟବସ୍ଥା ଆପଣ କରନ୍ତି... ଅଥଚ ମୁଁ କେଉଁଠୁ ଆସିଲି ଆପଣ ଜାଣନ୍ତି ନାହିଁ !

 

ଚନ୍ଦ୍ରା—ସେଥିପାଇଁ ତ ପଚାରୁଚି–କହନ୍ତୁ କେଉଁଠୁ ଆସିଲେ ?

 

ଆନନ୍ଦ—ଉତ୍କଳରୁ...

 

ଚନ୍ଦ୍ରା—ଟ୍ରେନରେ ଆସିଲେ ନା, ପ୍ଲେନରେ ?

 

ଆନନ୍ଦ—ବେଲୁନରେ ଭର୍ତ୍ତିହେଇ ଆସିଲି–ବେଲୁନରେ...

 

ଚନ୍ଦ୍ରା—ଆପଣ ଯେ କଣ ମୁଁ କିଛି ଭାବିପାରୁ ନାହିଁ....ଜଣେ ସ୍ତ୍ରୀଲୋକ ସହିତ କିମିତି କଥାବାର୍ତ୍ତା କରିବାକୁ ହୁଏ...

 

ଆନନ୍ଦ—ସେ କଥା ମୁଁ ପାରସ୍ୟ ଉପନ୍ୟାସରୁ ବେଶ୍ ଶିଖିଚି । ସମ୍ରାଟ ଶାରିୟାରଙ୍କ ଗପ ଶୁଣିଚନ୍ତି ତ ? ପ୍ରତିଦିନ ସକାଳୁ ଯିଏ ଗୋଟିଏ ଲେଖାଏଁ ସ୍ତ୍ରୀ ହତ୍ୟା କରୁଥିଲେ ?

 

ଚନ୍ଦ୍ରା—ଆପଣ ମତେ ହତ୍ୟା କରିବେ ?

 

କୁମାର—(ଉପରୁ ଆସିଲେ) ଆରେ ଆନନ୍ଦ ଯେ, କେତେବେଳୁ ଆସିଲଣି–କ୍ଷମାକର ଭାଇ...(ନମସ୍କାର କରି) ମୋର ଆସିବାକୁ ଟିକେ ଡେରି ହୋଇଗଲା । ଏଠି ଏକା ଏକା ଚୁପ୍‍ ହେଇ ବସି ରହିଥିଲ ତ ?

 

ଆନନ୍ଦ—ଏକା ତ ନ ଥିଲି–ଚୁପ୍‍ ହେଇ ମଧ୍ୟ ବସି ନ ଥିଲି ।

 

କୁମାର—ଓ, ଶ୍ରୀମତୀ ଦାସଙ୍କ ସହିତ ତା’ହେଲେ ଆଳାପ ହେଇ ଯାଇଚି !

 

ଚନ୍ଦ୍ରା—ନା...ଆଳାପ ହେଲା କେଉଁଠି ?

 

ଆନନ୍ଦ—ହୁଁ–ଆଳାପ ଆଉ ହେଇ ନାହିଁ–ବିଳାପ ହେଇଚି..

 

କୁମାର—ବିଳାପ ?

 

ଚନ୍ଦ୍ରା—ସେ କିଛି ନୁହେଁ କୁମାର ସାହେବ ! ଦୟାକରି ଆମର ପରିଚୟ କରାଇ ଦିଅନ୍ତୁ...

 

କୁମାର—ଏ ହେଉଛନ୍ତି ମୋର ବନ୍ଧୁ ଆନନ୍ଦ ଚନ୍ଦ୍ର ରାଏ–ଏଥର କଟକରୁ ଫେରି ମୁଁ ୟାଙ୍କରି କଥା ଆପଣଙ୍କୁ କହୁଥିଲି; ଆଉ ଏ ହେଉଛନ୍ତି ଶ୍ରୀମତୀ ଚନ୍ଦ୍ରାବତୀ ଦାସ–ମୋ–ବନ୍ଧୁ–ଶୁଭାକାଂକ୍ଷୀ–ଆଉ....

 

ଆନନ୍ଦ—ପ୍ରାଇଭେଟ୍‍ ସେକ୍ରେଟେରୀ ?

 

କୁମାର—ତୁମେ ତ ଜାଣିଚ ଦେଖିଚ ?

 

ଚନ୍ଦ୍ରା—ଏ ସାକ୍ଷାତରେ ମୁଁ ଖୁବ୍‍ ଖୁସି ଶ୍ରୀଯୁକ୍ତ ରାଏ ।

 

ଆନନ୍ଦ—ମୁଁ କିନ୍ତୁ ଆଦୌ ଖୁସି ନୁହେଁ–

 

କୁମାର—(ହସି) କାହିଁକି ଆନନ୍ଦ–କଥା କ’ଣ ?

 

ଆନନ୍ଦ—ଖୁସି ହେବି କାହିଁକି ? ଜଣେ ଲୋକକୁ ଦେଖିଲା ମାତ୍ରେ ଖୁସି ହେଇଯିବି, ୟାର ମାନେ କ’ଣ ? ମନରକ୍ଷା କରି ସେ ଗୋଟାଏ ନିରାଟ ମିଛ କଥା କହିଛନ୍ତି–ଆଉ ମୁଁ ଠିକ୍‍ ତା’ର ଓଲଟା ଗୋଟାଏ ସତକଥା କହିଚି.....

 

ଚନ୍ଦ୍ରା—ସତ, ଆପଣଙ୍କ କଥା ଶୁଣି ଯେ କେହି ଲୋକ ଆପଣଙ୍କ ପ୍ରତି ଆକୃଷ୍ଟ ହେଇଯିବ....

 

କୁମାର—ଠିକ୍ କହିଛନ୍ତି ଚନ୍ଦ୍ରାବତୀ ଦେବୀ–ଠିକ୍‍ ଏହି କାରଣରୁ ତାଙ୍କ ସହିତ ମୋର ବନ୍ଧୁତାର ସୂତ୍ରପାତ । ଆପଣ ଦେଖିବେ, ଦିନ ଦୁଇଟାରେ ସେ ଆପଣଙ୍କୁ ଏକାବେଳକେ ନିଜର କରିନେବେ–

 

ଆନନ୍ଦ—ମୋଟେ ନୁହେଁ, ମୋଟେ ନୁହେଁ–ମୋର ନିଜର ସଂସାର ବର୍ତ୍ତମାନ ଏତେ ବଢ଼ିଗଲାଣି ଯେ ଆଉ କାହାରିକୁ ନିଜର କରିନେବା ମୋ ପକ୍ଷେ ଆଦୌ ସମ୍ଭବ ନୁହେଁ...

 

(କୁମାର, ଚନ୍ଦ୍ରା ହସିଉଠିଲେ)....

 

ଭୀମ ସିଂ—( ପ୍ରବେଶି, କୁର୍ଣ୍ଣିଶ୍‍ କରି) ସାହେବ କା ଗୋସଲକା ସବ ଇନ୍ତିଜାମ ହୋଗୟା–

 

ଆନନ୍ଦ—କ’ଣ ହୋଗୟା ?

 

କୁମାର—ତୁମ ଗାଧୋଇବାର ସବୁ ବନ୍ଦୋବସ୍ତ ହେଇଯାଇଚି–

 

ଆନନ୍ଦ—ନାଃ–ବଡ଼ଲୋକ ଢଙ୍ଗରେ ଚଳିବାକୁ ହେଲେ ନାହାତି ହିନ୍ଦି ଭାଷାଟି ଶିଖିବା ଦରକାର–ଚାଲ ଭୀମ ସିଂହ–

 

ଭୀମ ସିଂ—ଆଇୟେ ସାହେବ (କୁର୍ଣ୍ଣିଶ୍ କରି ପ୍ରସ୍ଥାନ)

 

ଆନନ୍ଦ—(ଯାଉଁଯାଉଁ ଫେରି) ଆଚ୍ଛା ମୋ ଟେକ୍‍ସି–ଏ ଗୋଳମାଳ ଭିତରେ ମୋର ସବୁ ଓଲଟପାଲଟ ହେଇଗଲାଣି–

 

କୁମାର—ବାଧ୍ୟ ହେଇ ତୁମକୁ ଆଜି ଟେକ୍‍ସିରେ ଆସିବାକୁ ହେଲା–ମୋର ତିନିଟା ଯାକ ଗାଡ଼ି, ଆଜି ଏନ୍‍ଗେଜ୍ଡ଼ ।

 

ଆନନ୍ଦ—କିନ୍ତୁ ଟେକ୍‍ସି କାହିଁ–ଟେକ୍‍ସି ଯେ ‘ଗନ୍’–

 

କୁମାର—ଆଉ ରୁହନ୍ତା କାହିଁକି, ଚାଲିଯିବଣି–

 

ଆନନ୍ଦ—ତେବେ ତା’ ସଙ୍ଗେ ସଙ୍ଗେ ମୋ ବିଛଣାପତ୍ର ବି ‘ଗନ୍’ ?

 

କୁମାର—ନା ବିଛଣାପତ୍ର କାହିଁକି ଯିବ–ଭୀମ ସିଂ ତା’ର ବ୍ୟବସ୍ଥା କରିଥିବ....

 

ଆନନ୍ଦ—ଆଚ୍ଛା, ତୁମର ଏଇ ଭୀମ ସିଂହଟି କି ପଦାର୍ଥ କୁହ ତ ? ଘଣ୍ଟାର ପେଣ୍ଡୁଲମ ପରି–ସଦାସର୍ବଦା ତା’ର ହାତଟା ସଲାମ କରି ଚାଲିଚି–ହାଓଡ଼ାରୁ ଏ ପର୍ଯ୍ୟନ୍ତ ମୋତେ ଛ’ଥର ସଲାମ କଲାଣି....

 

ଚନ୍ଦ୍ରା—ତା’ ନ କଲେ ହୁଏତ...ତା ଚାକିରିଟା ଚାଲିଯିବ......

 

ଆନନ୍ଦ—ହଁ ! ଯୁଗର ଲକ୍ଷଣ, ଚାକିରି ବଜାୟ ରଖିବାପାଇଁ ଏଇ ଗୋଟିଏ ଗୁଣ ଥିଲେ ହେଲା...କୁଆଡ଼େ ଗଲା ଭୀମ ସିଂହ....

 

ଭୀମ ସିଂ—(ସଲାମ କରି) ଆଇୟେ ହଜୁର ।

 

ଆନନ୍ଦ—ଥାଉ ବାବା ଥାଉ–ସ୍ନାନ ଯାତ୍ରାପାଇଁ ଆଉ ଏତେ ଆଦର ଅଭ୍ୟର୍ଥନା କାହିଁକି-?

 

(ଉଭୟଙ୍କର ପ୍ରସ୍ଥାନ)

 

ଚନ୍ଦ୍ରା—ବେଶ୍ ଲୋକ ତ ?

 

କୁମାର—ଉପରେ ଯାହା ଦେଖୁଚନ୍ତି–ଭିତରଟା ତାଠୁଁ ଆହୁରି ଭଲ ?

 

ଚନ୍ଦ୍ରା—ଏତେ ଭଲ ଯିଏ, ହଠାତ୍ ତା’ ଉପରେ ଶୁଭ ଦୃଷ୍ଟି ପଡ଼ିଲା କାହିଁକି ?

 

କୁମାର—ଆମେ ଦୁହେଁ ସ୍କୁଲରେ ଏକାସାଥିରେ ପଢ଼ୁଥିଲୁ । ତା’ ପରେ ଅନେକ ଦିନ ଧରି କେହି କାହାରି ଖବର ରଖିନୁ । ଏଇଥର କଟକରେ ଦେଖାହେଲା–ଫଳରେ ଆମ ବନ୍ଧୁତାର ହେଲା ପୁନରୁଦ୍ଧାର । ଏଠିକି ଡକାଇ ଆଣିଚି–ଉଦ୍ଦେଶ୍ୟ ଆଉ କିଛି ନୁହେଁ–କେବଳ ସେ ଏଠି କିଛିଦିନ ରହନ୍ତୁ–ଏତିକି ମୁଁ ଚାହେଁ ।

 

ଚନ୍ଦ୍ରା—ବୁଝିଲି–କିନ୍ତୁ ସେ ଏଠି ଚଳି ପାରିବେ ତ?

 

କୁମାର—କାହିଁକି ?

 

ଚନ୍ଦ୍ରା—ଭିତରେ ବାହାରେ ଏତେ ସଦ୍‍ଗୁଣର ନାମାବଳି ନେଇ ତାଙ୍କର ଅବସ୍ଥା ହୁଏତ ଏଠି ହୋଇଉଠିବ, “ବକ ମଧ୍ୟେ ହଂସ ଯଥା ।”

 

କୁମାର—ଦୁନିଆର ଭଲ ବାଟରୁ ତାହାହେଲେ ଆମେ ଖୁବ୍ ଦୂରେଇ ଯାଇଛୁ ଶ୍ରୀମତୀ ଦାସ ?

 

ଚନ୍ଦ୍ରା—ସେ ସବୁ ତତ୍ତ୍ୱ କଥା ବର୍ତ୍ତମାନ କାହିଁକି ?

 

କୁମାର—ଠିକ୍ କଥା–କାମର କଥା କହନ୍ତୁ ?

 

ଚନ୍ଦ୍ରା—ମୁଁ ସେଇ ଅରୁଣା କଥା କହୁଥିଲି !

 

କୁମାର—ଅରୁଣା ! ସେ ତ ମ୍ୟାଟରନିଟି ହୋମରେ ଭର୍ତ୍ତି ହେଇ ଯାଇଚି ।

 

ଚନ୍ଦ୍ରା—ଆଜି ଖବର ପାଇଲି–ତା’ର ଗୋଟିଏ ମଲା ପିଲା ଜନ୍ମ ହେଇଚି ?

 

କୁମାର—ମଲା ପିଲା–ବିଚାରୀ ତା’ହେଲେ ଖୁବ୍ ବଞ୍ଚିଯାଇଚି–ବର୍ତ୍ତମାନ ତା’ପାଇଁ କିଛି ଟଙ୍କା ଦରକାର ଅଛି ?

 

ଚନ୍ଦ୍ରା—ହଁ, ମୁଁ ଭାବୁଚି–ଏ ଭିତରେ ତାକୁ କିଛିଦିନ ପାଇଁ ପୁରୀ କିମ୍ବା ଦାର୍ଜିଲିଂ ଏମିତି କୌଣସି ଗୋଟିଏ ଜାଗାକୁ ପଠାଇ ଦେବାପାଇଁ ?

 

କୁମାର—ବେଶ୍-ବେଶ୍ । ସେ ବନ୍ଦୋବସ୍ତ ଆପଣ କରନ୍ତୁ–ଯାହା ଟଙ୍କା ଲାଗିବ ମୁଁ ଦେବି । ହଁ, ଆଉ ଗୋଟେ କଥା–ଅରୁଣାର ବିବାହ ପାଇଁ ଆପଣ ଗୋଟିଏ ସୁନ୍ଦର, ସୁଦର୍ଶନ ଯୁବକ ଖୋଜି ବାହାର କରନ୍ତୁ ଯାହାକୁ ପାଇଲେ ଅରୁଣା ଅନ୍ତତଃ ଖୁସି ହୋଇପାରିବ । ବିବାହର ସମସ୍ତ ଖର୍ଚ୍ଚ ମୁଁ ବହନ କରିବି ।

 

ଚନ୍ଦ୍ରା—ସେଥିରେ ଆପଣଙ୍କର ଲାଭ ?

 

କୁମାର—ସବୁଥିରୁ ଲାଭ ଖାଇ ମୁଁ ବଞ୍ଚି ପାରିବି ନାହିଁ ମିସେସ୍ ଦାସ ! ଏଥିରେ ମୋର ଲାଭ ଥାଇ ନ ପାରେ–କିନ୍ତୁ ଦୁନିଆରେ ଆଉ ଜଣେ କେହି ପୁରୁଷର ତ ଲାଭ ରହିବ-

 

ଚନ୍ଦ୍ରା—ବିଚାରୀ ଅରୁଣାର ସୌଭାଗ୍ୟ–ତାର ବିବାହ କଥା ଆପଣ ଚିନ୍ତା କରୁଛନ୍ତି । ହଁ, ସେ ଆପଣଙ୍କ ସଙ୍ଗେ ଥରେ ଦେଖା କରିବାକୁ ଚାହେଁ ?

 

କୁମାର—ତା’ଦ୍ୱାରା ସେ ଏକ ମହାଭୁଲ କରି ବସିବ । ତାକୁ କହିଦେବେ, ଲହରୀ ବକ୍ଷରେ ଯେତେଥର ସେ ଝାମ୍ପ ଦେବ, ସେତେଥର ସେ ତାକୁ ଆଣି କୂଳରେ ଫିଙ୍ଗିଦେବ । ଆଶ୍ରୟର ସ୍ଥାନ ସେଠି ନାହିଁ । ମୋର ପ୍ରାପ୍ୟ ମୁଁ ତା’ଠାରୁ ପାଇଚି । ଏଣିକି ମୋ ସହିତ ଦେଖା ନ କରି, ଏପରିକି ମୋ କଥା ଜୀବନରେ କ୍ଷଣକ ପାଇଁ ସୁଦ୍ଧା ନ ଭାବି ମୋ’ଠାରୁ ସେ ତା’ର ପ୍ରାପ୍ୟ ପାଇ ପାରିବ–ଏ ପ୍ରତିଶ୍ରୁତି ମୁଁ ଦେଉଚି?

 

ଚନ୍ଦ୍ରା—ବେଶ୍, ଏ କଥା ମୁଁ ତାକୁ କହିଦେବି–ବର୍ତ୍ତମାନ ତା’ହେଲେ ମୁଁ ଆସୁଛି !

 

କୁମାର—ଶୁଣନ୍ତୁ ! (ଚନ୍ଦ୍ରା ଫେରିଲେ–କୁମାର କିଛି ନ କହି ବୁଲିବାକୁ ଲାଗିଲେ ତା’ପରେ ଗୋଟାଏ ସ୍ଥାନରେ ଠିଆ ହୋଇ ଚନ୍ଦ୍ରାଦେବୀଙ୍କୁ ଏପରି ଦୃଷ୍ଟିରେ ଚାହିଁଲେ, ଯାହାର ଅର୍ଥ ଚନ୍ଦ୍ରା ବେଶ ବୁଝି ପାରିଲେ)

 

ଚନ୍ଦ୍ରା—ଯୁବରାଣୀ ସାହେବଙ୍କ କଥା ତ ?

 

କୁମାର—କିଛି ନ କହି ଆପଣ ତ ଚାଲି ଯାଇଥିଲେ ?

 

ଚନ୍ଦ୍ରା—କହିବି ଆଉ କ’ଣ । ଆଜି ତ ଦେଖା ହେଇପାରିଲା ନାହିଁ ।

 

କୁମାର—କାହିଁକି ? ଏତେ ସମୟ ତ ଉପରେ ଥିଲେ–

 

ଚନ୍ଦ୍ରା—ତଥାପି ସେ ପୂଜାରୁ ଉଠିଲେ ନାହିଁ–ଶୁଣିଲି ଆଜି ଦୁଇଟା ପର୍ଯ୍ୟନ୍ତ ସେ ପୂଜାରେ ବସିବେ...

 

କୁମାର—ହୁଁ, ଆଚ୍ଛା ଚନ୍ଦ୍ରାଦେବୀ ! ଯେତେ ଆଧୁନିକା ବା ପ୍ରଗତିଶୀଳା ହୁଅନ୍ତୁ, ଆପଣ ଜଣେ ହିନ୍ଦୁଘରର ସ୍ତ୍ରୀ–ଆପଣ କହିପାରିବେ ଏ ପୂଜା-ପାର୍ବଣ ମୂଳରେ କିଛି ସାଧନା ଅଛି କି ନାହିଁ-?

 

ଚନ୍ଦ୍ରା—ନିଶ୍ଚୟ ଅଛି....

 

କୁମାର—ଏହାର ଶେଷ କେଉଁଠି ?

 

ଚନ୍ଦ୍ରା—ସିଦ୍ଧି ଲାଭରେ....

 

କୁମାର—କ’ଣ ସେ ସିଦ୍ଧି ?

 

ଚନ୍ଦ୍ରା—ଆପଣ ଜାଣନ୍ତି ନାହିଁ ?

 

କୁମାର—ମୁଁ ଯଦି ନ ଜାଣିଥାଏ–ତେବେ ଜାଣିବା ନିଶ୍ଚୟ ଉଚିତ–କ’ଣ କହୁଛନ୍ତି?

 

ଚନ୍ଦ୍ରା—କିନ୍ତୁ କେତେଦିନ ଧରି ଆପଣ ଦୁହେଁ ଏମିତି ସମାନ୍ତରାଳ ରେଖା ଟାଣି ଟାଣି ଚାଲିଥିବେ ? ତାଙ୍କର ବାଟରେ ସେ, ଆଉ ଆପଣଙ୍କ ବାଟରେ ଆପଣ... ?

 

କୁମାର—ଏଇ ଜ୍ୟାମିତିକ କଥାଟାର ଯଦି କୌଣସି ସତ୍ୟତା ଥାଏ, ତା’ହେଲେ ଆପଣଙ୍କ ପ୍ରଶ୍ନଟା ହିଁ ଆପଣଙ୍କର ଉତ୍ତର । ଦୁଇଟି ସମାନ୍ତରାଳ ରେଖାର ମିଳନ ତ କେବେ ସମ୍ଭବ ନୁହେଁ... ।

 

(କୁମାର ଉଠି ଚାଲିଗଲେ–ଚନ୍ଦ୍ରା ମଧ୍ୟ ବିଦାୟ ନେଲେ । ଟିକିଏ ପରେ ସେଟାକୁ ଆସିଲେ ଆନନ୍ଦ । ସେ ସ୍ନାନ ସାରି କୁମାର ସାହେବଙ୍କୁ ଭେଟିବା ପାଇଁ ଆସିଥିଲେ; କିନ୍ତୁ କାହାକୁ ନ ଦେଖି ଟେବୁଲ ଉପରୁ ଖଣ୍ତିଏ ବହି ଆଣି ପଢ଼ିଲେ)

 

କୁମାର—(ପ୍ରବେଶି) ଏଇ ତ ଆନନ୍ଦ—ଚା’ ଖିଆ ହେଲାଣି ?

 

ଆନନ୍ଦ—ହଁ ।

 

କୁମାର—ବେଶ୍ ଭଲ କରି ଖାଇଚ ତ ? ଦୁଇଟା ପୂର୍ବରୁ ଲଞ୍ଚ୍‍ ହେଇପାରିବ ନାହିଁ ।

 

ଆନନ୍ଦ—ସେ ଲାଞ୍ଚ-ଫାଞ୍ଚ ମୋତେ ପୋଷେଇବ ନାହିଁ ବାବୁ ! ବାରଟା ବେଳକୁ ଦୁଇଟି ଉଷୁନା ଚାଉଳର ଭାତ ମୋର ଦରକାର–ଭାତ ମିଳିବଟି ଏଠି ?

 

କୁମାର—ମିଳିବ, ମିଳିବ–ବ୍ୟସ୍ତ କାହିଁକି ? ଆଜି ଲଞ୍ଚ୍ ଖାଇ ଥାଅ, କାଲିଠାରୁ ଅନ୍ୟ ବ୍ୟବସ୍ଥା କରାଯିବ....

 

ଆନନ୍ଦ—ଆଚ୍ଛା, ବର୍ତ୍ତମାନ ଶ୍ରୀମୁଖରୁ ଶୁଣେ, ତାର ଉପରେ ତାର କରି ଫାଷ୍ଟକ୍ଲାସ୍ ବର୍ଥ ପର୍ଯ୍ୟନ୍ତ ରିଜର୍ଭ କରି କାହିଁକି ମୋତେ ଏଠିକି ଅଣାଯାଇଚି ? ହଜାରେ କାମ ଥିଲେ ସୁଦ୍ଧା ଏ ବିରାଟ କୌମାରିକ ଆମନ୍ତ୍ରଣକୁ ରକ୍ଷା ନ କରି ମୁଁ ରହିପାରିଲି ନାହିଁ–କଥାଟା କ’ଣ ଶୁଣେ ?

 

କୁମାର—କିଛି ନାହିଁ; ଏଇ କିଛିଦିନ ବନ୍ଧୁଘରେ ଅବସ୍ଥାନ–ଏତିକି ।

 

ଆନନ୍ଦ—ଆଚ୍ଛା, ସେ ଗଲେଣି ?

 

କୁମାର—କିଏ ?

 

ଆନନ୍ଦ—ତୁମର ସେଇ କର୍ମଧାରୟ ?

 

କୁମାର—ଓ, ମିସେସ ଦାସ…ହଁ, ଗଲେଣି । ଭାରି କାମିକା ଲୋକ ।

 

ଆନନ୍ଦ—ହେଇ ପାରନ୍ତି ! !

 

କୁମାର—ଆଚ୍ଛା ରାଏ–ସେଇ ଯେ ମୋହନ—ଛବି ଆଙ୍କେ, କାହିଁକି ସେ ଛବିଟା ମୋତେ ବିକିଲା ନାହିଁ କହି ପାରିବ ?

 

ଆନନ୍ଦ—ଏ ବିଷୟରେ ସମସ୍ତ ତଥ୍ୟ ମୁଁ ଗବେଷଣା କରିବାର ସୁବିଧା ସୁଯୋଗ ପାଇନାହିଁ…ତେବେ ନିଜ ବାଗ୍‍ଦତ୍ତା ସ୍ତ୍ରୀର ଛବି ବିକିବାକୁ ତା’ର ଆତ୍ମସମ୍ମାନରେ ବାଧା ଆସିଲା–ଏତିକି ମୁଁ ଜାଣେ ।

 

କୁମାର—ମୁଁ ବୁଝିପାରୁ ନାହିଁ ରାଏ..ଏ ସବୁ ଲୋକଙ୍କର ଏ ପାଗଳାମି ହୁଏ କାହିଁକି ? ଛବିଟା ବିକିଥିଲେ–ହୁଏତ ତା’ ନିଜର କିଛି ସୁବିଧା କରି ପାରିଥାନ୍ତା...।

 

ଆନନ୍ଦ—ତା’ କଥା ଥାଉ–ତୁମ କଥା କୁହ ?

 

କୁମାର—ମୋ କଥା ?

 

ଆନନ୍ଦ—ତୁମର ହାଲଚାଲ–ଏ ବିରାଟ ଏଫେୟାର୍ସରୁ ମୁଁ କିଛି କଳ୍ପନା କରିପାରୁ ନାହିଁ-

 

କୁମାର—ସତେ ! ତେବେ ଚାଲ–ଆଗେ ଅଫିସଆଡ଼େ ଟିକିଏ ବୁଲି ଆସିବା । ଭୀମ ସିଂ–(ଭୀମ ପ୍ରବେଶ) ଗାଡ଼ି ସବୁ ଆସି ଯାଉଛି ?

 

ଭୀମ ସିଂ—ଜି ହଜୁର...

 

କୁମାର—କେଉଁ ଗାଡ଼ିରେ ଯିବା ? ଆଚ୍ଛା, ସେଇ ବଡ଼ ତ୍ରାଇସେଲାର ଗାଡ଼ିରେ ଯିବା…

 

ଆନନ୍ଦ—ସେଇଟା ଏକ୍‍ସିଡେଣ୍ଟ ପ୍ରୁଫ୍ ତ ?

 

କୁମାର—ଜୀବନରେ ମୋର ବହୁତ ଏକ୍‍ସିଡେଣ୍ଟ ହେଇଯାଇଚି ଆନନ୍ଦ, ଆଉ ବୋଧହୁଏ ହବନି...ଆସ ।

 

ଚତୁର୍ଥ ଦୃଶ୍ୟ

 

[ମଧୁ ମହାରଣା ଘରର ଅଳିନ୍ଦ–ଭିତରୁ ଆସିଲା ମଧୁ—ତା’ର ଚଳିବାର ଶକ୍ତି ଯେମିତି କମି ଆସିଲାଣି]

 

କାହ୍ନୁ—(ବାହାରୁ) ମଧୁ ଭାଇ ଘରେ ଅଛ (ଭିତରୁ ଆସିଲା) ।

 

ମଧୁ—କାହ୍ନୁ, ଆସ ଆସ, ତମର ତ କାହିଁ ଦେଖା ନ ଥିଲା କାହ୍ନୁ ?

 

କାହ୍ନୁ—ଶଙ୍କରା କଲିକତା ପଳେଇଲା–ଘରେ ଆଉ ମନ ଲାଗିଲା ନାହିଁ । ପୁରୀ, ଭୁବନେଶ୍ୱର, ଗଞ୍ଜାମ, ବରହମପୁର–ଏମିତି ବୁଲି ବୁଲି ଆସି ପହଞ୍ଚି ଘରେ ଗୋଡ଼ ଦେଇଚି କି ନାହିଁ, ମନେ ପଡ଼ିଗଲା ତମ କଥା–କହିଲି ଭାଇଙ୍କି ମୋର ଯାଇଁ ଟିକେ ଦେଖି ଆସେ… ।

 

ମଧୁ—ହଁ, କାହ୍ନୁ–ତମେ ଜାଗାକୁ ପାଞ୍ଚ ଜାଗା ବୁଲୁଚ–ନୀଳା ଖବର ତମେ କିଛି କହିପାରିବ ?

 

କାହ୍ନୁ—ନୀଳା ଖବର ମୁଁ କହିବି ? ତୁମେ ଥଟ୍ଟା କରୁନ ତ ମଧୁଭାଇ !

 

ମଧୁ—ଥଟ୍ଟା କାହିଁକି କରିବି କାହ୍ନୁ ! ମୋର ଭାଗ୍ୟ ସେ ନଇଲେ ନୀଳା ପରିକା ଝିଅ……

 

କାହ୍ନୁ—କଥାଟା କଣ ମୋତେ ଖୋଲି କହିବଟି ମଧୁଭାଇ ! ମୁଁ ଆଗ ଶୁଣିଯାଏ କଣ ହେଇଚି ?

 

ମଧୁ—କଥା ଆଉ କଣ କାହ୍ନୁ ! ସେଦିନ ମୁଁ ନିଜେ ରିକ୍‍ସା କରି ନେଇ ତାକୁ ତୁଳସୀପୁରରେ ଛାଡ଼ିଦେଇ ଆସିଲି । ତା’ର ମାଲିକାଣୀ-ଇମିତି ଭଲମଣିଷ କାହ୍ନୁ ନାହିଁ ନ ଥିବେ । ମତେ ବୁଝେଇ ଶୁଝେଇ ବହୁତ କଥା କହିଲେ । ମୁଁ ଫେରି ଆସିଲି । ପନ୍ଦର ଦିନ ପରେ ଲୀଳା ଆସି କହିଲା, ସେମାନେ ସବୁ କଲିକତା ଯିବେ–ମନା କରିପାରିଲି ନାହିଁ...

 

କାହ୍ନୁ—ତା’ପରେ... ?

 

ମଧୁ—ତା’ପରେ ସେଇ ଯେ ନୀଳା ଯାଇଚି-ଯାଇଚି । ଆଉ କିଛି ଖବର ନାହିଁ । ପୂରା ଛ’ମାସ ହୋଇଗଲା କାହ୍ନୁ, ଖଣ୍ଡେ ଚିଠି ଏଯାଏଁ ମୁଁ ତାଠୁଁ ପାଇଲି ନାହିଁ ।

 

କାହ୍ନୁ—ଏଥିପାଇଁ ତମେ ଇମିତି ପସ୍ତେଇ ହଉଚ ? ବଡ଼ଲୋକିଆ କାରଖାନା, କେଉଁଠି ବୁଲୁଚନ୍ତି ତ ବୁଲୁଚନ୍ତି ଚିଠି ଦବାକୁ ଫୁରସତ୍ ନାହିଁ…

 

ମଧୁ—ଚିଠି ଦବାକୁ ତ ଫୁରସତ୍ ନାହିଁ–ଆଉ ମାସକୁ ମାସ ଶହ ଶହ ଟଙ୍କା ପଠେଇ ଦବାକୁ କିମିତି ଫୁରୁସତ୍ ହେଉଚି କହିଲ ?

 

କାହ୍ନୁ—ଟଙ୍କା ? କିଏ ପଠଉଚି, ନୀଳା ?

 

ମଧୁ—କିମିତି ଜାଣିବି ? ମନିଅର୍ଡ଼ର ହେଇ ମୋ ପାଖକୁ ଟଙ୍କା ଆସୁଚି । କୋଉ ମାସ ଶହେ–କୋଉ ମାସ ଦୁଇ ଶହ ମନିଅର୍ଡ଼ର ଫାରମରେ ନୀଳାର ନାଁ ଗନ୍ଧ ନାଇଁ....

 

କାହ୍ନୁ—କିଏ ପୁଣି ଟଙ୍କା ପଠଉଚି ? ଫାରମରେ ତ କାହାରି ହେଲେ ନାଁ ଥିବ ?

 

ମଧୁ—ତା’ର କିଛି ଠିକ୍‍ଠିକଣା ନାହିଁ । କିଏ ଟଙ୍କା ପଠାଉଚି–କଉଁଠୁ ଟଙ୍କା ଆସୁଚି–ଏ ମାସରେ ଗୋଟାଏ ନାଁ ତ ଆର ମାସରେ ଗୋଟାଏ ନାଁ । ନୀଳା ଭଲ ଅଛି ଏତିକି ଖାଲି ଗୋପନରେ ଲେଖାଥାଏ–

 

କାହ୍ନୁ—ବୁଝିଲି–ମୁଁ ସବୁ ବୁଝିଗଲି । ମୋତେ ଠିକ୍ ପତ୍ତା ମିଳିଗଲା । ଏ ସବୁ ସେଇ ମହନିର କାମ । ସେହି ମହନି–ହଁ, ମହନି ତମ ନୀଳାକୁ ନେଇ କୋଉଠି ବିକିଚି-

 

ମଧୁ—(ଶିହରି ଉଠି) କାହ୍ନୁ....

 

କାହ୍ନୁ—ତମେ ଯାହା କହ ମଧୁ ଭାଇ–ଏ ଠିକ୍ ମହନିର କାମ । ଏଠୁଆଗେ ଖସିଯାଇ ପଛରେ ନୀଳାକୁ ଶିଖେଇ ନେଇ ଯାଇଚି–ଆଉ କୋଉଠି ଗୋଟିଏ ବଡ଼ଲୋକିଆ ମୁଣ୍ଡ ଦେଖି, ନୀଳାକୁ ତା’ ପାଖରେ ହାବୁଡ଼େଇ ଦେଇଚି ! ନଇଲେ କୋଉ ବେଶ୍ୟା ଘରେ–

 

ମଧୁ—କାହ୍ନୁ ! ତମେ ଚାଲିଯାଅ ଏଠୁ ! ଚାଲିଯାଅ କହୁଚି–ମୁଁ ଏସବୁ ଶୁଣିବି ନାହିଁ–ଏ ସବୁ ତମର ମନଗଢ଼ା କଥା । ନୀଳା ମୋର ଏମିତି ହୋଇପାରେ ନା–କାହ୍ନୁ, ତମକୁ ହାତ ଯୋଡ଼ୁଚି ତମେ ଆଉ ମତେ ଏଗୁଡ଼ାକ ଶୁଣାଅ ନାହିଁ...

 

କାହ୍ନୁ—ମୁଁ କାହିଁକି ଶୁଣେଇବି ତମ ଝିଅ ଗୁଣମଣି ତମକୁ ଶୁଣାଉଚନ୍ତି । ଆଉ ମଧୁ ଭାଇ, ତୁମେ ବି କେମିତି ? ଚାକିରି ଛାଡ଼ିଲ ବୋଲି ଗୋଟାଏ ପେଟ ପାଇଁ ତମେ ସେହି ଟଙ୍କାରେ...

 

ମଧୁ—କାହୁଁ....

 

କାହ୍ନୁ—(ଯାଉ ଯାଉ) ନା–ମଧୁଭାଇ ! ଆତ୍ମା ଛାଡ଼ିଗଲା–ଆଜିଠୁଁ ଏ ଘରୁ ମୋ ଆତ୍ମା ଛାଡ଼ିଗଲା–

 

ମଧୁ—ତୁମେ ଶୁଣିଯାଅ କାହ୍ନୁ–ଶୁଣି ଯାଅ !

 

କାହ୍ନୁ—କଣ ଆଉ କହୁଚ ?

 

ମଧୁ—ମୁଁ ଆଜି ବୁଝିପାରୁଚି କାହ୍ନୁ–ଚାକିରି ନାଁରେ ଗୋଟାଏ ଚକ୍ରାନ୍ତ କରି ସେମାନେ ନୀଳାକୁ ଏଠୁ ନେଇ ଯାଇଚନ୍ତି–ଚାକିରି ପାଇଁ ତ କେତେ ଲୋକ ଦରଖାସ୍ତ କରିଥିଲେ । ନୀଳାକୁ ସଙ୍ଗେ ସଙ୍ଗେ ଚାକିରି ମିଳିଗଲା କେମିତି ? ପୁଣି ଦୁଇ ମାସ ଦରମା ଆଗତୁରା......

 

କାହ୍ନୁ—ପୁଲିସରେ ଗୋଟାଏ ଏତଲା ଦଉନ.... ?

 

ମଧୁ—ପୋଲିସ ! କଣ ଏତଲା ଦେବି–କହିବି ଝିଅ ମୋର–

 

(ଆଉ କହି ପାରିଲା ନାହିଁ)

 

କାହ୍ନୁ—ହଁ, ସେ ବି ତ ଗୋଟାଏ କଥା–ଖୋଜାଖୋଜି କରି ପୋଲିସ ନୀଳାକୁ ବାହାର କରିବ–ହେଲେ ସେ ଖାଲି ନର୍କ ଘାଣ୍ଟିବା ସଙ୍ଗେ ସମାନ ହବ । ନାଃ ଯାହା କହିଚି–ଏ ଘରୁ ମୋ ଆତ୍ମା ଛାଡ଼ିଗଲା !

 

ମଧୁ—ଶୁଣ କାହ୍ନୁ ? ସେଇ ଟଙ୍କାଯାକ ମୁଁ ସେମିତି ରଖିଚି–ସେଥିରେ ହାତ ମାରିନି ତମେ ଦେଖିବ ଆସ-

 

କାହ୍ନୁ—ମତେ ସେଥିରୁ କଣ ମିଳିବ–ମୁଁ କାହିଁକି ତମ ଟଙ୍କା ଦେଖିବାକୁ ଯିବି–ତମର ସେ ପାପ-ଅର୍ଜିତ ଧନ....

 

ମଧୁ—ତା’ ହେଲେ ତମେ ଏଇଠି ବସ–ଗୋଛାଯାକ ନୋଟ ମୁଁ ଆଣୁଚି–ତମରି ଆଗରେ ଏଇଠି ପୋଡ଼ି ଜାଳିଦେବି...

 

କାହ୍ନୁ—ଆହା, ମଧୁଭାଇ ! ତମେ ପାଗଳ ହେଇଗଲା ନା କଣ ? ଟଙ୍କାଗୁଡ଼ାକ କି ଦୋଷ କଲା ?

 

ମଧୁ—ନା କାହ୍ମୁ । ସେ ଟଙ୍କା ମୁହଁ ଆଉ ଚାହିଁବି ନାହିଁ ସେ–ଟଙ୍କା ମୁଁ ରଖିଥିଲି ନୀଳା ପାଇଁ–ଆଜିଠୁ ନୀଳା ମୋ ଲେଖାରେ ମଲାଣି । ସେ ଟଙ୍କା ମୋର ଆଉ କଣ ହେବ ?

 

କାହ୍ନୁ—ମୁଁ ତୁମକୁ ଗୋଟେ କଥା କହୁଚି ମଧୁ ଭାଇ–ଏ ଟଙ୍କାକୁ ତୁମେ ଗୋଟେ ସତ୍ କାମରେ ଲଗେଇ ଦିଅ ।

 

ମଧୁ—ବେଶ୍ ବେଶ୍ କାହ୍ନୁ–ଭଲ କଥା । ସେଇୟା ହବ–କ’ଣ ତମେ କହୁଚ କହିଲ ?

 

କାହ୍ନୁ—ଏଇ କଲିକତାରେ ଓଡ଼ିଆମାନଙ୍କ ମଙ୍ଗଳ ପାଇଁ ଗୋଟାଏ ପାଣ୍ଠି ଖୋଲା ହେଇଚି–ଏ ଟଙ୍କା ତମେ ସେଇ ପାଣ୍ଠିକି ପଠାଇ ଦିଅ ।

 

ମଧୁ—ଭଲ କଥା କାହ୍ନୁ—ଏଇକ୍ଷଣି ତା’ହେଲେ ତମେ ଟଙ୍କାତକ ନେଇ ପଠେଇ ଦିଅ...

 

କାହ୍ନୁ—ମତେ ପୁଣି କାହିଁକି ସେ ହେଙ୍ଗାମାରେ ପୂରେଇବ...

 

ମଧୁ—ମନା କର ନାହିଁ କାହ୍ନୁ.. ତମେ ଆସ, ଆଜିଠୁ ନୀଳାର ମଧୁ ମହାରଣା ବୋଲି କେହି ନାହିଁ... ଦୁହିଁଙ୍କ ପାଖରେ ଦୁହେଁ ମରିଚନ୍ତି । ତମେ ଆସ କାହ୍ନୁ ଆସ ମୋ ସାଥିରେ–

 

ପଞ୍ଚମ ଦୃଶ୍ୟ

 

[ମୀର୍ଣ୍ଣାର କକ୍ଷ-ମୀର୍ଣ୍ଣା ଖୁବ୍‍ ମନଯୋଗ ସହକାରେ ଗୋଟିଏ ସିଲେଇ କାମ କରୁଛି । ତା’ର ଅଲକ୍ଷ୍ୟରେ ଆସିଲେ ମି. ମହାପାତ୍ର । ଧୀରେ ଧୀରେ ସେ ଆସି ମୀର୍ଣ୍ଣା ନିକଟରେ କିଛି ସମୟ ଠିଆହେଲେ]

 

ମହାପାତ୍ର—(ଧୀର ଗଳାରେ) ମୀର୍ଣ୍ଣା—ସେ ଆସି ନାହିଁ ?

 

ମୀର୍ଣ୍ଣା—ତୁମେ ପୁଣି ଏଠିକି ଆସିଲ ? ଯେତେ ମନାକଲେ ବି ମାନୁନ–ଚାଲ, ଶୋଇବ ଚାଲ–

 

ମହାପାତ୍ର—କିନ୍ତୁ ସେ କାହିଁ... ?

 

ମୀର୍ଣ୍ଣା—କିଏ ?

 

ମହାପାତ୍ର—ନା । ତା’ର ତ ଆସିବାର କଥା—(ବାହାରେ କବାଟରେ ଶବ୍ଦ ହେଲା) ଏଇ—ହୁଏତ ଆସିଲା...ହଁ, ମୁଁ କହୁଚି । ରହ, ମୁଁ ଦରଜା ଖୋଲେ—(ଦରଜା ଖୋଲି ରୁଟିବାଲାକୁ ଦେଖି, ମହାପାତ୍ର ତାକୁ ଚିହ୍ନି ନ ଚିହ୍ନିଲା ପରି ଚାହିଁ ଚାହିଁ ପଛକୁ ଫେରିଆସିଲେ)

 

ମହାପାତ୍ର—ଏ ତ ସେ ନୁହେଁ ମୀର୍ଣ୍ଣା ?

 

ମୀର୍ଣ୍ଣା—ଏ ପରା ରୁଟିବାଲା...

 

ମହାପାତ୍ର—ଓଃ—ମାନ୍ୟବର ଖାଦ୍ୟମନ୍ତ୍ରୀ ତାଙ୍କୁ ଅଭ୍ୟର୍ଥନା କରି ଡାକିଆଣି ମୀର୍ଣ୍ଣା—

 

ମୀର୍ଣ୍ଣା—ଆଃ—କ’ଣ ତୁମେ କହୁଚ ବାପା—ଚାଲ ଶୋଇବ ।

 

ମହାପାତ୍ର—ନା—ନା—ମୀର୍ଣ୍ଣା । ମୁଁ ତାଙ୍କୁ ତ କିଛି କହିନାହିଁ...ସେ ମୋର ଉପକାରୀ ବନ୍ଧୁ ମୋର ଜୀବନ ରକ୍ଷା ସେ କରିଛନ୍ତି… ତୁ ଜାଣୁ, ଗୋଟାଏ କଥା ଅଛି–“The best doctors in the world are the doctor diet and the doctor quiet” ରୁଟି ଖାଇ ଚୁପ୍ ହେଇ ଶୋଇବି ।

 

ମୀର୍ଣ୍ଣା—ହଁ, ଚାଲ ଶୋଇବ....

 

ମହାପାତ୍ର—ତୁ କିନ୍ତୁ ତାକୁ ଚଞ୍ଚଳ ବିଦାୟ କର ମା । ସେ ଯେ ମଣିଷ ଆଜି ସେ ରୁଟି ଦେବାକୁ ଆସିଚି—କାଲି ହୁଏତ ସେ ମୋ ମୁହଁରୁ ରୁଟି କାଢ଼ିନେବ । ମୀର୍ଣ୍ଣା ! ତୁ ତାକୁ ଚଞ୍ଚଳ ବିଦାୟ କର... (ଚାଲିଗଲେ)

 

ମୀର୍ଣ୍ଣା—ଆଜି କେତେଟା ରୁଟି ଦେଇଚ ?

 

ରୁଟିବାଲା—ଦୁଇଟା...

 

ମୀର୍ଣ୍ଣା—ଆଚ୍ଛା, ଅପେକ୍ଷା କର—(ଖଣ୍ଡିଏ ଜାମା ଆଣି) ଏଇ ନିଅ, ପସନ୍ଦ ହଉଚି ତ ?

 

ରୁଟିବାଲା—ବେଶ୍ ହେଉଚି ମା ! ତମ ହାତ ଜାମା...(ଏତିକିବେଳେ ମୋହନ ଆସୁଥିବାର ମୀର୍ଣ୍ଣା ଦେଖିଲା)

 

ମୀର୍ଣ୍ଣା—ଆସନ୍ତୁ ମୋହନବାବୁ, ଆସନ୍ତୁ—(ମୋହନ ଆସିଲା)

 

ରୁଟିବାଲା—ମା’ ହିସାବଟା...

 

ମୀର୍ଣ୍ଣା—ହିସାବ ? ତୁମେ ଆଉ ଦୁଇ ଦିନ ରୁଟି ଦେଲେ ଜାମାର ଦାମ ମୁଁ ପାଇଯିବି । ବୁଝିଲ ?

 

ରୁଟିବାଲା—ହଁ, ମା ! (ଚାଲିଗଲା)

 

ମୋହନ—ମୁଁ କିଛି ବୁଝିପାରୁ ନାହିଁ ମୀର୍ଣ୍ଣା ଦେବୀ—ଏଇ ରୁଟି ଆଉ ଜାମାର କାରବାର–

 

ମୀର୍ଣ୍ଣା—ଆପଣ ଇତିହାସ ପଢ଼ି ନାହାନ୍ତି—ସେଇ ଆଦିମ ଯୁଗର କଥା—ଟଙ୍କା ପଇସାର ପ୍ରଚଳନ ଯେତେବେଳେ ନ ଥିଲା । ମୁଁ ସେଇ ଯୁଗକୁ ଫେରିଯାଇଚି—ଜାମା ତିଆରି କରି ତା’ ବଦଳରେ ରୁଟି ଆଉ ଦୁଧ କିଣୁଚି—

 

ମୋହନ—(ସ୍ତବ୍ଧ ହେଇ ମୀର୍ଣ୍ଣା ମୁହଁକୁ ଚାହିଁରହିଲା) ଆପଣଙ୍କ ଗଙ୍ଗାକୂଳ ବଗିଚା କିମିତି ଚାଲିଚି ?

 

ମୀର୍ଣ୍ଣା—ଅନ୍ୟ ଉପରେ ନିର୍ଭର କଲେ ଯାହାହୁଏ ନିଜେ ତ ଦେଖାଶୁଣା କରିବାର ଉପାୟ ନାହିଁ...ବାପାଙ୍କୁ ଛାଡ଼ି ଯିବି କିମିତି ? ତଥାପି ସେଇଥିରୁ ସବୁ ଚଳିଯାଉଚି...

 

ମୋହନ—ବାପା କେମିତି ଅଛନ୍ତି ?

 

ମୀର୍ଣ୍ଣା—କେମିତି ଆଉ ରହିବେ...କୁହନ୍ତୁ—ପରିବର୍ତ୍ତନର ତ କୌଣସି କାରଣ ନାହିଁ ।

 

ମୋହନ—ତାଙ୍କର ଅତ୍ୟାଚାର ମୁଣ୍ଡରେ ବହି ଏ କଲିକତା ସହରରେ ଏ ଅବସ୍ଥାରେ ଆପଣ ରହିପାରିଛନ୍ତି କିମିତି ?

 

ମୀର୍ଣ୍ଣା—ଆପଣଙ୍କର ହିଂସା ହେଉଚି ବୋଧହୁଏ ?

 

ମୋହନ—ହିଂସା !

 

ମୀର୍ଣ୍ଣା—ହଁ, ମୋ’ପରି ଜଣେ ଅସହାୟୀ ଓଡ଼ିଆ ଘର ସ୍ତ୍ରୀ ଏ କଲାକତା ସହରରେ ମୁଣ୍ଡଟେକି ଠିଆହେଇ ପାରିଚି ଆଉ ଆପଣ ଜଣେ ପୁରୁଷ ହେଇ ଜୀବନସଂଗ୍ରାମକୁ ଡରି ପଳେଇ ଆସିଲେ ! କ’ଣ ଭାବୁଚନ୍ତି ? ଆଚ୍ଛା, ନୀଳା କଥା କୁହନ୍ତୁ... କେମିତି ଅଛି ସେ, କିଛି ଖବର ପାଇଛନ୍ତି...

 

ମୋହନ...ପାଇଚି ?

 

ମୀର୍ଣ୍ଣା—କେମିତି ଅଛି ସେ, ଭଲ ଅଛି ତ ?

 

ମୋହନ—(ନୀରବ)

 

ମୀର୍ଣ୍ଣା—ବାଃ, କହୁ ନାହାନ୍ତି କାହିଁକି ? .....ଓଃ....ତା’ କଥା ମୋତେ ଜଣେଇବେ ନାହିଁ ପରା.... ?

 

ମୋହନ—ଜଣେଇବାର ବିଶେଷ କିଛି ନାହିଁ...ସେ ଚାକିରି କରୁଚି....

 

ମୀର୍ଣ୍ଣା—ଚାକିରି...କି...ଚାକିରି...କେଉଁଠି ?

 

ମୋହନ—କହିପାରିବିନି ତେବେ ଏତିକି ଜାଣେ ସେ କଟକ ଛାଡ଼ି ଚାଲିଆସିଚି ।

 

ମୀର୍ଣ୍ଣା—ହୁଁ...ଏ ଆଶଙ୍କା ମୁଁ ମଧ୍ୟ କରୁଥିଲି...

 

ମୋହନ—କାହିଁକି ?

 

ମୀର୍ଣ୍ଣା—କାରଣ ତା’ ଜୀବନର ମୂଲ୍ୟ ସେ ବୁଝିଚି…। ଜୀବନଟା କ’ଣ ? ପ୍ରକୃତିର ଏକ ବିରାଟ ଶକ୍ତି...ତା’ର ପରିଚୟ ସେ ପାଇଚି । ତା’ ଜୀବନର ବ୍ୟର୍ଥତାକୁ ଘେନି ନୀଳା ଆଜି ବଞ୍ଚିରହିଚି । କାରଣ ତା’ ନିକଟରେ ତା’ ଜୀବନଟା ବଡ଼ ଆଉ ବ୍ୟର୍ଥତା ତୁଚ୍ଛ—ଜୀବନଶକ୍ତିର ଏ ସନ୍ଧାନ ତାକୁ ବଞ୍ଚି ରହିବାର ଅଧିକାର ଦେଇଚି...

 

ମୋହନ—କିନ୍ତୁ ଏପରି ବଞ୍ଚି ରହିବାଟା କ’ଣ ବିପଜ୍ଜନକ ନୁହେଁ ? ଏଥିରେ କ’ଣ ବିପଦ ନାହିଁ... ?

 

ମୀର୍ଣ୍ଣା—ଯୁଗ ଯୁଗ ଧରି ଅପେକ୍ଷା କଲେ ମଧ୍ୟ ପୃଥିବୀ ତା’ର ସୁଖ ସମ୍ଭାର ଆଣି ଆପଣଙ୍କ ପାଦତଳେ ଅଜାଡ଼ି ଦେଇ ଯିବନି...ବିପଦର ଦ୍ୱାହି ଦେଇ ପଳାଇଗଲେ...ଆପଣ କ’ଣ ସମ୍ପଦର ସମ୍ମୁଖୀନ ହେବେ ?

 

ମୋହନ—କିନ୍ତୁ ସମ୍ପଦ ତ ମୋ ଜୀବନର ଲକ୍ଷ୍ୟ ନୁହେଁ....

 

ମୀର୍ଣ୍ଣା—ଆପଣ ଭାରି ଗୋଳମାଳିଆ କଥା କହୁଚନ୍ତି ମୋହନ ବାବୁ ! କ’ଣ ଯେ ଆପଣଙ୍କ ଜୀବନର ଲକ୍ଷ୍ୟ, ଆପଣ ନିଜେ ହୁଏତ ତା’ ଜାଣନ୍ତି ନାହିଁ । ଛବି ଆଙ୍କି ପେଟ ପୋଷିବା ଥିଲା ଆପଣଙ୍କର ଲକ୍ଷ୍ୟ...ଅଥଚ ନୀଳାର ଛବିକୁ ଆପଣ ବିକିଲେ ନାହିଁ । ନୀଳାକୁ ବିବାହ କରିବାକୁ ଆପଣ ଚାହାନ୍ତି ଅଥଚ ନିଜର ଦାରିଦ୍ର୍ୟର ଦ୍ୱାହି ଦେଇ ଘରଦ୍ୱାର, ନୀଳା ସମସ୍ତଙ୍କୁ ଛାଡ଼ି କଲିକତା ପଳେଇ ଆସିଲେ । ମଣିଷପରି ବଞ୍ଚି ରହିବାର ଅଧିକାର ଆଶାରେ କଲିକତା ଆସିଲେ–ବର୍ତ୍ତମାନ କହୁଚନ୍ତି ସମ୍ପଦ ଆପଣଙ୍କର ଜୀବନର ଲକ୍ଷ୍ୟ ନୁହେଁ...ତେବେ ସେ ବଞ୍ଚି ରହିବାର ଅଧିକାରର ଅର୍ଥ କ’ଣ ? କହୁ ନାହାନ୍ତି ? କହନ୍ତୁ ! (ମୋହନ କିଛି କହିପାରିଲା ନାହିଁ, ମୀର୍ଣ୍ଣାର କଥାରେ ଆହତ ହୋଇ ତା’ ମୁହଁକୁ ସୁଦ୍ଧା ଚାହିଁପାରିଲା ନାହିଁ) କ୍ଷମା କରନ୍ତୁ ବାବୁ...ଏସବୁ କଥା କହି ମୁଁ ଆପଣଙ୍କୁ ଖୁବ୍ ଆଘାତ ଦେଇଚି ।

 

ମୋହନ—ଆଘାତ ମୁଁ ପାଇଚି ସତ ମୀର୍ଣ୍ଣା ଦେବୀ ! କିନ୍ତୁ ଏ ଆଘାତ ପାଇଁ ମୁଁ ଆପଣଙ୍କଠାରେ କୃତଜ୍ଞ, ଜୀବନରେ କେବଳ ଗୋଟାଏ ନିଷ୍ଫଳ ସ୍ୱପ୍ନ ଦେଖିବା ଛଡ଼ା ବଞ୍ଚି ରହିବାର କୌଣସି ନିର୍ଦ୍ଦିଷ୍ଟ ପନ୍ଥା ଖୋଜି ବାହାର କରିବାର ଚେଷ୍ଟା ମୁଁ କରିପାରିନି... ଆଜି ଆପଣଙ୍କର ଏ କଥା ଶୁଣି ମୋର ଭୁଲ ମୁଁ ସ୍ୱୀକାର କରୁଛି...

 

ମୀର୍ଣ୍ଣା—(ଆଶ୍ୱସ୍ତ ହୋଇ) ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଚି ମୋହନବାବୁ—ଆପଣ ବଞ୍ଚି ରହନ୍ତୁ, ଆପଣଙ୍କର ଆଦର୍ଶ ବଞ୍ଚି ରହୁ । ନୀଳା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ...ନାରୀ ତା’ର ପ୍ରିୟତମ ପୁରୁଷ ପାଇଁ ଯୁଗ ଯୁଗ ଧରି ଅପେକ୍ଷା କରି ରହିପାରେ—ଏ ଦୃଷ୍ଟାନ୍ତ ସବୁଦିନ ସବୁଠାରେ ଥିଲା, ଆଜି ବି ରହିଚି... । ଆଚ୍ଛା, ମୋର ଗୋଟାଏ ଅନୁରୋଧ, ଆଜି ଆପଣ ଆମ ଘରେ ଖାଇବେ...

 

ମୋହନ—କାହିଁକି ?

 

ମୀର୍ଣ୍ଣା—ମୁଁ ଖୁବ୍ ବଡ଼ ଚୁଙ୍ଗୁଡ଼ି ମାଛର କାଲିଆ କରିଚି । (ମୋହନ ବିସ୍ମିତ ହେଇ ମୀର୍ଣ୍ଣା ମୁହଁକୁ ଚାହିଁ ରହିଲା) କ’ଣ ବିଶ୍ୱାସ କରୁ ନାହାନ୍ତି ? ଓଃ, ଜାମା ବିକି ରୁଟି ଦୁଧ କିଣିଚି ବୋଲି ! କିନ୍ତୁ ମୋ ବେକର ଏ ହାରଟା ଦେଖୁଛନ୍ତି.....ବହୁତ ବେଶୀ ଦାମ..

 

ମୋହନ—ମୁଁ ଆପଣଙ୍କୁ ମୋଟେ ଚିହ୍ନିପାରିଲି ନାହିଁ ମୀର୍ଣ୍ଣା ଦେବୀ ! ଦିନକୁ ଦିନ ଆପଣ ମୋ ନିକଟରେ ଯେମିତି ଏକ ପ୍ରହେଳିକା ହୋଇ ଉଠୁଛନ୍ତି...

 

ମୀର୍ଣ୍ଣା–(ହସି) ଆପଣ ନିଜକୁ ତ ନିଜେ ଚିହ୍ନି ନାହାନ୍ତି, ମୋତେ ଚିହ୍ନିବେ କ’ଣ ?

 

ମୋହନ—ଏହି କଥା କହି ମତେ ଭୁଲେଇଦେବେ ?

 

ମୀର୍ଣ୍ଣା—ଆଚ୍ଛା, ଆପଣ କୁହନ୍ତୁ...ଏ ପଡ଼ାର ବାସିନ୍ଦାମାନଙ୍କର ମୋ ସମ୍ବନ୍ଧରେ ଧାରଣା କ’ଣ ?

 

ମୋହନ—ମୁଁ ଭଲଭାବେ ଜାଣେ ଆପଣଙ୍କର ସାଧାରଣ ପରିଚୟ ପାଇବାର ସୁଯୋଗ ଆପଣ ସେମାନଙ୍କୁ ଦେଇ ନାହାନ୍ତି... ।

 

ମୀର୍ଣ୍ଣା—ଆପଣଙ୍କୁ ତ ଦେଇଚି...ଆପଣ ତା’ହେଲେ ମୋତେ ଭଲଭାବେ ଚିହ୍ନିପାରୁ ନାହାନ୍ତି କାହିଁକି ?

 

ମୋହନ—ମୁଁ ଆପଣଙ୍କୁ ଯେତିକି ଜାଣେ ସେଇ ଯଥେଷ୍ଟ...ଆଉ ଜାଣିବାର ଆଗ୍ରହ ମୋର ନ ରହୁ ।

 

ମୀର୍ଣ୍ଣା—କାରଣ ମୋ ବୟସର, ମୋ ଅବସ୍ଥାର ଜଣେ ଭଦ୍ରମହିଳାଙ୍କ ସମ୍ବନ୍ଧରେ ସବୁକିଛି ଜାଣିବାର ଆଗ୍ରହ ଦେଖାଇବା ଯେକୌଣସି ପୁରୁଷ ପକ୍ଷେ ଆଦୌ ସୁନ୍ଦର ନୁହେଁ ଏଇୟା ନା ? ଆଚ୍ଛା ବର୍ତ୍ତମାନ ଆପଣ କୁହନ୍ତୁ, ଆପଣ ମୋ’ ନିମନ୍ତ୍ରଣ ରକ୍ଷା କରୁଛନ୍ତି ତ ?

 

ମହାପାତ୍ର—(ପ୍ରବେଶି) କାହାକୁ ତୁ ନିମନ୍ତ୍ରଣ କରୁଚୁ ମୀର୍ଣ୍ଣା—ଓଃ ମୋହନ ! ତୁମେ ଆସିଚ ? ପଚାର ମୀର୍ଣ୍ଣାକୁ ପଚାର...ମୀର୍ଣ୍ଣା ସାକ୍ଷୀ କେତେଥର ମୁଁ ତୁମକୁ ଖୋଜି ଗଲିଣି । ମୁଁ ଜାଣେ ? ମୀର୍ଣ୍ଣା ଆଜି ଗୋଟାଏ ପାର୍ଟି ଦଉଚି...ସେ ନିଶ୍ଚୟ ତୁମକୁ ନିମନ୍ତ୍ରଣ କରିଥିବ । ଅନ୍ୟମାନେ କାହାନ୍ତି ମୀର୍ଣ୍ଣା ? ଓଃ ହଲରେ । ଆଚ୍ଛା ଆଚ୍ଛା, ମୁଁ ହଲ୍‍କୁ ଯାଉଛି (ଯାଉଁ ଯାଉଁ ପୁଣି ଫେରି) ଆଚ୍ଛା ମୋହନ, ତମେ କାହିଁକି ଏଠିକି ଆସ—କ’ଣ କାମ ତମର ଏଠି ?

 

ମୀର୍ଣ୍ଣା—ସେ ପରା ମୋର ଗୋଟେ ଛବି ଆଙ୍କିଦେବେ....

 

ମହାପାତ୍ର—ଓଃ, ଛବି ଆଙ୍କିବ—ମୀର୍ଣ୍ଣାର ଛବି ଆଙ୍କିବ ମୋହନ ! —ମୀର୍ଣ୍ଣା ! This colourless girl ! ଏଇ ରଙ୍ଗହୀନ ପ୍ରତିମାର ପ୍ରାଣହୀନ ଛବି ଆଙ୍କିବ ମୋହନ ବାଃ, ବାଃ, ବେଶ୍ ହେବ...ବେଶ୍ ହେବ ! କିନ୍ତୁ ମୀର୍ଣ୍ଣା, ତୁ ତାକୁ ଚଞ୍ଚଳ ବିଦାୟ କର...ସେ ଶିଳ୍ପୀ ହେଲେ ବି ମଣିଷ... ତୂଳୀର ଗୋଟାଏ ଗାରରେ ସେ ତୋ ମୁହଁରେ ହସ ଫୁଟେଇ ଦେଇ ଆଉ ଗୋଟିଏ ଗାରରେ ସେ ତୋ ଆଖିରୁ ଲୁହ ଝରାଇ ଦେବ...ତୁ ତାକୁ ଚଞ୍ଚଳ... ବିଦାୟ କର....ଚଞ୍ଚଳ.....

 

ଷଷ୍ଠ ଦୃଶ୍ୟ

 

[କାଠଗଡ଼ା ସାହିର ରାସ୍ତା—ମଧୁ ମହାରଣା ଆସିଲେ । ସେ ଏକାବେଳେ ଦୁର୍ବଳ ହୋଇପଡ଼ିଛନ୍ତି ।]

 

ମଧୁ—ଏଇତ କାହ୍ନୁ...ମୁଁ ତୁମ ଘରକୁ ଯାଉଥିଲି...

 

କାହ୍ନୁ—ଆହା...କାହିଁକି ଏତେ କଷ୍ଟ କରି ଆସିଲ ଖବରଟା ଦେଇଥିଲେ ତ ମୁଁ ସାଙ୍ଗେ ସାଙ୍ଗେ ଯାଇ ହାଜର ହେଇଥାନ୍ତି ।

 

ମଧୁ—ଛାଡ଼ କାହ୍ନୁ...କୁହ ମୋ କଥା କ’ଣ ବୁଝିଲ ?

 

କାହ୍ନୁ—କିଛି ହୋଇପାରିଲା ନାହିଁ...ସିମିତି ସୁବିଧା ଲୋକ କେଉଁଠି ପାଇଲି ନାହିଁ, ବିକ୍ରି କରିଦେଲେ ଗରାଖ ମିଳନ୍ତେ ।

 

ମଧୁ—ବିକ୍ରି ! ବିକ୍ରି କରିଦେବୁ କାହ୍ନୁ...ସାତପୁରୁଷର ଭିଟାମାଟି ! ହଁ, ନ ଦିଅନ୍ତି ବା କାହିଁକି...କିଏ ଅଛି...କାହାପାଇଁ ରଖିବି ? ଖାଲି ବେଳେବେଳେ ଭାବେ, ଯଦି କେବେ ସେ ହତଭାଗିନୀଟା ସାହା ନ ପାଇ ଫେରିଆସେ... ତେବେ ମୁଣ୍ଡ ଗୁଞ୍ଜିବାପାଇଁ ତ ଜାଗାଟିକେ ପାଇବ ନାହିଁ... ଶେଷକୁ ବୁଲି ବୁଲି ଭିକ ମାଗିବ ସିନା !

 

କାହ୍ନୁ—ଥାଉ...ଥାଉ ଭାଇ ! ସେଥିରୁ ଆଉ କ’ଣ ମିଳିବ... ତମେ ଘରକୁ ଚାଲ ।

 

ମଧୁ—ହଉ ତା’ ଭାଗ୍ୟରେ ଯାହା ଥିବ (ଯାଉ ଯାଉ) ମୁଁ ଯାଉଚି କାହ୍ନୁ...ହେଲେ ତମସୁକ ରହିଲା । ଏ ଘରେ ମୋର ଆଉ ଟିକେହେଲେ ମନ ନାହିଁ, କେମିତି ଯାଇ କଉ ତୀର୍ଥବାସ କରିବି—

 

କାହ୍ନୁ—ଆଚ୍ଛା, ମଧୁଭାଇ ! ଟଙ୍କାଟା ନେଇ ତୁମେ ନବଦ୍ୱୀପ ଯିବ ନା ?

 

ମଧୁ—ହଁ, ବାବାଜି ବାବା ଯେତେବେଳେ ଲେଖିଚନ୍ତି, ଆଉ କଉଠିକି ଯିବି କାହିଁକି ? ଲେଖିଚନ୍ତି ତୁ ଏଠିକି ଚାଲିଆ—ତୋର ଯେତେଦିନ ଇଚ୍ଛା ଏଠି ରହିବୁ । ହଁ କାହ୍ନୁ, ମୁଁ ଯିବି । ସେ ଲୁଚିକରି ମତେ ଆଜିଯାଏ କେଉଁଠି ରହିଲା—ମୁଁ ସେମିତି ତା’ କଥା ଜାଣିବି ନାହିଁ କି ଶୁଣିବି ନାହିଁ ବୋଲି ତା’ଠାରୁ ଲୁଚି ଲୁଚି ପଳେଇ ଯାଉଚି—ଯଦି ହତଭାଗିନୀଟା କଉଠି ସାହା ନ ପାଇ ଫେରିଆସେ, ତାକୁ ଟିକେ....

 

କାହ୍ନୁ—ଏ କି କଥା ଭାଇ, ଏଠି ତମ ଘରଦ୍ୱାର—ତମ ଝିଅ ଆସିଲେ ଏଠି ରହିବନି ତ ଆଉ କେଉଁଠି ରହିବ ? ମତେ ଖାଲି ତମ କଥା ବାଧୁଚି । ତମ ଭଳିଆ ଲୋକ ଏ ଘରଦ୍ୱାର କଟକ ସହର ଛାଡ଼ି ଚାଲିଯିବ ? (ମଧୁ ଯାଉଥିଲା) ମଧୁ ଭାଇ ! ତମର ଏଇନେ କେତେ ଟଙ୍କା ହେଲେ ଚଳିବ ?

 

ମଧୁ—ମୋ ଚଳିବାରେ କ’ଣ ଅଛି କାହ୍ନୁ । ସାତଶହ ଟଙ୍କାରେ ଘରଡିହ ବନ୍ଧାଦେବି; ତିନି ବର୍ଷକୁ କଣ୍ଟ କବଲା—

 

କାହ୍ନୁ—ମୁଁ ଗୋଟେ କଥା କହୁଥିଲି ।

 

ମଧୁ—କ’ଣ ?

 

କାହ୍ନୁ—ଶଙ୍କରା ଏଥର କଲିକତାରେ ଖଣ୍ଡେ ଭଲ ଚାକିରି କରି କିଛି ଟଙ୍କାପଇସା ପଠେଇଥିଲା, ମୋ ପାଖରେ ପାଞ୍ଚଶ ଯାଏ ଟଙ୍କା ଅଛି ।

 

ମଧୁ—ଏକଥା ତମେ ମତେ ଆଜିଯାଏଁ କହିନ କାହ୍ନୁ ! ଇଏତ ବଡ଼ ଭାଗ୍ୟର କଥା, ନିଜ ନିଜ ଭିତରେ ସବୁ ହେଇଯିବ ।

 

କାହ୍ନୁ—ଏଇନେ ପାଞ୍ଚଶ ଦେବି—ବାକି ଦୁଇ ଶହ ଦେବି ହପ୍ତାଏ ଦୁଇ ହପ୍ତା ପରେ; ନ ହେଲା ବେଳକୁ ଶଙ୍କରା ବୋଉର ଖଣ୍ଡେ ଅଧେ ଗହଣା ଅଛି ତାକୁ ବନ୍ଧାଛନ୍ଦା ପକେଇ...

 

ମଧୁ—କାହିଁକି କାହ୍ନୁ—ଏତେଦୂର ଯାଏ ଯିବ କାହିଁକି ? ତମଠି କ’ଣ ମୋର ଅବିଶ୍ୱାସ ଅଛି ?

 

କାହ୍ନୁ—ମୁଁ କାହିଁକି ଏ ନନ୍ଦଛନ୍ଦରେ ପଶନ୍ତି କି, ଖାଲି ତମ ଭଳିଆ ଲୋକ ଏମିତି ହଇରାଣ ହେଉଚ ବୋଲି...

 

ମଧୁ—ତମେ ମୋର ଖୁବ୍ ଉପକାର କରିଚ କାହ୍ନୁ, ଚାଲ ଆଜି ମୁଁ ଷ୍ଟାମ୍ପ କିଣି ଆଣୁଚି ।

 

କାହ୍ନୁ—ଆହା, ଇମିତି ଅଥୟ ହଉଚ କାହିଁକି ? ଆଜି ଦିନଟା ଭଲ ନୁହେଁ । କାଲି ସକାଳେ ସେସବୁ କାମ ହେବ, ତମେ ଏଇନେ ଘରକୁ ଯାଅ—

 

ମଧୁ—ହଉ, କାଲି ସକାଳକୁ ତା’ହେଲେ କଥା ରହିଲା—ମୁଁ ଯାଉଚି—

 

ସପ୍ତମ ଦୃଶ୍ୟ

 

[କୁମାର ସାହେବଙ୍କ ବାସଭବନରେ ଗୋଟାଏ କୋଠରୀ—ସାଜସଜ୍ଜା କିଛି ନାହିଁ କହିଲେ ଚଳେ—ଚଟାଣ ଉପରେ ଗୋଟାଏ ମୃଗଛାଲ ବିଛାଇ ବସିଛି ନୀଳା—ତା’ର ପରିଧାନ ସାଧା ସୂତାର ଶାଢ଼ି ! ଟିକିଏ ପରେ ଘରକୁ ଅତି ସନ୍ତର୍ପଣ ଭାବରେ ଆସିଲେ କୁମାର—ନୀଳାକୁ ଏ ଅବସ୍ଥାରେ ଦେଖିବାକୁ ସେ ଯେପରି ଆଗରୁ ପ୍ରସ୍ତୁତ ଥିଲେ । ନୀଳା ଭଗବାନଙ୍କୁ ପ୍ରାର୍ଥନା କରି ଗୀତଟି ଗାଉଥାଏ ]

 

ଗୀତ

 

ତୁମରି ଭରସା ଆଶାରେ ଯଦି

ଚାଲିଛି ଚଲା ପଥେ

ହେ ଅଦେଖା ଦେବତା କହ

ଆଉ ଖେଳିବ ଖେଳ କେତେ ।। ୦ ।।

ଦାନୀର ଛଳନା କରି

ତୁମେ ଲୁହେ ଦିଅ ଲୁହ ଭରି

ପଚାରିଲେ ମୁହଁ ଖୋଲି ଗୋପନେ

ନ କହ କଥା ପଦେ ।। ୧ ।।

ସତ ସୁନା ଶିରୀ ନିରେଖିବା ଲାଗି

ପରଖିଛି ଯଦି ଥରେ

ବାର ବାର କାହିଁ କଷଟିପଥରେ

କଷିବାର ନିଶା ଧରେ

ପାରିବ ନାହିଁ, ପରଖି ହୋଇ

ଦେବ ! ମୁକତି ଦିଅ ମତେ ।। ୨ ।।

 

(ଗୀତ ଶେଷରେ ଦେଖିଲା କୁମାରଙ୍କୁ—ଦେଖି ସେ ଟିକେ ସଂକୁଚିତା ହେଇପଡ଼ିଲା; କିନ୍ତୁ ପରେ ପରେ ସେ ନିଜକୁ ପ୍ରକୃତିସ୍ଥା କରିନେଲା ।)

 

ନୀଳା—ଆପଣ ଅନ୍ୟାୟ କରିଚନ୍ତି ! (କୁମାର ସ୍ଥିର ଦୃଷ୍ଟିରେ ନୀଳା ଆଡ଼େ ଚାହିଁ ରହିଲେ) ମୋର ଅନୁମତି ନ ନେଇ ଆପଣ ଏ ଘର ଭିତରକୁ ଆସିଚନ୍ତି—

 

କୁମାର—ଆଉ କିଛି କହିବ ?

 

ନୀଳା—ଯା କହିଚି ତା’ କ’ଣ ଯଥେଷ୍ଟ ନୁହେଁ ?

 

କୁମାର—ହୁଁ, କିନ୍ତୁ ଏମିତି ଅନୁମତି ଦେବାପାଇଁ ସ୍ୱାଧୀନତା ତୁମକୁ ଦେଇଥିଲା କିଏ ?

 

ନୀଳା—ସ୍ୱାଧୀନତା ନୁହେଁ, ସର୍ତ୍ତ ! ଯେକୌଣସି ଅବସ୍ଥାରେ ହେଉନା କାହିଁକି ମୋର ବିନା ଅନୁମତିରେ ଆପଣ ମୋ ସହିତ ଦେଖା କରିପାରିବେ ନାହିଁ; ଏଇ ସର୍ତ୍ତ ଆପଣଙ୍କ ସହିତ ମୋର ହେଇଥିଲା ନା ?

 

କୁମାର—ସର୍ତ୍ତକୁ ଯଦି ମୁଁ ଅସ୍ୱୀକାର କରେ !

 

ନୀଳା—ଅସ୍ୱୀକାର ତ କରିସାରିଛନ୍ତି....

 

କୁମାର—ନୀଳା !

 

ନୀଳା—କେତେଥର ମୁଁ ଆପଣଙ୍କୁ କହିଚି—ଆପଣ ମୋତେ ନୀଳା ବୋଲି ଡାକିବେ ନାହିଁ...

 

କୁମାର—ମୁଁ ପୁଣି କହୁଚି ନୀଳା—ଜୀବନଟା ଫାଙ୍କି ଫୁଙ୍କି ଉଡ଼େଇ ଦବାର ଜିନିଷ ନୁହେଁ—ଜୀବନର ତମର ମୂଲ୍ୟ ଅଛି...

 

ନୀଳା—ଜୀବନର ମୂଲ୍ୟ ? ଏ ଜୀବଜଗତରେ ସମସ୍ତଙ୍କର ଅଛି କୁମାର ସାହେବ ! କିନ୍ତୁ ସେ ମୂଲ୍ୟ ଦବାର ଅଧିକାର ତ ସମସ୍ତଙ୍କର ନାହିଁ...

 

କୁମାର—ଯୁକ୍ତିର ଆଶ୍ରୟ ନେଇ ତୁମେ ଆଉ ବଙ୍କା ବାଟରେ ଯାଅନାହିଁ ନୀଳା !

 

ନୀଳା—ମତେ ବାଟ ଦେଖାଇବା ପାଇଁ ଆପଣଙ୍କ ସାହାଯ୍ୟ ତ ମୁଁ କେବେ ଚାହିଁ ନାହିଁ-

 

କୁମାର—ମୋର ସାହାଯ୍ୟ ତୁମେ ନ ଚାହିଁପାର, କିନ୍ତୁ ତୁମପ୍ରତି ଯେ ମୋର ଗୋଟାଏ କର୍ତ୍ତବ୍ୟ ଅଛି—ଏ କଥା ତ ତୁମେ ଅସ୍ୱୀକାର କରିପାରିବ ନାହିଁ...

 

ନୀଳା—ଶୁଣିଥିଲି ଆପଣଙ୍କର ମୋ ପ୍ରତି ସ୍ନେହ ଅଛି, ପ୍ରେମ ଅଛି, ଦୟା, ମାୟା, ମମତା ସବୁ ଅଛି—କିନ୍ତୁ ଆଜି ଏଇ ପ୍ରଥମଥର ପାଇଁ ଶୁଣିଲି ଯେ, ମୋ ପ୍ରତି ଆପଣଙ୍କର କର୍ତ୍ତବ୍ୟ ମଧ୍ୟ ରହିଚି—

 

କୁମାର—ତୁମେ ତ ଜାଣ ? ଏଠିକାର ସମସ୍ତେ ଜାଣନ୍ତି ଯେ ତୁମେ....ତୁମେ...ମୋର...

 

ନୀଳା—ଯୁବରାଣୀ ସାହେବା—ଏଇୟା ନା ? କିନ୍ତୁ ଏଠାକାର ସମସ୍ତେ ଯାହା ଜାଣନ୍ତି...ସେ କଥାଟା ଆପଣ ନିଜେ ନିଜ ମୁହଁରେ ଉଚ୍ଚାରଣ କରିପାରିଲେ ନାହିଁ କାହିଁକି... ? କିଏ ବାଧା ଦେଲା... ? କୁହନ୍ତୁ...(କୁମାର ନିରୁତ୍ତର) ଆପଣଙ୍କର ବିବେକ...ଆପଣଙ୍କର ମନୁଷ୍ୟତ୍ୱ ଆପଣଙ୍କୁ ବାଧା ଦେଇଚି...

 

କୁମାର—ମୋ ଭିତରେ ମନୁଷ୍ୟତ୍ୱର ସୃଷ୍ଟି କରି....ତୁମେ ଜୋର କରି ତୁମ ନିଜ ପକ୍ଷ ସମର୍ଥନ କରୁଚ...ଏ ଗୋଟାଏ ତମର କେବଳ ଆଶ୍ୱାସନା...

 

ନୀଳା—ନା...ଆତ୍ମବିଶ୍ୱାସ...

 

କୁମାର—ତୁମେ ମତେ ଚିହ୍ନିନାହଁ ନୀଳା ?

 

ନୀଳା—ମୋ ନିଜକୁ ମୁଁ ଚିହ୍ନିଚି...

 

କୁମାର—ନା, ମୋର ଲକ୍ଷ୍ୟ ସାଧନବେଳେ ମୁଁ ଯେତେବେଳେ ନିର୍ମମ ହେବି, ନିଷ୍ଠୁର ହେବି–ଲୁହାର ମଣିଷ ପରି କଠୋର ହେବି...ସେତେବେଳେ ତୁମେ....

 

ନୀଳା—ମୁଁ ହେବି ଜଳନ୍ତା ନିଆଁ...ମୋ ନିକଟରେ ଆପଣଙ୍କର କୌଣସି ଅସ୍ତିତ୍ୱ ସୁଦ୍ଧା ରହିବ ନାହିଁ...

 

କୁମାର—ତମର ଏ ଦୁଃସାହସ ଦେଖି ମୋର ଦୁଃଖ ହେଉଛି ନୀଳା....

 

ନୀଳା—କାହିଁକି ? ଆପଣଙ୍କ ଘରେ ଆପଣଙ୍କର ବନ୍ଦିନୀ ହୋଇ ରହିଚି ବୋଲି.... ?

 

କୁମାର—ଥରକୁ ଥର ମୁଁ ଏଠିକି ଆସିଚି–ଆଉ ଫେରିଚି ଏହିପରି ରୂଢ଼ ଆଘାତ ଘେନି–କିନ୍ତୁ ଆଜି....

 

ନୀଳା—କହନ୍ତୁ, କ’ଣ କରିବାକୁ ଚାହାଁନ୍ତି– ?

 

କୁମାର—ଆଜି ଆଜି, ନା—ନୀଳା ! ଆଜି ମଧ୍ୟ ମୁଁ ଫେରିଯାଉଚି—(ପ୍ରସ୍ଥାନୋଦ୍ୟତ)

 

ନୀଳା—ଶୁଣନ୍ତୁ ! ମୋହନ ଛବି ଖଣ୍ଡିକ ବିକିଥିଲେ ଆଜି ଏ ଅବସ୍ଥା ହେଇନଥାନ୍ତା—

 

କୁମାର—ଛବିଟା ନ ବିକି ସେ କ’ଣ ଭୁଲ କରି ନାହିଁ ?

 

ନୀଳା—ଅତି ନିର୍ବୋଧ ଶିଶୁ ଭଳି ସେ ଭୁଲ କରିଛି, ଆଉ ତା’ର ସେ ଭୁଲର ସୁଯୋଗ ନେଇ ଆପଣ କରିଚନ୍ତି ଆଉ ଏକ ମହାଭୁଲ—

 

କୁମାର—କ’ଣ ତମେ କହିବାକୁ ଚାହଁ ?

 

ନୀଳା—ମୋହନ ପଳାତକ ହୋଇ ତା’ ଭୁଲର ପ୍ରାୟଶ୍ଚିତ୍ତ କରୁଚି, ଆଉ ଆପଣ ?

 

କୁମାର—ମୁଁ ମୋର ଭୁଲ ସ୍ୱୀକାର କରୁ ନାହିଁ—

 

ନୀଳା—କାରଣ ଜଣେ ସାଧାରଣ ଚୋର ଡକାୟତ ଭଳି ନ ଆଣି ଗୋଟାଏ ଚମତ୍କାର ବୈଜ୍ଞାନିକ ପ୍ରଣାଳୀରେ ମତେ ଆପଣ ଚୋରିକରି ଏଠାକୁ ଆଣିଚନ୍ତି ।

 

କୁମାର—ବାସ୍ତବିକ ନୀଳା—ତମର ଶିକ୍ଷା ହିଁ ତମର କାଳ ହେଉଚି । ନ ହେଲେ ଗୋଟାଏ ସାଧାରଣ ଜିନିଷକୁ ତମେ ଏପରି ରଙ୍ଗ ଦେଇ ଦେଖନ୍ତ କାହିଁକି ? ମୋହନ ଚାଲିଗଲା ପରେ ତମେ ଯେତେବେଳେ ଅତି ନିରାଶ୍ରୟା ହୋଇପଡ଼ିଥିଲ—ସେତେବେଳେ ତମେ ଏଠିକି ଆସିଚ—ଏଠି ଆଉ କିଛି ନ ହେଉ ତମେ ସାମାନ୍ୟ ଆଶ୍ରୟ ତ ପାଇଚ—ସାମାନ୍ୟ ଭରସା...

 

ନୀଳା—ଓଃ...ଆପଣ ଚୁପ୍ କରନ୍ତୁ—ଆଶ୍ରୟ—ଭରସା—!! ଜଣେ ଅସହାୟ ନାରୀର ବୋଧହୁଏ ୟା’ଠାରୁ ବଳି ବଡ଼ ଶତ୍ରୁ ଆଉ କେହି ନାହିଁ ....

 

କୁମାର—ତୁମେ ଭୁଲ ବୁଝୁଛ ନୀଳା | ଗୋଟାଏ କଥା ତୁମେ ଚିନ୍ତା କରି ଦେଖ—ଜଣେ ଭାଗ୍ୟବାନ୍‍ ପୁରୁଷର ଯାହା କିଛି ପ୍ରାପ୍ୟ ସେ ସମସ୍ତ ମୋର ଥାଉ ଥାଉ ମୁଁ କାହିଁକି ତମଠାରେ ନିଜକୁ ଇମିତି ନିଃସହାୟ ଭାବରେ ଅର୍ପଣ କରୁଚି—

 

ନୀଳା—ଏ ପ୍ରଶ୍ନର ଉତ୍ତର ମୋ’ଠାରେ ନାହିଁ—ମୁଁ ଖାଲି ଏତିକି ଜାଣେ ଯେ, ଗୋଟାଏ ଅଶୁଭ ମୁହୂର୍ତ୍ତରେ ମୋତେ ଦେଖି ଆପଣଙ୍କ ମନରେ ଯେଉଁ ବିକାର ଜନ୍ମିଥିଲା—ତା’ରି ଫଳ ଆଜି ମୁଁ ଭୋଗ କରୁଛି—

 

କୁମାର—ତେବେ ତମ ପ୍ରତି ମୋ ମନରେ କୌଣସି କୋମଳ ଅନୁଭୂତିକୁ ତମେ ସ୍ୱୀକାର କରିବ ନାହିଁ ?

 

ନୀଳା—ନା...

 

କୁମାର—ନୀଳା, ତମେ ବିଶ୍ୱାସ କର ନୀଳା—ମୋର ଏ କଥାରେ ଆଦୌ ଛଳନାର ସ୍ଥାନ ନାହିଁ । ମୁଁ ସତ୍ୟ—ସତ୍ୟରେ ତମକୁ... ମୁଁ ଭଲପାଏ ।

 

ନୀଳା—ନିର୍ବୋଧତାର ଗୋଟାଏ ସୀମା ଅଛି କୁମାର ସାହେବ । ଏଇ ଗୋଟାଏ କଥା ଆପଣ ମନେରଖନ୍ତୁ ଯେ, ଯେଉଁ ନାରୀ ଆପଣଙ୍କ ଜୀବନକୁ ଧନ୍ୟ କରିବ—ସେ ନାରୀ ମୁଁ ନୁହେଁ–କି ଯେଉଁ ପୁରୁଷ ମୋ ଜୀବନକୁ ଧନ୍ୟ କରିବ—ସେ ପୁରୁଷ ଆପଣ ନୁହନ୍ତି—

 

କୁମାର—ଅତି ସ୍ପଷ୍ଟ ଭାବେ ତମର ମନକଥା ତମେ ଆଜି ଜଣେଇ ଦେଇପାରିଚ ନୀଳା-। ତା’ହେଲେ ଆଉ ଟିକେ ସ୍ପଷ୍ଟ କରି କୁହ କ’ଣ ତମେ ଚାହଁ ? କୁହ ଯଦି ତମେ ମୁକ୍ତି ଚାହଁ ।

 

ନୀଳା—ମୁକ୍ତି !

 

କୁମାର—ହଁ, ମୁକ୍ତି; ମୁଁ ଜାଣେ ତୁମକୁ ଏଠୁ ମୁକ୍ତ କରିଦେଲେ ମତେ ହୁଏତ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ—ତଥାପି ମୁଁ ପ୍ରସ୍ତୁତ ଅଛି ନୀଳା ! କୁହ, ଯଦି ତୁମେ ମୁକ୍ତି ଚାହଁ (ଏତିକିବଳେ ନୀଳାର ଅଲକ୍ଷ୍ୟରେ ସେଠାକୁ ଆସିଲେ ଶ୍ରୀମତୀ ଦାସ, କୁମାରଙ୍କ କଥାରେ ତାଙ୍କ ମୁହଁରେ ବିସ୍ମୟର ଛାୟା)

 

ନୀଳା—ମୁକ୍ତି ! ଏଠୁ ମୁଁ ମୁକ୍ତ ହେବି । ନା—ନା ନା, ଏଠୁ ଯାଇ ମୁଁ ପୁଣି ହେବି ନିରାଶ୍ରୟା—ତା’ପରେ ଠିକ୍‍ ଆପଣଙ୍କ ପରି କେହି ମତେ ଦେବ ଆଶ୍ରୟ—ଏମିତି ଭରସା, ତା’ପରେ ନା—ନା କୁମାର ସାହେବ! ମୁଁ ମୁକ୍ତି ଚାହେଁ ନା; ମୁଁ ଚାହେଁ ନା—ମୁଁ ବୁଝିପାରୁ ନାହିଁ କ’ଣ ଆଜି ମୋର କାମ୍ୟ—କ’ଣ ମୋର ସମ୍ବଳ....

 

(କହୁ କହୁ ନୀଳା କାନ୍ଦୁଥିଲା—ଏଇ ସୁଯୋଗରେ ଶୀମତୀ ଦାସ ତା’ ନିକଟକୁ ଆଗେଇ ଆସି ଅତି ଆଦର ଭଙ୍ଗୀରେ ତାକୁ ନିଜ ଆଡ଼କୁ ଆଉଜାଇ ଆଣିଲେ—କୁମାର ସେ ଘରୁ ଚାଲିଗଲେ ଶ୍ରୀମତୀ ଦାସଙ୍କ ଇଙ୍ଗିତରେ)

 

ଶ୍ରୀମତୀ—ଏ ପୃଥିବୀରେ ପାଦଟିଏ ଚାଲିବାକୁ ହେଲେ ନାରୀର ପ୍ରଥମ ସମ୍ବଳ ହେଉଚି ପୁରୁଷର ଆଶ୍ରୟ, ପୁରୁଷର ବାହୁଛାୟା—(ନୀଳା ନିଜକୁ ତାଙ୍କଠାରୁ ମୁକ୍ତ କରିଆଣିଲା)

 

ନୀଳା—ଓଃ, ଆପଣ.....

 

ଶ୍ରୀମତୀ—ତମେ ଯେଉଁଠିକି ଯାଅ—ଯେଉଁ ଅବସ୍ଥାରେ ରୁହନା କାହିଁକି, ତୁମ ଜୀବନରେ ପୂର୍ଣ୍ଣତା ଆଣିଦେବ ଏକମାତ୍ର ପୁରୁଷ, ସେ କୁମାର ସାହେବ ହୁଅନ୍ତୁ ବା ମୋହନବାବୁ ହୁଅନ୍ତୁ—

 

ନୀଳା—ଆପଣଙ୍କ ଗୋଡ଼ତଳେ ପଡ଼ି କହିଥିଲି ନା, ଆଉ ଆପଣ ଏଠିକି ଆସିବେ ନାହିଁ ବୋଲି ?

 

ଶ୍ରୀମତୀ—ତମେ ମତେ ବିଶ୍ୱାସକର ନୀଳା—ମୁଁ ସବୁବେଳେ ତୁମର ଶୁଭକାମନା କରିଆସିଚି ।

 

ନୀଳା—ବଡ଼ଲୋକର ବିଧବା ବୋହୂ ସାଜି ଯେଉଁଦିନ ଆପଣ ମତେ ଆଶ୍ରୟ ଦେଇଥିଲେ, ଭବିଷ୍ୟତ ପାଇଁ ଭରସା ଦେଇଥିଲେ, ସେଦିନ ଏ ସଂସାରରେ ଏକା ଆପଣଙ୍କୁ ହିଁ ମୁଁ ବିଶ୍ୱାସ କରିଥିଲି । କିନ୍ତୁ ଆପଣ କଲେ କ’ଣ ? ଆପଣ ଭଦ୍ରଘରର ସ୍ତ୍ରୀ; ଆପଣଙ୍କର ଶିକ୍ଷା ଅଛି–ସ୍ୱାମୀ ସନ୍ତାନ ନେଇ ଆପଣ ଘର କରୁଛନ୍ତି—ଅଥଚ ଜଣେ ମତାନ୍ଧ ପୁରୁଷର ଇଙ୍ଗିତରେ ଆପଣ ଆପଣଙ୍କର ନାରୀଧର୍ମକୁ ଜଳାଞ୍ଜଳି ଦେଇ ଦେଲେ କିପରି ? ମୋ’ପାଇଁ ଫାନ୍ଦ ପାତିଲାବେଳେ ଆପଣଙ୍କର ସେଇ ନ’ବର୍ଷର ଝିଅଟି କଥା ମନେପଡ଼ିଲା ନାହିଁ; ଛି—ଛି—ଛି-

 

(ନୀଳା ଚାଲିଗଲା । ଶ୍ରୀମତୀ ଦାସ ସ୍ତବ୍ଧହୋଇ ଠିଆ ହୋଇଥାନ୍ତି । ନୀଳା ଚାଲିଗଲା ପରେ ତାଙ୍କ ଓଠରେ ତାଚ୍ଛଲ୍ୟର ହସ ଖେଳିଗଲା । ଟିକିଏ ପରେ ପୁଣି ଆସିଲେ କୁମାର—ସେ ଶ୍ରୀମତୀ ଦାସଙ୍କ ଅବସ୍ଥା ଦେଖି କିଛି ନ କହି କେବଳ ପଦଚାରଣ କରିବାକୁ ଲାଗିଲେ)

 

ଶ୍ରୀମତୀ—ମୋହନର ଚିନ୍ତା ଏପର୍ଯ୍ୟନ୍ତ ଛାଡ଼ିନି ?

 

କୁମାର—କେବେ ଯେ ଛାଡ଼ିବ ଏ ଆଶା ଆପଣଙ୍କର ଅଛି ?

 

ଶ୍ରୀମତୀ—କିଏ ଜାଣେ, ପୁରାଣରେ ପଞ୍ଚ ସତୀଙ୍କ କଥା ପଢ଼ିଛି—ଏ ହୁଏତ ଷଷ୍ଠ ସତୀ ହୋଇ ଜନ୍ମ ହୋଇଥିବ । କିନ୍ତୁ କୁମାର ସାହେବ ! ଆପଣଙ୍କର ହେଲା କ’ଣ ? ନୀଳା ନିକଟରେ ଆପଣ ଇମିତି ଦୁର୍ବଳ ହେଇ ପଡ଼ୁଚନ୍ତି କାହିଁକି ?

 

କୁମାର—ଠିକ୍ ଏଇ ପ୍ରଶ୍ନ ଆପଣଙ୍କୁ ମୁଁ ପଚାରିବି ବୋଲି ଭାବିଥିଲି, କାହିଁକି ମୁଁ ଦୁର୍ବଳ ହେଇପଡ଼ୁଚି ? ସେକ୍‍ସପିଅରଙ୍କ ନାଟକରେ ଜୁଲିଏଟ୍‍କୁ ଲକ୍ଷ୍ୟ କରି ରୋମିଓ କହିଥିଲେ ‘The beauty hath made me effiminate’—ମତେ ଏଠି ଦୁର୍ବଳ କରୁଚି କିଏ ? ନୀଳାର ସୌନ୍ଦର୍ଯ୍ୟ ନା ତା’ର ବ୍ୟକ୍ତିତ୍ୱ—

 

ଶ୍ରୀମତୀ—କିନ୍ତୁ ଏଣିକି ଆପଣଙ୍କୁ କଠୋର ହେବାକୁ ପଡ଼ିବ—

 

କୁମାର—ୟେ’ ଏକାବେଳେକେ ପିଲାଖେଳ ପରି କଥା ହେଉଚି ଶ୍ରୀମତୀ ଦାସ—ମୁଁ ବୁଝିପାରୁ ନାହିଁ, ମୁଁ କିମିତି କ’ଣ କଠୋର ହେବି ?

 

ଶ୍ରୀମତୀ—ହାତରେ ଚାବୁକ୍ ଧରିବା ପର୍ଯ୍ୟନ୍ତ ଆପଣଙ୍କୁ ଯିବାକୁ ପଡ଼ିବ ।

 

କୁମାର—ଚାବୁକ୍ ! ହାତରେ ଚାବୁକ୍‍ଧରି ମୁଁ ନୀଳାର ମନ ଜୟ କରିବି ?

 

ଶ୍ରୀମତୀ—ନାରୀ ଚରିତ୍ରର ବିଶେଷତ୍ୱ ତ ସେଇଠି ।

 

କୁମାର—ଧନ୍ୟ ନାରୀ ଆପଣ ! ତୁଳସୀପୁର କୋଠି କଥା ଆପଣଙ୍କର ମନେଅଛି ତ-? ବିଜ୍ଞାପନରେ ଭୁଲି ଆପଣଙ୍କର ଝିଅର ଗୃହଶିକ୍ଷୟିତ୍ରୀ ହେବାପାଇଁ ନୀଳା ଆପଣଙ୍କ ନିକଟକୁ ଆସିଲା—ମାସକୁ ମାତ୍ର ଶହେଟି ଟଙ୍କା ଦରମାରେ ସେ ଆପଣଙ୍କର ଘରେ ରହିବ—ଏତିକିରେ ସେ ଆପଣଙ୍କୁ କୃତଜ୍ଞତା ଜଣାଇବାର ଭାଷା ଖୋଜି ପାଇନଥିଲା—କିନ୍ତୁ ସେଇ ଝିଅ ନୀଳା...ଆଜି ଏଠି ନିର୍ବିକାର ଭାବରେ ଲକ୍ଷ ଲକ୍ଷ ଟଙ୍କାର ମୋହକୁ ପାଦରେ ଏଡ଼ାଇ ଦେଇ ଯାଉଚି । ...ତା’ପରେ ଶୁଣନ୍ତୁ—ନୀଳା ଜାଣେ, ଏଠି ସେ ବନ୍ଦିନୀ । ସେ ଜାଣେ, ଯୁଗଯୁଗାନ୍ତ ବିତିଗଲେ ସୁଦ୍ଧା ତା’ ନିଜ ଚେଷ୍ଟାରେ ଏଠୁ ସେ ମୁକ୍ତି ପାଇପାରିବ ନାହିଁ । ତଥାପି ସେ ଏଠୁ ମୁକ୍ତି ଚାହେଁନା; ଅଥଚ ଏଠି ମୋରି ଆଶ୍ରୟରେ ରହି ମୋତେ ଭର୍ତ୍ସନା କରିବାକୁ, ମତେ ଲାଞ୍ଛିତ, ଅପମାନିତ କରିବାକୁ ସେ ଟିକିଏ ସୁଦ୍ଧା କୁଣ୍ଠାବୋଧ କରେନା । ଏହା ହିଁ ବୋଧହୁଏ “ନାରୀ ଚରିତ୍ରର ବିଶେଷତ୍ୱ ?”

 

ଶ୍ରୀମତୀ—ବୁଝିଲି । ତା’ହେଲେ ନୀଳାକୁ ପାଇବାର ଆଶା ସମ୍ପୂର୍ଣ୍ଣ ରୂପେ ଛାଡ଼ି ଦିଅନ୍ତୁ–

 

କୁମାର—ଏ କଥା ନିଷ୍ପତ୍ତି କରିବା ପୂର୍ବରୁ ତା’ହେଲେ ମତେ ପୁରୁଷ ଚରିତ୍ର ସମ୍ବନ୍ଧରେ ଆପଣଙ୍କୁ ବୁଝେଇବାକୁ ପଡ଼ିବ—ଆପଣ ଆସନ୍ତୁ—(ଯିବାକୁ ଅଗ୍ରସର ହେଲେ)

 

ଶ୍ରୀମତୀ—ଶୁଣନ୍ତୁ ! (ବ୍ୟାଗରୁ ଖଣ୍ଡିଏ ଫଟୋ ବାହାର କରି କୁମାରଙ୍କୁ ଦେଲା)

 

କୁମାର—ଇସ୍, କି ସୁନ୍ଦରୀ ଏ ଝିଅଟା ?

 

ଶ୍ରୀମତୀ—ମୋର ସିଲେକ୍‍ସନ୍‍ ଯେ !

 

କୁମାର—ପରିଚୟ ?

 

ଶ୍ରୀମତୀ—ଜଣେ ମାଜିଷ୍ଟ୍ରେଟର ଝିଅ—

 

କୁମାର—ସର୍ତ୍ତ ?

 

ଶ୍ରୀମତୀ—ବିବାହର ପଣ ।

 

କୁମାର—ବିବାହ—କାହା ସାଥିରେ ?

 

ଶ୍ରୀମତୀ—ଜଣେ ଡାକ୍ତର ସାଥିରେ ତା’ର ବିବାହ ଠିକ୍ ହେଇସାରିଚି—ବର ଦୁଇ ଦଜାର ଟଙ୍କା ପଣ ନେବ—ବାପର ଟଙ୍କା ନାହିଁ...ସବୁ ମଦରେ ଉଡ଼ାଏ—ଧାର ଖୋଜୁଥିଲା...

 

କୁମାର—ପାଇଲା ନାହିଁ ନିଶ୍ଚୟ....

 

ଶ୍ରୀମତୀ—ନା, ଏତିକିବେଳେ ମୁଁ ଝିଅର କାନରେ ମନ୍ତ୍ର ଫୁଙ୍କିଲି । ଓଃ—କି ସାଧ୍ୟ, ସାଧନା । ବହୁ କଷ୍ଟରେ ରାଜି ହେଲା—ଏଣେ ବିଭାଘରର ମୋହ—ତେଣେ ବାପାର ଟଙ୍କା ନାହିଁ-

 

କୁମାର—ଏହିପରି ଭାବରେ ଟଙ୍କା ସଂଗ୍ରହ କରି, ସେଇ ଟଙ୍କାରେ ସେ ବିବାହ କରିବ.... !!

 

ଶ୍ରୀମତୀ—ବିବାହର ବୟସ ହୋଇଯାଇଚି । ମନଲାଖି ଚାକିରି କରିବା ଭଳି ଶିକ୍ଷା ନାହିଁ । ତା’ ତଳେ ପୁଣି ପାଞ୍ଚଟି ଭଉଣୀ, ଏଣେ ବରପକ୍ଷ ପ୍ରଥମେ ଚାହାନ୍ତି ଟଙ୍କା....ତା’ପରେ ଅନ୍ୟ କଥା ।

 

କୁମାର—ବହୁ ଭାବରେ ଦୁନିଆକୁ ଚିହ୍ନି ସୁଦ୍ଧା ଆହୁରି ବହୁତ ଚିହ୍ନିବାକୁ ବାକି ରହିଯାଇଚି । ଆଚ୍ଛା, ଆପଣ କି ବ୍ୟବସ୍ଥା କରୁଛନ୍ତି ଶୁଣେ ?

 

ଶ୍ରୀମତୀ—ଆଜି ସନ୍ଧ୍ୟା ସାତଟାରେ ଏସିଆନ ହୋଟେଲକୁ ସେ ଆସିବ । ହୋଟେଲରେ ସବୁ ବ୍ୟବସ୍ଥା ମୁଁ କରିଦେଇ ଆସିଚି ।

 

କୁମାର—ଦୟାକରି ତଳକୁ ଯାଇ ଫୋନରେ ସବୁ ବ୍ୟବସ୍ଥା ବନ୍ଦ କରିଦେଇ ଆସନ୍ତୁ ।

 

ଶ୍ରୀମତୀ—ଏ କ’ଣ କହୁଛନ୍ତି, ମୁଁ ତାକୁ କଥା ଦେଇଚି । କାଲି ତା’ର ଟଙ୍କା ଦରକାର.....

 

କୁମାର—ଟଙ୍କା ସେ ପାଇବ ।

 

ଶ୍ରୀମତୀ—ଅକାରଣରେ ଏତେଗୁଡ଼ାଏ ଟଙ୍କା ?

 

କୁମାର—ମୋ ଟଙ୍କାର ହିସାବ ତ ଆପଣ କେବେ ରଖନ୍ତି ନାହିଁ । ରଖନ୍ତି ଆପଣଙ୍କ ପର୍ସେଣ୍ଟେଜର ହିସାବ, ସେଇଟା ତ କୁଆଡ଼େ ଯାଉ ନାହିଁ....

 

ଶ୍ରୀମତୀ—କୁମାର ସାହେବ !

 

କୁମାର—ନୀଳାର କଥା ଅପେକ୍ଷା ମୋ କଥା ତ ବେଶି କଟୁ ନୁହେଁ ଶ୍ରୀମତୀ ଦାସ; ଯେଉଁ ବାଟରେ ଆପଣ ପାଦ ଦେଇଛନ୍ତି, ସେଥିରେ ଏମିତି କଥା ଶୁଣିବାକୁ ହୁଏ ।

 

ଶ୍ରୀମତୀ—ଆପଣ ମୋ ପ୍ରତି ଅବିଚାର କରୁଚନ୍ତି କୁମାର ସାହେବ ! କେବଳ ମୋରି ସ୍ୱାର୍ଥପାଇଁ କ’ଣ ମୁଁ ଏ ବାଟରେ ପାଦ ଦେଇଚି ? ଆଉସବୁ ଘଟଣା ଥାଉ—ଏଇ ନୀଳା ପାଇଁ ଆପଣଙ୍କ ପ୍ରରୋଚନାରେ ମୁଁ କଟକ ଗଲି । ବହୁ ଚେଷ୍ଟାରେ ଜାଣିପାରିଲି ଯେ, ସେ ଚାକିରି ଚାହେଁ-। ତା’ପରେ ମୋ ନିଜ ଦାୟିତ୍ୱରେ ମୁଁ ତାକୁ ଏଠାକୁ ଆଣିଲି...ଅଥଚ ଆଜି ଆପଣ...

 

କୁମାର—ମତେ କ୍ଷମା କରନ୍ତୁ ଶ୍ରୀମତୀ ଦାସ—ସେଇ ନୀଳାର ଚିନ୍ତାରେ ମୁଁ ଆଜି ସ୍ଥିର ରହିପାରୁ ନାହିଁ ।

 

ଶ୍ରୀମତୀ—ସେଇଥିପାଇଁ ମୁଁ କହୁଚି—ନୀଳାର ଔଦ୍ଧତ୍ୟକୁ ଭାଙ୍ଗି ଚୁରମାର କରିଦିଅନ୍ତୁ କିମ୍ବା ଭଲ ପିଲାଟି ପରି ତାକୁ ମୁକ୍ତି ଦେଇ ସ୍ୱସ୍ତିରେ ନିଃଶ୍ୱାସ ମାରନ୍ତୁ...

 

କୁମାର—ଆପଣଙ୍କର ଏ ଦୁଇଟା କଥାରୁ ମୁଁ କୌଣସିଟା ରଖିପାରୁନି ଶ୍ରୀମତୀ ଦାସ, ମୋ ଜୀବନର ଏଇ ଅବସ୍ଥାରେ ନୀଳା ହଉଚି ଏକମାତ୍ର ନାରୀ—ଯିଏ ମୋର କାମ୍ୟ ।

 

ଶ୍ରୀମତୀ—ଇସ୍, କି ଅଶୁଭ ମୁହୂର୍ତ୍ତରେ ଆପଣ ତାକୁ ଦେଖିଥିଲେ ?

 

କୁମାର—ତା’ଠାରୁ ବଳି ଅଶୁଭ ମୁହୂର୍ତ୍ତରେ ବୋଧହୁଏ ଆପଣଙ୍କର ସେଇ ଝିଅଟି ସହିତ ଦେଖା ହୋଇଥିଲା.... ଯାହାପାଇଁ ଆଜି ଆପଣ ଟଙ୍କା ସଂଗ୍ରହ କରିବାକୁ ଆସିଲେ ।

 

ଶ୍ରୀମତୀ—ଓଃ—ଏସବୁର ମୂଳରେ ତା’ହେଲେ ସେଇ ନୀଳା ? ଆଉ ଆପଣ ନାଳାକୁ ପ୍ରକୃତରେ ଭଲପାନ୍ତି ?

 

କୁମାର—ଭଲ ପାଇବା କଥାଟାର କୌଣସି ମୂଲ୍ୟ ଆପଣଙ୍କ ପାଖରେ ନାହିଁ, ମୁହଁ ଖୋଲି ଏ କଥାଟା କହିବାର ପ୍ରୟୋଜନ ବା କ’ଣ ? ଆପଣ ଏତିକି ଜାଣି ରଖନ୍ତୁ—ନୀଳା ପାଇଁ ମୁଁ ଶେଷପର୍ଯ୍ୟନ୍ତ ଅପେକ୍ଷା କରିବି ।

☆☆☆

 

Unknown

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(କଲିକତାରେ ଶଙ୍କରର ରହିବା ଘର–ଗୋଟିଏ ମଧ୍ୟମ ଆକାରର କୋଠରୀ–ବିଶେଷ ସାବଧାନତା ସହ କୋଠରୀଟିକୁ ପରିଷ୍କାର ପରିଚ୍ଛନ୍ନ କରି ରଖିବାର ଚେଷ୍ଟା କରାଯାଇଚି ବୋଲି ଜଣାଯାଉଚି । କିନ୍ତୁ ସମସ୍ତ କୋଠରୀଟିରେ ଗୋଟିଏ ବେତର ମୋଡ଼ା ବ୍ୟତୀତ ଅନ୍ୟ କୌଣସି ଉପକରଣ ନାହିଁ । କାନ୍ଥରେ ଗୋଟାଏ ସ୍ଥାନରେ ଭଲ ଫ୍ରେମରେ ବନ୍ଧା ଜଗନ୍ନାଥଙ୍କ ଛବି ଓ କାଳୀଙ୍କ ଛବି ଝୁଲୁଚି । ବେଶ୍ ତତ୍ପରତା ସହିତ ଶଙ୍କର ସେ ଘର ଭିତରକୁ ଆସିଲା ।)

 

ଶଙ୍କର—(ଅନ୍ତରାଳରେ ଥିବା ଜଣେ ଆଗନ୍ତୁକ ପ୍ରତି ଅଭ୍ୟର୍ଥନା ଭଙ୍ଗୀରେ) ଆସନ୍ତୁ ସାର୍, ଆସନ୍ତୁ–ଟିକିଏ ନଇଁପଡ଼ି ଆହା ହା-ବାଜିଲା ତ ? (ମଥା ଉପର ଆଉଁଷି ଆଉଁଷି ଆସିଲେ ଆନନ୍ଦ—(ଶଙ୍କର ଖୁବ୍‍ ବ୍ୟସ୍ତ ହୋଇପଡ଼ିଲା)

 

ଏ ଘରବାଲାଠାରୁ ହଜାର ଥର ଶୁଣିଚି ସାର୍–ଚାରି ମହଲା କୋଠା ତିଆରି ପାଇଁ ଏ ଘରରେ ନିଅଁ ଦିଆ ହୋଇଥିଲା–

 

ଆନନ୍ଦ—ତା’ପରେ ? ଚାରିଫୁଟିଆ ଦରଜା ତିଆରି କରି ସେ ଚାରି ମହଲା କଥା ଏକାବେଳକେ ଭୁଲିଗଲା ! ଓଃ-ଏଇଟା ଦରଜା, ନା ପାରା-ଭାଡ଼ି ମୁହଁ ?

 

ଶଙ୍କର—ମୁଁ ଭାରି ଦୁଃଖିତ ସାର୍ ! ଖୁବ୍ ଜୋରରେ ବାଜିଚି ?

 

ଆନନ୍ଦ—ଶୁଣ ଶଙ୍କର ! ତୁମର ଏ ଗଳିକୁ ଆସିଲାବେଳେ ମୋର ସେଇ କାଠଗଡ଼ାସାହି ଗଳିକଥା ମନେ ପଡ଼ୁଥିଲା । ସେଠି ସେଇ ରଘୁବୀର ରାମଚନ୍ଦ୍ରଙ୍କ ଦୟାରୁ ଗୋଡ଼ରେ ଗୋଲି ବାଜିଥିଲା, ଏଠି ଘରବାଲା ଦୟାରୁ ମୁଣ୍ଡରେ ଚୌକାଠ ବାଜିଲା । ଆଚ୍ଛା ଶଙ୍କର, ତୁମ ରାଶି ଆଉ ମୋ ରାଶି ଭିତରେ ଏମିତି କିଛି ଗୋଟାଏ ଯୋଗାଯୋଗ ଅଛି ଯେ, ଯେତେବେଳେ ମୁଁ ତମ ଗଳିକି ଆସିବି, ସେତେବେଳେ ମୋ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ କିଛି ନା କିଛି ଗୋଟେ ବାଜିବ–

 

ଶଙ୍କର—ଆଉ ଲଜ୍ଜା ଦିଅନ୍ତୁ ନାହିଁ ସାର୍ ! ସେଦିନ ଯୋଗକୁ ଆପଣଙ୍କ ସହିତ ପାର୍କରେ ଦେଖା ହୋଇଥିଲା ସିନା–କିନ୍ତୁ ଆପଣ ଯେ ଏତେ କଷ୍ଟ କରି ଏ ସନ୍ତସନ୍ତିଆ ଗଳିକୁ ବାଟ ପଚାରି ପଚାରି ଆସିବେ, ଏ ଭରସା ମୋର ନ ଥିଲା । ଆସି ପୁଣି ଏ ଦୁର୍ଯ୍ୟୋଗ...

 

ଆନନ୍ଦ—ମୋ ଦୁର୍ଯ୍ୟୋଗ କଥା ଭୁଲିଯାଅ ଶଙ୍କର—ତମ ଖବର କୁହ–ଏଇଠି ତା’ହେଲେ ତମର ଆସ୍ଥାନ ?

 

ଶଙ୍କର—ହଁ ଆଜ୍ଞା ! ଏଇଟା ମୋର ଖାସ୍ କାମେରା......

 

ଆନନ୍ଦ—କାମେରା ?

 

ଶଙ୍କର—କାମେରା କୁହନ୍ତୁ, ଫ୍ଳାଟ୍‍ କୁହନ୍ତୁ, କୋଠରୀ କୁହନ୍ତୁ–ସବୁ ମୋର ଏଇ । ଜିନିଷପତ୍ର କିଛି ନାହିଁ ବୋଲି ଭାବୁଛନ୍ତି ?

 

ଭର୍ତ୍ତି ଥିଲା ସାର୍–ଭର୍ତ୍ତି ଥିଲା । ସବୁ ଖାଲିକରି ଦେଇଚି କେବଳ ଆପଣ ଆସିବେ ବୋଲି……..

 

ଆନନ୍ଦ—ମୁଁ ଆସିବି ବୋଲି ?

 

ଶଙ୍କର—ଦେହରୁ ସବୁକିଛି ବାଦ ଦେଇ ଖାଲି ଫର୍ଦି ଶାଢ଼ି ଖଣ୍ଡିକରେ ଯେପରି ଆଜିକାଲି ଫେସନ ବଢ଼ିଚାଲିଚି–

 

ଆନନ୍ଦ—(ବସି) ସେମିତି ଖାଲି ମୋଡ଼ା ଖଣ୍ଡିକରେ ଫେସନ୍ କରି ତୁମେ ମୋ ପାଇଁ ଘର ସଜାଇଚ, ଖୁବ୍‍ ଭଲ କାମ କରିଚ । ବସିବାକୁ ଭାରି ଆରାମ ଲାଗୁଚି–ଆଚ୍ଛା, ଏ ଝରକାଟା ଖୋଲିବାରେ କିଛି ଆପତ୍ତି ଅଛି ?

 

ଶଙ୍କର—ନାଇଁ ଆଜ୍ଞା, ଖୋଲି ଦଉଚି । (ଝରକା ଖୋଲିଲା)

 

ଆନନ୍ଦ—(ଝରକାବାଟେ ଚାହିଁ) ବାଃ, ବାଃ–ଏ ତ ଖାଲି କୋଠରୀ ଉପରେ କୋଠରୀ-

 

ଶଙ୍କର—ଏ ଏରିୟା–ମାନେ ୩୩ ନମ୍ବର କୋରାନୀ ବାଗାନରେ ସର୍ବମୋଟ ପଚିଶଟି କୋଠରୀ ଅଛି–

 

ଆନନ୍ଦ—କେବଳ ଓଡ଼ିଆ ବସ୍ତି ?

 

ଶଙ୍କର—ତା’ହେଲେ ଏଇଟା କଲିକତା ସହର ହବ କିମିତି ? ଆପଣ ହିସାବ କରନ୍ତୁ ମୁଁ କହୁଚି ପାଞ୍ଚଘର ଓଡ଼ିଆ–ପାଞ୍ଚଘର ତେଲୁଗୁ–ପାଞ୍ଚଘର ନେପାଳୀ–ପାଞ୍ଚଘର ଭୋଜପୁରୀ–ପାଞ୍ଚଘର ଚାଇନା–ଗାଏମୋଟ ପଚିଶଟା ଘର ।

 

ଆନନ୍ଦ—ଭାଷାସୂତ୍ରେ ପ୍ରଦେଶ ଗଠନର କାର୍ଯ୍ୟ ତ ଏଇଠୁ ଶିଖିବା ଉଚିତ । ଏମିତି ଭାଗ ବାଣ୍ଟି ରହିଚ କେମିତି ?

 

ଶଙ୍କର—ଏଠି ସମସ୍ତେ ହୁସିଆର ସାର୍–ଜଣେ କେହି ଘର ଛାଡ଼ିଲେ, ତା’ ଜାତିଭାଇରୁ ଗୋଟାଏ ଆଣି ରଖେଇ ଦେଇ ଯିବ ।

 

ଆନନ୍ଦ—ବୁଝିଲି–କିନ୍ତୁ ଏଇ ଯେ ପଞ୍ଚଭାଷୀ, ପଞ୍ଚାୟତ ମେଳା ଏଠି ଚାଲିଚି–କେବେ କେମିତି କଳିତକରାଳ....

 

ଶଙ୍କର—ହୁଏ–ହୁଏ–ଖୁବ୍‍ ହୁଏ ସାର୍...ସମସ୍ତେ ଏକ ଲାଉର ମଞ୍ଜି–ମଣିଷଛୁଆ ତ କଳି ନ କଲେ ବଞ୍ଚିବେ କେମିତି ? ହେଲେ ଆମ ଭିତରେ ଗୋଟାଏ ରାଜିନାମା ହେଇଯାଇଚି–

 

ଆନନ୍ଦ—ରାଜିନାମା ?

 

ଶଙ୍କର—କଳି ହେଲେ–ନିଜ ନିଜ ମାତୃଭାଷାରେ କଳି କରିବାକୁ ହେବ ।

 

ଆନନ୍ଦ—ବୁଝି ପାରିଲି ନାହିଁ !

 

ଶଙ୍କର—ଧରନ୍ତୁ, ଜଣେ ଓଡ଼ିଆ ଆଉ ତେଲୁଗୁ ଭିତରେ କଳି ହେଲା–ଓଡ଼ିଆ ଓଡ଼ିଆରେ ଗାଳି ଦେବ–ତେଲୁଗୁ ତେଲୁଗୁରେ ଗାଳିଦେବ–ନିଜ ମନର ଓରମାନ ମେଣ୍ଟାଇ ମନଇଚ୍ଛା ଦୁହେଁ ଦୁହିଁଙ୍କୁ ଗାଳିଦେବେ…କିନ୍ତୁ କେହି କାହା କଥା ବୁଝିପାରିବେ ନାହିଁ–ଫଳରେ କଳି ବେଶିଦୂର ନ ଆଗେଇ ଆପେ ଆପେ ଭାଙ୍ଗିଯିବ ।

 

ଆନନ୍ଦ—ମୁଁ ଆଶ୍ଚର୍ଯ୍ୟ ହେଉଚି ଶଙ୍କର—ପୃଥିବୀ ପଞ୍ଚାୟତ ତୁମର ଏ ବ୍ୟବସ୍ଥାର ଅନୁକରଣ ନ କରୁଚି କାହିଁକି ? ତମେ ଗୋଟାଏ କାମ କର–ଏ ବ୍ୟବସ୍ଥାର ଗୋଟାଏ ନକଲ ତମେ ଜାତିସଂଘ ଅଫିସକୁ ପଠେଇ ଦିଅ–ସେଇଠି ସେ ଖୁବ୍‍ କାମ ଦବ ।

 

ଶଙ୍କର—ମା’ କାଳୀଙ୍କ ଦୟା....

 

ଆନନ୍ଦ—ହଁ–ସବୁ ତ ହଉଚି–ତମ ନିଜ ଖବର କ’ଣ ? ମାନେ କଲିକତାରେ ରହି ତମେ କ’ଣ କରୁଚ ?

 

ଶଙ୍କର—ଶୁଣନ୍ତୁ ଆଜ୍ଞା, କଲିକତାରେ ରହି କିଏ କଣ କରୁଚି ନ କରୁଚି–ଏକଥା ପଚାରିବାଟା.....

 

ଆନନ୍ଦ—ଗୋଟାଏ ବୋକାମି ! !

 

ଶଙ୍କର—ଆପଣ ବୁଝୁ ନାହାନ୍ତି ସାର୍....

 

ଆନନ୍ଦ—ମୁଁ ଠିକ୍ ବୁଝିଛି ଶଙ୍କର—କୁହ, ଆଜିକାର ଏ ବ୍ୟବସ୍ଥା କଣ ?

 

ଶଙ୍କର—ଗୋଟାଏ ‘ଭେରାଇଟି ସୋ’ର ବ୍ୟବସ୍ଥା କରୁଚି ।

 

ଆନନ୍ଦ—କ’ଣ ଚାଇନାଠାରୁ ଆରମ୍ଭ କରି ଭୋଜପୁରୀ ପର୍ଯ୍ୟନ୍ତ ସବୁ ଭେରାଇଟିର ଲୋକଙ୍କୁ ନେଇ ?

 

ଶଙ୍କର—ନାଇଁ ସାର୍,ଏଇଟା ଆମ ନିଜର–ଏଇ ଶନିବାର ଦିନ ‘ସୋ’ ଦିଆଯିବ–ପାଣ୍ଠି ଯାହା ଉଠିବ....

 

ଆନନ୍ଦ—ନିଶ୍ଚୟ କୌଣସି ମହତ୍ କାର୍ଯ୍ୟରେ ଲାଗିବ–ଏଇୟା ନା ?

 

ଶଙ୍କର—ସେଇ ଚକାଡ଼ୋଳାଙ୍କର ଯାହା ଇଚ୍ଛା । ଆପଣ.....

 

ଆନନ୍ଦ—ମୁଁ ନିଶ୍ଚୟ ଆସିବି ଯଦି ସୁବିଧା ହେବ ସାଥିରେ କୁମାର ସାହେବଙ୍କୁ ମଧ୍ୟ ନେଇ ଆସିବି–ତାଙ୍କୁ ତମେ ଜାଣ ?

 

ଶଙ୍କର—ନଁ । ଶୁଣିଚି, କେବେ ଦେଖିନି–କଣ କରନ୍ତି ସେ ଏଠି ?

 

ଆନନ୍ଦ—ତମ ନିଜକଥା ତମେ ଭୁଲି ଯାଉଚ ଶଙ୍କର—ଏଇଟା କଲିକତା ସହର...

 

ଶଙ୍କର—ଭୁଲ ହୋଇଗଲା ସାର୍–

 

ଆନନ୍ଦ—ଆଚ୍ଛା, ମୁଁ ତା ହେଲେ ଆସେ–

 

ଶଙ୍କର—କୁଆଡ଼େ ଆଜ୍ଞା ?

 

ଆନନ୍ଦ—ଆଉ ପୁଣି କ’ଣ ?

 

ଶଙ୍କର—ସେଦିନ ତ ଦେଖିବେ ଆଜି ଟିକେ ରିହରସେଲ୍‍ଟା ଦେଖି ଯାଆନ୍ତୁ ।

 

ଆନନ୍ଦ—କଣ ଏଇଠୁ ?

 

ଶଙ୍କର—ହଁ, ଟିକିଏ ବସନ୍ତୁ–ମୁଁ ଆସୁଚି, (ଶଙ୍କର ଚାଲିଗଲା–ଆନନ୍ଦ ଝରକା ପାଖରେ ଠିଆ ହୋଇଥାନ୍ତି–କିଛି ସମୟ ପରେ ଶଙ୍କର ଫେରି ଆସିଲା) ସବୁ ପ୍ରସ୍ତୁତ ସାର୍....

 

ଆନନ୍ଦ—ରୁହ ଶଙ୍କର—ମୁଁ ଏଠି ଗନ୍ଧ ଉପଭୋଗ କରୁଚି–

 

ଶଙ୍କର—ଗନ୍ଧ ?

 

ଆନନ୍ଦ—ତୁମ ଭେରାଇଟି ସୋ ଦେଖିବା ପୂର୍ବରୁ ମୁଁ ଭେରାଇଟି ଗନ୍ଧ ଆଘ୍ରାଣ କରୁଚି–ସଢ଼ା ଇଲିଶି ମାଛର ଗନ୍ଧ, ପୋଡ଼ା ଶୁଖୁଆର ଗନ୍ଧ–ମଦ ଗନ୍ଧ, ଅତର ଗନ୍ଧ, ଦୁର୍ଗନ୍ଧ, ସୁଗନ୍ଧ ସବୁ କିଛିର ସମାହାର ହେଉଚି ଏଠି–ଆଖି, କାନ ,ନାକ ସମସ୍ତଙ୍କ ପାଇଁ ତୁମେ ଆହାର ସଂଗ୍ରହ କରିପାରିଚ ଶଙ୍କର—ତୁମକୁ ଧନ୍ୟବାଦ !

 

(ନୃତ୍ୟ ଗୀତ ଆରମ୍ଭ ହେଇ କିଛି ସମୟ ପରେ ଶେଷ ହେଲା–ଶସ୍ତା, ସିନେମା ସୁଲଭ କିନ୍ତୁ ଚିତ୍ତାକର୍ଷକ ନୃତ୍ୟ ଗୀତ । ଶଙ୍କର ବ୍ୟତୀତ ଅନ୍ୟମାନେ ଚାଲିଗଲେ)

 

ଶଙ୍କର—କେମିତି ଦେଖିଲେ ସାର୍ ?

 

ଆନନ୍ଦ—ଯେମିତି ଦେଖିବାର ଆଶା ନେଇ ଦେଖୁଥିଲି ଠିକ୍ ସେମିତି ଦେଖିଲି–

 

ଶଙ୍କର—ତା’ହେଲେ ମନ ମାନିଲା କି ନାହିଁ କୁହନ୍ତୁ ?

 

ଆନନ୍ଦ—ମନ ଯାଇ ଯେଉଁ ଅତଳ ଗହ୍ୱରରେ–ତା’ ପାଇଁ ତୁମେ ବ୍ୟସ୍ତ କାହିଁକି ? ଭାନୁମତୀର କୁହୁକ ଆଣି ଦେଖଣାହାରୀଙ୍କ ଆଖିରେ ଅଞ୍ଜନ ଲଗାଇ ଛାଡ଼ିଦିଅ–ସେଥିରେ ସେମାନେ କୃତାର୍ଥ–ଆଉ ତମ ବାକ୍‍ସ ଭର୍ତ୍ତି-

 

ଶଙ୍କର—ଆପଣ ନମ୍ବର ଓ୍ୱାନ୍ କଥା କହୁଚନ୍ତି ସାର୍ !

 

ଆନନ୍ଦ—ଆଚ୍ଛା, ବିଦାୟ ନେବା ଆଗରୁ ତୁମକୁ ଆଉଥରେ ଧନ୍ୟବାଦ ଜଣାଉଚି ଶଙ୍କର—ହଁ, ତୁମ ମୋହନର ଖବର କଣ-କେଉଁଠି ରହୁଚି ସେ?

 

ଶଙ୍କର—କଲିକତାରେ ରହୁଚି; କିନ୍ତୁ ତା କଥା ମତେ ପଚାରନ୍ତୁ ନାହିଁ ସାର୍–ସେଇଟା ଗୋଟାଏ ଭାଗାବ୍ୟାଣ୍ଡ । ଭଗବାନ ସେଇଟାକୁ କାହିଁକି ମଣିଷଜନ୍ମ ଦେଇଥିଲେ କେଜାଣି । ନୀଳା ପରି ଝିଅକୁ ସେ ଛାଡ଼ି ପଳେଇ ଆସିପାରିଲା !

 

ଆନନ୍ଦ—ନୀଳା କାହିଁ....

 

ଶଙ୍କର—ନୀଳା ! (ଛଳ ଛଳ ଆଖିରେ ଆନନ୍ଦକୁ ଚାହିଁ ହଠାତ୍ ଉଚ୍ଛ୍ୱସିତ ହେଇ ପଡ଼ିଲା) ଆପଣଙ୍କ ପାଦ ଛୁଇଁ ନିୟମ କରୁଛି ସାର୍, ନୀଳା ପାଇଁ ଏ ପର୍ଯ୍ୟନ୍ତ ମୋର ହାର୍ଟରେ... ମୋର ଏଇ ହାର୍ଟରେ ଆସନ ଖାଲି ପଡ଼ିଛି–କିନ୍ତୁ ସେ କାହିଁ ? ଏଥର କଟକ ଯାଇ ଯାହା ଶୁଣି ଆସିଲି !! ଓଃ ସେ ଭାଗାବ୍ୟାଣ୍ଡ ମୋହନ ଭାଇଟା ପାଇଁ...ସିନା !! (ତା କଣ୍ଠ ରୁଦ୍ଧ ହେଇ ଆସିଲା)

 

ଆନନ୍ଦ—(ଶଙ୍କର କାନ୍ଧରେ ହାତ ରଖି) ନୀଳା ପାଇଁ ତମେ ଖୁବ୍ ଚିନ୍ତା କରୁଚ ଶଙ୍କର–

 

ଶଙ୍କର—(କିଛି କହିପାରିଲା ନାହିଁ–ଖାଲି ବୋକାଙ୍କ ଭଳି ଆନନ୍ଦ ମୁହଁକୁ ଚାହିଁ ରହିଲା)

 

ଆନନ୍ଦ—ଆଚ୍ଛା, ମୁଁ ତାହାହେଲେ ଆସୁଚି–(ଆନନ୍ଦ ବିଦାୟ ନେଲେ–ଶଙ୍କର ଅନ୍ୟମନସ୍କ ଭାବରେ ତାଙ୍କୁ ନମସ୍କାର କଲା–ଟିକିଏ ପରେ ଆସିଲା ମୁକ୍ତା)

 

ମୁକ୍ତା—ସେ ଗଲେଣି ଶଙ୍କର ଭାଇ ! ଏ କ’ଣ ତମେ କାନ୍ଦୁଚ ?

 

ଶଙ୍କର—(ପ୍ରକୃତିସ୍ଥ ହୋଇ) ତୋତେ ଯଦି କିଏ କନ୍ଦାଏ ତୁ ନ କାନ୍ଦି ରହିପାରିବୁ ?

 

ମୁକ୍ତା—କିଏ ତୁମକୁ କନ୍ଦେଇଲା ?

 

ଶଙ୍କର—ସେ ଚାରିମହଲା କୋଠାର ଖୋଲା ଝରକାଟାକୁ ଚାହିଁ ଦେଖ–କଣ ଦେଖୁଛୁ-?

 

(ମୁକ୍ତା ସେ ଆଡ଼କୁ ଚାହିଁଲା–ଶଙ୍କର ପକେଟରୁ ଗୋଟାଏ ଗୋଲାପ ଫୁଲ କାଢ଼ି ମୁକ୍ତା ପଛରେ ଠିଆହେଲା)

 

ମୁକ୍ତା—କିଛି ନାଇଁ ତ....

 

ଶଙ୍କର—ଭଲକରି ଚାହିଁ ଦେଖ– (ମୁକ୍ତା ଏକଦୃଷ୍ଟିରେ ସେ ଆଡ଼କୁ ଚାହିଁଥିଲାବେଳେ ଶଙ୍କର ଫୁଲଟିଏ ତା ଖୋସାରେ ଖୋସିଦେଲା–ମୁକ୍ତା ହଠାତ୍ ବୁଲିପଡ଼ିଲା)

 

ମୁକ୍ତା—ଏ କଣ ଶଙ୍କର ଭାଇ ?

 

ଶଙ୍କର—କିଛି ନାହିଁ...ଗୋଟାଏ ଗୋଲାପଫୁଲ-ତୋ ଖୋସାରେ ଖୋସି ଦେଇଚି ।

 

ମୁକ୍ତା—ଛି–ଛି–ଛି–ଶଙ୍କର ଭାଇ, ୟେ ତୁମେ କଣ କରୁଚ ? ଫୁଲଟା କାଢ଼ିଦେବାକୁ ହାତ ବଢ଼େଇଲାବେଳେ ଶଙ୍କର ତା ହାତକୁ ଧରି ପକେଇଲା)

 

ଶଙ୍କର—ଥାଉ ମୁକ୍ତା...ଫୁଲଟାର କିଛି ଦୋଷ ନାହିଁ–ଏଠୁ ଯାଇ ପଛେ ଚରଣ ଜାମାରେ ଫୁଲଟାକୁ ଖୋସିଦେବୁ–

 

ମୁକ୍ତା—ଛାଡ଼...ମୁଁ ଯାଏଁ–

 

ଶଙ୍କର—ଯିବୁ ? (ମୁକ୍ତାର ହାତ ଛାଡ଼ି ଦେଇ) ଯା...(ମୁକ୍ତା ଚାଲିଗଲା–ପୁଣି କଣ ଭାବି ଫେରିଲା)

 

ମୁକ୍ତା—ଶଙ୍କର ଭାଇ ! ମତେ ଆଜି ତମେ ଖୋଲାଖୋଲି କୁହ କଣ ତମ ଇଚ୍ଛା ? ବେଳେବେଳେ ତୁମେ ଏମିତି ହୁଅ କାହିଁକି ? କଣ ମୋଠାରୁ ଚାହଁ...?

 

ଶଙ୍କର—କିଛି ନାଇଁ–କିଛି ନାଇଁ..କିଛି ନାଇଁ ମୁକ୍ତା ! ମୁଁ ତୋ ଠାରୁ କିଛି ଚାହେଁ ନା...ତୁ ଯା–

 

ମୁକ୍ତା—ଯିବି...ହେଲେ ତୁମେ କୁହ, ନିୟମ କରି କୁହ, ଆଉ କେବେ ଏମିତି....

 

ଶଙ୍କର—ଏଇ ଚକାଡ଼ୋଳା...ମା କାଳୀକୁ ସାକ୍ଷୀ ରଖି କହୁଚି ମୁକ୍ତା...ଆଉ ଏମିତି ଢଙ୍ଗ ମୋର କେବେ ଦେଖିବୁ ନାହିଁ । ତୁ ଯା...(ମୁକ୍ତା ଚାଲିଯାଉଥିଲା) ଶୁଣ ମୁକ୍ତା...(ପକେଟରୁ ଖଣ୍ତିଏ ଫଟୋ ବାହାର କରି ମୁକ୍ତା ହାତକୁ ଦେଲା) ଏ ଫଟୋ ଦେଖ ତୋ ଚେହେରା ସାଥିରେ ମିଶୁଚି ? ନା, ମିଶୁନାହିଁ...ଆଦୌ ମିଶୁନାହିଁ..ତେବେ ବି ବେଳେବେଳେ ତୋତେ ଦେଖି କାହିଁକି କେଜାଣି ମୋର ମନେହୁଏ ତୁ ମୁକ୍ତା ନୋହୁଁ...ନୀଳା...ଖୋଲାଖୋଲି ତୋତେ ସବୁ କହି ଦେଇଚି ମୁକ୍ତା, ତୁ ଏଠୁ ଯା...

 

ମୁକ୍ତା—ନୀଳା କାହିଁ ?

 

ଶଙ୍କର—ତୁ ଆଉ ବୁଝିଲୁ କଣ ? ନୀଳା ଦୁନିଆରେ ମୋଟେ ନାହିଁ ଜାଣିଥିଲେ ମୁଁ ତା ପାଇଁ ପାଗଳ ହୁଅନ୍ତୁ ନାହିଁ...କି ସେ କେଉଁଠି ଅଛି ଜାଣିଥିଲେ ଦିନକୁ ଅଠର ଘଣ୍ଟା ପରିଶ୍ରମ କରି କଲିକତା ସହରର ଗଳିକନ୍ଦି ଖୋଜି ବୁଲନ୍ତି ନାହିଁ ।

 

ମୁକ୍ତା—ଏ ଫଟୋ ମୁଁ ନଉଚି ଶଙ୍କର ଭାଇ !

 

ଶଙ୍କର—କାହିଁକି ?

 

ମୁକ୍ତା—ନାଳାକୁ ମୁଁ ଖୋଜି ବାହାର କରିବି....

 

ଶଙ୍କର—ତୁ ଖୋଜି ବାହାର କରିବୁ ? ମୋର କିଛି ଦରକାର ନାହିଁ ମୁକ୍ତା...ନୀଳା ଯୁଆଡ଼େ ଯାଇଚି ଯାଉ–ତାର ଏ ଫଟୋକୁ ନେଇ ତୁ ବି ଯାଆ, ମୁଁ କିଛି ଚାହେଁନା...ମା କାଳୀ ଯାହା ଚାହିଁବେ ସେଇଆ ହବ...ମୋର କ’ଣ ଅଛି ? ମୁଁ ଯଉ ଶଙ୍କରାକୁ ସେଇ ଶଙ୍କରା....

 

ଦ୍ୱିତୀୟ ଦୃଶ୍ୟ

 

[କୁମାର ସାହେବଙ୍କ ବୈଠକଖାନା–କୁମାର ଫୋନ୍ ଧରି ଠିଆ ହୋଇଛନ୍ତି]

 

କୁମାର—କୁମାର ସ୍ପିକିଙ୍ଗ–କିଏ ଅରୁଣା ! ଅନେକ ଦିନ ପରେ ଯେ ? ନମସ୍କାର-ନମସ୍କାର ! ବିବାହ କରି ଏକାବେଳକେ ଭୁଲି ଯାଇଥିଲ ନା ? ହଁ ହଁ; ତା ହବାର କଥା...ଆଉ ଖବର କଣ (ଅସ୍ଥିର ହୋଇ) ଏ ତୁମର ସ୍ୱାମୀ ? ମୁଁ କେବେ ବିଶ୍ୱାସ କରିପାରୁ ନାହିଁ । ହଁ, ହଁ, ମିସେସ୍ ଦାସଙ୍କ ଘରକୁ ଯାଉଚ ? ଆଚ୍ଛା ତୁମେ ବର୍ତ୍ତମାନ ରହୁଚ କେଉଁଠି ? ଫୁଟ୍‍ପାଥରେ ? (ଫୋନ ରଖିଦେଲେ) ଅରୁଣା ବର୍ତ୍ତମାନ ଫୁଟ୍‍ପାଥରେ... (ବାହାରୁ ଆସିଲେ ଆନନ୍ଦ)

 

ଆନନ୍ଦ—ଫୁଟ୍‍ପାଥ-ଫୁଟ୍‍ପାଥ...ଏ କଲିକତାର ଲୋକଙ୍କୁ ଫୁଟ୍‍ପାଥ ହିଁ ବଞ୍ଚାଇ ରଖିଚି....

 

କୁମାର—ଫୁଟ୍‍ପାଥ ସମ୍ବନ୍ଧରେ ହଠାତ୍ ଏ ତଥ୍ୟ କାହିଁକି ?

 

ଆନନ୍ଦ—ଘରୁ ବାହାରି ଫୁଟ୍‍ପାଥରେ ଗୋଡ଼ ଦେଲାକ୍ଷଣି ସତେ ଯେପରି ସେମାନଙ୍କ ଦେହରେ ନୂଆଜୀବନ ଖେଳି ଯାଉଚି... ଚାଲିବାର ତ କାହାରିକୁ ମୁଁ ଦେଖୁନି..ଉନ୍ମାଦ ପରି ସମସ୍ତେ ଖାଲି ଧାଇଁଚନ୍ତି, ତାହାରି ଭିତରେ କିଣାବିକା ଚାଲିଚି... ଖିଆପିଆ ବି ଚାଲିଚି... ପକେଟ୍ ଖାଲି ହଉଚି ସେଇଠି, ପକେଟ ଭର୍ତ୍ତି ହଉଚି ସେଇଠି । ଫୁଟ୍‍ପାଥରେ ଚାଲୁ ଚାଲୁ ପ୍ରେମରେ ପଡ଼ୁଛନ୍ତି...ପ୍ରେମରୁ ତଡ଼ାଖାଇ ପୁଣି ଆସି ହାଜର ହେଉଛନ୍ତି ସେଇ ଫୁଟ୍‍ପାଥରେ...

 

କୁମାର—ଫୁଟ୍‍ପାଥର ତା ହେଲେ ଏ ମାହାତ୍ମ୍ୟ ?

ଆନନ୍ଦ—ଫୁଟ୍‍ପାଥ ନ ଥିଲେ ଏ ସବୁ ସମ୍ଭବ ହୁଅନ୍ତା କିପରି ? ସମସ୍ତେ ତ ଟ୍ରାମ୍ ତଳେ, ମଟର ତଳେ ଚାପା ପଡ଼ି ମରନ୍ତେ । ଫୁଟ୍‍ପାଥ ହିଁ ଏମାନଙ୍କୁ ବଞ୍ଚାଇ ରଖିଚି–ହଁ, କୁମାର ସାହେବ, ଆଜି ତମର ସେଇ ମୋହନ ସାଙ୍ଗରେ ଦେଖା ହୋଇଗଲା...

କୁମାର—(ଟିକିଏ ଉଦବିଗ୍ନ ହେଲା ପରି) କେଉଁଠି ?

ଆନନ୍ଦ—ଆଉ କେଉଁଠି । ସେଇ ଫୁଟ୍‍ପାଥରେ ! ଏଠିକି ଡାକିଲି, ଆସିଲା ନାହିଁ ।

କୁମାର—ସେ ଛବିଟା ?

ଆନନ୍ଦ—ସେଇ ପୁରୁଣା କଥା–ଛବିଟା ବିକିବ ନାହିଁ...

କୁମାର—କାହିଁକି ? ସେ ଝିଅଟା ପାଇଁ ତ ?

ଆନନ୍ଦ—ହଁ...ଅଥଚ ସେ ଯାଇଁ କେଉଁଠି ଚାକିରି କଲାଣି...

କୁମାର—କିଏ ମୋହନ କହୁଥିଲା ?

ଆନନ୍ଦ—ହଁ....

 

କୁମାର—ତେବେ ବି ସେ ଛବିଟା ବିକିବ ନାହିଁ ?

 

ଆନନ୍ଦ—ନା.... !

 

କୁମାର—ମୋହନ ତା’ହେଲେ ଏଇ କଲିକତାରେ ରହୁଚି ?

 

ଆନନ୍ଦ—ହଁ.... !

 

କୁମାର—ତା ବସା ଠିକଣା ତୁମେ ଜାଣ ?

 

ଆନନ୍ଦ—ନା... ?

 

କୁମାର—ଗୋଟାଏ ଛବି ପାଇଁ...ଗୋଟାଏ ଲୋକ ଏପରି ପାଗଳ ହେଇପାରେ ?

 

ଆନନ୍ଦ—କାହା କଥା ତୁମେ କହୁଚ ? ଛବି ପାଇଁ ତୁମେ ପାଗଳ ନା ମୋହନ ପାଗଳ-?

 

କୁମାର—ଛବିଟା ପାଇଁ ମୁଁ ଅର୍ଡ଼ର ଦେଇଥିଲି..ଛବିଟା ମୋର ହବାର କଥା, ମୁଁ ସେଇ ମୋହନ କଥା କହୁଥିଲି....

 

ଆନନ୍ଦ—ବ୍ୟବସାୟ, ବାଣିଜ୍ୟ, ସେୟାର ମାର୍କେଟ, ଟଙ୍କା, ପଇସା, କ୍ଲବ, ହୋଟେଲ ଏ ସବୁରେ ଚବିଶ ଘଣ୍ଟା ବୁଡ଼ି ରହି ତୁମକୁ ବେଳ ମିଳୁଛି କେମିତି ଏ ସବୁ କଥା ଭାବିବା ପାଇଁ ? (କୁମାର ଯିବାକୁ ଉଦ୍ୟତ ହେଲେ) ଏ କଣ ?

 

କୁମାର—ମୁଁ ଏଇ ଅଳ୍ପ ସମୟ ଭିତରେ ଫେରିବି–ହଁ, ସେମାନଙ୍କୁ ତୁମେ ଆଜି ଆସିବା ପାଇଁ କହିଚ ନା ?

 

ଆନନ୍ଦ—ସମୟ ତ ହୋଇଗଲା ପ୍ରାୟ ?

 

କୁମାର—ଆସିଲେ ସେମାନଙ୍କୁ ଉପରକୁ ପଠାଇ ଦେବ–ସବୁ ବନ୍ଦୋବସ୍ତ ହୋଇଚି...

 

(କୁମାର ଚାଲିଯିବା ପରେ ଆନନ୍ଦ ଯେପରି ମହା ଅଡ଼ୁଆରେ ପଡ଼ିଲେ...କାରଣ, କରିବା ଭଳି କାମ ହାତରେ କିଛି ନାହିଁ–ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା ଷ୍ଟାଣ୍ଡ ଉପରେ ଥୁଆ ହୋଇଥିବା ମୁଗୁନି ପଥରରେ ତିଆରି ଗୋଟାଏ ବିବସନା ନାରୀର ଛୋଟ ମୂର୍ତ୍ତି ଉପରେ–ମୂର୍ତ୍ତିଟି ଉଠାଇ ଆଣି କିଛି ସମୟ ଦେଖିଲେ)

 

ଆନନ୍ଦ—(ନାଟକୀୟ ଭଙ୍ଗୀରେ) ତନ୍ୱୀ, ଶ୍ୟାମା, ଶିଖରୀଦଶନା–କିଏ ତୁମେ ପାଷାଣୀ ଷୋଡ଼ଶୀ ? (ପାଖ ବାରଣ୍ଡାରେ ଚାଲି ଯାଉଥିବା ଜଣେ ଦାସୀ ଆନନ୍ଦ କଥା ଶୁଣି ପରଦା ଆଡ଼େଇ ଆସିଲା–ତା’ ନାଁ ଷୋଡ଼ଶୀ । ନାମ ସହିତ ବୟସର ସାମଞ୍ଜସ୍ୟ ରହିଚି...ବେଶଭୂଷା ବେଶ୍ ପରିଷ୍କାର)

 

ଷୋଡ଼ଶୀ—ମତେ ଡାକିଲେ ?

 

ଆନନ୍ଦ—(ଚମକି) ଏଁ...

 

ଷୋଡ଼ଶୀ—ମୋ ନାଁ ଷୋଡ଼ଶୀ, ମତେ ଡାକିଲେ ?

 

ଆନନ୍ଦ—(ଆନନ୍ଦ ବିସ୍ମୟାଭିଭୂତ ହେଲାପରି ଥରେ ମୂର୍ତ୍ତିଟିକୁ ଓ ଥରେ ଷୋଡ଼ଶୀକୁ ତୁଳନାତ୍ମକ ଦୃଷ୍ଟିରେ ଚାହୁଁଥାନ୍ତି) ନା–ନା-ତୁମକୁ ମୁଁ ଡାକିନାହିଁ ; କିନ୍ତୁ ଡାକିବା କଥା ଯେବେ କହୁଚ–ମୁଁ ଡାକିଚି ଏଇ ପଥର ପ୍ରତିମାଟିକୁ–ମାତ୍ର ତୁମେ ?

 

ଷୋଡ଼ଶୀ—ମୁଁ ଏଠାକାର ଜଣେ ଦାସୀ–

 

ଆନନ୍ଦ—ଦାସୀ ? ନା ମୁଁ ତୁମକୁ ଡାକିନାହିଁ ।

 

ଷୋଡ଼ଶୀ—ମତେ ଯେମିତି ଜଣାଗଲା (ଚାଲି ଯାଉଥିଲା)

 

ଆନନ୍ଦ—ଆଚ୍ଛା ଶୁଣ ! ତୁମେ ଗୋଟିଏ କାମ କରିପାରିବ ?

 

ଷୋଡ଼ଶୀ—କହନ୍ତୁ ?

 

ଆନନ୍ଦ—ତୁମେ ଟିକେ ଉପରକୁ ଯାଅ !

 

ଷୋଡ଼ଶୀ—ଉପରକୁ ?

 

ଆନନ୍ଦ—ହଁ....

 

ଷୋଡ଼ଶୀ–ହୁକୁମ ନାହିଁ ।

 

ଆନନ୍ଦ—ତମେ ଏଠାକାର ଦାସୀ ପରା ?

 

ଷୋଡ଼ଶୀ—ମୁଁ ଏ ମହଲାର ଦାସୀ, ଉପର ମହଲା ଯିବାକୁ ମୋର ହୁକୁମ ନାହିଁ !

 

ଆନନ୍ଦ—କାହାର ହୁକୁମ ?

 

ଷୋଡ଼ଶୀ–ଜାଣେନା...

 

ଆନନ୍ଦ—ଉପର ମହଲାରେ କିଏ ରହନ୍ତି ଜାଣ ?

 

ଷୋଡ଼ଶୀ—ନା ଜାଣେନା....

 

ଆନନ୍ଦ—ବେଶ୍ ଏକ ଅଜଣା ରାଜ୍ୟରେ ତ ଅଛ ! କି କି କାମ ଏଠି କର ?

 

ଷୋଡ଼ଶୀ—କାମ ? କି କାମ ? ଖାଏ, ପିଏ, ଶୁଏ, ତାସ ଖେଳେ....

 

ଆନନ୍ଦ—ଅଥଚ ତୁମେ ଗୋଟିଏ ଦାସୀ–

 

ଷୋଡ଼ଶୀ—ବାଃ, ମାସକୁ ମାସ ଦରମା ନଉଚି, ଦାସୀ ନୁହେଁ ? କୁହନ୍ତୁ, ଆପଣଙ୍କର ଆଉ କି କାମ ଅଛି କରିଦେବି ।

 

ଆନନ୍ଦ—ତମ କଥା ଶୁଣି ମୁଁ ମୋ କାମ କଥା ଭୁଲି ସାରିଲିଣି–ତୁମେ ଯାଅ । ହଁ ଶୁଣ, ହାତରେ ସେଇଟି କଣ ?

 

ଷୋଡ଼ଶୀ—ତାସ !

 

ଆନନ୍ଦ—ବାସ୍...ସେଇ କାମଟି କର । ତାସ ମୁଠାଟି ଦେଇଦିଅ, ଯାଅ (ତାସ ମୁଠାଟି ଦେଇ ଷୋଡ଼ଶୀ ଚାଲିଗଲା) ଏ ତ ଏକ ବିରାଟ ନୋ ନଟ୍ (Know not) ରାଜ୍ୟ ମୁଁ ଦେଖୁଚି । ଏଠି ସମସ୍ତେ ଅଛନ୍ତି କିନ୍ତୁ କେହି କିଛି ଜାଣନ୍ତି ନାହିଁ । (ବିରକ୍ତ ହୋଇ କିଛି ସମୟ ପରେ ବସି ତାସ ଖେଳିଲେ, ଏତିକିବେଳେ ଆସିଲେ ଶ୍ରୀମତୀ ଦାସ । ରାୟ ତାଙ୍କୁ ଦେଖି ନ ଦେଖିଲା ପରି ଖେଳୁଥାନ୍ତି)

 

ଶ୍ରୀମତୀ—ମୁଁ ଜାଣେ ପରା ?

 

ଆନନ୍ଦ—କଣ ଜାଣନ୍ତି ଆଜ୍ଞା ? ନାଟିସ୍ ନା ଗୋଲାମଚୋରୀ ?

 

ଶ୍ରୀମତୀ—ଓଃ ଆପଣ ତା’ହେଲେ ଫ୍ଲାସ୍ ଜାଣନ୍ତି–ନ ହେଲେ ପୋକାର...

 

ଶ୍ରୀମତୀ—ମୁଁ ଜାଣେ ; ମୁଁ ଏଠିକି ଆସିଲେ ଆପଣ ଏମିତି ସବୁ ଉଦ୍ଭଟ କଥା କହିବେ...

 

ଆନନ୍ଦ—ତା’ହେଲେ ଏଠିକି ଆସିବା ବନ୍ଦ କରି ଦିଅନ୍ତୁ–

 

ଶ୍ରୀମତୀ—ତା’ ପୂର୍ବରୁ ଆପଣ ଦୟାକରି ଏ ତାସ ଖେଳଟା ବନ୍ଦ କରିଦେବେ କି ?

 

ଆନନ୍ଦ—କାହିଁକି ଆଜ୍ଞା ; ଯେଉଁ ଘରେ ତାସ ଖେଳି ଖେଳି ଦାସୀ ଚାକରମାନେ ମାସକୁ ମାସ ଦରମା ନିଅନ୍ତି, ମୁଁ ସେଠି ଯଦି ବିନା ପାରିଶ୍ରମିକରେ ତାସ ଖେଳେ.......

 

ଶ୍ରୀମତୀ—କରନ୍ତୁ ଆପଣଙ୍କର ଯାହା ଇଚ୍ଛା–ମୋର କଣ ଅଛି ?

 

(ଉପରକୁ ଚାଲି ଯାଉଥିଲେ)

 

ଆନନ୍ଦ—ଆପଣ ଉପରକୁ ଯାଉଛନ୍ତି ?

 

ଶ୍ରୀମତୀ—ହଁ...

 

ଆନନ୍ଦ—ଦୟାକରି ଦେଖିବେ ଉପରେ ସବୁ ବ୍ୟବସ୍ଥା ହେଇଚି କି ନାହିଁ ?

 

ଶ୍ରୀମତୀ—ବ୍ୟବସ୍ଥା–କି ବ୍ୟବସ୍ଥା... ?

 

ଆନନ୍ଦ—ନାଚ !

 

ଶ୍ରୀମତୀ—ନାଚ–କିଏ ନାଚିବେ ?

 

(ଭୀମ ସିଂହ ସହିତ ଆସିଲେ ଚରଣ ଓ ମୁକ୍ତା—ଦୁହେଁ ଏମାନଙ୍କୁ ଉଦ୍ଦେଶ୍ୟ କରି ନମସ୍କାର କଲେ–ଶ୍ରୀମତୀ ଦାସ ନ ଯାଇ ଫେରିଲେ–ଭୀମ ସିଂ ବିଦାୟ ନେଲା)

 

ଆନନ୍ଦ—ନମସ୍କାର, ନମସ୍କାର–ତମକୁ ଅପେକ୍ଷା କରି ମୁଁ ଏଠି ବସି ତାସ ଖେଳୁଥିଲି–ବର୍ତ୍ତମାନ ତମେ ଉପରକୁ ଯାଅ–ଶ୍ରୀମତୀ ଦାସ ସବୁ ବ୍ୟବସ୍ଥା କରିଦେବେ...ବୁଝିଲେ ଶ୍ରୀମତୀ ଦାସ ! ଏ ଦୁହେଁ ଶ୍ରୀମାନ୍ ଚରଣ ଆଉ ଶ୍ରୀମତୀ ମୁକ୍ତା; ସୁନ୍ଦର ଯୋଗାଯୋଗ ହେଇଚି ଏ ଦୁହିଁଙ୍କର-। କଲିକତାର ରାସ୍ତାରେ ବୁଲି ଏ ଝିଅଟି ଯେଉଁ ନାଚ ନାଚେ–ଓଃ–ଅପୂର୍ବ, ଅପୂର୍ବ–ଏମାନଙ୍କୁ ନିମନ୍ତ୍ରଣ କରିଚି ନାଚିବା ପାଇଁ–

 

ଶ୍ରାମତୀ–ଓଃ ଏଇ ତେବେ ନାଚିବେ ?

 

ଆନନ୍ଦ—ହଁ...

 

ଶ୍ରୀମତୀ—କାହିଁକି ?

 

ଆନନ୍ଦ—ନାଚି ଜାଣନ୍ତି ନାଚିବେ–ଏଥିରେ କାହିଁକି ଆଉ କଣ ?

 

ଶ୍ରୀମତୀ—ନାଚି ଜାଣନ୍ତି...କି ନାଚ ? କଥକଲି, ଭାରତନାଟ୍ୟମ,ମଣିପୁରୀ ନା ଫକ୍‍ସଟ୍ରଟ୍ ?

 

ଆନନ୍ଦ—ଫକ୍‍ସଟ୍ରଟ୍–ଜ୍ୟାକେଲଟ୍ରଟ–ଡଗଟ୍ରଟ–ମଣିପୁରୀ–ଛାଣିପୁରୀ, ଏସବୁ ମିଶାଇଲେ ଯେଉଁ ନାଚ ହେବ, ସେଇ ନାଚ ସେ ଜାଣନ୍ତି । ବୁଝିଲେ–? ଚରଣ, ତୁମେ ଉପରକୁ ଯାଅ–ସେଠି ସବୁ ବ୍ୟବସ୍ଥା ହେଇଚି–

 

ଶ୍ରୀମତୀ—ଏମାନେ ଉପରକୁ ଯିବେ ? କାହିଁକି ?

 

ଆନନ୍ଦ—ପୁଣି ସେଇ କାହିଁକି ?

 

ଶ୍ରୀମତୀ—ବାସ୍ତବିକ୍ ମୁଁ ବୁଝିପାରୁ ନାହିଁ ଆପଣ କଣ ଚାହାନ୍ତି ? ଉପରେ ନାଚ ଦେଖିବ କିଏ ?

 

ଆନନ୍ଦ—କିଏ ଆଉ ଦେଖନ୍ତା ?

 

ଶ୍ରୀମତୀ—କୁମାର ସାହେବ କାହାନ୍ତି ? କିଏ ଏ ବ୍ୟବସ୍ଥା କରିଚି ?

 

ଆନନ୍ଦ—ଏ ବ୍ୟବସ୍ଥା ଯିଏ କରିବାର କଥା କରିଚି–ଯାହାପାଇଁ ହବାର କଥା ହେଇଚି–ଏଥିରେ ତୃତୀୟ ପୁରୁଷର ସ୍ଥାନ ନାହିଁ । ଚରଣ ତୁମେ ଯାଅ–

 

ଶ୍ରୀମତୀ—ନା, ଯାଇପାରିବେ ନାହିଁ–(କୁମାରଙ୍କୁ ଦେଖି) ଏଇ ତ କୁମାର ସାହେବ–

 

କୁମାର—ଓ, ତୁମେ ଉପରକୁ ଯାଅ–(ସେ ଦୁହେଁ ଉପରକୁ ଗଲେ, ଶ୍ରୀମତୀ ଦାସ ସ୍ତବ୍‍ଧ ହେଇ ଚାହିଁ ରହିଥାନ୍ତି)

 

କୁମାର—ରାୟ...ମିସେସ ଦାସଙ୍କ ସହିତ ମୋର କେତେଟା କଥା ଅଛି...

 

ଆନନ୍ଦ—ନିଶ୍ଚୟ-ନିଶ୍ଚୟ । ମୋର ଏଠି ଆଉ ରହିବା ଆଦୋ ଦର୍କାର ନାହିଁ–(ଭିତରକୁ ଗଲେ)

 

ଶ୍ରୀମତୀ—ଦୁଇଜଣ ଅପରିଚିତ ଲୋକଙ୍କୁ ଆପଣ ଉପରକୁ ଯିବାକୁ ଅନୁମତି ଦେଲେ କିମିତି ?

 

କୁମାର—ରାୟ ସେମାନଙ୍କୁ ଜାଣନ୍ତି ?

 

ଶ୍ରୀମତୀ—ଯୁବରାଣୀ ସାହେବା ସେମାନଙ୍କର ନାଚ ଦେଖିବେ ?

 

କୁମାର—ଯଦି ସେ ଦେଖିବାକୁ ଚାହାନ୍ତି, ଦେଖିବେ...

 

ଶ୍ରୀମତୀ—ମୁଁ କିଛି ବୁଝିପାରୁ ନାହିଁ....

 

କୁମାର—ଆପଣ ନିଶ୍ଚୟ ରହନ୍ତୁ, ସେ ଦାୟିତ୍ୱ ମୋର । (ପଦ ଚାରଣ କଲେ)

 

ଶ୍ରୀମତୀ—କ’ଣ କଥା ଥିଲା ପରା ?

 

କୁମାର—ଅରୁଣାର ଖବର କଣ ?

 

ଶ୍ରୀମତୀ—ଅରୁଣା ?? (ମନେ ମନେ ଆତଙ୍କିତା ହୋଇ ଉଠିଲେ)

 

କୁମାର—ତା’ର ସ୍ୱାମୀ କାହିଁ ?

 

ଶ୍ରୀମତୀ—ମୁଁ ଜାଣେ ନା ତ !

 

କୁମାର—କାଲି ରାତିରେ ଅରୁଣାର ସମସ୍ତ ଅଳଙ୍କାରପତ୍ର ଆଉ ଟଙ୍କାପଇସା ଧରି ତା’ର ସ୍ୱାମୀ କଲିକତା ଛାଡ଼ି ଚାଲିଯାଇଛି, ଏକଥା ଆପଣ ଜାଣନ୍ତି ନାହିଁ ?

 

ଶ୍ରାମତୀ—ନା...

 

କୁମାର—ଅରୁଣାର ସ୍ୱାମୀର ପ୍ରକୃତ ନାଁ ‘ଜଗଦୀଶ’ ନୁହେଁ–‘ରାମନାରାୟଣ’ । ଅରୁଣାକୁ ବିବାହ କରିବା ପୂର୍ବରୁ ସେ ବିବାହ କରିଥିଲା–ତା’ର ପ୍ରଥମ ସ୍ତ୍ରୀ ବର୍ଦ୍ଧମାନରେ ଅଛି–ଏ କଥା ଆପଣ–

 

ଶ୍ରୀମତୀ—ମୁଁ... !!

 

କୁମାର—ଆପଣ ସମସ୍ତ ଜାଣିଶୁଣି ଏ ବିବାହ କରାଇଚନ୍ତି | ଅରୁଣାକୁ ମୁଁ ଯୌତୁକ ରୂପେ ଦେଇଥିବା ଟଙ୍କାରୁ ଆପଣ ଅଧେ ନେବେ–ବାକି ଅଧେ ଟଙ୍କା ରାମନାରାୟଣ ଆତ୍ମସାତ୍ କରି ଅରୁଣାକୁ ତ୍ୟାଗ କରିବ–ଏଇ ସର୍ତ୍ତରେ ଏ ବିବାହ ହୋଇଥିଲା ?

 

ଶ୍ରୀମତୀ—ନା-ନା...

 

କୁମାର—ମିସେସ୍ ଦାସ ! ଅନେକ ଟଙ୍କା ମୁଁ ଆପଣଙ୍କୁ ଦେଇଚି–ଏବେ ମଧ୍ୟ ଦଉଚି । ଏ ସାମାନ୍ୟ କେତେ ହଜାର ଟଙ୍କା ପାଇଁ ଆପଣ ଏ ହୀନ ପ୍ରକୃତିକୁ ପ୍ରଶ୍ରୟ ଦେଲେ କିପରି ? ଗୋଟାଏ ଅସହାୟ ବାଳିକାର ଭାଗ୍ୟ ସହିତ ଆପଣ ଏ ଖେଳ ଖେଳିଲେ କାହିଁକି ?

 

ଶ୍ରୀମତୀ—ଆପଣ ଅତି ନିଷ୍ଠୁର ଭାବରେ ମୋ ପ୍ରତି ଅଭିଯୋଗ କରୁଚନ୍ତି । ଅରୁଣାର ଦୁର୍ଭାଗ୍ୟ ପାଇଁ କଣ ଏକା ମୁଁ ଦାୟୀ ?

 

କୁମାର—ମୁଁ ଜାଣେ, ଆପଣ ମୋ’ରି ଅସ୍ତ୍ର ମୋ ପ୍ରତି ପ୍ରୟୋଗ କରିବେ–

 

ଶ୍ରୀମତୀ—ଜାଣି ସୁଦ୍ଧା ଆପଣ ପଦେ ପଦେ ଭୁଲ କରି ଚାଲିଛନ୍ତି, (କୁମାର ତୀକ୍ଷ୍ଣ ଦୃଷ୍ଟିରେ ଶ୍ରୀମତୀକୁ ଚାହିଁଲେ) କେବଳ ନୀଳା ପାଇଁ ଆଜି ଆପଣ ଆପଣଙ୍କ ଅତୀତ ଜୀବନଠାରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି । କିନ୍ତୁ ମୁଁ ଜାଣେ–ଯେତେବେଳେ ନୀଳାର ସମସ୍ତ ହିସାବ ନିକାଶ ହୋଇଯିବ–

 

କୁମାର—ଥାଉ ଶ୍ରୀମତୀ ଦାସ । ଏ ଆଲୋଚନା ବନ୍ଦ କରନ୍ତୁ ।

 

ଶ୍ରୀମତୀ—ଓଃ–ନୀଳା ସମ୍ବନ୍ଧରେ ପଦେ କଥା ସୁଦ୍ଧା ମୁଁ କହି ପାରିବିନି !! ଆପଣଙ୍କର ଏ ପରିବର୍ତ୍ତନର ପରିଣତି କେଉଁଠି ଅବଶ୍ୟ ମୁଁ ଜାଣେ ନା; କିନ୍ତୁ ଏହାର ସୂଚନା ମୁଁ ଖୁବ୍ ଆଗରୁ ପାଇଥିଲି...ଆଉ ଏଥିପାଇଁ–

 

କୁମାର—କୁହନ୍ତୁ ?

 

ଶ୍ରୀମତୀ—ମୁଁ ନିଜକୁ ପ୍ରସ୍ତୁତ କରି ରଖିଛି ।

 

କୁମାର—ଆପଣ ମୋତେ ଭୟ ଦେଖାଉଚନ୍ତି ?

 

ଶ୍ରୀମତୀ—ଆପଣଙ୍କୁ ଭୟ ଦେଖାଇବା ପାଇଁ ଅସ୍ତ୍ର କଣ ମୋ ପାଖରେ ନାହିଁ ?

 

କୁମାର—(ହସି) କିନ୍ତୁ ସେଥିରେ ଭୀତ ହେବା ଭଳି ଦୁର୍ବଳତା ମୋଠାରେ ନାହିଁ । ଆପଣ ବର୍ତ୍ତମାନ ଯାଆନ୍ତୁ । ଆରେ ନା, ଏ ଘରୁ ମୁଁ ଆପଣଙ୍କୁ ତଡ଼ି ଦେଉନି । ଏ ଘରର ସଦର ଦରଜା ଏ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଖୋଲା ଅଛି–ଆପଣ ବର୍ତ୍ତମାନ ଅରୁଣା ନିକଟକୁ ଯାଆନ୍ତୁ–ସେ ଆପଣଙ୍କୁ ଅପେକ୍ଷା କରିଛି–

 

ଶ୍ରୀମତୀ—କେଉଁଠି ?

 

କୁମାର—ଆପଣଙ୍କର ଘରେ ?

 

ଶ୍ରୀମତୀ—ମୋ ଘରେ ? କାହିଁକି ?

 

କୁମାର—ଏ ଉତ୍ତର କ’ଣ ଆପଣ ତା ଠାରୁ ପାଇ ପାରିବେ ନାହିଁ ? ଆପଣ ଯାଆନ୍ତୁ ।

 

ଶ୍ରୀମତୀ—ଆଚ୍ଛା (ରାଗି ଚାଲିଗଲେ)

 

କୁମାର—ଭୀମ ସିଂ-(ଭୀମ ସିଂ ପ୍ରବେଶ) ରାୟ ସାହେବ–(ଭୀମ ସିଂ ଚାଲିଗଲା–କୁମାର ପଦଚାରଣ କରୁଥାନ୍ତି–ଉପରୁ ଆସିଲେ ଚରଣ ଆଉ ମୁକ୍ତା—ଆଦେଶ ଅପେକ୍ଷାରେ ଠିଆ ହେଲେ–ଟିକିଏ ପରେ ଆସିଲେ ଆନନ୍ଦ)

 

ଆନନ୍ଦ—ଏତେ ଚଞ୍ଚଳ ନାଚ ଶେଷ ହୋଇଗଲା ?

 

ଚରଣ—ନାଚ ଆଦୌ ହେଲା ନାହିଁ ।

 

ଆନନ୍ଦ—କାହିଁକି ?

 

ମୁକ୍ତା—ଯୁବରାଣୀ ସାହେବା ନାଚ ଦେଖିବାକୁ ମନା କରି ପଠାଇଲେ ।

 

କୁମାର—ମୁଁ ଠିକ୍‍ ଏଇ ଆଶଙ୍କା କରୁଥିଲି....

 

ଆନନ୍ଦ—ଏମାନେ କିନ୍ତୁ ବଡ଼ ଆଶା ନେଇ ଏଠାକୁ ଆସିଥିଲେ ।

 

କୁମାର—ନା..ନା ସେମାନଙ୍କର ପାରିତୋଷିକ....

 

ଆନନ୍ଦ—ପାରିତୋଷିକ କଥା ନୁହେଁ...ନାଚରେ ହିଁ ସେମାନଙ୍କର ତୃପ୍ତି....

 

କୁମାର—ବେଶ୍, ତେବେ ଏଇଠି ନାଚନ୍ତୁ...(ନାଚ ଆରମ୍ଭ ହେଲା, ଆନନ୍ଦ ଓ କୁମାର ନାଚ ଦେଖୁଥାନ୍ତି...କୁମାର ଟିକକ ପରେ ଉପରକୁ ଚାଲିଗଲେ । ଆନନ୍ଦଙ୍କ ପ୍ରଶଂସା ମଧ୍ୟରେ ନାଚ ଶେଷ ହେଲା)

 

ଚରଣ—କୁମାର ସାହେବ ଚାଲିଗଲେ...ନାଚ ବୋଧହୁଏ ତାଙ୍କୁ ଭଲ ଲାଗିଲା ନାହିଁ...

 

ଆନନ୍ଦ—ସେମାନଙ୍କ କଥା ଛାଡ଼ .. ତାଙ୍କୁ କଣ ଯେ ଭଲ ଲାଗେ ସେ ନିଜେ ହୁଏତ ଜାଣନ୍ତି ନାହିଁ । ଏଇ ତମର (ପକେଟରୁ ଟଙ୍କା ବାହାର କରି ଦେଲେ) ଏ ଟଙ୍କା ମୋର ନୁହେଁ, କୁମାର ସାହେବଙ୍କର (ଚରଣ ଓ ମୁକ୍ତା ବିଦାୟ ନେଲେ–ଆନନ୍ଦ ଆସନ ଗ୍ରହଣ କଲାବେଳକୁ ତାଙ୍କ ଦୃଷ୍ଟି ପଡ଼ିଲା ଗୋଟିଏ କୋଣରେ ଥୁଆ ହୋଇଥିବା ଗୋଟାଏ ହାତବ୍ୟାଗ୍ ଉପରେ । କୌତୂହଳୀ ହୋଇ ବ୍ୟାଗ୍‍ଟି ଉଠାଇ ନେଇ ଅନଭ୍ୟସ୍ତ ହାତରେ ସେଇଟାକୁ ଖୋଲୁ ଖୋଲୁ ଗୋଟାଏ ଛୋଟ ଆକାରର ଡାଏରୀ ତଳେ ପଡ଼ିଗଲା–ଡାଏରୀରେ ଗୋଟାଏ ସ୍ଥାନରେ ଚିହ୍ନ ଦିଆ ହୋଇଥିଲା–ସେଇ ସ୍ଥାନଟି ଖୋଲି ଆନନ୍ଦ ପଢ଼ିଲେ । ‘‘ରୂପକଥାର ସେହି ରାଜକୁମାର ନାପିତୁଣୀ ସାହାଯ୍ୟରେ ସାଧବାଣୀ ଲୀଳାକୁ ଚୋରାଇ ଆଣି ନିଜର ରାଣୀ କରି ରଖିଲା ଭଳି ଏ ଯୁଗର ଏ କୁମାର ସାହେବ ମୋ ସାହାଯ୍ୟରେ ଚିତ୍ରକର କନ୍ୟା ନୀଳାକୁ ଚୋରାଇ ଆଣି ମନ, ପ୍ରାଣ, ହୃଦୟ ସବୁ ତାଠାରେ ଢାଳି ଦେବାକୁ ଚାହୁଁଚନ୍ତି । ଦିନେ ହୁଏତ ସେ ନୀଳାକୁ ବିବାହ କରି ଏକ ସୁନ୍ଦର ଜୀବନ ଯାପନ କରିବେ, ସବୁ ପାପ ବ୍ୟଭିଚାରଠାରୁ ସେ ଦୂରେଇ ଯିବେ । ମୁ କିନ୍ତୁ ୟାକୁ ବରଦାସ୍ତ କରି ପାରିବି ନାହିଁ–ଏହା ଯେପରି ମୋର ସ୍ୱଭାବବିରୁଦ୍ଧ । ଦିନକୁଦିନ ପୁଣି କୁମାର ସାହେବଙ୍କର ବ୍ୟବହାର ମୋ ପ୍ରତି ଅସହ୍ୟ ହୋଇ ଉଠୁଛି । କାହିଁକି ? ମୁଁ କଣ ଏହାର ପ୍ରତିଶୋଧ ନେଇ ପାରିବି ନାହିଁ–ହୁଏତ ପାରିବି, ମୁଁ ଯଦି...ନା ଥାଉ–ଆଜି ଆଉ କିଛି ଲେଖି ପାରୁନି”–(ଏତକ ପଢ଼ିସାରି ଆନନ୍ଦଙ୍କର ବିସ୍ମୟର ସୀମା ନ ଥାଏ...ବ୍ୟାଗ୍‍ଟି ତା’ପରେ ନେଇ ଯଥାସ୍ଥାନରେ ରଖିଦେଲେ–ଡାଏରୀଟା ତାଙ୍କ ହାତରେ ଥାଏ । କୁମାର ଉପରୁ ଆସିଲେ)

 

କୁମାର—ସେଇଟା କଣ ରାୟ ? ଡାଏରୀ ? ତୁମେ ତା’ ହେଲେ ଡାଏରୀ ଲେଖ ? ଶ୍ରୀମତୀ ଦାସ ମଧ୍ୟ ଲେଖନ୍ତି । ମୋ ଦ୍ୱାରା କିନ୍ତୁ ହୋଇପାରିଲା ନାହିଁ । ଡାଏରୀରେ ତୁମେ ମୋ କଥା କ’ଣ ଲେଖୁଥିବ ମୁଁ ଜାଣେ–ଲେଖୁଥିବ (ରସିକତା କରି) ବନ୍ଧୁଭାବରେ କୁମାରଙ୍କର ଅତିଥି ହେଲି–କିନ୍ତୁ ତାଙ୍କର ବନ୍ଧୁତା ପାଇ ପାରିଲି ନାହିଁ; ସାତ ଦିନରେ ଥରେ ଦେଖା–ମିଳିବା ତ ମୁସ୍କିଲ–କଟକ ଫେରିଯିବା ପାଇଁ ପ୍ରାଣ ଅସ୍ଥିର ହୋଇଉଠିଲାଣି ସେଠି ମୋର ପ୍ରିୟତମା ପତ୍ନୀ, ମୋର ଆତ୍ମୀୟ-ସ୍ୱଜନ–ମୋର ସୁନାର ସଂସାର–(କୁମାର ହଠାତ୍ ଟିକିଏ ଚିନ୍ତିତ ହୋଇଉଠିଲେ) ବାସ୍ତବିକ୍ ରାୟ, ନିଜର ସଂସାର–ନିଜର ପରିବାର–ଏହାଠାରୁ ବଳି...

 

ଆନନ୍ଦ—କୁହ କୁମାର, ଯାହା ତୁମେ କହୁଥିଲ..ତମର ସଂସାର ତମର ପାରିବାରିକ ଜୀବନ–ଏ ସବୁ କଣ ସୁଖମୟ ହୋଇପାରିଚି ?

 

କୁମାର—(ନିଜ ଭିତର ଅବସ୍ଥାକୁ ଲୁଚେଇବା ପାଇ ଜୋର କରି ମୁହଁରେ ହସ ଟାଣି) ହଁ ରାୟ..ମୋ ସଂସାର ସୁନାର ସଂସାର, ଆଉ ମୁଁ ସୁଖୀ....

 

ଆନନ୍ଦ—ତୁମ ମୁହଁରେ ଏ ‘ହଁ’ ଟା ତୁମ ଭିତରର ନାଁ’ ଟାକୁ ଜୋର କରି ଚାପି ଦଉଚି କୁମାର !

 

କୁମାର—ତୁମେ ଭୁଲ ବୁଝୁଚ ଆନନ୍ଦ । ଏ ମହାନଗରୀର ବ୍ୟଭିଚାର ଆଡ଼କୁ ତୁମେ ଫେରି ଚାହଁନା, ତୁମେ ଚାହଁ ମତେ–ମୋର ଏହି ଶତସ୍ମୃତି ବିଜଡ଼ିତ, ମୋର ସମସ୍ତ ଆଶା ଭରସାର ସ୍ଥଳ, ଏଇ ତ୍ରିତଳ ପ୍ରାସାଦ ବ୍ଲୁ ଭିଲ୍ଲାକୁ; ଏଠି ମୁଁ ସୁଖୀ–ଏଠି ମୋର କୌଣସି ଅଭାବ ନାହିଁ–

 

ଆନନ୍ଦ—ମୁଁ ଜାଣେ କୁମାର, ତୁମେ କର୍ମୀ–ତୁମେ ବୁଦ୍ଧିମାନ୍–ତୁମେ ଉଦ୍ ଯୋଗୀ ପୁରୁଷ । ଏ କଲିକତା ପରି ସହରରେ ମଧ୍ୟ ତୁମର ପ୍ରତିପତ୍ତି ରହିଚି; କିନ୍ତୁ ତୁମେ ନିଜେ ଜାଣନା ତୁମର କଣ ଅଭାବ–(ଟିକିଏ ରହି) ହୁଏତ ମୁଁ ଗୋଟାଏ ଅତି ପୁରୁଣା କଥା କହୁଚି–ମୋ କଥା ତୁମକୁ ଅସଙ୍ଗତ ବୋଧ ହୋଇପାରେ–କିନ୍ତୁ ମୁଁ କହିବି କୁମାର—ତୁମର ଈଶ୍ୱର ଭୟ ନାହିଁ ।

 

କୁମାର—ଆନନ୍ଦ !!!

 

ଆନନ୍ଦ—ହଁ କୁମାର ! ତୁମେ ଇଶ୍ୱରଙ୍କୁ ଭୟ କରନା...ଆଉ ସେ ଭୟ ତମର ନାହିଁ ବୋଲି, ତମର ସବୁ ଥାଇ ମଧ୍ୟ କିଛି ନାହିଁ ।

 

କୁମାର—(ଆହତ ହୋଇ) ୟେ’ କଣ ତୁମେ କହୁଚ ରାୟ ! ଜଣେ ସାଧାରଣ ସଂସାରୀ ମୁଁ...ଏ ନିଷ୍ଠୁର ଅଗ୍ନି ପରୀକ୍ଷା ଭିତରକୁ ତୁମେ ମତେ ଠେଲି ଦଉଚ କାହିଁକି ? (କଥା ଶେଷକୁ ତାଙ୍କ କଣ୍ଠ ଧୀରେ ଧୀରେ କ୍ଷୀଣ ହୋଇ ଆସୁଥିଲା–ସେ ଗୋଟାଏ ସୋଫାରେ ବସିଲେ)

 

ଆନନ୍ଦ—କୁମାର ସାହେବ...

 

କୁମାର—ଟିକେ ନିରୋଳାରେ ରହିବି ରାୟ !

 

ଆନନ୍ଦ—ଉପରକୁ ଯିବ ?

 

କୁମାର—ନା–ଏଇଠି...

 

ଆନନ୍ଦ—ଆଚ୍ଛା ।

 

(ଚାଲିଗଲେ–ସଙ୍ଗେ ସଙ୍ଗେ ଆସିଲେ ଶ୍ରୀମତୀ ଦାସ–କୁମାରଙ୍କୁ ଏପରି ଅବସ୍ଥାରେ ଦେଖି ସେ ଦ୍ୱାରଦେଶରେ ଅଟକି ରହିଲେ)

 

କୁମାର—(ଉତ୍‍କ୍ଷିପ୍ତ ହେଲା ପରି) Who is there ? ଆପଣ ? ଆପଣ ଅରୁଣା ନିକଟକୁ ଯାଇ ନାହାନ୍ତି ?

 

ଶ୍ରୀମତୀ—ଯାଉଁ ଯାଉଁ ବାଟରୁ ଫେରି ଆସିଲି ।

 

କୁମାର—କାହିଁକି ?

 

ଶ୍ରୀମତୀ—(ବ୍ୟାଗ୍‍ଟା ଉଠାଇ) ଏଇ ବ୍ୟାଗ୍‍ଟା ପାଇଁ...

 

କୁମାର—ଏଇ ସାମାନ୍ୟ ବ୍ୟାଗ୍‍ଟା ପାଇଁ...

 

ଶ୍ରୀମତୀ—ମୋ ପକ୍ଷେ ଏ ବ୍ୟାଗ୍‍ଟା ସାମାନ୍ୟ ନୁହେଁ–(ଖୋଲିବାକୁ ଯାଉଥିଲେ–କୁମାରଙ୍କ କଥାରେ ଅଟକିଗଲେ)

 

କୁମାର—Dam it ! (ଡ୍ୟାମ ଇଟ୍) ବ୍ୟାଗ୍‍ଟା ନେଇ ଆପଣ ଯାଆନ୍ତୁ–ଯା’ନ୍ତୁ କହୁଚି-

 

(ଶ୍ରୀମତୀ ଦାସ ଅଗ୍ରସର ହେଲେ–କୁମାର ବାହୁ ଉପରେ ମଥା ରଖି ବସି ରହିଲେ–ତାଙ୍କ ଆଖି ମୁଦି ହୋଇ ଆସିଲା–ଦ୍ୱାରଦେଶରୁ ଶ୍ରୀମତୀ ଦାସ କୁମାରଙ୍କ ଅବସ୍ଥା ଦେଖି ଫେରିଆସି କୁମାରଙ୍କ ପଛଆଡ଼େ ଠିଆହେଲେ...ତା’ପରେ ଧୀରେ ଧୀରେ କୁମାରଙ୍କ ମଥା ଆଉଁଷିବାକୁ ଲାଗିଲେ)

 

ଶ୍ରୀମତୀ—କୁମାର ସାହେବ...

 

କୁମାର—(ଶାନ୍ତ ଗଳାରେ) କିଏ ? (ଶ୍ରୀମତୀ ଦାସଙ୍କୁ ଦେଖି ଉଠି ସିଧା ହୋଇ ବସିଲେ)

 

ଶ୍ରୀମତୀ—ବହୁ ସାଧ୍ୟ ସାଧନା କରି ମଣିଷ ପାହାଡ଼ ଉପରକୁ ଉଠିଥାଏ, ଓହ୍ଲାଇବାକୁ ହେଲେ ସେହିପରି ଧୈର୍ଯ୍ୟ ଆଉ ସାଧନା ଦରକାର । ଏପରି ଅଧୀର ହେଲେ...ଗୋଡ଼ହାତ ଭାଙ୍ଗିବା ସାର ହେବ ସିନା !! (କୁମାର ସ୍ଥିର ଦୃଷ୍ଟିରେ କେବଳ ଚାହିଁ ରହିଥାନ୍ତି) ମୁଁ ଯାଉଚି....କୁମାର ସାହେବ–ଅରୁଣା ନିକଟକୁ ହିଁ ଯାଉଚି...(ଚାଲିଗଲେ)

 

ତୃତୀୟ ଦୃଶ୍ୟ

 

(କଲିକତାର ଗୋଟିଏ ଅପ୍ରଶସ୍ତ ଗଳି ସେ ରାସ୍ତାରେ ମୋହନ ଚାଲିଛି...ଭିତରୁ ଆନନ୍ଦଙ୍କର ଉଚ୍ଚସ୍ୱର ଶୁଣାଗଲା)

 

ଆନନ୍ଦ—(ଦୂରରୁ ଖୁବ୍ ବଡ଼ ପାଟିରେ) ମୋହନବାବୁ ଓ ମୋହନବାବୁ ! (ସ୍ୱର ନିକଟ ହୋଇଆସିଲା—ମୋହନ ଶୁଣି ପାରି ଠିଆହୋଇ ରହିଲା—ଟିକେ ପରେ ଆନନ୍ଦ ଆସି ପହଞ୍ଚିଲେ–ତାଙ୍କ ପାଦରେ ଆଘାତ ଲାଗିଚି) ।

 

ମୋହନ—ଆପଣ ! ନମସ୍କାର !

 

ଆନନ୍ଦ—ନମସ୍କାର !

 

ମୋହନ—ଆପଣ ଏଠି ?

 

ଆନନ୍ଦ—ଟିକେ ଅପେକ୍ଷା କରନ୍ତୁ—ଏ ଭିତରେ ଯାହା ଯାହା ଘଟିଥିଲା—ସେଗୁଡ଼ିକୁ ଟିକେ ବିଶ୍ଳେଷଣ କରିନିଏଁ । ଟ୍ରାମରେ ଯାଉଥିଲି, ଦେଖିଲି ଆପଣ ଏ ଗଳି ଭିତରକୁ ପଶିଲେ—ଏକରକମ ଚଳନ୍ତା ଟ୍ରାମରୁ ଡେଇଁଚି । ଫଳରେ ପାଦ ମକଚି ହୋଇଗଲା । ମନେ ଅଛି ? ଆପଣଙ୍କ କାଠଗଡ଼ାସାଇ ଘରକୁ ଏମିତି ଭଙ୍ଗା ଗୋଡ଼ ନେଇ ଯାଇଥିଲି ! ତା’ପରେ ଏଇଟା କଲିକତା ସହର । ଏଠି ସମସ୍ତ ଗଣ୍ଡଗୋଳ ଭିତରେ ଆପଣଙ୍କୁ ଚୁପ ରହିବାକୁ ପଡ଼ିବ । ମୁଁ ଆପଣଙ୍କୁ ଏଡ଼େ ବଡ଼ ପାଟିରେ ଡାକିଲି ବୋଲି ଏଇ ଦେଖନ୍ତୁ, କୋଡ଼ିଏ କି ପଚିଶ ଯୋଡ଼ା ଆଖି ମତେ ଖାଇ ଗୋଡ଼େଇଚନ୍ତି । ଓଃ, କେତେବଡ଼ ଅଭ୍ରଦଟାଏ ମୁଁ ସତେ !

 

ମୋହନ—କିନ୍ତୁ କାହିଁକି ଆପଣ.......

 

ଆନନ୍ଦ—ଆଗେ ଆପଣ କୁହନ୍ତୁ—କାହିଁକି ଆପଣ ବରାବର ଏମିତି ଗଳିକନ୍ଦିରେ ଲୁଚିଲୁଚି ବୁଲୁଚନ୍ତି । କେତେଦିନ ଏମିତି ଦୁନିଆ ଆଖିରୁ ନିଜକୁ ବଞ୍ଚାଇ ରଖିବେ ? କୁଆଡ଼େ ଚାଲିଛନ୍ତି ଏଣେ ?

 

ମୋହନ—ଯାଉଚି ଜଣେ ବନ୍ଧୁଘରକୁ ।

 

ଆନନ୍ଦ—ଖୁବ୍ ବ୍ୟସ୍ତ ଥିଲା ପରି ତ ଜଣାଯାଉଚନ୍ତି ।

 

ମୋହନ—ହଁ, ଗୋଟାଏ ଏକ୍‍ଜିବିସନ୍ ?

 

ମୋହନ—Fine Art. (ଫାଇନ୍ ଆର୍ଟ)

 

ଆନନ୍ଦ—ମାନେ ? ଏଇ ଆପଣଙ୍କର ଛବି ଆଉ ଚିତ୍ରର କାରବାର ?

 

ମୋହନ—ହଁ ।

 

ଆନନ୍ଦ—ଆପଣ ଏକ୍‍ଜିବିସନ୍‍କୁ ଛବି ଦଉଚନ୍ତି ତ ?

 

ମୋହନ—ଦଉଚି ।

 

ଆନନ୍ଦ—ନୀଳାର ସେ ଛବିଟା ନିଶ୍ଚୟ ଦଉଚନ୍ତି ?

 

ମୋହନ—ହଁ ।

 

ଆନନ୍ଦ—ବିକ୍ରୀ ପାଇଁ ବୋଧହୁଏ ନୁହେଁ ?

 

ମୋହନ—ନାଁ ।

 

ଆନନ୍ଦ—ବାସ୍‍ ? ଏକ୍‍ଜିବିସନରେ ନୀଳାର ଛବି ସଜାଇ ଆପଣ ଧନ୍ୟ, ନୀଳା ମଧ୍ୟ ଧନ୍ୟା । ରାଗିବେ ନାହିଁ, ମୁଁ ମୂଳରୁ ଆପଣଙ୍କୁ ଏପରି କଥା କହି ଆସିଚି । କଣ ସାରା ଜୀବନଟା ଏମିତି ବଡ଼ ବଡ଼ ଆଦର୍ଶ ପଛରେ ଧାଇଁ ବୁଲୁଥିବେ—ନା...

 

ମୋହନ—ଏଇ ଏକ୍‍ଜିବିସନ୍‍ ପରେ କଟକ ଫେରି ଯାଉଚି ।

 

ଆନନ୍ଦ—ସତେ ? ତା’ ପରେ ? (ମୋହନ ମୁହଁପୋତି ହସୁଥାଏ) କଣ ନୀଳା ସହିତ ବିବାହ ?

 

ମୋହନ—ହଁ......

 

ଆନନ୍ଦ—ବେଶ୍ ବେଶ୍, (ହଠାତ୍‍ ସ୍ୱର ପରିବର୍ତ୍ତନ କରି) କିନ୍ତୁ ନୀଳା ? ସେ ପରା ଚାକିରି କରୁଚି ?

 

ମୋହନ—ମୁଁ ଫେରି ଯାଉଛି ଶୁଣିଲେ....

 

ଆନନ୍ଦ—କିନ୍ତୁ ସେ ଯଦି ନ ଫେରେ ?

 

ମୋହନ—ସେ ଭରସା ମୋର ଅଛି ।

 

ଆନନ୍ଦ—ଆପଣ କିନ୍ତୁ ତା ପ୍ରତି ଘୋର ଅନ୍ୟାୟ କରିଚନ୍ତି ।

 

ମୋହନ—ସେଇ ପ୍ରାୟଶ୍ଚିତ୍ତ କରିବାକୁ ଯାଉଛି ।

 

ଆନନ୍ଦ—ଆଚ୍ଚା ଯାଆନ୍ତୁ, ପ୍ରାୟଶ୍ଚିତ୍ତ କରନ୍ତୁ—ହଁ, ଆପଣ କେଉଁଠି ରହୁଚନ୍ତି ?

 

ମୋହନ—ବହୁବଜାର ଅଞ୍ଚଳ—ଆରପୁଲୀ ଲେନ ।

 

ଆନନ୍ଦ—ପୂରା ଠିକଣାଟା କୁହନ୍ତୁ ।

 

ମୋହନ—୩୧ ନମ୍ବର ଆରପୁଲୀ ଲେନ ।

 

ଆନନ୍ଦ—(ନିଜ ପକେଟ ଖୋଜି) ମୁଁ ଏକ କଥାକୁହା ପ୍ରାଣୀ—କାଗଜ କଲମ ସହିତ ମୋର ସମ୍ପର୍କ ନ ଥାଏ—ଟିକିଏ ସାହାଯ୍ୟ କରିବେ କି ? (ମୋହନ ପକେଟରୁ ଖଣ୍ଡେ କାଗଜ ଗୋଟିଏ ପେନସିଲ ବାହାର କରି ଦେଲା) ହଁ କୁହନ୍ତୁ, (ଲେଖିବାକୁ ଯାଇ) ୟେ କ’ଣ ! ପେନ୍‍ସିଲ ମୁନ ଯେ ଭଙ୍ଗା ! ଆହା, ମୋହନବାବୁ, ସେଇ ବିରାଟ ଭଙ୍ଗା ମହାଦେଶରୁ ଆପଣଙ୍କର କ’ଣ କେବେହେଲେ ମୁକ୍ତି ନାହିଁ ? ବୁଝିଲେ, ସବୁ ପଛେ ଭାଙ୍ଗୁ—ଆପଣଙ୍କ ମନ ଯେମିତି ଭାଙ୍ଗି ନ ଯାଏ । ହଁ, ଠିକଣାଟା କଣ କହିଲେ, ଘୋଷିବାକୁ ପଡ଼ିବ ଦେଖୁଚି...୩୧ ନମ୍ବର ସରପୁଲୀ ଲେନ୍ ।

 

ମୋହନ—ସରପୁଲୀ ନୁହେଁ...ଆରପୁଲୀ ଲେନ୍...

 

ଆନନ୍ଦ—ସେଇ ସରପୁଲୀ ମନେ ରଖିଲି—ଆରପୁଲୀ ଧରାପଡ଼ିବ...ଆଚ୍ଛା ମୁଁ ଯାଏଁ–ନମସ୍କାର । ଏଇ ବସ୍ ବୋଧହୁଏ ଆସିଗଲା, (ବଡ଼ ପାଟିରେ ରୋକ୍‍କେ ସର୍ଦ୍ଦାରଜୀ...ରୋକ୍‍କେ....(ଚାଲିଗଲେ)

 

ଚତୁର୍ଥ ଦୃଶ୍ୟ

 

[କୁମାରଙ୍କ କକ୍ଷ । ଦୃଶ୍ୟ ଆରମ୍ଭରେ ଦେଖାଗଲା କୁମାର ଗୋଟାଏ ଟେବୁଲରେ ହାତଭରା ରଖି ଠିଆ ହୋଇଛନ୍ତି । କୌଣସି ଏକ ବିଷୟର ସିନ୍ଧାନ୍ତରେ ପହଞ୍ଚିବା ପାଇଁ ଯେପରି ସେ ଚେଷ୍ଟା କରୁଥାନ୍ତି । ଟିକିଏ ପରେ ଉପରକୁ ଉଠି ଯାଉଁ ଯାଉଁ ସିଡ଼ି ମଝିରେ ଅଟକି ଗଲେ]

 

କୁମାର—ଭୀମ ସିଂ ! (ଭୀମ ସିଂ ପ୍ରବେଶ କଲା) ରାୟ ସାହେବ ?

 

ଭୀମ ସିଂ—ମାଲୁମ ନାହିଁ ହଜୁର !

 

କୁମାର–ଆଚ୍ଛା—(କୁମାର ସିଡ଼ି ଉପରେ ଅଦୃଶ୍ୟ ହୋଇଗଲେ; ପ୍ରାୟ ପରେ ପରେ ଫୋନ୍ ବାଜି ଉଠିଲା । ଭୀମ ସିଂହ ଫୋନ୍ ଧରିଲା)

 

ଭୀମ ସିଂହ—ୟେ ହାୟ ବ୍ଲୁ ଭିଲ୍ଲା ଜୀ ? କୁମାର ସାହେବ ? ଜୀ ହାଁ—ଉପର ମେଁ । ଆପ୍‍ କାହାଁସେ ବୋଲ ରହେ ହେଁ ? ହାସ୍‍ପାତାଲ ସେ ! ଆଚ୍ଛା ! ଫୋନ୍ ରଖିଦେଇ ଭୀମ ସିଂ ଚାଲିଗଲା । ଟିକିଏ ପରେ କୁମାର ଆସି ସିଡ଼ିର ଉପର ଭାଗରେ)

 

କୁମାର—ଆସ, ସଙ୍କୋଚ କରିବାର ଏଠି କିଛି ନାହିଁ ନୀଳା ! ଓହ୍ଲାଇ ଆସ—(ଧୀରେ ଧୀରେ ନୀଳା ତଳକୁ ଆସିଲା—ଏପରି ଅବସ୍ଥାରେ ସେ ଯେପରି ନିଜକୁ ନିଜେ ବିଶ୍ୱାସ କରି ପାରୁ ନଥାଏ) ।

 

କୁମାର—ବ୍ଲୁ ଭିଲ୍ଲାକୁ ଆସିବା ପରେ ଏଇ ପ୍ରଥମେ ତୁମେ ଏଠିକି ଆସିଲ—କଣ ଦେଖୁଚ ଏଠି ? ଏ କକ୍ଷର ବୈଭବ ଦେଖାଇବାପାଇଁ ତୁମକୁ ଏଠିକି ଡାକିନି—ଏଠି ତୁମେ ଯାହା ଦେଖିବ ହୁଏତ ନିଜ ଆଖିକୁ ନିଜେ ବିଶ୍ୱାସ କରିପାରିବ ନାହିଁ ! (ନୀଳା ଚକିତ ଦୃଷ୍ଟିରେ କୁମାରଙ୍କ ଆଡ଼କୁ ଫେରି ଚାହିଁଲା) । ଭୟ ନାହିଁ ନୀଳା ! ମୁଁ ଯାଦୁକର ନୁହେଁ—ମୁଁ ମନ୍ତ୍ର ଜାଣେନା—ସାଧାରଣ ମଣିଷ ଦ୍ୱାରା ଯାହା ସମ୍ଭବ ଆଜି ତାହା ହିଁ ଘଟିଛି । (କହୁ କହୁ ଗୋଟିଏ ଟେବୁଲ ଉପରେ ରଖାହୋଇଥିବା ଗୋଟିଏ ବଡ଼ ଛବି ଉପରୁ ସୁନ୍ଦର ସିଲ୍‍କର ଘୋଡ଼ଣୀ ଉଠାଇଦେଲେ । ଛବିଟି ହେଉଚି ନୀଳାର ସେଇ ଛବି । ଛବିଟିକୁ ଦେଖି ନୀଳା ଏକାବେଳେକେ ସ୍ତମ୍ଭୀଭୂତା ହୋଇଗଲା) ଏ ଘରେ ବର୍ତ୍ତମାନ ତୁମର ଉପସ୍ଥିତି ପରି ଏ ଏକାବେଳେକେ ନିର୍ଭୁଲ ନୀଳା ! ଏ ତମର ସେଇ ଛବି—ଯାହାକୁ ମୋହନ ତା’ ଶିଳ୍ପୀ ଜୀବନର ସମସ୍ତ କୌଶଳ ପ୍ରୟୋଗ କରି ଆଙ୍କିଥିଲା, ଆଉ ପ୍ରାଣ ଦେଇ ଭଲ ପାଇଥିଲା । ଏଇ ଛବିକୁ ବିକି ନ ପାରି ମୋହନ ଏତେଦିନ ଯାଏ କଲିକତାର ରାଜପଥରେ ଉଦ୍‍ଭ୍ରାନ୍ତ ପରି ବୁଲି ବୁଲି ଦିନ କାଟିଚି ଆଉ ତୁମେ ହୋଇଚ ବ୍ଲୁ ଭିଲ୍ଲାରେ ବନ୍ଦିନୀ ! ଭଲ କରି ଚାହିଁ ଦେଖ ନୀଳା—ତୁମ ପ୍ରିୟ ମୋହନର ଏ ସେଇ ଅତି ପ୍ରିୟ ଛବି-। ବହୁ ସାଧ୍ୟ ସାଧନା କରି ଯାହାକୁ ମୁଁ ଦିନେ ପାଇ ନ ଥିଲି, ଆଜି ସେ ମୋ ହାତକୁ ଆସିଚି–ତା’ ସଙ୍ଗେ ତୁମର, ମୋର ଓ ମୋହନ ଜୀବନର ଏକ ନୂତନ ଅଧ୍ୟାୟର ସୂତ୍ରପାତ ମଧ୍ୟ ଘଟିଚି-

 

(ନୀଳା ଆଖିରୁ ଧାର ଧାର ଲୁହ ବହି ଯାଉଥାଏ)

 

ଆଉ ଟିକିଏ ପରେ ବୋଧହୁଏ ମୋହନ ଆସିବ—ଛବିଟାର ଦାମ୍ ପାଞ୍ଚହଜାର ଟଙ୍କା–ସେଇ ଟଙ୍କାରେ ତୁମ ଦୁହିଁଙ୍କର ଜୀବନ ଯାତ୍ରା ଆରମ୍ଭ ହେବ । ମୁ ଆଜି ମୁକ୍ତ କଣ୍ଠରେ କହୁଚି

 

ନୀଳା—ତୁମେ ଫେରିଯିବା ପାଇଁ ବ୍ଲୁ ଭିଲ୍ଲାର ଦ୍ୱାର ମୁଁ ସସମ୍ମାନରେ ଖୋଲିଦେବି । ତୁମେ ମୋହନକୁ ବିବାହ କରି...

 

ନୀଳା—(ବାଧା ଦେଇ) କୁମାର ସାହେବ ! (ଟିକିଏ ରହି) ସବୁ ଦୁର୍ଭାଗ୍ୟ ଆଉ ଦୁର୍ଦ୍ଦିନ ମଧ୍ୟରେ ମୋର ଏକମାତ୍ର ଗର୍ବ ଥିଲା ମୋହନ ମୋର ଛବିଟା ବିକି ନାହିଁ କି ବିକି ପାରିବ ନାହିଁ । କାରଣ ସେ ମତେ...ରୁଦ୍ଧକଣ୍ଠକୁ ପୁଣି ଯେତେ ପାରେ ସହଜ ଅବସ୍ଥାକୁ ଆଣି) କିନ୍ତୁ ଆଜି ମୋର ସେ ଗର୍ବ ଭାଙ୍ଗି ଚୂନା ହେଇ ଯାଇଚି—ଦୁନିଆ ଯେତେ ଭୁଲ ବୋଲି କହିଲେ ସୁଦ୍ଧା, ତାର ପୌରୁଷର ଇଙ୍ଗିତରେ ମୋହନ ଯେଉଁ ବାଟ ବାଛି ନେଇଥିଲା ସେ ବାଟକୁ ଆଜି ଭୁଲିଛି । ଏ ଛବିକୁ ବିକିବା ସଙ୍ଗେ ସଙ୍ଗେ ସେ ନୀଳାକୁ ମଧ୍ୟ ବିକି ଦେଇଛି । କାଠଗଡ଼ା ସାହିର ନୀଳା ଆଜି ମରି ଜନ୍ମ ନେଇଚି ଏଇଠି ଏଇ ବ୍ଲୁ ଭିଲ୍ଲାରେ ।

 

କୁମାର—ନୀଳା !! (କୁମାରଙ୍କ କଥାକୁ ଅପେକ୍ଷା ନ କରି ସେ ସଙ୍ଗେ ସଙ୍ଗେ କ୍ଷିପ୍ରଗତିରେ ଉଠିଯାଇଚି ଉପରକୁ । ଏ ଘଟଣା ଘଟିଯିବା ପରେ କୁମାରଙ୍କ ଜୀବନରେ ଯେପରି ଏକ ପରାଜୟ ଘଟିଯାଇଛି । ଅଥଚ ସେ ପରାଜୟ ହିଁ ତାଙ୍କର କାମ୍ୟ—କୁମାରଙ୍କ ଅବସ୍ଥାକୁ ଏଇ ଆଭାସ ମିଳେ)

 

କୁମାର—ଭୀମ ସିଂ—!(ଭୀମ ସିଂ ପ୍ରବେଶ) କୋଇ ଆନେସେ ୟହିଁ ବୈଠାଓ–

 

ଭୀମ ସିଂ—ଜୀ ହଜୁର । (ନୀଳାର ଛବି ଉପରେ ପୁନର୍ବାର ପରଦାକୁ ଟାଣିନେଇ କୁମାର ଉପରକୁ ଉଠିଗଲେ । ବାହାରୁ ଘଣ୍ଟି ହେଲା, ଭୀମ ସିଂ ଯାଇ ଦରଜା ଖୋଲିଦେଲା । ଆଗନ୍ତୁକ ହେଉଚି ମୋହନ—ତାକୁ ଦେଖିଲେ ମନେହୁଏ ଯେପରି ତା’ର ସର୍ବସ୍ୱ ଅପହୃତ ହୋଇଯାଇଚି, ଆଉ ସେଥିପାଇଁ ସେ ହେଇଚି ଡେସ୍‍ପାରେଟ୍—)

 

ମୋହନ—କୁମାର ସାହେବ ! (ମୋହନର ଉତ୍ତେଜନା ଦେଖି ଭୀମ ସିଂ ପ୍ରଥମେ ସ୍ତମ୍ଭିତ ହୋଇଗଲା)

 

ଭୀମ ସିଂ—ଆପ୍ ବୈଠିୟେ—

 

ମୋହନ—କୁମାର ସାହେବ କାହାନ୍ତି ?

 

ଭୀମ ସିଂ—ଆପ୍ ବୈଠିୟେ ତୋ...

 

ମୋହନ—ବସିବାକୁ ମୁଁ ଆସିନି, ମତେ କୁହ, କୁମାର ସାହେବ କାହାନ୍ତି ?

 

ଭୀମ ସିଂ—ଉପରମେ—(ମୋହନ ଉପରକୁ ଯିବାକୁ ଉଦ୍ୟତ ହେଲାବେଳେ ଭୀମ ସିଂ ତାକୁ ବାଧା ଦେଲା)

 

ମୋହନ—ମୁଁ ଉପରକୁ ଯିବି ।

 

ଭୀମ ସିଂ—ହୁକୁମ ନେହିଁ..(ମୋହନ ଜୋର କରି ଆଗେଇଗଲା) ମତ୍ ଯାଇୟେ, ମତ୍ ଯାଇୟେ ବାବୁସାହେବ, ଜୁଲୁମ୍ ମତ୍ କିଜିୟେ... । (ଏତିକିବେଳେ ସିଡ଼ି ଉପରେ ଦେଖାଦେଲେ କୁମାର ! ମୋହନ ତାଙ୍କୁ ଦେଖି ଅଟକିଗଲା)

 

କୁମାର—ମୋହନ ! ଧନ୍ୟବାଦ ମୋହନ, ତମେ ଆସିଚ !...ଭୀମ ସିଂ, ଚା...(ଭିମ ସିଂ ଚାଲିଗଲା)

 

ମୋହନ—ଛବିଟା ?

 

କୁମାର—ଏଇ ପ୍ରଖର ଦିବାଲୋକରେ ଏକ୍‍ଜିବିସନ୍ ଷ୍ଟଲରୁ ଛବିଟାକୁ କେହି କେବେ ଚୋରାଇ ଆଣିପାରିବ ନାହିଁ ମୋହନ !

 

ମୋହନ—ଆପଣ ଜାଣନ୍ତି, ଛବିଟା ବିକ୍ରୀ ପାଇଁ ନଥିଲା ଅଥଚ ମୁଁ ନ ଥିଲାବେଳେ ଆପଣ ଛବିଟାକୁ ନେଇ ଆସିଚନ୍ତି !

 

କୁମାର—ତମେ ବୋଧହୁଏ ଜାଣନା ମୋହନ, ଏ ଏକ୍‍ଜିବିସନ୍‍ର ମୁଁ ମଧ୍ୟ ଜଣେ ପୃଷ୍ଠପୋଷକ । ଛବିଟା ଯେ ମୁଁ ନେଇ ଆସିଚି ସେଥିପାଇଁ ଏକ୍‍ଜିବିସନ୍‍ର କର୍ମକର୍ତ୍ତାଙ୍କ ନିକଟରେ ମୁଁ ଦାୟୀ ।

 

ମୋହନ—ଛବିଟା ମୋତେ ଫେରାଇ ଦିଅନ୍ତୁ ।

 

କୁମାର—ଦେବି; କିନ୍ତୁ ତୁମେ ଏପରି ଉତ୍ତେଜିତ ହେଉଚ କାହିଁକି, ବସ ! (ମୋହନ ବସିବାକୁ ଅନିଚ୍ଛୁକ) ମୁଁ ଅନୁରୋଧ କରୁଚି ମୋହନ, ତମେ ଶାନ୍ତ ହୋଇ ଟିକିଏ ବସ । ଛବିଟାକୁ ଫେରାଇଦେବାରେ ମୋର କୌଣସି ଆପତ୍ତି ନାହିଁ । ଏଇ ଦେଖ, ଛବିଟା ଏଇଠି ଅଛି । ତମ ଇଚ୍ଛା ବିରୁଦ୍ଧରେ ଛବିଟା ରଖିବା ଭଳି ଦୁର୍ବୁଦ୍ଧି ମୋର ନାହିଁ—ତମେ ବସ !

 

(ମୋହନ ଯନ୍ତ୍ରଚାଳିତ ପରି ବସିଲା—ତା’ର ଉତ୍ତେଜନା ଧୀରେ ଧୀରେ କମି ଆସୁଥାଏ)

 

ଦିନେ ଅବଶ୍ୟ ଏ ଛବିଟାପାଇଁ ମତେ ତମ ଘର ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା । ସେ ଦିନ ତ ମୁଁ ଜାଣି ନ ଥିଲି ଯେ ମୋ ଅପେକ୍ଷା ଛବିଟା ଉପରେ ତମର ମୋହ-ମାୟା-ମମତା ବେଶି ! ତମେ ଜମେ ଶିଳ୍ପୀ । ଧନ-ଦୌଲତ—ଅପେକ୍ଷା ଆଦର୍ଶ ହିଁ ତମ ନିକଟରେ ବଡ଼ । ତା ହେବା ସ୍ୱାଭାବିକ । ସେଥିପାଇଁ ମୋ ନିଜ ତରଫରୁ ମୁଁ ଛବିଟା ଉପରୁ ସମସ୍ତ ଆଶା ତୁଟାଇ ଦେଇଥିଲି । କିନ୍ତୁ ଆଜି ? ଆଜି ଯଦି ଏ ଛବିଟା ମୁଁ ତମଠାରୁ ଭିକ୍ଷା ଚାହେଁ—ତେବେ ସେ ମୋ ନିଜପାଇଁ ନୁହେଁ–(ମୋହନ ଜିଜ୍ଞାସୁ ଦୃଷ୍ଟିରେ କୁମାରଙ୍କୁ ଚାହିଁଲା । ଏତିକିବେଳେ– ଚା’ ଆସିଲା —ଚା’ ରଖିଦେଇ ଭୀମ ସିଂ ଚାଲିଗଲା) ସବୁ ଜାଣିବ ମୋହନ; କାହିଁକି; କାହାପାଇଁ, ଏ ଛବିଟା ସକାଶେ ମୁଁ ପୁଣି ଆଜି ତମର ଦ୍ୱାରସ୍ଥ ହେଉଚି । ତମେ ଆଗ ଚା’ ଖାଅ ।

 

ମୋହନ—ମତେ କ୍ଷମା କରନ୍ତୁ କୁମାର ସାହେବ !

 

କୁମାର—ମୋ ଘରକୁ ତୁମେ ଆସିଚ ମୋହନ, ତମେ ମୋର ଅତିଥି । ମୋର ଆତିଥ୍ୟ ଯଦି ତମେ ଗ୍ରହଣ ନ କର, ତେବେ ସେ ଅପମାନ ତ ଏକା ମତେ ବାଧିବ ନାହିଁ—ଆମ ସମାଜର ପରାମ୍ପରା ମଧ୍ୟ ଏଥିରେ ଆହତ ହେବ ।

(ମୋହନ ଆସିବା ବେଳଠାରୁ କୁମାର ଏପରି ଉଚ୍ଛ୍ୱାସପୂର୍ଣ୍ଣ ଅଥଚ ସହଜ ଭାବରେ ତା’ ସହିତ ବ୍ୟବହାର କରୁଥାନ୍ତି ଯେ, ମୋହନ, ଚେଷ୍ଟା କରି ସୁଦ୍ଧା ତାଙ୍କର କୌଣସି କଥାର ପ୍ରତିବାଦ କରିପାରୁ ନ ଥାଏ । କୁମାର ନିଜ ହାତରେ ଚା’ ଢାଳି ମୋହନକୁ ଦେଲେ ନିଜେ ମଧ୍ୟ ଗୋଟିଏ କପ୍ ନେଲେ ।)ଏଇ ନିଅ ମୋହନ, ତମର ଚା ! (ମୋହନ ଯେପରି ବାଧ୍ୟ ହୋଇ ଚା ଖାଇଲା)

 

ମୁଁ କହୁଥିଲି ନା ମୋହନ, ଆଜି କାହାପାଇଁ ଏ ଛବି ମୁଁ ତମଠାରୁ ଭିକ୍ଷା କରୁଚି । (ଟିକିଏ ରହି) ମୋର ଏଇ ଅତି ପ୍ରିୟ ବ୍ଲୁ ଭିଲ୍ଲାରେ ପାଦ ଥୋଇ ଯିଏ ମତେ ଧନ୍ୟ କରିଚି—ମୋ ଜୀବନ-ପଥରେ ଯିଏ ଜାଳି ଦେଇଚି ଲକ୍ଷ ଦୀପାବଳୀର ଶିଖା—ତା’ରି ପାଇଁ ମୋହନ—କେବଳ ତା’ରି ପାଇଁ ମୁଁ ଚାହେଁ ନୀଳାର ଏ ଛବିକୁ...ତମେ ଜାଣ, ସେ କିଏ ? ଠିକ୍ ଏତିକିବେଳେ ଦେଖାଗଲା ସିଡ଼ିର ଉପରଭାଗରେ ଠିଆ ହୋଇଛି ନୀଳା—କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ବେଷଭୂଷାରେ । ଏଠାକୁ ଆସିବା ଦିନଠାରୁ ସେ କେବଳ ସାଦାଶାଢ଼ି ଆଜି ଖୁବ୍ ଦାମିକା ଶାଢ଼ି ପିନ୍ଧିଛି—ଦେହରେ ମଧ୍ୟ କେତେକ ମୂଲ୍ୟବାନ୍ ଅଳଙ୍କାର)

 

କୁମାର—ନୀଳା !!!

 

(କୁମାର ସିଡ଼ି ଉପରକୁ କିଛି ଦୂର ଉଠିଗଲେ । ବର୍ତ୍ତମାନ ସେ ଆହୁରି ଉତ୍‍ଫୁଲ୍ଲ ଦେଖା ଯାଉଥାନ୍ତି) ଆସ ନୀଳା !

 

(ନୀଳା କିନ୍ତୁ ଗୋଟିଏ ଦୁଇଟି ପାହାଚରୁ ବେଶୀ ତଳକୁ ଓହ୍ଲାଇଲା ନାହିଁ । ଆରମ୍ଭରୁ ତା’ ଦୃଷ୍ଟି ପଡ଼ିଚି ମୋହନ ଉପରେ—ମୋହନ ମଧ୍ୟ ନୀଳାକୁ ପଲକହୀନ ଦୃଷ୍ଟିରେ ଚାହିଁ ରହିଚି । କିନ୍ତୁ ବେଶୀ ସମୟ ଏ ଦୃଷ୍ଟି ବିନିମୟ ତିଷ୍ଠି ରହିପାରିଲା ନାହିଁ । ଉଭୟ ନୀଳା ଓ ମୋହନ ଉପରେ କୁମାରଙ୍କର ଚଞ୍ଚଳ ଦୃଷ୍ଟିପାତ ଫଳରେ ସେ ଦୁହିଁଙ୍କର ଦୃଷ୍ଟି ବିନିମୟ ଆପେ ଆପେ ଭାଙ୍ଗିଗଲା । ଠିକ୍ ଏତିକିବେଳେ ବାହାରୁ ଆସିଲେ ଆନନ୍ଦ)

 

କୁମାର—ତମେ ଶୁଣି ସୁଖୀ ହେବ ରାୟ ଯେ, ମୋହନର ଏ ଛବିଟି ସମ୍ବନ୍ଧରେ ଆଜି ଗୋଟାଏ ସମାଧାନ ହୋଇଯାଇଛି...କିନ୍ତୁ ମୋହନ, ତମକୁ ମୁଁ ଏତିକିରେ ଛାଡ଼ୁନି । ନୀଳାର ଆଜିକାର ଠିକ୍ ଏଇ ବେଶର ଗୋଟିଏ ଛବି ତମକୁ ଆଙ୍କିବାକୁ ପଡ଼ିବ । ...ହିଁ ରାୟ, ତମେ ତ ଶୁଣିଚ, ଏ ଛବିଟା ପାଇଁ ମୁଁ ମୋହନକୁ ପାଞ୍ଚ ହଜାର ଟଙ୍କା ଦେବାପାଇଁ ରାଜି ହୋଇଥିଲି ମୋ’ କଥା ମୁଁ ରଖୁଛି ! କ’ଣ ମୋହନ...

 

(ପକେଟରୁ ଚେକ୍‍ଟା କାଢ଼ି ଧରିଲେ)

 

ମୋହନ—ଛବିଟା ମୁଁ ବିନା ମୂଲ୍ୟରେ ଦେଇଯାଉଚି ।

 

(କହିସାରି ଚାଲି ଯାଉଥିଲା)

 

ନୀଳା—ଶୁଣ !

 

(ମୋହନ ଅଟକି ଗଲା—ନୀଳା ତଳକୁ ଆସିଲା) ମୁଁ ଜାଣେ, ଛବିଟା ବିନା ମୂଲ୍ୟରେ ତମେ ମତେ ହିଁ ଦେଇ ଯାଉଚ । କିନ୍ତୁ ତମ ପରି ଜଣେ ଦରିଦ୍ର-କାଙ୍ଗାଳ ଶିଳ୍ପୀଠାରୁ ଛବିଟାକୁ ବିନା ମୂଲ୍ୟରେ ଦେଖିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେଁ । (କୁମାରଙ୍କ ହାତରେ ଚେକ୍ ଖଣ୍ଡିକ ଟାଣିଆଣି)ଏଇ ନିଅ ତମ ଛବିର ଦାମ....ପାଞ୍ଚ ହଜାର ଟଙ୍କା...ନିଅ ।

 

(ଚେକ୍‍ଟାକୁ ମୋହନ ହାତରେ ଦେଇ ଦ୍ରୁତଗତିରେ ଉପରକୁ ଉଠିଗଲା । ମୋହନ ଟିକିଏ ପରେ ଚେକ୍‍ଟିକୁ ଧରି ଯନ୍ତ୍ରଚାଳିତ ପରି ସେଠାରୁ ଚାଲିଗଲା । କକ୍ଷ ଭିତରେ ଗୋଟାଏ ଅସ୍ୱାଭାବିକ ଧରଣର ନୀରବତା । ଏଇ ନୀରବତା ଭଙ୍ଗ କଲେ ଆନନ୍ଦ)

 

ଆନନ୍ଦ—ମେସମେରିଜମ୍ !! ଯାହାକୁ ଆମେ ସ୍ତମ୍ଭନ, ମୋହନ ବଶୀକରଣ ବୋଲି କହୁ—ଏପରି ଗୋଟିଏ ବିଦ୍ୟା ଅଛି ବୋଲି ମୁଁ ଶୁଣିଥିଲି; କିନ୍ତୁ ଏପରି ନିର୍ଭୁଲ ଭାବରେ ତା’ର ପ୍ରୟୋଗ ଯେ କରାଯାଇପାରେ, ଏ କଥା ମୋର କଳ୍ପନାର ବାହାରେ ଥିଲା ।

 

କୁମାର—ତମେ—ତମେ ଭୁଲ ବୁଝିଚ ରାୟ....

 

ଆନନ୍ଦ—ମାତ୍ର ମୁହୂର୍ତ୍ତକ ପାଇଁ ସେ ଦୁହିଁଙ୍କୁ ନିରୋଳାରେ ରହିବାର ସୁଯୋଗ ଯଦି ତମେ ଦେଇଥାନ୍ତ....

 

କୁମାର—ସୁଯୋଗ ନବାର ଅପେକ୍ଷାରେ ମୁଁ ଥିଲି ରାୟ—ଦବାକୁ ନୁହେଁ ।

 

ଆନନ୍ଦ—ଏ ଛଳନାର ଶେଷ କେଉଁଠି କୁମାର ?

 

କୁମାର—ଛଳନା !!

 

ଆନନ୍ଦ—ପୁଣି ଏତେ ତିକ୍ତ ଆଉ କଟୁ ଯେ ମୋ ପରି ଆଶୀର୍ବାଦ ଲୋକ ମଧ୍ୟ ବିବ୍ରତ ହୋଇ ପଡ଼ୁଚି–

 

କୁମାର—କାହିଁକି ରାୟ ?

 

ଆନନ୍ଦ—ନୀଳା ତମର ସ୍ତ୍ରୀ ନୁହେଁ ।

 

କୁମାର—ନୀଳା ଯେ ମୋର ସ୍ତ୍ରୀ, ଏକଥା ତ କେବେ କାହାରିକୁ ମୁଁ କହିନାହିଁ ।

 

ଆନନ୍ଦ—ଶ୍ରୀମତୀ ଦାସଙ୍କଠାରୁ ଆରମ୍ଭ କରି ଏ ମହଲାର ସମସ୍ତଙ୍କ ମୁହଁରେ ଯୁବରାଣୀ ସାହେବା ବୋଲି ପରିଚିତା ସେ ନାରୀଟି କିଏ ? ନୀଳା ତ ? (କୁମାର ନିରୁତ୍ତର ଏ ଡାଏରୀଟି ପଢ଼ କୁମାର ସାହେବ, ଏଇଟି ମୋର ନୁହେଁ, ଶ୍ରୀମତୀ ଦାସଙ୍କର;(ଡାଏରୀଟି କୁମାରଙ୍କୁ ଦେଲେ)ଭଦ୍ରମହିଳା ତୁମରି ଲୁଣ ଖାଇ ଏଥିରେ ତମରି ଗୁଣ କୀର୍ତ୍ତନ କରିଅଛନ୍ତି କୁହ କୁମାର ଏ ଡାଏରୀକୁ ମୁଁ ବିଶ୍ୱାସ କରିବି ତ ?

 

(ଏ କଥାରେ କୁମାରଙ୍କର ସମସ୍ତ ପ୍ରଫୁଲ୍ଲତା କୁଆଡ଼େ ଉଭେଇଗଲା । ରାୟ ଏହା ବୁଝି ପାରିଲେ ।) କ୍ଷମାକର ଭାଇ, ଥରକୁ ଥର ମୁଁ ଭାବୁଚି, ଏପରି ନିର୍ମମ କଥା କହି ତମକୁ ଆଘାତ ଦେବିନି...କିନ୍ତୁ ପାରିନାହିଁ ।

 

କୁମାର—ମୁଁ ଜାଣେ ରାୟ, ତମେ ମୋର ଚାଟୁକାର ନୁହଁ କିମ୍ବା ସୁବିଧାବାଦୀ ଶୁଭାକାଂକ୍ଷୀ ନୁହଁ । ତମ ପାଖରେ କୌଣସି କଥା ଗୋପନ ରଖି ହୁଏନା...ଏ ଡାଏରୀରୁ ତମେ ପଢ଼ିଥିବା ମୋର ସ୍ତ୍ରୀର କଥା–ସେଇ ସ୍ନେହମୟୀ-କରୁଣାମୟୀ ନାରୀ....

 

ଆନନ୍ଦ—କାହାନ୍ତି ସେ ?

 

କୁମାର—ସେ କଥା କହିବାର ମନର ବଳ ମୋର ଭାଙ୍ଗିଯାଇଚି ରାୟ । ଗୋଟାଏ ଦୁର୍ଦ୍ଦିନ ଆଗମନ ସଙ୍ଗେ ସଙ୍ଗେ ଆମେ ଦୁହେଁ ବିଚ୍ଛିନ୍ନ ହୋଇଗଲୁ—ଆଉ ଆମର ଏଇ ଦୁର୍ଭାଗ୍ୟକୁ ଗୋଟାଏ ଦୁଃସ୍ୱପ୍ନ ପରି ମୁଁ ଭୁଲିଗଲି । ଏହାପରେ ହୁଏତ ମୋ ଜୀବନର ସତ୍ତା ମୁଁ ହରାଇ ବସିଥାନ୍ତି; କିନ୍ତୁ ଠିକ୍ ଏତିକିବେଳେ ମୋ ଆଖି ଆଗରେ ଏକ ଲୋଭନୀୟ ଜୀବନର ଚିତ୍ର ଆଙ୍କିଦେଲେ ଶ୍ରୀମତୀ ଚନ୍ଦ୍ରାବତୀ ଦାସ !

 

(ଫୋନ୍ ବାଜି ଉଠିଲା—କୁମାର ଫୋନ୍‍ ଧରିଲେ)

 

କୁମାର ସ୍ପିକିଙ୍ଗ...ହସ୍‍ପିଟାଲ..(ଚମକି ଉଠି)...ଏଁ...କେତେବେଳେ ? ଓ...(ଫୋନ ରଖିଦେଲେ)

 

ଶ୍ରୀମତୀ ଦାସ ଆଉ ନାହାନ୍ତି ରାୟ !

 

ଆନନ୍ଦ—ଶ୍ରୀମତୀ ଦାସ ? କ’ଣ ହୋଇଥିଲା ?

 

କୁମାର—ବିଷ ଖାଇ ମୃତ୍ୟୁ । ମରିବା ଆଗରୁ ସେ କହି ଯାଇଚନ୍ତି ଯେ ଅରୁଣା ତାଙ୍କୁ ବିଷ ଦେଇଚି । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ସେ କଥା ବିଚାର କରିବାର ଅବସ୍ଥା ମୋର ଆଜି ନାହିଁ; କିନ୍ତୁ ଶ୍ରୀମତୀ ଦାସ ଯେଉଁ ଜୀବନର ଲୋଭ ମତେ ଦେଖାଇଥିଲେ, ସେ ଜୀବନ ବେଳେବେଳେ ମୋଠାରୁ ଦୂରେଇ ଗଲା । ଅଥଚ କଟକ ସହରର ସେ କେଉଁ ଅଖ୍ୟାତ ଗଳିର ଏକ ସାଧାରଣ ଝିଅ ଏଇ ନୀଳା...

 

ଆନନ୍ଦ—ମୁଁ ଜାଣେ କୁମାର, ନୀଳାପାଇଁ ତମ ହୃଦୟରେ ଅଛି ଏଇ ଶାନ୍ତ ସୁନ୍ଦର ପ୍ରେମର ଆସନ । କିନ୍ତୁ ଏ ସମସ୍ୟାର ଶେଷ କେଉଁଠି ? ଏହାର ସମାଧାନ କାହିଁ ?

 

କୁମାର—ସମାଧାନ ହୋଇ ଯାଇଚି ରାୟ, ଏଇ ଘର—ଏଇଠି ଜଣେ ପତିବ୍ରତା ନାରୀର ସ୍ନେହ-ପ୍ରେମ-ହୃଦୟ ଦେଇ ମତେ ଦିନେ ଯିଏ ସାର୍ଥକ କରିଥିଲା, ସେଇ ପୁଣି ଆଜି ଫେରିଆସିଚି

 

ନୀଳା ରୂପରେ । ନୀଳାକୁ ପାଇ ଆଜି ମୁଁ ଫେରି ପାଇଚି...(ଏତିକିବେଳେ ସିଡ଼ିର ଉପର ପାହାଚରେ ନୀଳା ଦେଖାଦେଲା) କିଏ ? ନୀଳା !

 

ନାଳା—ଆପଣ ବସନ୍ତୁ କୁମାର—ଆମ ବିବାହର ଦିନ ସ୍ଥିର କରିବାକୁ ହବ । ଆଉ ଆପଣଙ୍କ ବନ୍ଧୁଙ୍କୁ ମୋର ଅନୁରୋଧ, ସେ ଯେପରି ବିବାହର ଶେଷ ପର୍ଯ୍ୟନ୍ତ କଲିକତାରେ ରହିବେ ।(ନୀଳା ଚାଲିଗଲା)

 

କୁମାର—ଟିକିଏ ଆଗରୁ ତୁମେ କହୁଥିଲ ନା ରାୟ ଯେ ମୁଁ ଛଳନା କରୁଚି । ବର୍ତ୍ତମାନ କୁହ...

 

ଆନନ୍ଦ—କହିବାଟା ଅବଶ୍ୟ ମୋର କାମ...ସେଥିପାଇଁ ମୁଁ ବାଧ୍ୟ ହୋଇ କହୁଚି ଯେ, ଛଳନାଟା ତମଠୁ ବିଦାୟ ନେଇ ଗୋଟାଏ ନୂଆ ରୂପରେ ଶ୍ରୀମତୀ ନୀଳା ଦେବୀଙ୍କଠାରେ ଦେଖା ଦେଇଚି ।

 

କୁମାର—ରାୟ !

 

ଆନନ୍ଦ—ନୀଳା ଦେବୀଙ୍କୁ କହିଦେବ କୁମାର, ମୁଁ ତାଙ୍କର ଅନୁରୋଧ ରକ୍ଷା କରୁଚି । ବିବାହ ଉତ୍ସବରେ ଯୋଗ ନ ଦେଇ ମୁଁ କଟକ ଫେରୁନାହିଁ ।

 

ଷଷ୍ଠ ଦୃଶ୍ୟ

 

[ମୀର୍ଣ୍ଣାର ସେଇ ଘର—ଚତୁର୍ଥ ଦୃଶ୍ୟର ଦୁଇଦିନ ପରର ଘଟଣା । ଦୃଶ୍ୟ ଆରମ୍ଭରେ ଟିକିଏ ପରେ ଆସିଲା ମୋହନ । ଚତୁର୍ଥ ଦୃଶ୍ୟର ଘଟଣା ପରେ ସେ ଏକାବେଳେ ବିପର୍ଯ୍ୟସ୍ତ ହୋଇପଡ଼ିଚି । ଯେପରି ଉଦ୍ଦେଶ୍ୟହୀନ ଭାବରେ ସେ ଘରେ ଟିକିଏ ବୁଲାଚଲା କରି ମୋହନ ବସିପଡ଼ିଲା ଗୋଟାଏ ଚୌକୀ ଉପରେ—ଭିତରୁ ଆସିଲା ମୀର୍ଣ୍ଣା ।]

 

ମୀର୍ଣ୍ଣା—ଆରେ ମୋହନବାବୁ ଯେ—ମୋହନବାବୁ ! କି ଅଦ୍ଭୁତ ଲୋକ ଆପଣ ! ତିନି ଦିନ ହେଲା କୁଆଡ଼େ ଆତ୍ମଗୋପନ କରି ରହିଛନ୍ତି ....କ’ଣ ହୋଇଚି ଆପଣଙ୍କର ? ଏକାବେଳେକେ କ୍ଳାନ୍ତ ହୋଇ ପଡ଼ିଚନ୍ତି ଯେ ! ଏକ୍‍ଜିବିସନ୍‍ରେ ଦିନରାତି ଖାଟୁଥିଲେ ? ଏତେ ଖାଟୁଚନ୍ତି ତ, ମତେ ଟିକିଏ ଏକ୍‍ଜିବିସନ୍‍ ବୁଲାଇ ନେଲେ ନାହିଁ !

 

ମୋହନ—ଆପଣ ଯାଇଥାନ୍ତେ ?

 

ମୀର୍ଣ୍ଣା—ବାଃ, କୁଆଡ଼େ ଯାଏନାହିଁ ବୋଲି ଏଠିକି ଯିବିନାହିଁ—ଏଇ ନିଷ୍ପତ୍ତି ଆପଣ କରିନେଲେ ପରା ? ଆଚ୍ଛା, ମୁ ନ ହୁଏ ନ ଗଲି—ଆପଣ ଆସୁ ନ ଥିଲେ କାହିଁକି ? ନୀଳାର ଛବିକୁ ଛାଡ଼ି ଆସୁ ନ ଥିଲେ ନା କ’ଣ ?

 

(କହିସାରି ମୀର୍ଣ୍ଣା ହସିଉଠିଲା—ମୋହନ ନିଷ୍ପ୍ରଭ ଦୃଷ୍ଟିରେ ଚାହିଁଲା ମୀର୍ଣ୍ଣାର ମୁହଁକୁ । ମୀର୍ଣ୍ଣାର ହସ ବନ୍ଦ ହୋଇଗଲା)

 

କ’ଣ ହୋଇଚି ଆପଣଙ୍କର ?

 

ମୋହନ—କ’ଣ ହୋଇପାରେ କୁହନ୍ତୁ !

 

ମୀର୍ଣ୍ଣା—ଏକାବେଳେ ଅବସନ୍ନ ହୋଇ ପଡ଼ିଚନ୍ତି ଯେ ? କିଛି ନା କିଛି ହୋଇଛି ଆପଣଙ୍କର !

 

ମୋହନ—ମୋ ଜୀବନ ସହିତ ସମ୍ପୂର୍ଣ୍ଣ ଅପରିଚିତ ପରି କଥା କହୁଚନ୍ତି ଯେ ?

 

ମୀର୍ଣ୍ଣା—ଚା’ ଖାନ୍ତୁ !

 

ମୋହନ—ନା—

 

ମୀର୍ଣ୍ଣା—ତା’ହେଲେ ଏକ୍‍ଜିବିସନ୍‍ କଥା କୁହନ୍ତୁ । ନୀଳାର ଛବି...

 

ମୋହନ—ଆପଣ ଯା’ କହିଥିଲେ...

 

ମୀର୍ଣ୍ଣା—ଫାଷ୍ଟ ହୋଇଛି ତ ?

 

ମୋହନ—ହଁ....

 

ମୀର୍ଣ୍ଣା—(ଆନନ୍ଦରେ) ସାବାସ୍‍ ସାବାସ୍‍ ମୋହନବାବୁ । ଆପଣଙ୍କ ତୁଳିର ଜୟ ହେଉ-। କିନ୍ତୁ ମୋ ବିଚାରଶକ୍ତିକୁ ଆପଣ ପ୍ରଶଂସା ନ କରି ରହି ପାରିବେ ନାହିଁ । ମୁଁ କହିଥିଲି ଏ ଛବି ନିଶ୍ଚୟ ଫାଷ୍ଟ ହେବ—ଫାଷ୍ଟ ହୋଇଛି । ଆପଣଙ୍କ ଶିଳ୍ପୀଜୀବନ ସାର୍ଥକ ହୋଇଚି; ଏଥର ନିଶ୍ଚିତ ମନରେ ନୀଳାକୁ ବିବାହ କରି ସୁଖରେ ଘର ସଂସାର କରି କହନ୍ତୁ । ଭାବୁଚନ୍ତି କ’ଣ ? ଏତେ ବଡ଼ ଏକ୍‍ଜିବିସନ ରେ ଯା’ର ଛବି ଫାଷ୍ଟ ହୋଇଚି, ତାକୁ ବିବାହ କରିବା ପାଇଁ ରାଜା ଜମିଦାରମାନେ ବି ପାଗଳ ହୋଇ ଉଠିବେ । ହଁ ପୁରସ୍କାର କେତେ, ଦୁଇହଜାର ନା ?

 

ମୋହନ—ଦୁଇହଜାର ? ନା, ବେଶୀ...

 

ମୀର୍ଣ୍ଣା—ବେଶୀ ? କେତେ ?

 

ମୋହନ—ବିଶ୍ୱାସ କରିବେ ତ ?

 

ମୀର୍ଣ୍ଣା—କୁହନ୍ତୁ !

 

ମୋହନ—ପାଞ୍ଚହଜାର ।

 

ମୀର୍ଣ୍ଣା—ପାଞ୍ଚହଜାର !!

 

ମୋହନ—କାହିଁକି ? ଏ ଯୁଗରେ ଜଣେ ସୁନ୍ଦରୀ ତରୁଣୀର ମୂଲ୍ୟ କ’ଣ ପାଞ୍ଚହଜାର ଟଙ୍କା ନୁହେଁ !

 

ମୀର୍ଣ୍ଣା—କାହା କଥା ଆପଣ କହୁଚନ୍ତି ?

 

ମୋହନ—ନୀଳାର କଥା ।

 

ମୀର୍ଣ୍ଣା—ମୁଁ ନୀଳାର ଛବି କଥା ପଚାରୁଚି ।

 

ମୋହନ—ମୁଁ କିନ୍ତୁ ନୀଳାର କଥା କହୁଚି ।

 

ମୀର୍ଣ୍ଣା—ନୀଳା କାହିଁ ?

 

ମୋହନ—ଆପଣ ବର୍ତ୍ତମାନ କହୁଥିଲେ ନା—ନୀଳାକୁ ବିବାହ କରିବା ପାଇଁ ରାଜା ଜମିଦାରମାନେ ପାଗଳ ହୋଇଯିବେ—

 

ମୀର୍ଣ୍ଣା—ମିଛ ତ କହିନାହିଁ ?

 

ମୋହନ—ମୁଁ ମଧ୍ୟ ମିଛ କହୁନି—ତେବେ କୁମାର ସାହେବ ପାଗଳ ହୋଇଥିଲେ କି ନା ମୁଁ ଜାଣେନି; କିନ୍ତୁ ସେ ନୀଳାକୁ ବିବାହ କରୁଚନ୍ତି ?

 

ମୀର୍ଣ୍ଣା—ନୀଳାକୁ ବିବାହ କରୁଚନ୍ତି କୁମାର ସାହେବ ! କିଏ ସେ କୁମାର ?

 

ମୋହନ—ଜଣେ ସ୍ତ୍ରୀ ଲୋକ ପାଇଁ ପାଞ୍ଚହଜାର ଟଙ୍କା ଅକାତରରେ ଦେଇ ପାରିବେ–ଏହିପରି ଜଣେ ଭାଗ୍ୟବାନ୍‍ ବ୍ୟକ୍ତି ।

 

ମୀର୍ଣ୍ଣା—ଏଇଠି ଥାଆନ୍ତି ସେ—କଲିକତାରେ ?

 

ମୋହନ—ହଁ, ଏଇଠି ଥାଆନ୍ତି—ଖିଦିରପୁରର ବ୍ଲୁ ଭିଲ୍ଲା ।

 

ମୀର୍ଣ୍ଣା—ବ୍ଲୁ ଭିଲ୍ଲା !

 

ମୋହନ—ହଁ—ବ୍ଲୁ ଭିଲ୍ଲା...କୁମାର ଅମରେନ୍ଦ୍ର ନାରାୟଣ ସିଂହ ଦେଓ ।

 

ମୀର୍ଣ୍ଣା—(ଚମକି ଉଠି) ମୋହନବାବୁ !

 

ମୋହନ—କ’ଣ ? ବିଶ୍ୱାସ କରୁ ନାହାନ୍ତି ? ବାସ୍ତବିକ, ନିଜ ଆଖିରେ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବାକୁ ପ୍ରବୃତି ହୁଏନା ।

 

ମୀର୍ଣ୍ଣା—ତଥାପି ମୁଁ କହିବି ଏ ମିଛ କଥା ।

 

ମୋହନ—ମୁଁ ଜାଣେ, ଆପଣଙ୍କ ଆଖିରେ ନୀଳାର ସ୍ଥାନ ବହୁ ଉଚ୍ଚରେ । କିନ୍ତୁ ସେ ତ ଉଚ୍ଚରେ ହିଁ ରହିଚି । ଏଇ ଦେଖନ୍ତୁ ପାଞ୍ଚହଜାର ଟଙ୍କାର ଚେକ୍‍…।

 

ମୀର୍ଣ୍ଣା—ଚେକ୍‍ ! (ମୋହନ ଚେକ୍‍ଟା ମୀର୍ଣ୍ଣା ହାତକୁ ବଢ଼ାଇ ଦେଲା ।

 

ମୋହନ—ଦେଖନ୍ତୁ, ମୋର ସମସ୍ତ କଥା ଠିକ୍‍ । ମୁଁ ପାଞ୍ଚହଜାର ଟଙ୍କା ପାଇଛି ଆଉ ନୀଳା ହେବାକୁ ଯାଉଛି କୁମାର ଅମରେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ସ୍ତ୍ରୀ—ଯୁବରାଣୀ ! ଏ କ’ଣ ମୀର୍ଣ୍ଣା ଦେବୀ ! ଆପଣ ଏପରି ଆହତ ଦୃଷ୍ଚିରେ ଚାହିଁଚନ୍ତି କାହିଁକି ? ଚେକ୍‍ଟା ଆଣି ମୁଁ ଭୁଲ କରିଚି ? ମୋ ପୌରୁଷରେ କ’ଣ ଆଘାତ ଲାଗିଛି ? ନୀଳାର ଛବିକୁ ଦିନେ ଯିଏ ପାଇପାରି ନ ଥିଲେ—ଆଜି ସିଏ ସ୍ୱୟଂ ନୀଳାକୁ ପାଇଚନ୍ତି ।

 

(ମୋହନର ଏକଥା ଶୁଣି ଶୁଣି ମୀର୍ଣ୍ଣା ଯେପରି ଏକ ଅର୍ଦ୍ଧଚେତନ ଅବସ୍ଥାରେ ପହଞ୍ଚି ଯାଇଛି)

 

ମୀର୍ଣ୍ଣା—ଆପଣ ଠିକ୍‍ ଜାଣନ୍ତି ମୋହନବାବୁ କୁମାର ସାହେବ ନୀଳାକୁ ବିବାହ କରୁଚନ୍ତି ?

 

ମୋହନ—ଜାଣେ ।

 

ମୀର୍ଣ୍ଣା—ଆଉ ସେଇ ସମ୍ୱାଦ ନେଇ ଆପଣ ମୋ ନିକଟକୁ ଆସିଚନ୍ତି !

 

ମୋହନ—ମୁଁ ଜାଣେ ଆପଣ ମୋତେ ବିଦ୍ରୂପ କରିବେ । ଆପଣ ନାରୀ ସତ—କିନ୍ତୁ ମୋ ପରି ଦୁର୍ବଳ ନୁହନ୍ତି, କି ନୀଳାପରି ନିଜକୁ ଅସହାୟ ଭାବନ୍ତି ନାହିଁ । ନୀଳା ସ୍ଥାନରେ ଆପଣ ହୋଇଥିଲେ...ଆପଣ ହୁଏତ ସେଇ ଉଦ୍ଧତ ବର୍ବର ନାରୀ ମାଂସପିପାସୁ କୁମାର ଅମରେନ୍ଦ୍ର ନାରାୟଣର ମଥାଟାକୁ ଆପଣଙ୍କର ଏଇ ପାଦରେ ଦଳି ପେଷି....

 

ମୀର୍ଣ୍ଣା—(ବାଧାଦେଇ) ମୋହନବାବୁ (ମୀର୍ଣ୍ଣା ଆଉ ଠିଆ ହୋଇ ରହି ନ ପାରି ବସିପଡ଼ିଲା—ତା’ର ସମସ୍ତ ଶକ୍ତି ଯେପରି ଲୋପ ପାଇଚି)

 

ମୋହନ —ଏଁ...

 

ମୀର୍ଣ୍ଣା—ହିନ୍ଦୁ ନାରୀ ସବୁ ପାରେ କିନ୍ତୁ ନିଜ କାନରେ ନିଜ ସ୍ୱାମୀର ନିନ୍ଦା...

 

ମୋହନ—ସ୍ୱାମୀ ! କିଏ ? ଆପଣଙ୍କର ସ୍ୱାମୀ ?

 

ମୀର୍ଣ୍ଣା—କୁମାର....!

 

ମୋହନ—କୁମାର ! କୁମାର ସାହେବ ଆପଣଙ୍କ ସ୍ୱାମୀ କୁମାର ଅମରେନ୍ଦ୍ର ନାରାୟଣ ସିଂହଦେଓ ! ନୀଳା ତାଙ୍କରି ଯୁବରାଣୀ ହେଉଛି—ଆଉ, ସେ ସମ୍ବାଦ ଆପଣଙ୍କୁ ଆଣଇ ଦେଉଛି ମୁଁ—ମୁଁ !! …ହାଃ..ହାଃ...ହାଃ..(ଜୋର୍‍ ରେ ହସିବାକୁ ଲାଗିଲା—ଭିତରୁ ଆସିଲେ ମହାପାତ୍ର)

 

ମହାପାତ୍ର—ହସ, ମୋହନ ହସ, ଆହୁରି ଜୋର୍‍ ରେ ହସ । ଅନେକ ଦିନୁ ଏ ଘରେ କେହି ପ୍ରାଣଖୋଲା ହସ ହସି ନାହିଁ । ଆଜି ସେ ଦିନ ଆସିଛି । ତୁମେ ହସ ଆହୁରି ଜୋର୍‍ରେ । (ସେମିତି ହସୁଥିବା ଅବସ୍ଥାରେ ମୋହନ ଚାଲିଗଲା) ଦେଖିଲୁ—ଦେଖିଲୁ-ମୀର୍ଣ୍ଣା ! ୟା’କୁ ତୁ ବିଶ୍ୱାସ କରୁଥିଲୁ ତା ଆଜି ସେ ଚାଲିଗଲା—ହସି ହସି ସେ ବିଦାୟ ନେଲା—ଆଉ ତୋ ଆଖିରେ ଭରି ଦେଇଗଲା ଅଶ୍ରୁ...(ଅଶ୍ରୁପୂର୍ଣ୍ଣ ନୟନରେ ମୀର୍ଣ୍ଣା ଭିତରକୁ ଚାଲିଗଲା; ଟିକିଏ ପରେ ବାହାରୁ ଆସିଲେ ଆନନ୍ଦ)

 

ଆନନ୍ଦ—ଏଇ ବର୍ତ୍ତମାନ ଏ ଘରୁ ଯିଏ ବାହାରିଗଲେ ସେ ନିଶ୍ଚୟ ମୋହନବାବୁ ?

 

ମହାପାତ୍ର—ଠିକ୍ ପରେ ପରେ, ତାଙ୍କ ସ୍ଥାନ ପୂରଣ କରିବାକୁ ଯିଏ ଆସିଲେ, ସେ କ’ଣ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ—ଏଇ ପୃଥିବୀରର ଅଢ଼େଇଶହ କୋଟି ମଣିଷଙ୍କ ପରି ଜଣେ ମଣିଷ ନୁହନ୍ତି ?

 

ଆନନ୍ଦ—ଏତେଦୂର ଯିବା ଦରକାର ନାହିଁ ସାର୍‍—ମୁଁ ଏଇ ଦେଶର, ଆପାତତଃ ଏଇ କଲିକତା ସହରର ଜଣେ ଅଧିବାସୀ—କିନ୍ତୁ ମଣିଷ ତ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ, ଏଥିରେ ଆଉ ନୂତନତ୍ୱ କ’ଣ ଅଛି ?

 

ମହାପାତ୍ର—ନୂତନତ୍ୱ ନାହିଁ ? ଆଚ୍ଛା ତୁମେ କହି ପାରିବ ମଣିଷ କାହିଁକି ଶ୍ରେଷ୍ଠ ?

 

ଆନନ୍ଦ—କାରଣ, କାରଣ ସେ ‘ମଣିଷ’ । ସେ ବେଦ, ଉପନିଷଦ, ଗୀତ, ଭାଗବତ ରଚନା କରିଚି; କୋଣାର୍କ ତୋଳିଚି, ତାଜମହଲ ତୋଳିଚି, ପାଣିରେ ବୁଡ଼ିଚି, ପବନରେ ଉଡ଼ିଚି । ଲଣ୍ଡନରେ କଥା କହି କଟକରେ ଶୁଣିଚି । ଧର୍ମ ସ୍ଥାପନ କରିଚି—ଶିକ୍ଷାଦାନ କରିଚି—ସଂସ୍କୃତି ରକ୍ଷା କରିଚି ବୁଦ୍ଧ, ଚୈତନ୍ୟ, ଯୀଶୁ, ମହମ୍ମଦ, ଗାନ୍ଧୀ ରୂପରେ ଜନ୍ମଗ୍ରହଣ କରି, ଏ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରି ପାରିଛି ।

 

ମହାପାତ୍ର—ଆଉ ସେଇ ମଣିଷ ଗୀତା,କୋରାନ, ବାଇବେଲକୁ ଗୋଟାଏ ହାତରେ ଧରି ଆଉ ଗୋଟାଏ ହାତରେ ଖଣ୍ଡା, ବନ୍ଧୁକ ବୋମା ଧରିଚି । ମନ୍ଦିର ଭାଙ୍ଗିଚି, ବିଗ୍ରହ ପୋଡ଼ିଚି ଧର୍ମ, ଶିକ୍ଷା, ସଂସ୍କୃତି ନାମରେ ଜାଲ୍‍, ଜୁଆଚୋରୀ, ଭଣ୍ଡାମି କିଛି ବାଦ ଦେଇ ନାହିଁ । ବିଜ୍ଞାନର ଦ୍ୱାହି ଦେଇ ବିଭୀଷିକାକୁ ପ୍ରଶ୍ରୟ ଦେଇଚି...

 

ଆନନ୍ଦ—ତେବେ ହେଇଚି ସାର୍‍ ଆପଣଙ୍କର ଉତ୍ତର ମିଳି ଯାଇଚି । ମଣିଷ ଶ୍ରେଷ୍ଠ—କାରଣ, ମଣିଷ ଏ ହାତ ସେ ହାତ କରି ସବୁ କିଛି କରି ପାରେ । ସେ ଶ୍ରେଷ୍ଠ; କାରଣ ସେ ଏକାଧାରରେ ମଣିଷ ଆଉ ପଶୁ ।

 

ମହାପାତ୍ର—(ଅତି ଆନନ୍ଦରେ ଆନନ୍ଦକୁ କୁଣ୍ଢାଇ ପକାଇ) Bravo Bravo ବନ୍ଧୁ ! ମୁଁ ତୁମକୁ ସ୍ୱାଗତ ଜଣାଉଚି—ତୁମେ ଆଜି ମଣିଷ ସମ୍ବନ୍ଧରେ ଗୋଟିଏ ଅତି ମହାସତ୍ୟକୁ ସ୍ୱୀକାର କରିଚ, ମଣିଷ ଜାଣେ ସେ ଏକାଧାରରେ ମଣିଷ ଆଉ ପଶୁ—କିନ୍ତୁ ତାକୁ ତୁମେ ପଶୁର ଆଖ୍ୟା ଦେଲେ ସେ ମଣିଷର ସମସ୍ତ ଶକ୍ତି ନେଇ ଅସ୍ୱୀକାର କରିବା ସଙ୍ଗେ ସଙ୍ଗେ ତା ନିଜ ଭିତରଟାକୁ ଚାହିଁ ଦେଖିବ ଯେ, ସେଠାରେ ସେ ତା’ର ପଶୁତ୍ୱକୁ ଅତି ନିରାପଦରେ ଛପାଇ ରଖି ପାରିଛି କି ନା-? ମଣିଷର ଏଇ ରୂପର ପରିଚୟ ତୁମେ ପାଇଚ—ଏତେଦିନ ମୁଁ ତୁମର ପଥ ଚାହିଁ ରହିଥିଲି-। ତୁମେ ସେଇ, ତୁମେ ସେଇ—କିନ୍ତୁ କିଏ ତୁମେ ? ତୁମକୁ ତ ମୁଁ...

 

ଆନନ୍ଦ—ନାଁ—ମତେ ଆପଣ ଚିହ୍ନନ୍ତି ନାହିଁ, ମୁଁ କିନ୍ତୁ ଆପଣଙ୍କୁ ଚିହ୍ନି ପାରିଚି—

 

ମହାପାତ୍ର—ମତେ ତମେ ଚିହ୍ନ ? ମତେ... ! କିଏ ମୁଁ ? କୁହ, କିଏ ମୁଁ ?

 

ଆନନ୍ଦ—ଆପଣ...

 

ମହାପାତ୍ର—ନା, ନା, ତୁମେ ମତେ ଚିହ୍ନ ନା ? କିପରି ଚିହ୍ନିବ ? ମୁଁ ମଣିଷ ନୁହେଁ କି ପଶୁ ନୁହେଁ—ଦେବତା ନୁହେଁ କି ଦାନବ ନୁହେଁ—ନର ନୁହେଁ କି ବାନର ନୁହେଁ—ମୁଁ ଏଇ ଦୁଇ ମହାଶକ୍ତି ଭିତରେ ଏକ ମଧ୍ୟବର୍ତ୍ତୀ ଅବସ୍ଥା...ଏଇ ଆପୋଷ ନିଷ୍ପତ୍ତି । ସ୍ୱୟଂ ବିଧାତାପୁରୁଷ ମୋର ନାମକରଣ କରିପାରି ନାହାନ୍ତି । ତୁମେ ମୋତେ ଚିହ୍ନିବ କିପରି ? ତୁମେ ମତେ ଚିହ୍ନିନା...ଚିହ୍ନିନା (ଚାଲିଗଲେ, ଟିକିଏ ପରେ ଆସିଲା ମୀର୍ଣ୍ଣା)

 

ଆନନ୍ଦ—ନମସ୍କାର ମୀର୍ଣ୍ଣା ଦେବି !

 

ମୀର୍ଣ୍ଣା—ଆପଣ.... !

 

ଆନନ୍ଦ—ମୁଁ କୁମାର ସାହେବଙ୍କ ନିକଟରୁ ଆସିଚି....

 

ମୀର୍ଣ୍ଣା—(ଦୃଢ଼ତା ସହ) କାହିଁକି ?

 

ଆନନ୍ଦ—ଦେଖନ୍ତୁ, ଅତି ଆକସ୍ମିକଭାବରେ ଏପରି କେତେ ଘଟଣା ଏ ଭିତରେ ଘଟି ଯାଇଚି...ସେ ସବୁର ଆଲୋଚନା ପାଇଁ ସମୟ କିମ୍ବା ସୁବିଧା ଏଠି ନାହିଁ । ଆଚ୍ଛା, ମୋହନବାବୁ ବର୍ତ୍ତମାନ କେଉଁଠି ଜାଣନ୍ତି ?

 

ମୀର୍ଣ୍ଣା—ଜାଣେ ନା...

 

ଆନନ୍ଦ—ତାଙ୍କୁ ପୁଣି ଖୋଜି ବାହାର କରିବାକୁ ହେବ ।

 

(ମୀର୍ଣ୍ଣା ଚାଲି ଯାଉଥିଲା)

 

ଶୁଣନ୍ତୁ...........

 

ମୀର୍ଣ୍ଣା—କିଛି ଶୁଣିବା ଦର୍କାର ନାହିଁ ମୁଁ ସବୁ ଜାଣେ....

 

ଆନନ୍ଦ—ଆପଣ ଯାହା ଜାଣନ୍ତି—ତାହା ଯଥେଷ୍ଟ ନୁହେଁ । ତା ହୋଇଥିଲେ ମୁଁ ଆଜି ଏଠିକି ଆସି ନ ଥାନ୍ତି (ମୀର୍ଣ୍ଣାର ଗଳା ରୁଦ୍ଧ ହୋଇ ଆସୁଥାଏ)

 

ମୀର୍ଣ୍ଣା—ବେଶ୍‍ ତେବେ କୁହନ୍ତୁ, ଆଉ କ’ଣ ଶୁଣିବାରେ ବାକି ଅଛି ?

 

(ମୀର୍ଣ୍ଣା ଆଖିରେ ଅଶ୍ରୁ)

 

ଆନନ୍ଦ—ମୋତେ କ୍ଷମା କରିବେ ମୀର୍ଣ୍ଣା ଦେବୀ—ମୋର ଧୃଷ୍ଟତା ସ୍ୱୀକାର କରୁଛି...କିନ୍ତୁ...

 

ମୀର୍ଣ୍ଣା—କିଛି ନ ଶୁଣି ମଧ୍ୟ ମୁଁ ବୁଝିପାରୁଚି...ଆପଣ ମୋ ସମ୍ବନ୍ଧରେ ଅନେକ କିଛି ଜାଣନ୍ତି । ସଙ୍କୋଚର ଅବକାଶ ନାହିଁ... ଆପଣ କୁହନ୍ତୁ ।

 

ଆନନ୍ଦ—ମୁଁ ଆଜି ଏଇ ଅନୁରୋଧ କରିବାକୁ ଆସିଚି..ଚକ ଆଜି ଘୂରି ଯାଇଚି । ତା’ର ସୁଯୋଗ ଆପଣଙ୍କୁ ନେବାକୁ ହେବ ।

 

ମୀର୍ଣ୍ଣା—କ’ଣ ଆପଣଙ୍କର ଉଦ୍ଦେଶ୍ୟ ? କ’ଣ ଆପଣ କହିବାକୁ ଚାହାଁନ୍ତି ?

 

ଆନନ୍ଦ—ଅନେକ କଥା ମୁଁ କହିବାକୁ ଚାହେଁ—ଅନେକ କଥା ମୁଁ କହିବି...ସେ ଭରସା ଆପଣଙ୍କଠାରୁ ମୁଁ ପାଇଛି ।

 

ମୀର୍ଣ୍ଣା—କୁମାର ସାହେବ ଆପଣଙ୍କୁ ଏଠାକୁ ପଠାଇଛନ୍ତି ?

 

ଆନନ୍ଦ—ନ।, ଆପଣଙ୍କ ନିକଟକୁ ମୋ ନିଜ ପକ୍ଷରୁ ମୁଁ ଆସିଛି । ସେ ମୋତେ ପଠାଇଛନ୍ତି ଆପଣଙ୍କ ବାପାଙ୍କ ନିକଟକୁ କିନ୍ତୁ ତାଙ୍କୁ ଯେଉଁ ଅବସ୍ଥାରେ ମୁଁ ଦେଖୁଚି...

 

ମୀର୍ଣ୍ଣା—ତାଙ୍କର ଅବସ୍ଥା ଦେଖି ଆପଣଙ୍କର ଦୟା ହେବା ଉଚିତ, ଏତିକିରେ ତାଙ୍କୁ ମୁକ୍ତି ଦିଅନ୍ତୁ !

 

ଆନନ୍ଦ—ମୋର ଉଦ୍ଦେଶ୍ୟ...

 

ମୀର୍ଣ୍ଣା—(ବାଧା ଦେଇ) ଆପଣଙ୍କର ଉଦ୍ଦେଶ୍ୟ ଯାହା ହୋଇଥାଉ ନା କାହିଁକି, ଆପଣ ଏଠୁ ଚାଲିଯାଆନ୍ତୁ । (ଭିତରୁ ଆସିଲେ ମହାପାତ୍ର, ଦୁଇକପ୍‍ ଚା ନେଇ) ।

 

ମହାପାତ୍ର—ଗୋଟିଏ କପ୍‍ ଚା ନ ଖାଇ ସେ ଚାଲିଯିବେ କିପରି ମୀର୍ଣ୍ଣା । ଏଇ ନିଅ ବାବୁ ଚା ! ମୁଁ ନିଜେ ତିଆରି କରି ଆଣିଚି । ସେଇ ଚୌକୀରେ ବସି ଆରାମରେ ଚା ଖାଅ । (ନିଜେ ବସି ଚା ଖାଇଲେ) ହଁ, ମୋର ଗୋଟିଏ ପ୍ରଶ୍ନ—କେବେହେଲେ କ’ଣ ଏ ମଣିଷ ଗୋଟିଏ ସାଦାସିଧା ସୁନ୍ଦର ମଣିଷର ରୂପ ନେଇ ଏ ପୃଥିବୀରେ ହସି ଖେଳି ବୁଲିବ ନାହିଁ ? ୟେ କ’ଣ ସମ୍ଭବ ନୁହେଁ ?

 

ଆନନ୍ଦ—ନିଶ୍ଚୟ ସମ୍ଭବ ! ପ୍ରତି ମୁହୂର୍ତ୍ତରେ ଏହା ସମ୍ଭବ ହେଉଚି । (ମହାପାତ୍ର ଜୋରରେ ହସି ଉଠିଲେ)

 

ମହାପାତ୍ର—ପ୍ରତି ମୁହୂର୍ତ୍ତରେ ସମ୍ଭବ ହେଉଛି ! (ପୁଣି ହସିଲେ)

 

ଆନନ୍ଦ—ଏଇ ଦେଖନ୍ତୁ, ସେଇ ଶୁଭ ସମ୍ବାଦ ଘେନି ମୁଁ ଆପଣଙ୍କ ନିକଟକୁ ଆସିଚି ।

 

ମହାପାତ୍ର—ଶୁଭ ସମ୍ବାଦ ? ଶୁଣୁଚୁ ଶୁଣୁଚୁ ମୀର୍ଣ୍ଣା ! ଶୁଭ ସମ୍ବାଦ ଘେନି ଆସିଛନ୍ତି ! ଶୁଭ ସମ୍ବାଦ...(ହସ ଚାଲିଥାଏ, ଏଇ ଅବସରରେ ଆନନ୍ଦ ତାଙ୍କ ପକେଟରୁ ଗୋଟିଏ ଦଲିଲ ବାହାର କରି ହାତରେ ଧରିଲେ)

 

ଆନନ୍ଦ—(ଧରି) ଏଣେ ଦେଖନ୍ତୁ । ଏ ଦସ୍ତଖତ୍‍....

 

ମହାପାତ୍ର—ଦସ୍ତଖତ ! କାହାର ?

 

ଆନନ୍ଦ—ଆପଣଙ୍କର ମନେ ନାହିଁ, ରୋଗଶଯ୍ୟାରେ ପଡ଼ି ଆପଣ ଏ ଦଲିଲରେ ଦସ୍ତଖତ କରି ଦେଇଥିଲେ । ଏଇ ଦଲିଲ ବଳରେ ଆପଣଙ୍କର ସମସ୍ତ ସମ୍ପତ୍ତିର ମାଲିକ ହୋଇଗଲେ କୁମାର ସାହେବ...ଏଇ ମୀର୍ଣ୍ଣା ଦେବୀଙ୍କ ସ୍ୱାମୀ...କୁମାର ଅମରେନ୍ଦ୍ର ନାରାୟଣ ସିଂହଦେଓ, ଚିହ୍ନିପାରୁ ନାହାନ୍ତି ?

 

ମହାପାତ୍ର—କୁମାର !

 

ଆନନ୍ଦ—କୁସୁମପୁର ରାଜବଂଶର କୁମାର ଅମରେନ୍ଦ୍ର ନାରାୟଣ, ଯାହାଙ୍କର ରାଜ୍ୟ ନ ଥିଲା କି ସମ୍ପତ୍ତି ନ ଥିଲା... ଥିଲା

 

କେବଳ କୁମାର ସାହେବ ଉପାଧି...ଅନ୍ନ ଚିନ୍ତାରେ ଏଇ କଲିକତା ସହରରେ ବୁଲୁଥିବା ବେଳେ ଆପଣ ତାଙ୍କ ସନ୍ଧାନ ପାଇଲେ ମହାପାତ୍ର—ତାଙ୍କର ରୂପ, ତାଙ୍କର ଶିକ୍ଷା...ଆଉ ସର୍ବୋପରି ତାଙ୍କର ଆଭିଜାତ୍ୟର ପ୍ରତୀକ “କୁମାର ସାହେବ” ଉପାଧିରେ ଆପଣ ମୁଗ୍‍ଧ ହୋଇ ଆପଣଙ୍କର ଏକମାତ୍ର କନ୍ୟା ଏଇ ମୀର୍ଣ୍ଣା ଦେବାଙ୍କ ସହିତ ତାଙ୍କର ବିବାହ ଦେଲେ...

 

ମହାପାତ୍ର—ମୀର୍ଣ୍ଣାର ବିବାହ...

 

ଆନନ୍ଦ—ହଁ, କଲିକତାର ବିଶିଷ୍ଟ ବ୍ୟବସାୟୀ ଭବାନୀଶଙ୍କର ମହାପାତ୍ରଙ୍କର ଏକ ମାତ୍ର କନ୍ୟା, ମୀର୍ଣ୍ଣା ଦେବୀଙ୍କ ବିବାହ ହୋଇଗଲା କପର୍ଦ୍ଦକଶୂନ୍ୟ କୁମାର ସାହେବଙ୍କ ସାଥିରେ । କିନ୍ତୁ ମୋଟେ ଦୁଇବର୍ଷ ପରେ ମାରାତ୍ମକ ରୋଗ ମୂଖରୁ ବଞ୍ଚି ଆପଣ ଦେଖିଲେ, ଆପଣଙ୍କର ସମସ୍ତ ସମ୍ପତ୍ତି ସହିତ ଆପଣଙ୍କର ପ୍ରାଣପ୍ରିୟ କୁମାର ସାହେବ ଆପଣଙ୍କଠାରୁ ଦୂରେଇ ଯାଇଛନ୍ତି, ଭୁଲିଚନ୍ତି ଆପଣଙ୍କୁ—ଭୁଲିଚନ୍ତି ତାଙ୍କର ଏଇ ଦେବୀପ୍ରତିମା ସ୍ତ୍ରୀ ମୀର୍ଣ୍ଣା ଦେବୀଙ୍କୁ...

 

ମହାପାତ୍ର—(କେବଳ ଶୂନ୍ୟଦୃଷ୍ଟିରେ ଚାହିଁ ରହିଥାନ୍ତି)

 

ଆନନ୍ଦ—ଆଜି କିନ୍ତୁ ସେଦିନ ନାହିଁ—ଏଇ ଦେଖନ୍ତୁ, ଏ ସେଇ ଦଲିଲ, ଆପଣଙ୍କ ନିକଟକୁ ପୁଣି ଫେରି ଆସିଚି—ତା ସଙ୍ଗେ ସଙ୍ଗେ ଫେରିଆସିଚି ଆପଣଙ୍କର ପୂର୍ବର ସମ୍ପତ୍ତି, ଆପଣଙ୍କର ବ୍ଲୁଭିଲ୍ଲା—କ୍ରାଇସେଲର, ଲକ୍ଷ ଲକ୍ଷ ଟଙ୍କାର ସେୟାର—ଆପଣ ଯାହା ଚାହିଁଥିଲେ, ତାହା ହିଁ ଘଟିଚି । ମଣିଷ ଆଜି ଦେଖା ଦେଇଚି ଏକ ସାଦାସିଧା ମଣିଷ ରୂପରେ, ଆଉ ସେଇ ଶୁଭ ସମ୍ବାଦ ଘେନି ମୁଁ ଆପଣଙ୍କ ନିକଟକୁ ଆସିଚି । (କଥାର ଶେଷ ଆଡ଼କୁ ମହାପାତ୍ର ଦଲିଲଟା ସହିତ ଆନନ୍ଦଙ୍କର ହାତଟାକୁ ନିଜ ଛାତିରେ ଚାପି ଧରିଥାନ୍ତି । ତାଙ୍କ ଆଖିରୁ ଧାର ହୋଇ ଲୁହ ଝରି ଆସୁଥାଏ ।)

 

ସପ୍ତମ ଦୃଶ୍ୟ

 

(କଲିକତା ସହରର ଗୋଟିଏ ଗଳିରାସ୍ତାମୋହନ ଆସିଲା—ହତାଶ ଓ ଅବସାଦର ପ୍ରତ୍ୟେକ ଚିହ୍ନ ତାଠାରେ ସୁସ୍ପଷ୍ଟ । ସେ ଆସି ଠିକ୍ ତାର ବସାଘର ସମ୍ମୁଖରେ ହୋଇଚି, ଘରଭିତରୁ ବାହାରି ଆସିଲେ ଆନନ୍ଦ)

 

ମୋହନ—ଆପଣ ଏଠି ?

 

ଆନନ୍ଦ—ଦୁଇଘଣ୍ଟାରୁ ଉପର ହେବ ଆପଣଙ୍କ ଘରେ ଆପଣଙ୍କୁ ଅପେକ୍ଷା କରି କସି ରହିଥିଲି ।

 

ମୋହନ—ମୋ ଘରେ ମୋତେ ଅପେକ୍ଷା କରିଥିଲେ ?

 

ଆନନ୍ଦ—ଦେଖିଲେ ତ ସିଧା ଆପଣଙ୍କ ଘରୁ ବାହାରିଚି । ଆପଣଙ୍କ ବସାଲୋକେ କହିଲେ ଆପଣଙ୍କର ଫେରିବାରେ କିଛି ଠିକ୍ ଠିକଣା ନାହିଁ ।

 

ମୋହନ—କୁହନ୍ତୁ କି କାମ ମୋଠାରେ ଅଛି ?

 

ଆନନ୍ଦ—କିନ୍ତୁ ଏଇ ରାସ୍ତାରେ...

 

ମୋହନ—ବେଶ୍, ଘର ଭିତରକୁ ଚାଲନ୍ତୁ ।

 

ଆନନ୍ଦ—ସେଠି ଯେ ଅସୁମାରି ଲୋକ, ତା ଅପେକ୍ଷା ଆପଣ ଦୟାକରି ମୋ ସାଥିରେ–

 

ମୋହନ—କେଉଁଠିକି ? କୁମାର ସାହେବଙ୍କ ଘରକୁ ? ଦିନେ ଆପଣ ମୋ ଘରକୁ ଛବିର ଅର୍ଡ଼ର ଦେବାକୁ ଆସିଥିଲେ, ଆଜି କଣ ବିବାହର ନିମନ୍ତ୍ରଣ କରିବାକୁ ଆସିଛନ୍ତି ?

 

ଆନନ୍ଦ—ଦେଖନ୍ତୁ ମୋହନବାବୁ ! ଭଗବାନ ମୋତେ ଏପରି ଗୋଟିଏ ଉପାଦାନରେ ଗଢ଼ିଛନ୍ତି ଯେ ମୁଁ ଆପଣଙ୍କଠାରୁ ଖଣ୍ଡିଏ ପାନଖାଇ ହୁଏତ ହଜମ କରିପାରିବି ନାହିଁ; କିନ୍ତୁ ଆପଣ ମୋତେ ଏମିତି ହଜାରେ ନିନ୍ଦା, ଅପବାଦ ଦିଅନ୍ତୁ, ମୁଁ ତାକୁ ଅକ୍ଲେଶରେ ହଜମ କରି ଦେଇପାରିବି-। ଛାଡ଼ନ୍ତୁ, ନୀଳା ସହିତ କୁମାର ସାହେବଙ୍କର ବିବାହ—ଆପଣ ଏତିକି ମାତ୍ର ଜାଣିଚନ୍ତି ?

 

ମୋହନ—ଆଉ କ’ଣ ଜାଣିବାକୁ ବାକି ଅଛି ?

 

ଆନନ୍ଦ—ଚିରଦିନ ପର ଉପରେ ଅଭିମାନ କରି ଆପଣ କ’ଣ ପାଇବେ ?

 

ମୋହନ—ଯେ ନିଃସ୍ୱ, ସର୍ବହରା ସେ ଅଭିମାନରୁ କ’ଣ ପାଏ, ସେ କଥା ଆପଣମାନେ ବୁଝିପାରିବେ ନାହିଁ । କୁହନ୍ତୁ, ଆପଣ କ’ଣ କହିବାକୁ ଆସିଛନ୍ତି ?

 

ଆନନ୍ଦ—କହିବାକୁ ତ ମୁଁ ଆସିଚି; କିନ୍ତୁ—

 

ମୋହନ—କିନ୍ତୁ...

 

ଆନନ୍ଦ—ମୋର ହୃଦୟ ପଥରରେ ଗଢ଼ା ନୁହେଁ ମୋହନବାବୁ ! ତଥାପି—

 

ମୋହନ—କ’ଣ ଆପଣ କହିବାକୁ ଚାହୁଁଛନ୍ତି ?

 

ଆନନ୍ଦ—କହିବାଟା ମୋ ପକ୍ଷେ ଯେତେ ସହଜ, ଶୁଣିବାଟା ଯଦି ଆପଣଙ୍କ ପକ୍ଷରେ ସେତିକି ସହଜ ହୋଇପାରନ୍ତା—

 

ମୋହନ—କ’ଣ ହେଇଚି ? କୁହନ୍ତୁ କ’ଣ ହେଇଛି ?

 

ଆନନ୍ଦ—ଆଚ୍ଛା, ଆପଣ ତା’ ହେଲେ ଚାଲନ୍ତୁ ଆପଣଙ୍କ ଘରକୁ, ସେଇଠି କହୁଚି । (ଦୁହିଁଙ୍କର ପ୍ରସ୍ଥାନ)

 

ଅଷ୍ଟମ ଦୃଶ୍ୟ

 

(କୁମାର ସାହେବଙ୍କର ପୂର୍ବର ସେଇଘର—କୁମାର ଧୀରେ ପଦଚାରଣ କରୁଥିଲେ । ଅଳ୍ପକ୍ଷଣ ପରେ ସେ ଘର ଭିତରକୁ ଆସିଲେ ମୀର୍ଣ୍ଣାଦେବୀ । ତାଙ୍କର ବେଶଭୂଷାରେ କୌଣସି ପରିବର୍ତ୍ତନ ନାହିଁ । ମୀର୍ଣ୍ଣାକୁ ଦେଖିବାକ୍ଷଣି କୁମାର ସ୍ଥିର ହୋଇ ଗୋଟିଏ ସ୍ଥାନରେ ଠିଆହୋଇ ରହିଲେ । ଦୁହିଁଙ୍କ ଦୃଷ୍ଟି ଦୁହିଁଙ୍କ ଉପରେ ନିବଦ୍ଧ, ଏ ସାକ୍ଷାତ ଯେପରି ଏକାବେଳେକେ ଆକସ୍ମିକ; ଅଥଚ ଏଥିପାଇଁ ଉଭୟେ ପ୍ରସ୍ତୁତ—ଏଇ ଭାବ ଦୁହିଁଙ୍କଠାରେ ସୁସ୍ପଷ୍ଟ । ମୀର୍ଣ୍ଣା ଆଗେଇ ଯାଇ କୁମାରଙ୍କୁ ଭୂମିସଂଲଗ୍ନ ହୋଇ ପ୍ରଣାମ କଲେ । ନିମ୍ନମୁଖ କୁମାର ଏକ ଅପରାଧୀ ପରି ମୀର୍ଣ୍ଣାର ପ୍ରଣାମ ଗ୍ରହଣ କଲେ । ମୀର୍ଣ୍ଣା ଉଠି ଛିଡ଼ା ହେଲେ)

 

କୁମାର—ମୁଁ ତୁମକୁ ହିଁ ଅପେକ୍ଷା କରୁଥିଲି ।

 

ମୀର୍ଣ୍ଣା—ମୁଁ କିନ୍ତୁ ଆଶା ରଖି ନଥିଲି ଏମିତିଭାବେ ତୁମକୁ ଏଠି ଭେଟିବି ବୋଲି—

 

କୁମାର—ଉପରକୁ ଚାଲ...(ମୀର୍ଣ୍ଣା ଏକ ପ୍ରଶ୍ନବାଚକ ଦୃଷ୍ଟିରେ କୁମାରକୁ ଚାହିଁଲେ)

 

କୁମାର—ବ୍ଲୁ ଭିଲ୍ଲାର ସର୍ବମୟୀକର୍ତ୍ତ୍ରୀଙ୍କ ସ୍ଥାନତ...(କୁମାର ତାଙ୍କ କଥା ଶେଷକରି ପାରିଲେ ନାହିଁ...କାରଣ ଠିକ୍ ଏତିକିବେଳେ ମୀର୍ଣ୍ଣା ତାଙ୍କ ଅଞ୍ଚଳ ଭିତରୁ ଦଲିଲଟା କାଢ଼ି ସଶବ୍ଦରେ ଟେବୁଲ ଉପରକୁ ଫିଙ୍ଗିଦେଲେ)

 

ମୀର୍ଣ୍ଣା—ମୋର ସ୍ଥାନ କେଉଁଠି ତାର ସାକ୍ଷୀ ଏଇ ଦଲିଲ—ଏଇଟାକୁ ଫେରାଇଦବାକୁ ଆସିଥିଲି (ମୀର୍ଣ୍ଣା ଫେରୁଥିଲେ)

 

କୁମାର—ଶୁଣ ମୀର୍ଣ୍ଣା...ତୁମେ ନିଶ୍ଚୟ ଜାଣ ଯେ ଏ ଦଲିଲ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ...

 

ମାର୍ଣ୍ଣା—ଜାଣେ...

 

କୁମାର—ତା’ ହେଲେ ଏଇଟା ଫେରାଇ ଦଉଚ କାହିଁକି ?

 

ମୀର୍ଣ୍ଣା—ବାପାଙ୍କ ଇଚ୍ଛାରେ ଫେରାଇ ଦେଉଚି...

 

କୁମାର—ବାପାଙ୍କ ଇଚ୍ଛାରେ !! ସେ କିପରି ଅଛନ୍ତି ମୀର୍ଣ୍ଣା ?

 

ମୀର୍ଣ୍ଣା—କାହା କଥା ତୁମେ ପଚାରୁଛ !

 

କୁମାର—(ରହି ରହି)...ତମ ବାପାଙ୍କ କଥା...

 

ମୀର୍ଣ୍ଣା—(ରୁଦ୍ଧ ଗଳାରେ) ଓଃ..କୁମାର ! ତାଙ୍କ କଥା ତୁମେ ପଚାରିପାରିଲ.....କି ସ୍ନେହ ସେ ତୁମକୁ କରୁ ନ ଥିଲେ ? ରୋଗଶଯ୍ୟାରୁ ଉଠି ସେ ଯେତେବେଳେ ଜାଣିଲେ, ତାଙ୍କ ଅତି ଆଦରର କୁମାର ତାଙ୍କୁ ଅତି ନିଷ୍ଠୁର ଭାବରେ ଠକିଚି; ସେଇ ମୁହୂର୍ତ୍ତରୁ...(ଅଶ୍ରୁ ଚାପରେ ମୀର୍ଣ୍ଣା ଆଉ କହି ପାରିଲେ ନାହିଁ)

 

କୁମାର—ସେଇ ମୁହୂର୍ତ୍ତରୁ ହେଲା ତାଙ୍କ ମସ୍ତିଷ୍କର ବିକୃତି...ସେ ହେଲେ ପାଗଳ...ତା’ ପରେ, ଏଇ ଦୀର୍ଘ ଦୁଇବର୍ଷ ବିତି ଯାଇଛି ଏ ଭିତରେ ମୁଁ ନାନା ଉପାୟରେ ଚାହିଁଚି ତାଙ୍କୁ ସାହାଯ୍ୟ କରିବାକୁ; କିନ୍ତୁ ସେ ସବୁ ତୁମେ ପ୍ରତ୍ୟାଖ୍ୟାନ କରି, ଏକ ପାଗଳ ପିତାର ଦାୟିତ୍ୱ ନିଜ ମଥାରେ ଘେନି, କଲିକତା ସହରରେ ଅତି ଦୀନଦରିଦ୍ର ଭାବରେ...

 

ମୀର୍ଣ୍ଣା—ମୁଁ ତ ବେଶ୍ ଚଳି ଯାଉଥିଲି...କିଛି ନ ଥାଇ ମଧ୍ୟ ସେ ଜାଣୁଥିଲେ ତାଙ୍କର ସବୁ ରହିଛି...ସବୁ ସୁଖରୁ ବଞ୍ଚିତ ହୋଇ ସୁଦ୍ଧା ଦୁଃଖ କ’ଣ ଜାଣିବାର ଉପାୟ ତାଙ୍କର ନ ଥିଲା; କିନ୍ତୁ...କିନ୍ତୁ ଆଜି ଏଇ ଦଲିଲ...ଏଇ ଦସ୍ତଖତ ଦେଖି ତାଙ୍କର ପୂର୍ବ ସ୍ମୃତି ଫେରି ଆସିଚି...ତାଙ୍କ ମୁଣ୍ଡର ବିକାର ଘୁଞ୍ଚିଚି ସତ ତାଙ୍କ ପ୍ରାଣରେ ଜଳି ଉଠିଛି ଦୁଃଖ-ଶୋକର ନିଆଁ ! ଦୁଇବର୍ଷ ପରେ ସେ ଆଜି ପୁଣି ବୁଝି ପାରିଛନ୍ତି, ଯେଉଁ କୁମାର ଉପରେ ତାଙ୍କର ଏତେ ଆଶା; ଏତେ ଭରସା ଥିଲା...ସେ କୁମାର...ଓଃ...ନା କୁମାର ସାହେବ...ମୁଁ ତୁମକୁ ଅନୁନୟ କରୁଚି, ତୁମେ ଏ ଦଲିଲ, ଏ ସମ୍ପତ୍ତି ସବୁ ଫେରାଇ ନିଅ...ସେ ପୁଣି ପାଗଳ ହୁଅନ୍ତୁ—ସେଇଥିରେ ତାଙ୍କର ସୁଖ, ମୋର ଶାନ୍ତି...

 

(ଚାଲି ଯାଉଥିଲେ)

 

କୁମାର—ଶୁଣ ମୀର୍ଣ୍ଣା—ମୋର କଥା ଶେଷ ହୋଇନି । ଏଇ ଦୁଇବର୍ଷ ଭିତରେ ହୋଟେଲ, କାଶାନୋଭା, ନାଇଟ୍ କ୍ଲବ, ମିସେସ ଦାସ...ଏ ସମସ୍ତଠୁ ଗୋଟାଏ ତିକ୍ତ ଅଭିଜ୍ଞତା ନେଇ ଏକ ଦ୍ୱନ୍ଦରେ ପଡ଼ିଥିବାବେଳେ ମୋ ଗତିପଥରେ ଦେଖା ହେଲା ନୀଳା....

 

ମୀର୍ଣ୍ଣା—ନୀଳା ! ନୀଳାକୁ ବିବାହ କରି କ’ଣ ତୁମେ ସୁଖୀ ହୋଇ ପାରିବନାହିଁ...

 

କୁମାର—ନୀଳା ଆଉ ମୋ ସମ୍ବନ୍ଧରେ ତମର ଧାରଣା କ’ଣ ?

 

ମୀର୍ଣ୍ଣା—ଏ ଆଲୋଚନା ପାଇଁ ମୁଁ ଏଠିକି ଆସି ନଥିଲି...

 

(ପ୍ରସ୍ଥାନୋଦ୍ୟତା)

 

କୁମାର—ଯାଅ ନାହିଁ ମୀର୍ଣ୍ଣା—କୁହ ତୁମେ କ’ଣ ଜାଣ ?

 

ମୀର୍ଣ୍ଣା—ମୋହନଠାରୁ ଶୁଣିଲ ତୁମର ନୀଳା ସହିତ ବିବାହ ହେଉଚି—ତୁମ ବନ୍ଧୁଙ୍କଠୁ ଶୁଣିଲି ବିବାହ ହେଉନାହିଁ—ଜାଣେ ନା କାହାକଥା ସତ—

 

କୁମାର—ଦୁହିଁଙ୍କ କଥା ସତ । ଏଇ ଘରେ ଛ’ମାସ ବନ୍ଦିନୀ ହୋଇ ରହିଲା ପରେ ନୀଳା ଯେଉଁଦିନ ମୋତେ ବିବାହ ପାଇଁ ସମ୍ମତି ଦେଲା—ସେ ଦିନର ସ୍ମୃତି ରୂପେ ମୁଁ ତାକୁ ଉପହାର ଦେଇଥିଲି ଗୋଟିଏ ହୀରାମୁଦି; କିନ୍ତୁ ମୋର ସେ ହୀରାମୁଦିର ବିନିମୟରେ ସେ ମତେ କ’ଣ ଉପହାର ଦେଲା ଜାଣ ମୀର୍ଣ୍ଣା ?

 

ମୀର୍ଣ୍ଣା—(ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ)

 

କୁମାର—ଏଇ ଚିଠିଟା ପଢ଼ି ସବୁ ବୁଝିପାରି, ନୀଳା ତା ନିଜ ହାତରେ ଏ ଚିଠିଟା ଲେଖିଚି ।

 

ମୀର୍ଣ୍ଣା—(ପଡ଼ିଲା) ‘ତମର ଉପହାର ହୀରା ମୁଦିଟି ପାଇ ମୁଁ ତୁମ ପାଖେ ଚିରଦିନ ଋଣୀ । ମୋ ସମ୍ମୁଖରେ ବର୍ତ୍ତମାନ ସେ ହୀରାର ଗୁଣ୍ଡ ଥୁଆ ହୋଇଚି । କାଲି ଆମ ବିବାହର ଲଗ୍ନ–କାଲି ତମ ସହିତ ବିବାହ ହେବ ମୋର ଏଇ ମଲା ଦେହଟାର—‘ନୀଳା’

 

କୁମାର—ନୀଳା ସହିତ ମୋର ବିବାହ ହେଉଚି, ଏ ଧାରଣ ନେଇ ମୋହନ ଏଠୁ ଯିବା ପରେ ପରେ ଏ ଘଟଣା ଘଟିଲା ସେଥିପାଇଁ ମୁଁ କହୁଥିଲି ମୋହନ ଓ ଆନନ୍ଦ ଉଭୟଙ୍କ କଥା ସତ-

 

ମୀର୍ଣ୍ଣା—କିନ୍ତୁ ତମର ବନ୍ଧୁ ତ ମୋତେ ଏ କଥା କହି ନାହାନ୍ତି !

 

କୁମାର—ସେ ନିର୍ଦ୍ଦେଶ ମୋର ନଥିଲା । ନୀଳା ମରିଚି ଏ କଥା ଜାଣିଲେ ଏ ହତ୍ୟାକାରୀ ନିକଟକୁ ତୁମେ କ’ଣ କେବେହେଲେ ଆସିଥାନ୍ତ !

 

ମୀର୍ଣ୍ଣା—ଏତେ ପରିବର୍ତ୍ତନ ତୁମର ଏଇ ଦୁଇବର୍ଷ ଭିତରେ ହୋଇଯାଇଚି ! ଗୋଟିଏ ସ୍ତ୍ରୀ ଲୋକକୁ ହତ୍ୟାକରି ନିର୍ବିକାର ଭାବରେ ସେ କାହାଣୀ ମୋ ଆଗରେ କହି ଚାଲିଚ !

 

କୁମାର—କିନ୍ତୁ ମୀର୍ଣ୍ଣା—ପ୍ରକୃତରେ କ’ଣ ମୁଁ ହତ୍ୟାକାରୀ ? ମରିବା ପାଇଁ ତ ମୁଁ ନୀଳାକୁ ହୀରାମୁଦି ଦେଇ ନଥିଲି ।

 

(ଏତିକିବେଳେ ବାହାରୁ ଘଣ୍ଟି ଶୁଭିଲା)

 

ମାର୍ଣ୍ଣା—କିଏ ?

 

କୁମାର—ଯିଏ ହୁଅନ୍ତୁ—ତୁମେ ଉପରକୁ ଯାଅ ।

 

ମୀର୍ଣ୍ଣା—କାହିଁକି ?

 

କୁମାର—ଏଠି ରହିବା ତୁମ ପକ୍ଷରେ ଆଦୌ ଉଚିତ ନୁହେଁ...ଉପରକୁ ଯାଅ...

 

ମୀର୍ଣ୍ଣା—ନା...

 

କୁମାର—ଅନୁନୟ କରୁଚି ମୀର୍ଣ୍ଣା—ଅଳ୍ପକ୍ଷଣ ପାଇଁ ତମେ ଉପରକୁ ଯାଅ, ତା’ପରେ ତମର ଇଚ୍ଛା ଯାହା କରିବ...ଯାଅ ମୀର୍ଣ୍ଣା (ମୀର୍ଣ୍ଣା ଉପରକୁ ଗଲେ...କୁମାର ସଦର ଦରଜା ନିକଟକୁ ଯାଇ ସଙ୍ଗେ ସଙ୍ଗେ ଫେରି ଆସିଲେ... ତାଙ୍କ ପଛେ ପଛେ ଆସିଲେ ଆନନ୍ଦ ଓ ମୋହନ...କିଛି ସମୟ ପାଇଁ ସମସ୍ତ ନୀରବ—କୁମାର ମୋହନ ଆଡ଼କୁ ପଛକରି ଛିଡ଼ା ହୋଇଥାନ୍ତି...

 

ମୋହନ—ନୀଳା କାହିଁ... ?

 

କୁମାର—(ନୀରବ)

 

ମୋହନ—କୁମାର ସାହେବ—ନୀଳା କାହିଁ ?

 

କୁମାର—ରାୟ !!

 

ଆନନ୍ଦ—ସେ ଜାଣନ୍ତି—

 

ମୋହନ—ଆପଣଙ୍କ ସକାଶେ ସେ ମରିଚି...ଆପଣ ତାର ହତ୍ୟାକାରୀ...

 

କୁମାର—କିନ୍ତୁ ସେ ବଞ୍ଚିଥାନ୍ତା କାହିଁକି...କାହା ପାଇଁ ? ୟା’ର ଉତ୍ତର ତୁମେ ଦେଇ ପାରିବ ?

 

ମୋହନ—ବଞ୍ଚିବାର ଅଧିକାର ତାର ନଥିଲା ବୋଲି ତାକୁ ମାରି ଦେବାର ଅଧିକାର ଆପଣଙ୍କର ନାହିଁ । ନୀଳାର ମୃତ୍ୟୁପାଇଁ ଆପଣ ଦାୟୀ... ଆପଣ ! ଆପଣଙ୍କୁ ଏହାର କୈଫିୟତ ଦେବାକୁ ହେବ ।

 

କୁମାର—ତୁମେ ପୋଲିସ ନୁହଁ ମୋହନ ।

 

ମୋହନ—ପୋଲିସ !

 

କୁମାର—ହଁ...ତେବେ ପାର ଯଦି ପୋଲିସକୁ ଖବର ଦିଅ—ହାତ ପାଖରେ ଫୋନ୍–R।ng up ବଡ଼ ବଜାର ୫୩୭୯...ଲାଲବଜାର ପୋଲିସ ତାର ସମସ୍ତ ଶକ୍ତି ପ୍ରୟୋଗ କରି ଆସି ଦେଖୁ—ଏକା ଏ ବ୍ଲୁ ଭିଲ୍ଲା କାହିଁକି, ଏ ସମସ୍ତ ପୃଥିବୀରେ ନୀଳାର ମୃତ୍ୟଦେହ କେଉଁଠି ଅଛି କି ନା ! (ଟିକିଏ ପରେ) ନାଃ ତୁମେ ପାରିବ ନାହିଁ—

 

ମୋହନ—ପୋଲିସ ଆପଣଙ୍କର କିଛି କରିପାରିବ ନାହିଁ ମୁଁ ଜାଣେ; କିନ୍ତୁ ମୁଁ ଜାଣିବାକୁ ଚାହେଁ—

କୁମାର—ତୁମେ କ’ଣ ଜାଣିବାକୁ ଚାହଁ ?

ମୋହନ—(ଦୁଃଖ ଓ ହତାଶରେ) କିଛି ନାହିଁ; ମୁଁ ଜାଣିଥିଲି—ନୀଳା ମରିବ । ସେ ଆପଣଙ୍କ ନିକଟରେ କେବେହେଲେ ଆତ୍ମସମର୍ପଣ କରିବ ନାହିଁ—

କୁମାର—ସେଇଥିପାଇଁ ତୁମେ ପଳାତକ ପରି ନୀଳାଠାରୁ ଲୁଚି ଲୁଚି ଦୂରରେ ରହୁଥିଲ–ଭୀରୁ ! କାପୁରୁଷ ! ୟା’ ଛଡ଼ା ତୁମକୁ ଆଉ କ’ଣ କୁହାଯାଇପାରେ ? ଯେତେବେଳେ ସେ ତମଠାରେ ସମସ୍ତ ଆଶା ଓ ଭରସା ରଖି ବସିଛି, ସେତେବେଳେ ଗୋଟିଏ ଛବିର ଦ୍ୱାହି ଦେଇ ତୁମେ ତାକୁ ଛାଡ଼ି ଚାଲିଆସିଲ । ସେଦିନ ଏଇଠି, ଏଇ ଘରେ ପ୍ରକୃତ କଥା ଜାଣିବାପାଇଁ ସାମାନ୍ୟ ଟିକେ ଅବସର ସୁଦ୍ଧା ତୁମେ ଦେଇପାରିଲ ନାହିଁ । ଆଉ ଆଜି ଆସିଛ ମତେ ଭର୍ତ୍ସନା କରିବାକୁ-!

ମୋହନ—ଆପଣଙ୍କର ଅବସ୍ଥାର ସୁଯୋଗ ଆପଣ ନେଇଛନ୍ତି । ମୁଁ ଜାଣେ ଯୁଗ ଯୁଗ ଧରି ଆପଣଙ୍କୁ ଭର୍ତ୍ସନା କଲେ ସୁଦ୍ଧା ଆପଣଙ୍କର ଚେତନା ଆସିବ ନାହିଁ । ସେଥିପାଇଁ ମୁଁ ଆସିନି...

କୁମାର—କାହିଁକି ତେବେ ଆସିଚ ! ନୀଳାର ଛବିଟା ପାଇଁ ?

ମୋହନ—ହଁ—ଛବିଟା ମତେ ଦିଅନ୍ତୁ !

କୁମାର—କାହିଁକି ଛବି ଉପରେ ତ ତମର ଆଉ କୌଣସି ଅଧିକାର ନାହିଁ...

ମୋହନ—ଏଇ ଆପଣଙ୍କର ଚେକ୍—(ଚେକ୍‍ଟା ଦେଲା)

କୁମାର—ଚେକ୍‍ର କଥା ନୁହେଁ । ହୀରାଗୁଣ୍ଡ ଖାଇବା ପୂର୍ବରୁ ନୀଳାର ଏଇ ଚିଠିଟା ଦେଖ । ସେଥିରେ ସେ ତମର ନାମ ପର୍ଯ୍ୟନ୍ତ ଉଲ୍ଲେଖ କରି ନାହିଁ—ବରଂ ମୋ ନିକଟରେ ଋଣୀ ବୋଲି ଲେଖିଯାଇଚି । ସେଇ ଦୃଷ୍ଟିରୁ ନୀଳାର ସ୍ମୃତିରୂପେ ଛବିଟା ମୋ ପାଖରେ ରହିବ—ତମ ପାଖରେ ନୁହେଁ ।

ମୋହନ—ଜଣେ ହତ୍ୟାକାରୀଠାରୁ ଏପରି ନିର୍ମମତା ଛଡ଼ା ଆଉ କିଛି ଆଶା କରିବା ବୃଥା—

କୁମାର—ନୀଳାର ଛବିଟା ପାଇଁ ମୁଁ ତମକୁ ପାଞ୍ଚହଜାର ଟଙ୍କା ଦେଇଥିଲି । ଆଜି ମୋ ପାଇଁ ଯଦି ତମେ ନୀଳାକୁ ହରାଇ ଥାଅ, ତାର ଦାମ୍ ମଧ୍ୟ ମୁଁ ଦେବାକୁ ପ୍ରସ୍ତୁତ ଅଛି । (ମୋହନ ଚାଲି ଯାଉଥିଲା) ଶୁଣ ମୋହନ ! ମୋର ଇଚ୍ଛା ବିରୁଦ୍ଧରେ ବ୍ଲୁ ଭିଲ୍ଲାରୁ କେହି କେବେ ପାଦ କାଢ଼ି ଯାଇନାହିଁ—ଚେଷ୍ଟାକରି ତମେ ମଧ୍ୟ ଯାଇ ପାରିବ ନାହିଁ—ଅପେକ୍ଷା କର !

(ଉପରକୁ ଚାଲିଗଲେ)

ମୋହନ—(ଆନନ୍ଦକୁ ଲକ୍ଷ୍ୟ କରି)କୁମାର ସାହେବଙ୍କ ଉଦ୍ଦେଶ୍ୟ କ’ଣ ?

ଆନନ୍ଦ—କହି ପାରିବି ନାହିଁ ।

 

ମୋହନ—ଆପଣଙ୍କ ପରି ଜଣେ ସରଳ ଅମାୟିକ ଲୋକଙ୍କର ୟା’ଙ୍କ ସହିତ ଯେ କିପରି ବନ୍ଧୁତା ହୋଇ ପାରିଲା—

 

ଆନନ୍ଦ—ମୁଁ ଦୁଃଖର ସହିତ କହୁଚି ମୋହନବାବୁ, ଯେତେ ଚେଷ୍ଟାକରି ସୁଦ୍ଧା ମୁଁ କୁମାର ସାହେବଙ୍କ ବନ୍ଧୁ ହୋଇ ପାରିନି—ମୁଁ ଯଦି ତାଙ୍କର ପ୍ରକୃତ ବନ୍ଧୁ ହୋଇଥାନ୍ତି—ତେବେ ବୋଧହୁଏ ଆଜି ଏ ଦୁର୍ଘଟଣା ଘଟି ନଥାନ୍ତା—(ଏତିକିବେଳେ ସିଡ଼ି ଉପରୁ କୁମାର, ମୀର୍ଣ୍ଣା ଓ ନୀଳା ଓହ୍ଲାଇ ଆସିଲେ)

 

ମୋହନ—କିଏ ? ନୀଳା !

 

ଆନନ୍ଦ—ହାୟ ଭଗବାନ ! ଏ କି ଦୃଶ୍ୟ ମୁଁ ଦେଖୁଚି ?

 

କୁମାର—(ହସି ହସି ଆନନ୍ଦଙ୍କ ନିକଟକୁ ଆସି) ଭୟନାହିଁ ରାୟ—ଆମେ ଏଠି ସମସ୍ତେ ସଶରୀରୀ ପ୍ରାଣୀ—ଅଶରୀରୀ କେହି ନାହାନ୍ତି ।

 

ମୋହନ—ନୀଳା ବଞ୍ଚିଚି—ଅଥଚ...

 

କୁମାର—ଅଥଚ ରାୟ ତୁମକୁ ଖବର ଦେଲେ ଯେ ନୀଳା ମରିଚି, କିନ୍ତୁ ତୁମେ ଯେପରି ଧୈର୍ଯ୍ୟହୀନ, ପଳାୟନପ୍ରିୟ, ଭାବପ୍ରବଣ ଶିଳ୍ପୀ, ନୀଳା ବଞ୍ଚିଛି ଜାଣିଥିଲେ ତୁମେ କ’ଣ କେବେ ଏଠିକି ଆସିଥାନ୍ତ ! ବରଂ ଆହୁରି ଦୂରକୁ ପଳାଇଥାନ୍ତ—ବମ୍ବେ କିମ୍ବା ଦିଲ୍ଲୀ—କ’ଣ କହୁଚ ରାୟ ?

 

ଆନନ୍ଦ—ନା ।

 

କୁମାର—କ’ଣ ନା ?

 

ଆନନ୍ଦ—ନୀଳାଦେବୀ ତ ମରି ନାହାନ୍ତି...

 

କୁମାର—ନୀଳା ମରିଛନ୍ତି ବୋଲି କିଏ କହୁଚି...

 

ଆନନ୍ଦ—ସେ ଚିଠି—(କୁମାରଙ୍କଠାରୁ ନେଇ ଏ ଚିଠି ଆପଣ—ଲେଖିଥିଲେ ତ ନୀଳାଦେବୀ—

 

ନୀଳା—ହଁ ।

 

ଆନନ୍ଦ—ହଁ ! ! ଆପଣ ନ ମରି ଚିଠି ଲେଖିଥିଲେ କେମିତି ?

 

କୁମାର—ମରିଥିଲେ ସେ ଚିଠି ଲେଖିଥାନ୍ତେ କିପରି ?

 

ଆନନ୍ଦ—କିନ୍ତୁ ଚିଠି ଲେଖି ତ ମରି ପାରିଥାନ୍ତେ !

 

କୁମାର—ମୋ କଳଙ୍କିତ ଜୀବନର ଏହା ହିଁ ହେଉଚି କୁମାର ପ୍ରଥମ ଗୌରବ—ନୀଳାକୁ ମୁଁ ବଞ୍ଚାଇ ରଖି ପାରିଚି । ଆଉ ନୀଳା ବଞ୍ଚି ପାରିଛି ବୋଲି—

 

ଆନନ୍ଦ—ଘରର ଲକ୍ଷ୍ମୀ ଘରକୁ ଫେରିଛନ୍ତି । କିନ୍ତୁ କୁମାର ସାହେବ—ଶେଷ ପର୍ଯ୍ୟନ୍ତ ମୋତେ ବି ବାଦ ଦେଲେ...ମୋ ଆଖିରେ ବି କୁହୁକ ଲଗେଇ ଦେଲେ........

 

କୁମାର—ଦିନେ ତୁମେ ମୋତେ କହିଥିଲ ରାୟ ମୁଁ ଭଗବାନଙ୍କୁ ଭୟ କରେନା । ଭଗବାନଙ୍କୁ ଭୟ କରେ କି ନା ମୁଁ ଜାଣେନା—କିନ୍ତୁ ମୁଁ ତୁମକୁ ଭୟ କରେ । ସେଦିନ ଏଇଠି—ତୁମ ସମ୍ମୁଖରେ ନୀଳା ବିବାହର ସମ୍ମତି ଦେଲାପରେ ତୁମେ ମତେ ଯେଉଁ ଇଙ୍ଗିତ ଦେଇଥିଲେ, ତାକୁ ମୁଁ ମୋ ଜୀବନର ସତର୍କବାଣୀ ରୂପେ ଗ୍ରହଣ କରି ନେଇଥିଲେ—ତୁମର ଇଙ୍ଗିତ ମୋତେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲା ଯେ ନୀଳା ମୋ ପରି ମତେ ପ୍ରତାରଣା କରୁଚି । ସେଇଥିପାଇଁ ତାକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ତାକୁ ଦେଲି ହୀରାର ମୁଦି—

 

ଆନନ୍ଦ—ତେବେ ହୀରାର ଗୁଣ୍ଡ ଖାଇ ସେ ବଞ୍ଚିଲେ କେପରି ?

 

କୁମାର—ତେବେ ବି ବୁଝିପାରିଲ ନାହିଁ ? ମୁଁ ଯେତେବେଳେ ଜାଣିପାରିଲି ଯେ ଆତ୍ମହତ୍ୟା ଛଡ଼ା ତାର ଆଉ ଅନ୍ୟ ଉପାୟ ନାହିଁ, ମୁଁ ତାକୁ ହୀରାମୁଦି ଦିଅନ୍ତି କିପରି ? ମୁଁ ତାକୁ ଦେଇଥିଲି ଏକ ନକଲି ହୀରା, ଯାହାର ହୀରାର ରୂପ ଥିଲା; କିନ୍ତୁ ଗୁଣ ନଥିଲା !

 

ଆନନ୍ଦ—ଧନ୍ୟବାଦ...

 

କୁମାର—ବିଚାରୀ ନୀଳା, ମରିବାର ଦୃଢ଼ ସଂଙ୍କଳ୍ପ ନେଇ ସେ ଶଯ୍ୟା ଗ୍ରହଣ କରିଚି ଆଉ ଲେଖିଚି ଏଇ ଚିଠି ଖଣ୍ଡିକ.......

 

ଆନନ୍ଦ—ତା’ପରେ...

 

କୁମାର—ତା’ପରେ ସବୁଦିନ ପରି ହୋଇଚି ତାର ନିଦ୍ରାଭଙ୍ଗ—ଆଉ ସେଇଠି ହୋଇଛି ମୋର ସବୁ ପରୀକ୍ଷାର ଶେଷ—ଦ୍ୱନ୍ଦର ସମାଧାନ

 

ଆନନ୍ଦ—ବାବ୍‍ବା...ଏ ଯେ ଆରବ୍ୟ ଅପନ୍ୟାସର ସେଇ ବିଖ୍ୟାତ ଆବୁ ହୋସନୀ କାଣ୍ଡ !! କିନ୍ତୁ କୁମାର ସାହେବ.... କି ଅଦ୍ଭୁତ ଯୋଗଯୋଗ କୁହ ତ ? ଗରିବ ଚିତ୍ରକର ଘରର ଝିଅ ଏହି ନୀଳାଦେବୀ...ଏ ରାଜମହଲର ଐଶ୍ୱର୍ଯ୍ୟ ସୁଦ୍ଧା ତାଙ୍କୁ ଟଳାଇ ପାରିଲାନାହିଁ—ଆଉ ସାତରାଜାର ଧନରେ ଧନୀ-ହୋଇ ଜନ୍ମିଥିଲେ ଯେଉଁ ମୀର୍ଣ୍ଣାଦେବୀ—ଗରିବରୁ ବଳି ଗରିବ ହୋଇ ସୁଦ୍ଧା ସେ ଭାଙ୍ଗିପଡ଼ି ନାହାନ୍ତି—(ମୋହନ ପାଖକୁ ଯାଇ) ହଁ—ଏଣିକି ତୁମ ଦୁହିଁଙ୍କର ଆଶାଭରସା ସବୁ କିଛି ହେଉଚନ୍ତି, ଏ ଦୁଇଟି ରତ୍ନ...କୁମାର ସାହେବ ତ ପ୍ରାୟଶ୍ଚିତ କରି ସାରିଛନ୍ତି । ଏଣିକି ତୁମ ପନ୍ଥା କ’ଣ ? ନୀଳାଦେବୀ ନା ତାଙ୍କର ସେଇ ପ୍ରାଣହୀନ ଛବି ?

 

ମିର୍ଣ୍ଣୀ—ନୀଳା ତ ତାଙ୍କର ଚିରଦିନ ଥିଲା ଆଜି ବି ରହିଛି... କିନ୍ତୁ ଏହି ଘରେ ହୋଇଛି ନୀଳାର ପୁନର୍ଜନ୍ମ..ତା’ର ସ୍ମୃତି ରୂପେ ଛବିଟା ଏହି ଘରେ ରହିବ...କ’ଣ ମୋହନବାବୁ ରାଜି ?

 

ଆନନ୍ଦ—ନିଶ୍ଚୟ ! ନିଶ୍ଚୟ ରାଜି । ଯେତେ ଗଣ୍ଡଗୋଳ ସେଇ ଛବି ନେଇ—ଛବିଟା ତାଙ୍କଠାରୁ ଯିବା ଦରକାର—କିନ୍ତୁ ଆଜି ହେଲା କ’ଣ, ଆମଛଡ଼ା ଏ ଘରେ କ’ଣ ଆଉ କେହି ନାହାନ୍ତି—କୁଆଡ଼େ ଗଲେ ସେଇ ତନ୍ୱୀ, ଶ୍ୟାମା—(ଷୋଡ଼ଶୀ ସିଡ଼ି ଉପରେ ଦେଖାଦେଲା) ଆରେ ତୁମେ କ’ଣ ଉପରକୁ ଗଲଣି ଦେଖୁଚି—ବେଶ୍ ତେବେ ସେଇ ଆନନ୍ଦରେ ସେଇଠୁ ଗୋଟାଏ ଶୁଭଶଙ୍ଖ.....

 

(ଶଙ୍ଖଧ୍ୱନି ସହ ନାଟକର ଯବନିକା ନଇଁ ଆସିଲା)

 

ଜନତା ରଙ୍ଗମଞ୍ଚ-କଟକ

 

ପ୍ରଥମ ଅଭିନୟ ରଜନୀ–ତା ୧୬-୧୨-୧୯୫୩ ବୁଧବାର

 

ପରିଚୟ

 

ମୋହନ—ନିରଞ୍ଜନ

 

ଚରଣ—ଶରତ୍

କାହ୍ନୁ—ପ୍ରଭାକର

 

ଭୀମ ସିଂ—ସୂର୍ଯ୍ୟ

ମଧୁ—ଗୋବର୍ଦ୍ଧନ

 

ରୁଟିବାଲା—ଶ୍ରୀଧର

ଶଙ୍କର—ପଙ୍କଜ

 

ନୀଳା—ଲକ୍ଷ୍ମୀପ୍ରିୟା

ରଘୁ—ବାବ୍‍ଲା

 

ମୀର୍ଣ୍ଣା—ମାଧବୀ

ଆନନ୍ଦ—ଦୀନବନ୍ଧୁ (ଟିମ)

 

ମୁକ୍ତା—କୃଷ୍ଣମଣି

କୁମାର—ନଟବର

 

ଶ୍ରୀମତୀ ଦାସ–ପୂର୍ଣ୍ଣଚାନ୍ଦ

ମହାପାତ୍ର—ବଲାଇବାବୁ

 

ଷୋଡ଼ଶୀ—ହେମ

 

ସଙ୍ଗୀତ ରଚନା—ଅଧ୍ୟାପକ ଶ୍ରୀ ଜାନକୀବଲ୍ଲଭ ମହାନ୍ତି, ଏମ୍:ଏ:ବି:;ଏଲ:

 

ମଞ୍ଚ ପରିକଳ୍ପନା—କେ: ଲକ୍ଷ୍ମୀନାରାୟଣ ଆଚାରୀ

 

ନୃତ୍ୟଶିକ୍ଷା—ପଙ୍କଜ

 

ଆଲୋକ ସମ୍ପାତ—ମଧୁସୂଦନ ଦତ୍ତ

 

ଆବାହ ସଙ୍ଗୀତ—ପ୍ରଭାକର ପାଢ଼ୀ; ନବଘନ ମିଶ୍ର; ଅଚ୍ୟୁତାନନ୍ଦ ମହାପାତ୍ର ଓ ମାୟାଧର ଦାସ ପ୍ରଭୃତି ।

 

ପରିଚାଳକ—ନିରଞ୍ଜନ ଶତପଥୀ

Image